Unknown

 

 

 

 

 

 

 

 

 

 

 

ପଥରର ପଟୁଆର

ସୁବାସ ସାହୁ

 

ସୂଚୀପତ୍ର

 

୧.

ଜ୍ୟୋତିଃ ନିବାସ

୨.

ଧୂଆଁ ଅଛି ନିଆଁ କାହିଁ

୩.

ମାଙ୍କଡ଼ କାରଖାନା

୪.

ବୋଦାବଳି

୫.

ସାପ ପାଳନ

୬.

ହରିଣ ସେବା

୬.

ହୁଙ୍କା

୮.

ଆମିବା ସଂଘର୍ଷ

୯.

ପଥରର ପଟୁଆର

୧୦.

ଗଧ

୧୧.

ଭୂତଖାନା

୧୨.

ଖଣ୍ଡାଧାରରେ ଜୀବନ

୧୩.

ଏକାମ୍ରକାନନ ମୋ ଏକାମ୍ରକାନନ

୧୪.

ସମ୍ରାଟଙ୍କ ଗସ୍ତ ପରେ

୧୫.

ନିଦ୍ରାଭଙ୍ଗ

୧୬.

ପୁଅଖିଆ ବାପ

୧୭.

ଭଉଣୀ ବିକ୍ରି

୧୮.

ସମାଧାନ

☆☆☆

 

ଏଇ ଲେଖକଙ୍କର–

 

ବୈଜ୍ଞାନିକ ଉପନ୍ୟାସ

 

ମଣିଷ ସମ୍ମିଳନୀ

ଆକାଶକନ୍ୟା

 

ବୈଜ୍ଞାନିକ ପ୍ରବନ୍ଧ ସଂକଳନ

 

ଆଗାମୀ ଯୁଗରେ କୃଷି

ମହାକାଶ ଅଭିଯାନ

☆☆☆

 

ଜ୍ୟୋତିଃ ନିବାସ

 

ବୋକା ବୋକା ହୋଇ ଚାହିଁଛନ୍ତି ସଚରାଚର ପ୍ରାଣୀମାନେ । ଦିନ ଦି’ ପହରେ ବାଦଲ ଛାଇଯାଇଛି ସୂର୍ଯ୍ୟ ଉପରେ । ଛାଇ ଲମ୍ବି ଯାଉଛି ପୃଥିବୀରେ । କଳା କିଟିମିଟି ହୋଇଯାଉଛି ଦୁନିଆ । କେହି ଦେଖିପାରୁନି କାହାକୁ । କେହି ଜାଣିପାରୁନି କାହାର ଅବସ୍ଥିତି ।

 

କୁହାଯାଇଛି ଲୋକମାନଙ୍କୁ, ବାଦଲ ହଟିଯିବ । ଆଲୁଅ ଆସିବ । ନିର୍ମଳ ଦିଶିବ ଆକାଶ ।

 

ଲୋକମାନେ ଅପେକ୍ଷା କରୁଛନ୍ତି । ବିତିଯାଉଛି ପୁରୁଷ ପୁରୁଷ । ଅଣନିଃଶ୍ଵାସୀ ହୋଇଯାଉଛନ୍ତି ସମସ୍ତେ । ବଞ୍ଚିବା କଷ୍ଟକର ହେଉଛି ପୃଥିବୀରେ ।

 

ଅନ୍ଧାର ଚିରି ଦେଖାଯାଉଛି ଆଲୁଅ । ମଶାଲ ଧରି ଯାଉଛି ଜଣେ । ଅନ୍ଧାର ମଣିଷମାନେ ଚାହୁଁଛନ୍ତି ସେ ଆଡ଼େ । ଏକ ଲୟରେ ଅନେଇ ରହୁଛନ୍ତି ନିଆଁ ହୁଳାକୁ । ମଶାଲଧାରୀ ପାଖକୁ ଯାଉଛନ୍ତି । ଚାଲୁଛନ୍ତି ତା’ ପଛେ ପଛେ ।

 

ବୀର ଦର୍ପରେ ଚାଲିଛି ମଶାଲଧାରୀ । ପଛରେ ଲମ୍ବି ଯାଉଛି ଅନ୍ଧାରି ମଣିଷଙ୍କ ଛାଇ । ନିଆଁ ହୁଳା ଉପରକୁ ଟେକି ଚାଲିଛି ମଶାଲଧାରୀ । ପାଟିକରି କହୁଛି, ଜ୍ୟୋତିଃ ନିବାସୀମାନଙ୍କୁ ଜଳେଇ ଦିଅ । ପାଳି ଧରୁଛନ୍ତି ପଟୁଆରୀ ମଣିଷମାନେ । ଜଳେଇ ଦିଅ, ପୋଡ଼ି ଦିଅ ।

 

ହୋ ହୋ ହୋଇ ଚାଲିଛନ୍ତି ସମସ୍ତେ । ଅନ୍ଧାର କାଟି କାଟି ଚାଲି ଯାଉଛନ୍ତି ।

 

ଲୋକମାନଙ୍କୁ କହିଛି ମଶାଲଧାରୀ । ମୋ ପଛେ ପଛେ ଆସ । ମୋତେ ସମର୍ଥନ କରି ସ୍ଳୋଗାନ ଦିଅ । ଆଲୁଅ ଦେବି ତୁମକୁ । ରୋଷଣୀ ଜାଳି ଦେବି ତୁମ ଅଗଣାରେ ।

 

ଅନ୍ଧାରରେ ଅନ୍ଧ ପାଲଟିଥିବା ମଣିଷମାନେ ହଁ ଭରିଛନ୍ତି । ଅଣ୍ଡାଳି ଅଣ୍ଡାଳି ଯାଇ ପହଞ୍ଚିଛନ୍ତି ମଶାଲଧାରୀ ପଛରେ ।

 

ମଶାଲଧାରୀ ଜଣେଇଛି ଲୋକମାନଙ୍କୁ । ସବୁ ଅନ୍ଧାରର ମୂଳ କାରଣ ଜ୍ୟୋତିଃ ନିବାସ । ଅନ୍ଧାରମାନେ ତିଆରି ହୁଅନ୍ତି ସେଇଠି । ବ୍ୟାପିଯାଆନ୍ତି ସହର, ବଜାର, ଗାଁ ଗଣ୍ଡା, ଚାରିଆଡ଼େ ।

 

ମାଲୁମ ଅଛି ଲୋକମାନଙ୍କୁ, ଜ୍ୟୋତିଃ ନିବାସରେ ଆଲୁଅର ରୋଷଣୀ ଜଳୁଥାଏ । ଦିନ ରାତି ଚବିଶ ଘଣ୍ଟା ଚମକି ଉଠୁଥାଏ ସେ ସ୍ଥାନ । ସତେ ଅବା ସୂର୍ଯ୍ୟକୁ ଲୁଚାଯାଇଛି ସେଇଠି । ସାରା ପୃଥିବୀକୁ ଅନ୍ଧାର କରି ଆଲୁଅମାନେ ଲୁଚି ଯାଇଛନ୍ତି ନିବାସ ଭିତରେ ।

 

ଜ୍ୟୋତିଃ ନିବାସକୁ ପ୍ରବେଶ ନିଷେଧ ସର୍ବସାଧାରଣଂକର । ଜ୍ୟୋତିଃ-ନିବାସର ବାସିନ୍ଦାମାନଙ୍କୁ ଦେଖିବା ସମ୍ଭବ ନୁହେଁ କାହା ପକ୍ଷରେ ।

 

ସ୍ୱପ୍ନରେ ନିବାସକୁ ଦେଖନ୍ତି ଲୋକମାନେ । କଳ୍ପନାରେ ବୁଲିଯାଆନ୍ତି ତା' ଭିତରକୁ ।

 

ଲୋକେ ଭାବନ୍ତି କୋଟି ଜନ୍ମର ପୁଣ୍ୟ ଥିଲେ ମଣିଷ ଜନ୍ମହୁଏ ଜ୍ୟୋତିଃ ନିବାସରେ । ଦେବତାତୁଲ୍ୟ ଆତଯାତ ହୁଏ ତା’ ଭିତରେ । ରମ୍ଭା ମେନକା ସରି ସୁନ୍ଦରୀମାନଙ୍କ କାନ୍ଧରେ ହାତ ରଖି ବୁଲେ । ଅମୃତ ଖାଏ, ଫୁଲର ଶେଜ ଉପରେ ଶୁଏ ।

 

ମଶାଲଧାରୀ ବଦଳେଇ ଦେଇଛି ଲୋକଙ୍କ ଧାରଣା । ଘର ଘର ବୁଲି ସମସ୍ତଙ୍କୁ କହିଛି ଜ୍ୟୋତିଃ ନିବାସର ଗୁମର କଥା । ପୃଥିବୀର ସବୁ ସୁନ୍ଦରୀଙ୍କୁ ବଳାତ୍କାର କରାଯାଏ ସେଇଠି । ଅମଙ୍ଗ ହେଲେ ହତ୍ୟା କରାଯାଏ । ସମସ୍ତ ହତ୍ୟାକାଣ୍ଡ ପାଇଁ ଯୋଜନା ପ୍ରସ୍ତୁତ ହୁଏ । ସବୁ ନିଶାଦ୍ରବ୍ୟର ବେପାର ଆରମ୍ଭ ହୁଏ ଜ୍ୟୋତିଃ ନିବାସରେ । ଲୋକମାନଙ୍କ ଦେହରୁ କିଡ୍‍ନି ବାହାର କରି ବିକ୍ରି କରାଯାଏ । ଜଣକ ହୃଦୟଯନ୍ତ୍ର କାଢ଼ି ଲଗାଇ ଦିଆଯାଏ ଆଉ ଜଣକ ଦେହରେ । ସବୁ ବିଭତ୍ସ ଘଟଣାର ଶୁଭ ଦିଆଯାଏ ଜ୍ୟୋତିଃ ନିବାସରେ ।

 

ଆଁ କରି ଅନେଇ ରହନ୍ତି ଲୋକମାନେ । ବିଶ୍ୱାସ କରନ୍ତିନି ମଶାଲଧାରୀ କଥାକୁ । ବିଶ୍ଵାସ କଲେ ବି ଥୋକେ କହନ୍ତି, ହେଲା ତ ଆମର କ’ଣ ଅଛି । ଆମେ ତ ଯାଉନୁ ଜ୍ୟୋତିଃ ନିବାସକୁ । ଯିଏ ଯାଉଛି ସିଏ ବୁଝିବ ।

 

ଏଥର ହସେ ମଶାଲଧାରୀ । ହୋ ହୋ ହୋଇ କମ୍ପେଇ ଦିଏ ଗାଁ ଦାଣ୍ଡ । ହିସାବ ଦେଇ କହେ, ରାମ ସାହୁର ପାଞ୍ଚ ବର୍ଷର ପୁଅ ଗାଏବ ହେଲା । ତାକୁ ମାରି ତା’ ଆଖି ବିକ୍ରି କରିଦେଲେ ଜ୍ୟୋତିଃ ନିବାସର ଲୋକମାନେ । କୁଟିଆ ଝିଅ ସୀତା ବେକରେ ଦଉଡ଼ି ଲଗାଇ ମଲା । ତା’ର ବଳାତ୍କାର କରାଯାଇଥିଲା ଜ୍ୟୋତିଃ ନିବାସରେ । ଗାଁର ଚାରିଟା ଟୋକା ମଦ ପିଇ ଛୁରା ଧରିଲେ, ତାଙ୍କୁ ସେ କାମରେ ଭର୍ତ୍ତି କଲେ ଜ୍ୟୋତିଃ ନିବାସୀମାନେ । ଗଲା ବର୍ଷ ମରୁଡ଼ି ବେଳେ ଚାଉଳ କିଲୋ ଏଗାର ଟଙ୍କାରେ ମିଳିଲାନି । ବଜାରର ସବୁ ଚାଉଳ ଲୁଚାଇ ରଖାଗଲା ଜ୍ୟୋତିଃ ନିବାସରେ ।

 

କେହି କିଛି ହିସାବ ରଖିଛି ? ଜାଣିଛ ଏସବୁ ବିଷୟରେ ? ତୁମ ଦେହର ଝାଳ ବୁନ୍ଦାରେ ଭାଗ ବସାଏ ଜ୍ୟୋତିଃ ନିବାସୀ । ତୁମ ଲୁହ ବିକି ପଇସା ପାଏ ଜ୍ୟୋତିଃ ନିବାସୀ ।

 

ତାଟକା ହୋଇ ଅନେଇବେ ଲୋକମାନେ । ସେମିତି ସ୍ୱାଭାବିକ ଭାବେ କହି ଚାଲିଥିବ ମଶାଲଧାରୀ । କେତେଦିନ ଆଉ ମରୁଥିବ ତୁମେ ! କେତେଦିନ ଏମିତି ରକ୍ତ ପିଇ ଜିଇଁ ଥିବ । ଆସ । ଥରେ ମରିବା ସମସ୍ତେ । ଦେହର ସବୁ ରକ୍ତ ନିଗାଡ଼ି ଯୁଦ୍ଧ କରିବା । ଭୁଷୁଡ଼େଇ ଦେବା ଜ୍ୟୋତିଃ ନିବାସ ।

 

ଟାଙ୍କୁରି ଉଠିବ ଲୋକମାନଙ୍କ ଲୋମ । କଞ୍ଚାପାଣି ହୋଇଥିବା ରକ୍ତ ଗରମ ହେବ । ନୂଆ ଉତ୍ତେଜନାରେ ଆଗେଇ ଆସିବେ ଲୋକମାନେ । ଧାଡ଼ିବାନ୍ଧି ଚାଲିବେ ମଶାଲଧାରୀ ପଛରେ ।

 

ମଶାଲଧାରୀ କହିବ-ଜ୍ୟୋତିଃ ନିବାସ । ଏକ ସ୍ୱରରେ କହିବେ ମଣିଷମାନେ, ଭାଙ୍ଗିଦବୁ । ଜାଳି ଦବୁ ।

 

ବଢ଼ି ଯାଉଥିବ ପଟୁଆରୀଙ୍କ ସଂଖ୍ୟା । ମଶାଲଧାରୀ ପଛରେ ଲମ୍ବିଯାଇଥିବେ ତତଲା ରକ୍ତର ମଣିଷମାନେ ।

 

କିଏ ଜଣେ ଆସି ଖବର ଦେଇଦବ ଜ୍ୟୋତିଃ ନିବାସରେ । ଭୁକିବା ଆରମ୍ଭ କରିବେ ମୁଖ୍ୟ ଫାଟକର କୁକୁରମାନେ ।

 

ସତର୍କ କରେଇ ଦବ ମଶାଲଧାରୀ । ଡରିବନି କେହି । ଭୟ କରିବନି । ମୋ ପଛେ ପଛେ ଆଗେଇଥିବ ।

 

ଭୋ ଭୋ କରି କୁକୁରମାନେ ଆସିବେ । ଧାଡ଼ି ବାନ୍ଧି ଠିଆ ହୋଇଯିବେ ମଶାଲଧାରୀ ସାମ୍‌ନାରେ ।

 

ଭାକ୍ କହି ଆଗେଇଯିବ ମଶାଲଧାରୀ । ଭୁକିଲା କୁକୁରମାନଙ୍କ ମୁହଁରେ ମାଡ଼ିଦବ ନିଆଁ ହୁଳା । ଆଗେଇ ଆସିବେ ପଟୁଆରୀ ମଣିଷମାନେ । –ନିଆଁରେ ପୋଡ଼ି ମାରିଦେବେ କୁକୁରମାନଙ୍କୁ ।

 

ସତର୍କ ହୋଇଯିବ ଦରଓ୍ଵାନ । ଆକାଶକୁ ଢୋ ଢୋ ଫୁଟାଇବ ଗୁଳି । ତଥାପି ଡରିବନି ମଶାଲଧାରୀ । ଆଗେଇଯିବ ଆଗକୁ । ପଛେ ପଛେ ଚାଲିଥିବେ ପଟୁଆରୀ ମଣିଷମାନେ ।

 

ଲୋକଙ୍କୁ ଲକ୍ଷ୍ୟ କରି ଦରଓ୍ଵାନ ଫୁଟାଇବ ଗୁଳି । ଟଳିପଡ଼ିବେ କେତେଜଣ ପଟୁଆରୀ ମଣିଷ । ରକ୍ତର ଛିଟାମାନ ଆସି ପଡ଼ିଯିବ ଲୋକଙ୍କ ଉପରେ । ଉତ୍ତେଜନାରେ ଫାଟି ପଡ଼ିବେ ସମସ୍ତେ ।

 

ଧସ୍ତାଧସ୍ତି ଆରମ୍ଭ ହୋଇଯିବ ଦରଓ୍ଵାନ ସହ । ଖଣ୍ଡଯୁଦ୍ଧ ଲାଗିଯିବ ଗେଟ୍ ସାମ୍‌ନାରେ-

 

ଆଲାରାମ୍ ବାଜି ଉଠିବ ଜ୍ୟୋତିଃ ନିବାସରେ । ବାଲକୋନିକୁ ଆସିବେ ଜ୍ୟୋତିର୍ମୟ । ଚିକ୍ ଚିକ୍ କରୁଥିବ ଧଳା ପୋଷାକ । ଆଲୁଅ ବାହାରୁଥିବ ପ୍ରତ୍ୟେକ ଅଂଶରୁ ।

 

ବାଲକୋନିରୁ ଗେଟ୍‍ ଆଡ଼େ ଚାହିଁବେ ଜ୍ୟୋତିର୍ମୟ । ଉପଭୋଗ କରିବେ ଦରଓ୍ଵାନ ଓ ପଟୁଆରୀ ମଣିଷଙ୍କ ମଧ୍ୟରେ ଧସ୍ତାଧସ୍ତି । ସ୍ୱଗତୋକ୍ତି କରି କହୁଥିବେ ଆହୁରି ଜୋରରେ ଲାଗ ମାଡ଼ଗୋଳ । ଦେଖାଯାଉ କିଏ ପାରୁଛି । ଦରଓ୍ଵାନ ମରିଲେ ତୁମରି ଗାଁର । ପଟୁଆରୀ ମଣିଷ ମଲେ ତୁମ ସମାଜର ।

 

ଦରଓ୍ଵାନର ମାଡ଼ରେ ମୂର୍ଚ୍ଛା ହୋଇ ପଡ଼ିଯିବେ କେତେ ଲୋକ । ଲୋକଙ୍କ ମାଡ଼ରେ ଖଣ୍ଡିଆ ଖାବରା ହେବ ଦରଓ୍ଵାନ ।

 

ଏଥର ଦରଓ୍ଵାନକୁ ଚାରିଦିଗରୁ ଘେରିଯିବେ ଲୋକମାନେ । ସେମାନଙ୍କ ଠେଲାପେଲାରେ ପଡ଼ିଯିବ ଦରଓ୍ଵାନ । ହୋ କରି ମାଡ଼ିଯିବେ ପଟୁଆରୀ ମଣିଷମାନେ । ଧସ୍ତାଧସ୍ତି କରି ଭାଙ୍ଗିଦେବେ ଗେଟ୍ । ଦିଓ୍ଵାଲ ଭାଙ୍ଗି ଜ୍ୟୋତିଃ ନିବାସ ଭିତରେ ପଶିବେ ।

 

ଆଶଙ୍କା ଆସିବ ଜ୍ୟୋତିର୍ମୟଙ୍କ ମନରେ । ଇତସ୍ତତଃ ହୋଇ ବୁଲିବେ ବାଲକୋନି ଉପରେ ।

 

ଜଳନ୍ତା ଆଖିରେ ମାଡ଼ି ଯାଉଥିବେ ପଟୁଆରୀ ମଣିଷମାନେ । କଣ୍ଠ ଥରାଇ ଚିତ୍କାର କରୁଥିବେ, ଜ୍ୟୋତିଃ ନିବାସ–ଧ୍ୱଂସକର, ଅନ୍ଧକାର–ଦୂର କର ।

 

ପରମ କ୍ରୋଧରେ ଲୋକମାନେ ଭାଙ୍ଗି ଦେବେ ଗଛର ଡାଳପତ୍ର ଫୁଲମାନଙ୍କୁ ଛିଣ୍ଡାଇ ଫିଙ୍ଗିଦେବେ ଏଣେତେଣେ । ନଷ୍ଟ କରିଦେବେ ଲନ୍, ସ୍ୱିମିଙ୍ଗ ଫୁଲ, ଗାର୍ଡ଼େନ ଚେୟାର, ଗାଡ଼ି ଏବଂ ଅନ୍ୟାନ୍ୟ ଜିନିଷପତ୍ର ।

 

ନିଆଁ ହୁଳା ଧରି ଜ୍ୟୋତିଃ ନିବାସ ପାଖରେ ପହଞ୍ଚିଯିବେ ସମସ୍ତେ ଦୁମ୍ ଦୁମ୍ ପାହାର ପକେଇବେ କାଚଘର ଉପରେ । ରଣ୍‌ଝଣ୍ କରି ଭାଙ୍ଗିଯିବ କାଚର କାନ୍ଥମାନ ।

 

ଜ୍ୟୋତିର୍ମୟ ଧାଇଁଯିବେ ତଳକୁ । ଦୌଡ଼ି ଦୌଡ଼ି ଯାଇ ପହଞ୍ଚିଯିବେ ଠାକୁର ଘରେ । ମନେପଡ଼ିଯିବ ବାପାଙ୍କ କଥା । ମରିବା ଆଗରୁ ବାପା କହିଥିଲେ, ବିପଦ ଆସିଲେ ଶାଳଗ୍ରାମ ଉଠାଇବ । ଖଟୁଲି ତଳେ ଥିବା ପେଡ଼ି ଖୋଲିବ ।

 

ଦୁମ୍ ଦାମ୍ ଭୁସ୍‌ଭାସ୍ ଶବ୍ଦ ଶୁଣାଯାଉଥିବ ବାହାରେ । କମ୍ପିଯାଉଥିବ ଜ୍ୟୋତିଃ ନିବାସ । ପ୍ରାଣ ବିକଳରେ ଏଣେତେଣେ ଧାଉଁଥିବେ ନିବାସର ବାସିନ୍ଦାଗଣ ।

 

ଥରି ଥରି ଶାଳଗ୍ରାମ ପାଖକୁ ଆସିବେ ଜ୍ୟୋତିର୍ମୟ । ଆଣ୍ଠୁମାଡ଼ି ବସି ପଡ଼ିବେ ଠାକୁରଙ୍କ ସାମ୍‌ନାରେ । ପରମ ଭକ୍ତିରେ ପ୍ରଣାମ କରିବେ ଠାକୁରଙ୍କୁ । ଥରି ଥରି ହାତ ନେବେ । ଉଠାଇ ଦେବେ ଶାଳଗ୍ରାମ ମୂର୍ତ୍ତି ।

 

ଧଡ୍‍ଧଡ୍‍ ହୋଇ ଭାଙ୍ଗିଯିବ ଜ୍ୟୋତିଃ ନିବାସର ଏକ ଅଂଶ । ଚମକି ପଡ଼ି ଶାଳଗ୍ରାମ ମୂର୍ତ୍ତିକୁ ତଳେ ଥୋଇଦେବେ ଜ୍ୟୋତିର୍ମୟ । ଖୁବ୍ ଧୀରେ ଖଟୁଲି ଉଠାଇବେ । ଟେକି ଆଣିବେ ପୁରୁଣା ରଙ୍ଗଛଡ଼ା ବେତର ପେଡ଼ିଟିଏ ।

 

ନଅ ପୁରୁଷ ତଳେ ଏଇମିତି ବିପଦ ଆସିଥିଲା ଜ୍ୟୋତିଃ ନିବାସକୁ ସେତେବେଳେ ଖୋଲା ଯାଇଥିଲା ଏ ପେଡ଼ି । ପୁରୁଷାନୁକ୍ରମେ ଜ୍ୟୋତିଃ ନିବାସର ସୁରୁକ୍ଷା ପାଇଁ ପୁଅକୁ କହି ଆସିଛି ବାପ । ହେଲେ ପେଡ଼ି ଖୋଲିବା ଦରକାର ପଡ଼ିନି ଆଉ ।

 

ମଶାଲଧାରୀ ନିଆଁ ଲଗାଇ ଦେଇଥିବ ଜ୍ୟୋତିଃ ନିବାସରେ । ଜଳିବା ଆରମ୍ଭ ହୋଇଥିବ ନିବାସର ସମ୍ମୁଖ ଭାଗ । ଭୟରେ କାନ୍ଦ ବୋବାଳି ପଡ଼ିଯିବ ନିବାସର ବାସିନ୍ଦାମାନଙ୍କ ଭିତରେ ।

 

ଥରିଲା ହାତରେ ପେଡ଼ି ଉପରୁ ଅଳନ୍ଧୁ କାଢ଼ିଦେବେ ଜ୍ୟୋତିର୍ମୟ । ଖୁବ୍ ଆସ୍ତେ ଖୋଲିଦେବେ ପେଡ଼ି ।

 

ନିଆଁ ଧାସ ପଶି ଆସୁଥିବ ଘର ଭିତରକୁ । ଭୟରେ ଠାକୁର ଘରକୁ ଆସିବେ ଅନ୍ୟାନ୍ୟ ବାସିନ୍ଦାଗଣ ।

 

ଜ୍ୟୋତିର୍ମୟ ଦେଖିବେ, ପେଡ଼ିରେ ସାଇତା ଯାଇଛି ନାଲି କପଡ଼ାଟିଏ । ତା’ ଭିତରେ ଅଛି ରୂପାର ପାତ କେତେ ଖଣ୍ଡ । ସେଥିରେ ଗାର ଟଣାଯାଇ ନକ୍‌ସା ହୋଇଛି । ଛୋଟ ଅକ୍ଷରରେ ଲେଖାଯାଇଛି କେତେ କଥା ।

 

କିଛି ନିରୀକ୍ଷଣ କରିବେ ଜ୍ୟୋତିର୍ମୟ । ନକ୍‌ସାର ଅର୍ଥ ବୁଝିବେ । ଲେଖାଯାଇଥିବା ଭାଷାକୁ ବୁଝିବେ ଟିକିନିଖି ଭାବେ । ହସ ଫୁଟିଉଠିବ ତାଙ୍କ ମୁହଁ ଉପରେ ।

 

ଆନନ୍ଦରେ ଉଲ୍ଲସି ଉଠୁଥିବ ମଶାଲଧାରୀ । ଉନ୍ମାଦନାରେ ମାତି ଯାଉଥିବେ ପଟୁଆରୀ ମଣିଷମାନେ । ବିଜୟ ହାସଲ କରିଛନ୍ତି ସେମାନେ । ପୃଥିବୀରୁ ଅନ୍ଧାର ଦୂରେଇବାକୁ ସଫଳ ହୋଇଛନ୍ତି ଏତେ ଦିନ ପରେ ।

 

କିଏ ଜଣେ କହିବ, ପୋଡ଼ି ଦିଅ ଜ୍ୟୋତିଃ ନିବାସର ବାସିନ୍ଦାମାନଙ୍କୁ । ଯୁଗ ଯୁଗ ଧରି ସବୁ ସୁଖକୁ ମାଡ଼ି ବସିଥିବା ମଣିଷମାନଙ୍କୁ ଧ୍ୱଂସ କରିଦିଅ । ପ୍ରତିଶୋଧ ନିଅ ସେମାନଙ୍କ ଉପରେ-

 

ମାଡ଼ି ଆସିବେ ପଟୁଆରୀ ମଣିଷମାନେ । ପାହାଚ ପରେ ପାହାଚ ଡେଇଁବେ । ଘର ଘର ବୁଲି ଖୋଜିଯିବେ ନିବାସର ବାସିନ୍ଦାମାନଙ୍କୁ ।

 

ଦେଖିପାରିବେ ପଟୁଆରୀମାନେ । ପୋଡ଼ି ଯାଇଛି ମଦ ତିଆରି କାରଖାନା । ନିଆଁ ଲାଗିଯାଇଛି ନିର୍ଯ୍ୟାତନା କୋଠରୀରେ । କିଡ୍‍ନି, ଆଖି, ରକ୍ତ, ମାଂସ ବିକ୍ରି ହେଉଥିବା ବ୍ୟବସ୍ଥା ଲୋପ ପାଇଛି । କୁଢ଼ କୁଢ଼ ଜମା ହୋଇଥିବା ମଣିଷ ହାଡ଼ରେ ଲାଗିଯାଇଛି ନିଆଁ ।

 

ଆନନ୍ଦରେ ଫାଟି ପଡ଼ୁଥିବେ ସମସ୍ତେ । ହସି ହସି ଘର କମ୍ପି ଦେଉଥିବେ ।

 

ଖୋଜି ଖୋଜି ଠାକୁର ଘରେ ପହଞ୍ଚିବ ମଶାଲଧାରୀ । ତା’ ପଛେ ପଛେ ପହଞ୍ଚିଯିବେ ଅନ୍ୟ ମଣିଷମାନେ । ସୁଡ଼ଙ୍ଗଟିଏ ଦେଖାଯିବ ସେଇଠି । ମଶାଲଧାରୀ କହିବ, ଏଇବାଟେ ଚାଲିଯାଇଛନ୍ତି ଜ୍ୟୋତିଃ ନିବାସର ବାସିନ୍ଦାମାନେ ଆସ ।

 

କହିବ ତ ସୁଡ଼ଙ୍ଗ ଭିତରେ ପଶିବ ମଶାଲଧାରୀ । ତା’ ପଛେ ପଛେ ନିଆଁ ହୁଳା ଧରି ଚାଲିବେ ପଟୁଆରୀମାନେ । ହୋ ହୋ ହୋଇ ମାଡ଼ିଯିବେ ସମସ୍ତେ ।

 

ଜଳି ଯାଉଥିବ ଜ୍ୟୋତିଃ ନିବାସ । ଅନ୍ଧାର ଦୂରେଇ ଯାଉଥିବ ଚାରି ପାଖରୁ । ଲୋକ ଆସି ଜମା ହେଉଥିବେ ପାଖରେ । ଉପଭୋଗ କରୁଥିବେ ଜ୍ୟୋତିଃ ନିବାସ ଜଳି ଯିବାର ଦୃଶ୍ୟ ।

 

ହଠାତ୍ ଏକ ବିସ୍ଫୋରଣ ହେବ ଜ୍ୟୋତିଃ ନିବାସରେ । ମାଟି ସବୁ ଆକାଶକୁ ଉଠିବ । କାଚ, ଇଟା, ରଡ଼ ଛିଟିକି ପଡ଼ିବ ଚାରିଆଡ଼େ । ସୁଡ଼ଙ୍ଗ ଫାଟି ଖଣ୍ଡ ଖଣ୍ଡ ହୋଇଯିବ ।

 

ନିରାପଦ ଦୂରତ୍ୱରେ ଛିଡ଼ା ହୋଇଥିବେ ଜ୍ୟୋତିର୍ମୟ । ଖୁସି ହେଉଥିବେ ନିଜ ପାରିଲାର ପଣିଆ ପାଇଁ ।

 

ନିଆଁ ହୁଳା ସହ ଆକାଶକୁ ଉଠିବ ମଶାଲଧାରୀ । ନିଆଁ ଲାଗିଯିବ ପଟୁଆରୀ ମଣିଷମାନଙ୍କ ଦେହରେ । ଜଳନ୍ତା ମଣିଷମାନେ ଆକାଶରୁ ପଡ଼ିବେ । ତଥାପି ଖୁସିଥିବେ ସେମାନେ । ମନଖୋଲି ହସୁଥିବେ । ଜ୍ୟୋତିଃ ନିବାସ ଧ୍ୱଂସ କରିଥିବାରୁ ଆନନ୍ଦରେ ଗର୍ଜନ କରୁଥିବେ ।

 

ଆଲୋକମୟ ହୋଇଯିବ ସମଗ୍ର ଇଲାକା । ପଟୁଆରୀଙ୍କ କଣ୍ଠ ସ୍ୱର ବ୍ୟାପିଯିବ ଚତୁର୍ଦ୍ଦିଗ । ଅନ୍ଧାରରେ ଅନ୍ଧ ହୋଇଥିବା ଲୋକେ ଭାବିବେ, କିଛି ଘଟିଗଲା ।

ଆକାଶରେ ତୋଫା ଦିଶିଯିବ ସୂର୍ଯ୍ୟଙ୍କ ଅବସ୍ଥିତି । ଦୂରେଇ ଯିବ ବାଦଲ ।

ବିତିଯିବ ସମୟ । ଜ୍ୟୋତିନିବାସର ନିଆଁ ଲିଭିଯିବ । ଦୂରେଇଯିବ ପୋଡ଼ା ପୋଡ଼ା ଗନ୍ଧ । ଲୋକେ ଭୁଲିଯିବେ, ସେଇଠି ଦିନେ ନିଆଁର ହୋରିଖେଳ ହୋଇଥିଲା ବୋଲି ।

କେଉଁଠି ଥିବେ ଆସିବେ ଜ୍ୟୋତିର୍ମୟ । ଜ୍ୟୋତିଃ ନିବାସର ବାସିନ୍ଦାମାନେ ଆସିବେ ତାଙ୍କ ପଛେ ପଛେ । ପାଉଁଶ ଗଦା ଉପରେ ଠିଆ ହେବେ । ହାତ ପତେଇ ଭିକ ମାଗିବେ ।

ଚାଲି ଯାଉଥିବା ଲୋକମାନଙ୍କୁ କହିବେ, ତୁମରି ପାଇଁ ଆମେ ସର୍ବସ୍ୱାନ୍ତ ହୋଇଛୁ । ତୁମକୁ ଆଲୋକ ଦେବା ପାଇଁ ଜ୍ୟୋତିଃ ନିବାସରେ ନିଆଁ ଲଗାଇ ଦେଇଛୁ । ବିସ୍ଫୋରଣରେ ଆତ୍ମୀୟ ସ୍ୱଜନ ସମସ୍ତଙ୍କୁ ହରାଇଛୁ । ଦିଅ, ପାଞ୍ଚପଇସା ଦଶ ପଇସା ଦିଅ । ଦୟାକର ବାବୁ । ଦିଅ, ଯାହା ଅଛି ଦିଅ ।

ଦୟା କରିବେ ବାଟଚଲା ମଣିଷମାନେ । ଅନ୍ୟମନସ୍କ ଭାବେ ପକେଇ ଦେବେ ପାଞ୍ଚ ଦଶ ପଇସା । ଚାଲିଯିବେ ଯେଝା ବାଟରେ ।

ପଇସା ସବୁ ଖୁଣ୍ଟି ନେବେ ଜ୍ୟୋତିର୍ମୟ । ଗୋଟି ଗୋଟି କରି ସାଇତି ରଖିବେ । ପାଉଁଶ ଗଦା ଉପରେ ତିଆରି କରିବେ ଗୋଟିଏ ଘର । ଭିତରେ ପେଡ଼ି ରଖିବେ । ତା’ ଉପରେ ଖଟୁଲି । ଖଟୁଲି ଉପରେ ଶାଳଗ୍ରାମ ରଖି ପୂଜା କରିବେ ।

କୁଆଡ଼େ ଥିବ ମାଡ଼ିଆସିବ ପବନ । ପାଉଁଶ ସବୁ ଆକାଶକୁ ଉଠିବ ଝାପ୍‌ସା ବାଦଲ ଛାଇଯିବ ଆକାଶରେ । ଘୋଡ଼େଇ ହୋଇଯିବ ସୂର୍ଯ୍ୟ । ପୁଣି ଥରେ ଅନ୍ଧାର ମାଡ଼ି ଆସୁଥିବ ପୃଥିବୀକୁ ।

☆☆☆

 

ଧୂଆଁ ଅଛି ନିଆଁ କାହିଁ

 

ବର୍ଷ ବର୍ଷର ପାଉଁଶ ଗଦାରୁ ଛିଟିକି ଆସୁଛି ନିଆଁଝୁଲ । ଖୋସି ହୋଇଯାଉଛି ଦେଖିଲା ଲୋକର ଆଖି । କେମିତି ସମ୍ଭବ ହେଲା ଅଦ୍ଭୁତପୂର୍ବ ଘଟଣା । ଯୁଗ ଯୁଗ ଧରି ଲିଭି ଯାଇଥିବା ପାଉଁଶ ଗଦାରୁ ନିଆଁର ଝୁଲ ବାହାରିଲା କେମିତି ।

 

ମଶାଣି ଭିତରେ ଶୁଭିଯାଉଛି ଅଶରୀରୀମାନଙ୍କର ହସ । ମଣିଷ ଖପୁରି, କୁଆଁରୀ ହାଡ଼, ବରଗଛ ଖୋଲ, ସମାଧି ଚଉରା ସବୁଠୁ ଲହରେଇ ଆସୁଛି ପ୍ରେତମାନଙ୍କର ବିକଟ ଚିତ୍କାର ।

 

କେତେ ନିଆଁ ଝୁଲ ସହ ଖେଳ ଖେଳିଛୁ ଆମେ । କେତେ ନିଆଁକୁ ଫୁଙ୍କି ଦେଇ ଲିଭେଇ ଦେଇଛୁ ମୁହୂର୍ତ୍ତକ ଭିତରେ । ଇଏ ପୁଣି ଗୋଟିଏ ନିଆଁ ଯେ ପାଉଁଶ ଗଦାରୁ ଉତୁରି ଆସି ଡରାଉଛି ଆମକୁ ।

 

ମଶାଲର ଲହ ଲହ ଶିଖାରେ ସମଗ୍ର ସହର ଆଲୋକିତ ହୋଇଥିବ ଦିନେ । ଲୋକଙ୍କ ଆଖିରେ ନିଆଁ ଝୁଲ ପକେଇ ଅନ୍ଧ କରିଦେଇଥିବେ ଅଶରୀରୀମାନେ । ଚାମୁଣ୍ଡାମାନେ ମଶାଲ ଶୋଭାଯାତ୍ରା ବାହାର କରିଥିବେ ସହରରେ । ଜଣାଶୁଣା ଲୋକମାନେ ସ୍ଳୋଗାନ ଦେଉଥିବେ ଅଶରୀରୀମାନଙ୍କ ସପକ୍ଷରେ । କୁହାଳିଆମାନେ ମାଇକ ଫଟେଇ ଭାଷଣ ଦେଉଥିବେ, ଅଶରୀରୀମାନେ ଆମର ପରମ ବନ୍ଧୁ । ଆମ ସୁଖଦୁଃଖର ସାଥୀ ସେମାନେ । ଆମ ପାଇଁ ସେମାନେ ଈଶ୍ୱରଙ୍କ ଅବତାର । ଥରକ ପାଇଁ ତାଙ୍କୁ ସ୍ୱୀକୃତି ଦିଅନ୍ତୁ ଆପଣ । ଥରକ ପାଇଁ ମତ ଦିଅନ୍ତୁ ତାଙ୍କ ସପକ୍ଷରେ । ଦେଖିବେ ଆପଣଙ୍କ ସହର ପାଲଟିଯିବ ସ୍ୱର୍ଗର ଇନ୍ଦ୍ର ଭୁବନ । ଏ ଦେଶରେ ସୁବର୍ଣ୍ଣ ଯୁଗର ଅୟମାରମ୍ଭ ହେବ ।

 

ପଞ୍ଜାବି ପିନ୍ଧା, ଦାଢ଼ି ମୁହଁବାଲା ପାଖଲୋକ ଜଣକ ଗର୍ଜନ କରିବ, ଅଶରୀରୀ ଜିନ୍ଦାବାଦ । ଆଗରେ ଠିଆ ହୋଇଥିବା ସବଜାନ୍‌ତା ବାବୁମାନେ କହିବେ–ଜିନ୍ଦାବାଦ୍ ଜିନ୍ଦାବାଦ୍ । ପାଖଲୋକ ଜଣକ କହିବ, ଅଶରୀରୀ ହର୍ତ୍ତାକର୍ତ୍ତା । ଆଶାୟୀ ମଣିଷମାନେ ଉତ୍ତର ଦେବେ–ହର୍ତ୍ତାକର୍ତ୍ତା ଦୈବ ବିଧାତା ।

 

ମଞ୍ଚ ଉପରକୁ ଉଠି ଆସୁଥିବା ଅଶରୀରୀଙ୍କୁ ସ୍ୱାଗତ କରିବ ପାଖଲୋକ । ବେକରେ ଫୁଲହାର ଲମ୍ବେଇ ଦେଇ କରତାଳି ଦେବ । ପାଖଲୋକଙ୍କ ପିଠିରେ ହାତ ଥାପୁଡ଼େଇ ମାଇକ ପାଖକୁ ଯିବେ ଅଶରୀରୀ ।

 

ଅଶରୀରୀଙ୍କ ଭୀଷଣ ମଝିରେ ତାଳିମାରିବ ପାଖଲୋକ । ତାଙ୍କୁ ଦେଖି ଘନ ଘନ କରତାଳିରେ ଉଛୁଳି ଉଠିବ ସଭାସ୍ଥଳ । ନିର୍ମାୟା ମଣିଷମାନଙ୍କ ପାଖରୁ ଫୁଲତୋଡ଼ାମାନ ଛୁଟି ଆସିବ ଅଶରୀରୀଙ୍କ ଉଦ୍ଦେଶ୍ୟରେ ।

 

କେଉଁଠି ଥିବେ ମାଡ଼ି ଆସିବେ ପ୍ରେତ ଦଳ । ଅଶରୀରୀଙ୍କୁ ଲକ୍ଷ୍ୟ କରି ଫିଙ୍ଗିବେ ଛିଣ୍ଡା ଚପଲ, ପଚା ଅଣ୍ଡା, କଦଳୀ ଚୋପା, ସାଇକେଲ ଟାୟାର । ପାଖଲୋକ ଠିଆ ହୋଇଯିବ ଅଶରୀରୀଙ୍କ ସାମ୍‌ନାରେ । ଅତ୍ୟନ୍ତ ବିଶ୍ୱସ୍ତ ଭାବେ ସହିଯିବ ସବୁ । ଅଶରୀରୀଙ୍କୁ ରକ୍ଷା କରିବ ଏ ଆକ୍ରମଣରୁ ।

 

କୃତ୍ୟ କୃତ୍ୟ ହୋଇ ପାଖଲୋକଙ୍କୁ କହିବେ ଅଶରୀରୀ । ମୁଁ ତୋ ଉପରେ ସନ୍ତୁଷ୍ଟ ବତ୍ସ-। ଯାହା ବର ମାଗୁଛୁ ମାଗ ।

 

କାକୁସ୍ଥ ହୋଇ ଜଣାଇବ ପାଖଲୋକ । ମୋର କିଛି ଦରକାର ନାହିଁ ପ୍ରଭୁ । ପାଞ୍ଚବର୍ଷ ତଳେ ଯାହା ମାଗିଥିଲି ସେତିକି ଦରକାର । ବଞ୍ଚି ରହିବା ପାଇଁ ଧନ୍ଦାଟିଏ ଦରକାର ମୋର । ମୋର ବୁଢ଼ା ବାପା ଆଉ ମା’ଙ୍କ ମୁହଁରେ ପକାଇବା ପାଇଁ ସବୁ ଦିନିଆ ଦାନା ଗଣ୍ଡିଏ ଦରକାର ।

 

ତଥାସ୍ତୁ । ଆନମନା ହୋଇ କହିଦେବେ ଅଶରୀରୀ । ଏଇ କଥା । ଆର ମାସ ପ୍ରଥମ ସପ୍ତାହରେ ମୋତେ ରାଜଧାନୀରେ ଦେଖା କର ।

 

ପାଞ୍ଚବର୍ଷ ହେଲା ଅଶରୀରୀଙ୍କୁ ରାଜଧାନୀର ଚାମ୍ବରରେ ଦେଖା କରି ଆସୁଛି ପାଖଲୋକ । ମନ୍ତ୍ରୀଙ୍କ ପାଖକୁ ଫୋନ କରାଉଛି । ସୁପାରିସ୍‍ ଲେଖି ନେଉଛି କେଉଁ ଅଫିସରଙ୍କ ପାଖକୁ । ଅଥଚ ଫଳ ହେଉ ନାହିଁ କିଛି । ସବୁ ଦିନିଆ ଦାନା ଗଣ୍ଡିଏ ଯୋଗାଡ଼ ହୋଇପାରୁନି ତା’ ନିଜ ପାଇଁ ।

 

ତଥାପି ଆଶା ଦେଉଛନ୍ତି ଅଶରୀରୀ । ପାଖଲୋକର ସ୍ୱପ୍ନକୁ ଲମ୍ବେଇ ଦେଉଛନ୍ତି ଗାଁରୁ ରାଜଧାନୀ ଯାଏ । ଚାମ୍ବରରୁ ପାର୍ଟି ଅଫିସ ଯାଏ ।

 

ଅଶରୀରୀଙ୍କ ପଛରେ ଦୌଡ଼ି ଦୌଡ଼ି ନୟାନ୍ତ ହେଲାଣି ପାଖଲୋକ । ନିର୍ବାଚନ ମଣ୍ଡଳୀରୁ ପାର୍ଟି ଅଫିସ, ସେଠୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର, ଏମ୍ପ୍ଲୟମେଣ୍ଟ ଏକ୍‌ସଚେଞ୍ଜ, ଇଣ୍ଟରଭିଉ ବୋର୍ଡ଼ ଧାଇଁ ଧାଇଁ ସବୁ ଧୈର୍ଯ୍ୟ ହରେଇଲାଣି ପାଖଲୋକ ।

 

ପାଖ ଲୋକର ଆଖି ସାମ୍‌ନାରେ ଦିଶି ଯାଉଥିଲା ଚିତ୍ରଟିଏ–ମେଟ୍ରିକ ପଢ଼ୁଥିବା ପିଲାଟି ହାତରେ ଧରାଇ ଦିଆ ଯାଇଥିବ ଝଣ୍ଡା । ଚିରକୁଟି ନେଇ ବାଣ୍ଟିବାକୁ କୁହାଯାଇଥିବ ଘରେ ଘରେ । ଅଶରୀରୀଙ୍କ ପାଇଁ ଦିନରାତି ଖଟିଥିବ ପିଲାଟି । ଘର କୋଣରୁ ବୁଥ ପାଖଯାଏ ସବୁଠି ପ୍ରଚାର କରିଥିବ ଅଶରୀରୀଙ୍କ ମହାନୁଭବତା ।

 

ବେଶ୍ ସହଜ ଭାବେ ସ୍ୱୀକୃତି ମିଳିଯିବ ଅଶରୀରୀଙ୍କୁ । ଗଳାରେ ଫୁଲହାର ପିନ୍ଧାଇ ଲୋକମାନଙ୍କର ଭାଗ୍ୟନିୟନ୍ତା ଭାବେ ନିର୍ବାଚିତ କରାଯିବ ତାଙ୍କୁ ।

 

ଲୋକମାନଙ୍କ ସାମ୍‌ନାରେ ପିଲାଟିକୁ ଖୁବ୍ ପ୍ରଶଂସା କରିବେ ଅଶରୀରୀ । ପିଲାଟିକୁ ନିଜର ପାଖଲୋକ ବୋଲି ଘୋଷଣା କରିବେ ସାଧାରଣ ସଭାରେ ।

 

ନିଜ ଶ୍ରମର ମୂଲ୍ୟ ମିଳିଯିବ ପିଲାଟିକୁ । ଆଗାମୀ ଦିନ ପାଇଁ ଅନେକ ସ୍ୱପ୍ନ ବୁଣି ହୋଇଯିବ ମନରେ ।

 

ଗୋଟାକ ପରେ ଗୋଟାଏ ପାହାଚ ଉଠିଯିବେ ଅଶରୀରୀ । ପାଖଲୋକର କାନ୍ଧ ଉପରେ ସବାର ହୋଇ ମାତି ଚାଲିବେ ଆଗକୁ ଆଗକୁ ।

 

ଅଶରୀରୀ କେଉଁ ଆଡ଼େ ଯାତ୍ରା କଲେ କାର୍‍ର ଆଗ ସିଟରେ ବସିବ ପାଖଲୋକ । ବେଳା ଅବେଳାରେ ବୋତଲରୁ ଠିପି ଖୋଲିଦେବ । ଅଶରୀରୀଙ୍କ ବାଧ୍ୟ-ବାଧକତାରେ ପଡ଼ି ନିଃଶେଷ କରିଦେବେ ଗୋଟା ଗୋଟା ପେଗ୍ ।

 

ପାଖଲୋକ ପାଇଁ ସ୍ଥାୟୀ ଭାବେ କିଛି କରିଦେବାରେ ଅସାମର୍ଥ୍ୟ ପ୍ରକାଶ କରୁଥିବେ ଅଶରୀରୀ । ଏତେ ବିଶ୍ୱସ୍ତ କର୍ମୀଙ୍କୁ ହାତଛଡ଼ା କରିବା ପାଇଁ ଚାହୁଁ ନ ଥିବେ ଅଶରୀରୀ । ମନେମନେ ନିଷ୍ପତ୍ତି ନେଉଥିବେ, ତୁମେ ସବୁବେଳେ ମୋର ପାଖଲୋକ ହୋଇଥାଅ । ସବୁବେଳେ ମୋ ହାତଟେକାକୁ ଅନେଇ ବସିଥାଅ । ମୋ ଦୟାରେ ବଞ୍ଚିଯାଅ ତୁମେ । ତୁମର ନିଜର ହୋଇ କିଛି ନ ରହୁ ଏ ଦୁନିଆରେ । ମୋ ବିନା ତୁମର ସ୍ଥିତି ବି ନିଶ୍ଚିହ୍ନ ହୋଇଯାଉ ଲୋକମାନଙ୍କ ପାଖରେ ।

 

ନିଜତ୍ଵ ଜାହିର କରିବା ପାଇଁ ପାଖଲୋକର ନିଜର ହୋଇ ନ ଥିବ କିଛି । ଅଶରୀରୀଙ୍କ କଥାରେ ପଡ଼ି ଡୋରି ବନ୍ଧା ଯାଇଥିବ ପାଠ ପଢ଼ାରେ । ବୟସ ଗଡ଼ିଯିବା ଯୋଗୁଁ ଚାକିରି ପାଇବାର ଯୋଗ୍ୟତା ହରାଇ ଥିବ ପାଖଲୋକ । ବ୍ୟବସାୟ କରିବା ପାଇଁ ସାମର୍ଥ୍ୟ ନ ଥିବ, ଚାଷ କରିବାର ମନୋବୃତ୍ତି ନ ଥିବ ପାଖଲୋକର ।

 

ଗୋଟାଏ ପରାଙ୍ଗପୃଷ୍ଠ ହୋଇ ବଞ୍ଚିଥିବ ଅଶରୀରୀଙ୍କ ଉପରେ । ତାଙ୍କ ହାତ ଟେକା ପାଣି ଟୋପାକୁ ଅନେଇ ଜୀବନ ବିତାଉଥିବ ।

 

ରାଜଧାନୀର ଚାମ୍ବରରେ ପାଖଲୋକଙ୍କୁ କହିବେ ଅଶରୀରୀ ତୁମେ କଣ୍ଟ୍ରାକ୍ଟର ହେବ ! ପଚାଶ ହଜାର ଟଙ୍କାନେଇ ଖୋଳି ଦେଇ ପାରିବ ପଞ୍ଚାୟତ ପୋଖରୀ ! ମୋ’ପାଇଁ ଦଶ ପର୍ସେଣ୍ଟ ରଖିବ । ବ୍ଲକ ଷ୍ଟାଫଙ୍କ ପାଇଁ ପାଞ୍ଚ ପର୍ସେଣ୍ଟ । ଆଉ ସବୁ ଲାଭ ତୁମର ।

 

ବେଶ୍ ସଚେତନ ହୋଇଯାଇଥିବ ପାଖଲୋକ । ଜୀବନସାରା ଠକାମିରେ ପଡ଼ି ଚିହ୍ନି ଯାଇଥିବ ଅଶରୀରୀଙ୍କୁ । ମୁହେଁ ମୁହେଁ ସିଧା ଜଣାଇଦେବ, ଏମିତି କେତେଦିନ ପାଇଁ କାମ ଦରକାର ନାହିଁ ମୋର । ଦରକାର ନାହିଁ ଢୋକେ ପିଇ ଦଣ୍ଡେ ଜିଇଁବାର ଜୀବନ । ସ୍ଥାୟୀ ଭାବରେ କାମଟିଏ ଦରକାର । ସବୁଦିନ ପାଇଁ ବଞ୍ଚିଯିବାର ଧନ୍ଦାଟିଏ ଦରକାର ।

 

ରୋକଠୋକ ମନା କରିଦେବେ ଅଶରୀରୀ । ଚାକିରି କରିବା ପାଇଁ ବୟସ ନାହିଁ ତୁମର । ବ୍ୟବସାୟ ପାଇଁ ସାମର୍ଥ୍ୟ ନାହିଁ । ତୁମେ ସବୁଦିନ ପାଇଁ ମୋର ପାଖଲୋକ ହୋଇ ରହିଥାଅ। ସବୁଦିନ ମୋ ଆଗରେ ସ୍ଳୋଗାନ ଦେଇ ଚାଲିଥାଅ । ବଞ୍ଚିବାରେ କିଛି ଅସୁବିଧା ହେବନି ତୁମର ।

 

କେତେଦିନ ଏମିତି ନିଜତ୍ୱ ବିକ୍ରି କରି ବଞ୍ଚିହେବ ! କେତେଦିନ ଏମିତି ଅନିଶ୍ଚିତ ଭବିଷ୍ୟତ ପଛରେ ଧାଇଁବାକୁ ହେବ ! ବିଦ୍ରୋହ କରି ଉଠିବ ପାଖଲୋକ । ଏକ ଅସତର୍କ ମୁହୂର୍ତ୍ତରେ ଅଶରୀରୀଙ୍କ କ୍ୟାମ୍ପ୍ ଛାଡ଼ିବ ।

 

ଭାଳେଣି ପଡ଼ିଯିବ ଅଶରୀରୀଙ୍କର । ପାଖଲୋକ ପରି ବିଶ୍ୱସ୍ତ କର୍ମ ଚାଲିଯିବାର ଖବରରେ ବ୍ୟସ୍ତ ହୋଇ ପଡ଼ିବେ ଅଶରୀରୀ ।

 

ଅଶରୀରୀଙ୍କର ପରାମର୍ଶଦାତାମାନେ ବୁଝାଇବେ, ଏଇ କଥା ଆଜ୍ଞା । ଟୋକାଟା ଯୁଆଡ଼େ ଗଲେ ବି ବୁଲି ବୁଲି ପୁଣି ଆସିବ । ତା’ ଦ୍ୱାରା କୋଉ ଶାଗ ସିଝିବ ଯେ ସେ କୋଉଠି ରହିବ । ପେଟ ପୋଡ଼ିଗଲେ ବଳେ ଚାଲି ଆସିବ ଆପଣଙ୍କ ପାଖକୁ ।

 

ସ୍ୱାଗତୋକ୍ତି କରିବେ ଅଶରୀରୀ । ହଁ ମ, କେତେ ଏମିତି ଗଲେଣିନା । ୟାଙ୍କ ପାଇଁ ମୋର କୋଉ ରାଜନୀତି ବନ୍ଦ ହୋଇ ଯାଇଛି । ମୋତେ ଛାଡ଼ିଗଲେ ଶଳେ ଭୋକ ଉପାସରେ ମରିବେ ।

 

ବାଁ ହାତରେ ନିଶକୁ ମୋଡ଼ି ନିଆଁକୁ ଦେଖୁଛନ୍ତି ଅଶରୀରୀ । ପାଉଁଶ ଗଦାରୁ ବାହାରିଥିବା ନିଆଁ ଝୁଲ ମାଡ଼ିଯାଉଛି ସମାଧିରୁ ସମାଧି । ସବୁ ସମାଧି ଭିତରୁ ଜକେଇ ଆସୁଛି ରଡ଼ ନିଆଁ । ପରାମର୍ଶଦାତମାନଙ୍କୁ ଆଦେଶ ଦେଉଛନ୍ତି ଅଶରୀରୀ । ମଶାଣିରେ ନିଆଁ ଲାଗିଛି, ଡାକ ସେ ଦମକଳ ବାଲାଙ୍କୁ ।

 

ବୁଲି ବୁଲି କଲଭର୍ଟ ପାଖକୁ ଆସିବ ପାଖଲୋକ । ପେଟରେ ଜଳୁଥିବ ଭୋକ । ଘରଲୋକଙ୍କଠାରୁ ଶୁଭି ଯାଉଥିବ ଅଭିଯୋଗ । ଏତେ ପାଠଶାଠ ପଢ଼ି ଟୋକାଟା ନଷ୍ଟ ହୋଇଗଲା । ଭେଗାଙ୍କ ଭଳିଆ ରାସ୍ତାରେ ବୁଲିଲା । ତିରିଶ ବର୍ଷ ହେଲାଣି ଯେ ଘାସକେରାକୁ ଯୋଗ୍ୟ ହେଲାନି ।

 

ଧକ୍‌କା ମାରି କଲଭର୍ଟ ଉପରେ ବସିଯିବ ପାଖଲୋକ । ଯୋଜନା କରିବ ଆଗାମୀ ଭବିଷ୍ୟତ ବିଷୟରେ । ସବୁ କିଛି ଅନ୍ଧାର ଦେଖାଯାଉଥିବ ପାଖଲୋକକୁ । ବନ୍ଦ ହୋଇଯାଉଥିବ ସାମ୍‌ନାର ସବୁ ରାସ୍ତା ।

 

ଅଶରୀରୀ ଉପରେ ସବୁ ଦୋଷ ଲଦି ଦେଉଥିବ ପାଖଲୋକ । ଗାଁ ଭିତରେ ହଣାକଟା ଲାଗି ଦି’ଟା ମଲେ, ତା’ର କାରଣ ଅଶରୀରୀ । ମ୍ୟାନେଜିଂ କମିଟିରେ ଗଣ୍ଡଗୋଳ ଯୋଗୁଁ ତାଲା ପଡ଼ିଛି ଗାଁ ସ୍କୁଲରେ, ତା’ର କାରଣ ଅଶରୀରୀ । ଗାଁରେ ପୁଲିସ ପଶି ଝିଅବୋହୂଙ୍କ ଇଜ୍ଜତ ନେଲା, ତା’ର କାରଣ ବି ଅଶରୀରୀ । ଗୋଟା ଗୋଟା ସବୁ ଦୋଷ ପାଇଁ ପାଖଲୋକ ଦାୟୀ କରୁଥିବ ଅଶରୀରୀଙ୍କୁ ।

 

ତାରି ପରି ଆଉ କେତେଜଣ ଆସିବେ କଲଭର୍ଟ ପାଖକୁ । ଚପଲ ଘୋଷାଡ଼ି ଘୋଷାଡ଼ି ଆସି ପହଞ୍ଚିଯିବେ । ମଇଳା ପଞ୍ଜାବିକୁ ପଛ ଆଡ଼ୁ ଟେକି ବସି ଯିବେ କଲଭର୍ଟ ଉପରେ । ଦାଢ଼ି ଉପରେ ହାତ ବୁଲେଇ ଅନେଇ ରହିବେ ଆକାଶକୁ । ଆନମନା ହୋଇ ତାରା ଗଣିବେ ।

 

ଜଣ ଜଣ କରି ସମସ୍ତଙ୍କୁ ଚାହିଁବ ପାଖଲୋକ । ସବୁରି ମୁହଁରେ ଛାଇ ଯାଇଥିବ ହତାଶାଭାବ । ଅନିଶ୍ଚିତ ଭବିଷ୍ୟତ କଥା ଭାବି ଥକି ପଡ଼ିଥିବେ ସମସ୍ତେ । ବଞ୍ଚିବାର ମୋହ ଲିଭିଯାଇଥିବ ସମସ୍ତଙ୍କ ମନରୁ ।

 

ଦୁଃଖର କାରଣ ପଚାରନ୍ତେ କହିବେ, ଆମକୁ ଅଶରୀରୀ ଗ୍ରାସ କରିଥିଲା ଦିନେ । ନିଜ ନିୟନ୍ତ୍ରଣ ବାହାରକୁ ନେଇ ଯାଇଥିଲା । ଆମେ କ’ଣ କହୁଥିଲୁ ଜାଣି ନ ଥିଲୁ । ଆମେ କ’ଣ କରୁଥିଲୁ ସଚେତନ ନ ଥିଲୁ । ଅଶରୀରୀ କଥାରେ ପରିଚାଳିତ ହେଉଥିଲୁ । ଆତଯାତ ହେଉଥିଲୁ ତା’ରି ନିର୍ଦ୍ଦେଶରେ ।

 

ଆମ ଦେହରୁ ଅଶରୀରୀ ଛାଡ଼ିଗଲା ଯେ ସବୁ ବଳ ନେଇଗଲା । କଙ୍କାଳସାର କରି ଛାଡ଼ିଗଲା ଆମକୁ । ଆଜିକାଲି ନା କିଛି କରିପାରୁ ଆମେ, ନା କିଛି ଭାବିପାରୁଛୁ ମୁକ୍ତ ଭାବେ ।

 

ପାଖଲୋକ କହିଲା ତୁମେ ଅଶରୀରୀଙ୍କୁ ଛାଡ଼ିଦେଲେ କାହିଁକି ? ଉପରେ ପ୍ରତିଶୋଧ ନେଲନି ?

 

ଦାଢ଼ି ଭର୍ତ୍ତି ମୁହଁରୁ ସଫା ଦିଶିଗଲା ଦାନ୍ତଟିମାନ । ହସନ୍ତା ମୁହଁ କଲଭର୍ଟ ଉପରେ ବସିଥିବା ଲୋକମାନେ କହିଲେ, ଅଶରୀରୀ ଉପରେ କ’ଣ ପ୍ରତିଶୋଧ ନେଇ ହୁଏ ? ଅଶରୀରୀକୁ ଦେଖିବା ବଡ଼ କଷ୍ଟ । ତା’ ସାକ୍ଷାତ ପାଇବା ପରମ ସୌଭାଗ୍ୟର ବିଷୟ । ଆଉ ତା’ର କିଛି ଅନିଷ୍ଟ କରିବା ତ ଆମ କଳ୍ପନାର ବାହାରେ ।

 

ଜଣ ଜଣ କରି ସମସ୍ତଙ୍କୁ ଡାକିଲା ପାଖଲୋକ । ଆସ, ମୋ ସହ ଆସ । ଅଶରୀରୀ ଉପରେ ପ୍ରତିଶୋଧ ନେବା ଆମେ । ଯୁଗ ଯୁଗ ଧରି ଆମ ପିଢ଼ିର ମଣିଷମାନଙ୍କୁ ଶୋଷଣ କରିବାର ପ୍ରତିଶୋଧ ନେବା । ଆମ ସମସ୍ତ ଜୀବନକୁ ନଷ୍ଟ କରିଥିବାର ପ୍ରତିଶୋଧ ନେବା ।

 

ଜଣ ଜଣଙ୍କର ମୁହଁକୁ ଚାହୁଁଥିଲେ କଲଭର୍ଟ ଉପରେ ବସିଥିବା ଲୋକମାନେ ।

 

କହି ଚାଲିଥିଲା ପାଖଲୋକ । ଜୀବନରେ କିଛି ଆଶା ନାହିଁ ଆମର ବଞ୍ଚିବାର ସାମାନ୍ୟତମ ରାସ୍ତା ନାହିଁ ଆମ ପାଇଁ । ମରିବା ଆଗରୁ ଅନ୍ତର ଗୋଟିଏ କାମ କରିଯିବା ଆସ । ଅଶରୀରୀମାନଙ୍କ କବଳରୁ ଆମ ଭବିଷ୍ୟତ ବଂଶଧରମାନଙ୍କୁ ରକ୍ଷା କରିବା । ଆଗାମୀ ଦିନରେ ଏ କଲଭର୍ଟ ଉପରେ ବସି ତାରା ଗଣିବାରୁ ନିବୃତ୍ତ କରିବା ସେମାନଙ୍କୁ ।

 

ଏଥର ସମସ୍ତେ ଉଠିଲେ କଲଭର୍ଟ ଉପରୁ । ସ୍ୱଗତୋକ୍ତି କଲା ପରେ ଜଣେ କହିଲା, ଆମର ତାକତ ନାହିଁ ଅଶରୀରୀ ସାଙ୍ଗରେ ଲଢ଼ିବାକୁ ଆମେ ଅଭିଯୋଗ କରି ପାରିବୁ ଅଶରୀରୀ ବିରୁଦ୍ଧରେ । କିନ୍ତୁ ତା’ର ପ୍ରମାଣ ଦେଇ ପାରିବୁ ନାହିଁ ଆମେ ଘୃଣା କରିବୁ ଅଶରୀରୀକୁ, ଅଥଚ ତା’ ଉପରକୁ ଲଣ୍ଡେ ଛେପ ପକାଇବାର ସାହସ ବାନ୍ଧି ପାରିବୁ ନାହିଁ । ତମେ ଯାଅ, ଆମର ଦରକାର ନାହିଁ ସେ ସବୁ ଝମେଲାରେ ପଶିବା ।

 

ହାରିଗଲା ନାହିଁ ପାଖଲୋକ । ଏକା ଏକା ଚାଲିଲା । ଅଶରୀରୀଙ୍କ ଚାମ୍ବରଆଡ଼କୁ ଧାଇଁଗଲା ସିଏ । ଗେଟ୍ ପାଖରେ ପହଞ୍ଚିବା ପୂର୍ବରୁ ତାକୁ ଧକ୍‌କାଟିଏ ମାରିଲା ଜଣେ । କହିଲା, ନୂଆ ହୋଇ ପାଖଲୋକ ହୋଇଛି ମୁଁ । ମୋତେ ନ ଜଣାଇ ଅଶରୀରୀଙ୍କ ପାଖକୁ ଯାଇପାରିବ ନାହିଁ ତୁମେ ।

 

ପାଖଲୋକ ଧରିନେଲା ପାଖଲୋକର ହାତ । ଖଣ୍ଡ ପ୍ରଳୟ ଆରମ୍ଭ ହୋଇଗଲା ସେଇଠି । ଜଣେ ଫଟାଇ ଦେଲା ଜଣକର ନାକ । ଜଣେ ଭାଙ୍ଗିଦେଲା ଅନ୍ୟଜଣଙ୍କର ହାତ । ଲହୁ ଲୁହାଣ ହୋଇଗଲେ ଦୁହେଁ ।

 

ବାଲକୋନିରେ ଥାଇ ମୁରୁକି ହସୁଥିଲେ ଅଶରୀରୀ । ଉପଭୋଗ କରୁଥିଲେ ପାଖଲୋକ ସହ ପାଖଲୋକର ଲଢ଼େଇ ।

 

ରାତି ପାହିଲା, ସହର ସାରା ପ୍ରଚାର ହୋଇଗଲା ଏ ଖବର । ଅଶରୀରୀଙ୍କ ଫାଟକ ପାଖରୁ ଉଦ୍ଧାର କରାଯାଇଛି ଯୁବକର ଶବ । ମୁହଁ ଛେଚି ହୋଇଥିବାରୁ ଚିହ୍ନଟ କରାଯାଇପାରିନି ତାହା ।

 

ମଶାଣି ସାରା ଭର୍ତ୍ତି ହୋଇଛି ଧୂଆଁରେ । ମଣିଷ ଖପୁରିରୁ ଧୂଆଁ ବାହାରୁଛି । କୁହୁଳି କୁହୁଳି ଧୂଆଁ ହୋଇଯାଉଛି ସମାଧି ଚଉରା । କଣ୍ଟାବୁଦାରୁ ଧୂଆଁ ବାହାରୁଛି, ଶବମାନଙ୍କରୁ ବାହାରୁଛି ଧୂଆଁ । ବର୍ଷ ବର୍ଷ ହେଲା ପୋଡ଼ା ଯାଇଥିବା ମୁର୍ଦ୍ଦାରରୁ କୁହୁଳି ଉଠୁଛି ଧୂଆଁ । ବୁଢ଼ା ବରଗଛର ଡାଳପତ୍ରରେ ପୂରିଯାଇଛି ଧୂଆଁ । ସମଗ୍ର ମଶାଣି ହୋଇଛି ଧୂଆଁମୟ । ଅଥଚ ନିଆଁର ଚିହ୍ନବର୍ଣ୍ଣ ନାହିଁ କେଉଁଠି ।

 

ଧୂଆଁର ଝାପ୍‌ସା ଅନ୍ଧାର ଭିତରେ ଲୁଚି ଯାଇଛନ୍ତି ଭୂତପ୍ରେତମାନେ । ଅଶରୀରୀମାନେ ଅଦୃଶ୍ୟ ହୋଇଯାଇଛନ୍ତି ଧୂଆଁମୟ ମଶାଣି ଭିତରେ । ଚେଷ୍ଟା କଲେ ବି କାହାକୁ ଦେଖିପାରୁନି କେହି । ସବୁ ଯେମିତି ପାଲଟି ଯାଇଛି ଅନ୍ଧକାରମୟ । ଖୁବ୍ ଅସ୍ପଷ୍ଟ ।

☆☆☆

 

ମାଙ୍କଡ଼ କାରଖାନା

 

ଟେଳାଏ ମାଂସକୁ କାରଖାନା ପଠେଇଛି ବାପ । ରକ୍ତ, ହାଡ଼ରେ ଏକାଠି କରି ପଠେଇ ଦେଇଛି କାରଖାନା । ଅପେକ୍ଷା କରିଛି, ମଣିଷ ହୋଇ ଫେରିବ ତା’ ପୁଅ । ଆଉ ପାଞ୍ଚଜଣ ଜଣାଶୁଣା ଲୋକଙ୍କ ପରି ନାଁ କମେଇବ ।

 

ପୁଅର ମଣିଷତ୍ୱ ଲାଭ ପାଇଁ ସର୍ବସ୍ଵାନ୍ତ ହେଉଛି ବାପ । ମାସକୁ ମାସ ଟଙ୍କା ପଠୋଉଛି-। ଧାର କରି, ଜମି ବନ୍ଧା ରଖି, ଗହଣା ବିକି ପୁଅ ପାଇଁ ଟଙ୍କା ଯୋଗାଡ଼ କରୁଛି ।

 

ଗଲାବେଳେ କହିଯାଇଛି ପୁଅ, ତୁମେ ବ୍ୟସ୍ତ ହୁଅନା ବାପା । ମୁଁ କିଛି ଗୋଟେ କରି ଦେଖାଇବି । ଡାକ୍ତର, ଇଞ୍ଜିନିଅର, ହାକିମ, ଓକିଲ ଯେମିତି ହେଲେ ନାଁ କମେଇବି ସମାଜରେ ।

 

ବାପର ଆଶାକୁ ବଢ଼େଇ ଦେଇଛି ପୁଅ । ପୂଜା ଛୁଟିରେ ଘରକୁ ଆସି ତା’ ମାଆକୁ କହିଛି ସିଏ କୁଆଡ଼େ ଏୟାରଫୋର୍ସରେ ଭର୍ତ୍ତି ହେବ । ଯୁଦ୍ଧ ବିମାନକୁ ଘୁଁ ଘୁଁ କରି ଉଡ଼ାଇନେବ ସମୁଦ୍ର ଉପରେ ।

 

ପୁଅର ମୁଣ୍ଡରେ ହାତ ବୁଲେଇ କହିଛି ମାଆ । ନାଇଁରେ ବାବୁ ତୁ ମୋର ଗୋଟିଏ ବୋଲି ପୁଅ । ସେ ଯୁଦ୍ଧ ଫୁଦ୍ଧ ନାଁ ଧରନା । କେତେବେଳେ କୋଉ କଥା । ତୁ ମୋ ଆଖି ସାମ୍‌ନାରେ ଥାଆ ।

 

ପୁଅ ଉପରେ ଭରସା ଆସୁଛି ବାପର । ନିଶ୍ଚେ କିଛି ଗୋଟେ କରିବ ତା’ ପୁଅ । ବାପର ନାଁ ଟେକ ହେବ ।

 

ଖରାଦିନ ଛୁଟିରେ ବାପକୁ ସିଧା ସିଧା ଜଣେଇ ଦେଇଛି ପୁଅ । ମାସକୁ ସାତଶ’ ଟଙ୍କା ନ ହେଲେ ଚଳି ପାରିବନି ଆଉ । ମେସ୍ ଖର୍ଚ୍ଚ, ଟିଫିନ୍, ଟିଉସନ, ମାଗାଜିନ, ବହି କୋଉଟା ନ କିଣିବ ଯେ ! ସବୁ ତ ଦରକାର ତା’ର ।

 

କଷ୍ଟେମଷ୍ଟେ ଛଅଶ’ ଟଙ୍କା ଯୋଗାଡ଼ କରୁଛି ବାପ । ତଥାପି ବୁଝୁନି ପୁଅ । ମାଆ ଉପରକୁ ଟଙ୍କାଯାକ ଫିଙ୍ଗି ଦେଉଛି । ରାଗ ତମତମ ହୋଇ ବସ୍ ଧରୁଛି କାରଖାନା ଅଭିମୁଖେ ।

 

ମାଆ କହୁଛି ବାପକୁ, ତୁମେ କେମିତିକା ଲୋକ ମ ! ଆଜିକାଲି ବେଳକାଳ ଯାହା । ଦରଦାମ୍‍ ଯେମିତି ବଢ଼ିଲାଣି । ପିଲାଟା କଥା ନ ବୁଝିଲେ କେମିତି ହେବ ଯେ । ଏତେ ଟଙ୍କା ଦେଲ, ଆଉ ଶହେଟା ଟଙ୍କା କ’ଣ ଦେଇ ପାରି ନ ଥା’ନ୍ତ !

 

ପୁଅର ରହିବା ଜାଗା ଜଣା ନାହିଁ ବାପକୁ । ଖୋସାମନ୍ତ କରୁଛି ଗାଁର ଆଉ ଜଣେ ପିଲାକୁ । ସାତ ଶହ ଟଙ୍କା ଦେଉଛି । ବସ୍‍ ଭଡ଼ା ଦେଉଛି । ଚିଠି ଖଣ୍ଡେ ଲେଖି ପଠୋଉଛି ପୁଅ ପାଖକୁ ।

 

ଜୁଳୁଜୁଳିଆ ପୋକ ବାହାରି ଆସୁଛି ବାପର ଆଖିରୁ । ଅଣନିଃଶ୍ଵାସୀ ହୋଇଯାଉଛି ବାପ । ତଥାପି ଆଶା ଲିଭୁ ନାହିଁ ମନରୁ । ଲୋକେ କହୁଛନ୍ତି, ତା’ ପୁଅଟା କାଳେ ଖୁବ୍ ଭଲ ପଢ଼ୁଛି-। କ୍ଲାସରେ ଫାଷ୍ଟ ହେଉଛି । ବକ୍ତୃତା, ଲେଖା, ଗୀତ, ଚିତ୍ର ସବୁଥିରେ ନାଁ କମେଇଛି ।

 

ବାପ ଦେଖୁଛି ବାବୁ ପାଲଟି ଯାଇଛି ତା’ ପୁଅ । ପୂରା ପେଣ୍ଟ ପିନ୍ଧୁଛି, ପୂରା ସାର୍ଟ ପିନ୍ଧୁଛି-। ଗୋଡ଼ରେ ଜୋତା, ମୁଣ୍ଡରେ ଟୋପି, ହାତରେ ଘଣ୍ଟା, ହାକିମଙ୍କ ପରି ପାଦ ଠକ୍ ଠକ୍ କରି ଚାଲିଛି ସିଏ । ପୁଅକୁ ଦେଖି ସବୁ କଷ୍ଟ ମିଳେଇ ଯାଉଛି ବାପର ।

 

ଧାନକଟାବେଳେ ମୂଲିଆ ମିଳୁ ନାହାନ୍ତି । ବିଲ ବଛାବେଳେ ପଇସା ନାହିଁ ମୂଲିଆ ପକେଇବାକୁ । ପୁଅ ଆସୁଛି ଘରକୁ । ଆଠ ଦଶ ଦିନ ଘରେ ରହୁଛି । ବାପ ଭାବୁଛି ତା’ ସାଙ୍ଗରେ ଟିକେ ଯାଆନ୍ତାକି ପୁଅ ! କଚଡ଼ା ଗୋଛାକ ମୁଣ୍ଡକୁ ଟେକି ଦିଅନ୍ତା କି ? ଖଳାରେ ଟିକେ ସାହାରା କରନ୍ତା କି ?

 

ବାପା କହିବା ଆଗରୁ ହସି ଦେଉଛି ମାଆ । କି କଥା କହୁଛ ତୁମେ ମୋ ପୁଅ କ’ଣ ଆଗପରି ଅଛି ଯେ ତୁମ ସହିତ ବିଲକୁ ଯିବ । ସିଏ କେତେ ପାଠ ପଢ଼ିଲାଣି । କେତେ କଥା ଜାଣିଲାଣି । ଦେଶବିଦେଶ କଥା ଚିନ୍ତା କଲାଣି । ସିଏ କ’ଣ ବିଲକୁ ଯିବ ମ । ଦି’ ଦିନରେ ପିଲାଟା କଳାକାଠ ପଡ଼ିଯିବ ।

 

ଚୁପ୍ ହୋଇଯାଉଛି ବାପ । ଭାବୁଛି, ପୁଅଟା ଛୋଟ ଥିଲା ବରଂ ଭଲ ହୋଇଥିଲା । ବିଲବାଡ଼ି କାମରେ ମୋତେ ଖୁବ୍ ସାହାଯ୍ୟ କରୁଥିଲା ।

 

ବାପାର ଆଶା ଲମ୍ବି ଯାଉଛି ଦୂରକୁ । ଦୁଇବର୍ଷ ଯାଉଛି, ତିନିବର୍ଷ ଯାଉଛି, ବିତି ଯାଉଛି ପାଞ୍ଚ ବର୍ଷ । ବ୍ୟସ୍ତ ହୋଇପଡ଼ୁଛି ବାପ । କେବେ ଆଉ ମଣିଷ ହୋଇ ଫେରିବ ତା’ ପୁଅ । କେତେ ବର୍ଷ ଆଉ ଅପେକ୍ଷା କରୁଥିବ ସିଏ ।

 

ମାଆ ପାଖରେ ସାକୁଲେଇ ହେଉଛି ପୁଅ । ଆଉ ଦୁଇଟା ବର୍ଷ ମୋଟେ । ଏକା ଥରେ ସରିଯିବ ସବୁ । ଦୁନିଆଯାକର ସବୁ ପାଠ ଶେଷ ହୋଇଯିବ ।

 

ମାଆ ବୁଝୋଉଛି ବାପକୁ । ଏତେ ଦିନ ଅପେକ୍ଷା କଲ । ଆଉ ଦୁଇଟା ବର୍ଷ ରହିପାରୁନା । ଏକାଥରେ ବଡ଼ ହାକିମ ହୋଇ ଫେରିବ ଆମ ପୁଅ । ଆମର ସବୁ ଦୁଃଖ ଯିବ ।

 

ବାପର ଆଶା ଲମ୍ବି ଯାଉଛି ଆଉ ଦୁଇ ବର୍ଷ । ଦିନ ବାର ଗଣି କ୍ୟାଲେଣ୍ଡର ଦେଖି ବାପ ପହଞ୍ଚିଯାଉଛି କାରଖାନା ସାମ୍‌ନାରେ । ତା’ ପୁଅ ଆସିବ । ମଣିଷ ହୋଇ ସେ ଫେରିବ ।

 

ସ୍ୱପ୍ନେଇ ଯାଉଛି ବାପ । ଆବେଗରେ ଭାବି ଯାଉଛି ଅନେକ କଥା । ତା’ ପୁଅ ହୋଇଥିବା ଗୋଟେ ଡାକ୍ତର । ଶହ ଶହ ରୋଗୀଙ୍କୁ ଚିକିତ୍ସା କରୁଥିବ । ଇଞ୍ଜିନିଅର ହୋଇଥିବ ତା’ ପୁଅ । କେତେ ବନ୍ଧବାଡ଼ , ଯନ୍ତ୍ରପାତିର ନକ୍‌ସା ଆଙ୍କୁଥିବ । ନା ନା ହାକିମ ହୋଇଥିବ । ଦେଖା କରିବାକୁ ଧାଡ଼ି ଲଗେଇଥିବ ଲୋକେ ।

 

ବାଜି ଉଠୁଛି କାରଖାନାର ସାଇରନ୍ । ଚମକି ପଡ଼ି ଗେଟ୍ ପାଖକୁ ଆସୁଛି ବାପ । ଆଖି ଟେକି ଅନେଇ ରହୁଛି ଭିତରକୁ ।

 

ଦଳ ଦଳ ହୋଇ ଲୋକମାନେ ଆସୁଛନ୍ତି । କେତେ ଢଙ୍ଗରେ, କେତେ ବାଗରେ ବାପର ପାଖ ଦେଇ ଚାଲିଯାଉଛନ୍ତି ସମସ୍ତେ ।

 

ତାରି ଭିତରେ ଦେଖୁଛି ବାପ, ଅଦ୍ଭୁତ ଏକ ମଣିଷ ଆସୁଛି ତା’ ଆଡ଼େ । ପାଦରେ ଛିଣ୍ଡା ଚପଲ, ଦେହରେ ଟ୍ରାଉଜର ପଞ୍ଜାବି, ମୁହଁରେ ଦାଢ଼ି, ହାତରେ ମଇଳା ଗାନ୍ଧୀ ଝୁଲାଟିଏ ।

 

ଦୋ ଦୋ ଚିହ୍ନା ହୋଇ ପଚାରୁଛି ବାପ । ତୁମେ ?

 

ପାଟି କରି ହସି ଉଠୁଛି ଲୋକଟା । ବିଡ଼ିଟିଏ ଆଣି ମୁହଁରେ ଲଗାଉଛି । ବାପ ମୁହଁକୁ ଧୂଆଁ ଛାଡ଼ି କହୁଛି, ଚିହ୍ନି ପାରୁନ ! ମୁଁ ପା ତୁମ ପୁଅ ।

 

ଚମକି ପଡ଼ି ଛାତିରେ ଛାପ ପକୋଉଛି ବାପ । ଦି’ ପାହୁଣ୍ଡ ପଛକୁ ଆସି ଲକ୍ଷ୍ୟ କରୁଛି ଲୋକଟାକୁ । ଲୋକଟାର ଦେହ ହାତ ଭର୍ତ୍ତି ହୋଇଛି ଲୋମରେ । କଳା ପଡ଼ି ଆସୁଛି ଓଠ । ଲାଞ୍ଜଟିଏ ଗଜୁରି ଆସୁଛି ପିଠି ପଟରୁ ।

 

ଏମିତି ଏକ ଅଦ୍ଭୁତ ଜୀବକୁ ନିଜର କରିବାକୁ ସାହସ ହେଉନି ବାପାର । ବଡ଼ ସନ୍ତର୍ପଣରେ ମୁହଁ ବୁଲୋଉଛି । ଲୋକଟାକୁ ପଛ କରି ଚାଲିଯାଉଛି ବାପ ।

 

ବାପର ଚୁଟିକୁ ଭିଡ଼ି ଧରୁଛି ପୁଅ । ଧମକେଇଲା ପରି କହୁଛି, ଏ...ଯାଉଛୁ କୁଆଡ଼େ । ରହ ।

 

ଡରିମରି ପୁଅକୁ ଅନୋଉଛି ବାପ । ସେମିତି ରୁକ୍ଷ ଗଳାରେ ପୁଅ କହୁଛି, ଦେ କ’ଣ ଖାଇବି । କ’ଣ ପିନ୍ଧିବି ଦେ । ଦେ ମତେ । ଦେ ।

 

ଥରି ଉଠୁଛି ବାପର ଛାତି । ଥରିଲା କଣ୍ଠରେ କହୁଛି, ମୁଁ ତତେ କ’ଣ ଦେବିରେ ପୁଅ । ତୁ ତ ମୋତେ ପୋଷିବୁ ବୋଲି କାରଖାନା ପଠେଇଲି । ମଣିଷ ହେବୁ ବୋଲି ସର୍ବସ୍ୱାନ୍ତ ହେଲି । ମୋ ପାଖରେ ଆଉ କ’ଣ ଅଛି ଯେ ତୋତେ ଦେବି ।

 

ବାପର ଗାଲକୁ ଚଟକଣାଏ ମାରୁଛି ପୁଅ । କହୁଛି, ଭାକ୍ ଶଳା ମୋତେ ମଣିଷ କରିବାର ଥିଲା ତ ତୁ ହାକିମ ହେଲୁନୁ । ମନ୍ତ୍ରୀ ହେଲୁନୁ ଖାଲି କାରଖାନା ପଠେଇଦେଲେ କ’ଣ ମୁଁ ମଣିଷ ହୋଇଯାଇଥାନ୍ତି ।

 

ପୁଅର ଦେହ ହୋଇଯାଉଛି ଅଧିକ ଲୋମଶ । ବଡ଼ ହୋଇଯାଉଛି ଲାଙ୍ଗୁଡ଼ । ହାତ ଗୋଡ଼ରେ ଲମ୍ବା ଲମ୍ବା ହୋଇଯାଉଛି ନଖ । ସମଗ୍ର ମୁହଁ ଦେଖାଯାଉଛି କାଳିମାମୟ ।

 

ହାତ ଯୋଡ଼ି ବାପ କହୁଛି, ମୋର ଭୁଲ ହୋଇଛି ପୁଅ । ଏଇଥରକ ମୋତେ କ୍ଷମା ଦେ-। ଆଉ କେବେ ତୋତେ କାରଖାନା ପଠାଇବି ନାହିଁ ତୋ ହାତ ଧରୁଛି, ମୋତେ କ୍ଷମା କରିଦେ-

 

ନରମି ଯାଉଛି ପୁଅର କଣ୍ଠସ୍ୱର । ଦୟା ଦେଖାଇ ବାପକୁ କହୁଛି, ଠିକ୍ ଅଛି । ଲକ୍ଷେ ଟଙ୍କା ଦେ । ମୁଁ ମଣିଷ ହେବି । ତା’ପରେ ତୋତେ ଛାଡ଼ି ଦେବି ।

 

ବଜ୍ର ପଡ଼ୁଛି ବାପର ମୁଣ୍ଡରେ । ପୁଅ ପାଇଁ ତ ଜମିବାଡ଼ି ସବୁ ବନ୍ଧା ପକେଇଛି । ଗହଣା ବିକିଛି । ଆଉ କ’ଣ ଅଛି ଯେ ଏତେ ଟଙ୍କା ଯୋଗାଡ଼ କରିବ ।

 

ପୁଅକୁ ବୁଝାଇବା ପାଇଁ ବାପ କହୁଛି, ଆମର ନ ହେଲା ନାହିଁ । ତୁ ମଣିଷ ହେବା ଦରକାର ନାହିଁ । ଜମି ଅଛି ଚାଲ ଖଟିବା । ବାପ ଗୋସାପ ଅମଳରୁ ଆମେ ତ ପୁଣି ଚଳି ଆସୁଛୁ-। କିଛି ଅସୁବିଧା ହେବନି ବଞ୍ଚିବାରେ ।

 

ଭାକ୍, ଦୁମ୍‍କିନା ବାପକୁ ଗୋଟେ ଗୋଇଠା ମାରୁଛି ପୁଅ । ଶଳା, ମତେ ଉପଦେଶ ଶୁଣୋଉଛି । ତୁ ତ କେବେ କାରଖାନା ଯାଇନୁ, ସେଠିକା ଆଦବ କାଇଦା ଜାଣିବୁ କେମିତି ! କହିଲା କଣନା ଚାଷ କର । କାରଖାନା ଲୋକ କିଏ ଚାଷ କରେ ! ଛି । ଥୁ... ।

 

ବାପର ଆଖିରୁ ଗଡ଼ି ଆସୁଛି ଟୋପା ଟୋପା ଲୁହ । ଶୁଖି ଯାଉଛି ତଣ୍ଟି ।

 

ଦାନ୍ତ କଡ଼ମଡ଼ କରୁଛି ପୁଅ । ଦେ, ମତେ ଖାଇବାକୁ ଦେ । ଖାଇବି ଖାଇବି ।

 

ଯାକିଯୁକି ହୋଇ ବସି ପଡ଼ୁଛି ବାପ । ଜୁଳୁଜୁଳୁ ଆଖିରେ ପୁଅକୁ ଚାହୁଁଛି ।

 

କଠିନ ହୋଇଯାଉଛି ପୁଅର ମୁହଁ । ରାଗରେ ଲାଲ ପଡ଼ିଯାଉଛି ଆଖି । ବାପ ଉପରକୁ ଝାମ୍ପ ଦେଉଛି ପୁଅ ।

 

ଆଃ–ଆଃ– । ଚିତ୍କାର କରି ମାଟିରେ ଗଡ଼ିଯାଉଛି ବାପ ।

 

ନଖରେ ବାପର ଗାଲକୁ ଆମ୍ପୁଡ଼ି ଦେଉଛି ପୁଅ । ବେଳକୁ କାମୁଡ଼ି ଖଣ୍ଡିଆଖାବରା କରୁଛି । ଚଁ ଚଁ କରି ରକ୍ତ ପିଇଯାଉଛି ବାପ ଦେହରୁ ।

 

ଧଇଁସଇଁ ହୋଇ ମାଆ ଆସୁଛି । ନେହୁରା ହୋଇ ପୁଅକୁ କହୁଛି, ବାବୁରେ । ତୋ ହାତ ଧରୁଛି । ଏ ବୁଢ଼ାଟାର କି ଦୋଷ । ଛାଡ଼ି ଦେ ତାକୁ ।

 

ବାପକୁ ଛାଡ଼ି ମାଆ ଚୁଟିକୁ ଧରୁଛି ପୁଅ । ଟେକି ଆଣି ଫିଙ୍ଗି ଦେଉଛି ଦୂରକୁ । ଗର୍ଜନ କରି ମାଟି ଉପରେ ଡେଉଁଛି । ଡେଇଁ ଡେଇଁ ଥରେଇ ଦେଉଛି ମାଟି । ଗଛର ଡାଳପତ୍ର ଭାଙ୍ଗି ଫିଙ୍ଗି ଦେଉଛି ଏଣେତେଣେ ।

 

ରକ୍ତ ଜୁଡ଼ୁବୁଡ଼ୁ ହୋଇ ବାପ ଉଠୁଛି । ବଡ଼ କଷ୍ଟରେ ଯାଉଛି କାରଖାନା ଫାଟକ ପାଖକୁ-। ଚିତ୍କାର କରି କହୁଛି, ହୁସିଆର । ସାବଧାନ । ଏ ଦୁନିଆର ବାପମାନେ ହୁସିଆର । ମଣିଷ କରିବା ଆଶାରେ କେହି କାହାକୁ ପଠାଅନି ଏ କାରଖାନାକୁ । ଏ'ଟା ମାଙ୍କଡ଼ ତିଆରି କାରଖାନା-। କାମୁଡ଼ା ମାଙ୍କଡ଼ ତିଆରି ହୁଅନ୍ତି ଏଇଠି । ନିଜେ ତ ମରନ୍ତି, ଅନ୍ୟକୁ ବି ମାରନ୍ତି କାମୁଡ଼ି କାମୁଡ଼ି-। ହୁସିଆର । ବାପମାନେ ହୁସିଆର ।

☆☆☆

 

ବୋଦାବଳି

 

ପୂଜା ପାଇବେ ଠାକୁର । ମାଂସ ଖାଇବେ ଲୋକେ । ପୁଣ୍ୟ ଅର୍ଜିବ ଭକ୍ତ । ଜୀବନ ଯିବ ବୋଦାର ।

 

ରାତି ସାଢ଼େ ଏଗାରରେ ଫୋନ ଧରିବେ ତହସିଲଦାର । ମନ୍ତ୍ରୀଙ୍କ ଚାମ୍ବରରୁ ଆଦେଶ ହେବ–ମଙ୍ଗଳବାର ବଳି ଦିଆଯିବ ଚଣ୍ଡୀ ମନ୍ଦିରରେ । କାଲି ଭିତରେ ଯୋଗାଡ଼ ହେବା ଦରକାର ଏକଚାଳିଶ ବୋଦା । ଆହୁତି ପାଇଁ ଏକଚାଳିଶ ସେର ଘିଅ ଦରକାର । ନଡ଼ିଆ, କଦଳୀ, ସିନ୍ଦୂର, ଧୂପ, ଝୁଣା, ଲୁଗା, କରିଆ, ବ୍ରାହ୍ମଣ, ବାରିକ ସବୁ ଯୋଗାଡ଼ ହେବା ଉଚିତ ।

 

କାକୁସ୍ଥ ହୋଇ ପଚାରିବେ ତହସିଲଦାର । କିଏ କହୁଥିଲେ ଆଜ୍ଞା ! ରୁକ୍ଷ ହୋଇଯିବ ଅପର ପକ୍ଷର କଣ୍ଠସ୍ୱର । କହିଲି ପା, ମନ୍ତ୍ରୀଙ୍କ ଚାମ୍ବରରୁ କହୁଛି ବୋଲି । ଏଥି ସହିତ କଟିଯିବ ଫୋନ୍ । ଚିନ୍ତାରେ ବସିପଡ଼ିବେ ତହସିଲଦାର ।

 

ସରକାରୀ ଭାବେ ଖବର ଜଣାଇ ଦିଆଯିବ ତହସିଲଦାରଙ୍କୁ । ମଙ୍ଗଳବାର ଦିନ ଗସ୍ତରେ ଆସୁଛନ୍ତି ମନ୍ତ୍ରୀ । ସାଧାରଣ ସଭା ହେବ ଚଣ୍ଡୀ ମନ୍ଦିର ସମ୍ମୁଖରେ । ସବୁ ମତେ ପ୍ରସ୍ତୁତ ରହିବା ଦରକାର ସରକାରୀ କଳ ।

 

ଦି’ଦିନ ଭିତରେ ତିଆରି ହୋଇଯିବ ରାସ୍ତା । ଚଣ୍ଡୀ ମନ୍ଦିର ପାଖରେ ନଳକୂପ ବସାଯିବ-। ମନ୍ଦିରରେ ଚୂନ ଦେବା ପାଇଁ ସ୍ୱତନ୍ତ୍ର ଅନୁଦାନ ମିଳିବ ।

 

ଭିତିରିଆ ସୂତ୍ରରୁ ଖବର ପାଇବେ ବିରୋଧୀ ଦଳ । ଦକ୍ଷିଣା ବାବାଜି ଜଣେ କହିଛନ୍ତି ମନ୍ତ୍ରୀଙ୍କୁ । ଚଣ୍ଡୀ ସାଧନା କଲେ ଜିତିଯିବେ ଆଗାମୀ ନିର୍ବାଚନରେ । ସେଇଥିପାଇଁ ଏତେ ପ୍ରସ୍ତୁତି । ବୋଦାବଳି, ଯଜ୍ଞ, ଚଣ୍ଡୀପାଠ, ମନ୍ତ୍ରୀଙ୍କ ସରକାରୀ ଗସ୍ତ ।

 

ନିର୍ବାଚନ ପାଇଁ ଗୋଟିଏ ଇସୁ ପାଇଯିବେ ବିରୋଧୀ ପକ୍ଷ । ଉସୁକାଇବେ ସ୍ଥାନୀୟ ଯୁବକମାନଙ୍କୁ । ସ୍ଵେଚ୍ଛାସେବୀ ସଙ୍ଗଠନମାନଙ୍କୁ ଡାକି ଗୁପ୍ତ ମନ୍ତ୍ରଣା ଦେବେ ।

 

ଘୋଷଣା କରିବ ଜୀବେଦୟା ସଙ୍ଘ । ଚଣ୍ଡୀ ମନ୍ଦିରରେ ପଡ଼ି ପାରିବନି ବୋଦାବଳି । ନିର୍ବାଚନରେ ଜିତିବା ପାଇଁ ବିନାଶ କରାଯାଇ ପାରିବ ନାହିଁ ଛେଳିମାନଙ୍କ ଜୀବନ ।

 

ପଚିଶ ଟୋକା ଧରି ତହସିଲ ଅଫିସରେ ପହଞ୍ଚିଯିବେ ଶାସକ ଦଳର ବ୍ଲକ ସଭାପତି । ଟେବୁଲ ବାଡ଼େଇ ତାଗିଦ କରିବେ ତହସିଲଦାରଙ୍କୁ । ତାଙ୍କ ଦଳର କର୍ମୀ ସମ୍ମିଳନୀ ହେବ ଚଣ୍ଡୀ ମନ୍ଦିରରେ । ପାଞ୍ଚ ଶହ କୋକଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା ହେବା ଦରକାର । ମନ୍ତ୍ରୀଙ୍କ ସଭାକୁ ଲୋକ ବୁହାଯିବା ପାଇଁ କୋଡ଼ିଏ ଖଣ୍ଡ ଗାଡ଼ି ଦରକାର । ସଭାମଞ୍ଚ ତିଆରି ହେବା ଦରକାର । ମାଇକ୍ ବନ୍ଧାଯିବା ଦରକାର । ଚାନ୍ଦୁଆ ଟଣାଯିବା ଦରକାର । ଆଲୁଅ ଜଳିବା ଦରକାର । ଚେୟାର ପଡ଼ିବା ଦରକାର ।

 

ମନ୍ଦିର ବେଢ଼ାରେ ବନ୍ଧା ହୋଇଯିବ ଏକଚାଳିଶଟି ବୋଦା । ଘିଅ, ଲହୁଣୀ, କାଠ, ଭୋଗ, ଫୁଲ ସବୁ କିଛି ଯୋଗାଡ଼ ହେବ ଯୁଦ୍ଧକାଳୀନ ଭିତ୍ତିରେ । ମାତିଯିବେ ସରକାରୀ କଳ । ଚଣ୍ଡୀ ମନ୍ଦିରରେ ଯଜ୍ଞର ସଫଳତା ପାଇଁ ବ୍ୟସ୍ତ ରହିବ ଶାସନ ବ୍ୟବସ୍ଥା ।

 

ବାହାରେ ଧାରଣା ଦେଇଥିବେ ଜୀବେଦୟା ସଙ୍ଘର ଦୁଇଶହ ସଭ୍ୟ । ମାଇକ୍ ଫଟେଇ କହୁଥିବେ–ଜୀବଜନ୍ତୁଙ୍କୁ ସୁରକ୍ଷା ପାଇଁ ଆଇନ କରିଛନ୍ତି ସରକାର । ଜୀବ ହତ୍ୟା ନିରୋଧ ପାଇଁ ନିୟମ କରିଛନ୍ତି । ଆମେ କରେଇ ଦବୁନି ବୋଦାବଳି । ମନ୍ତ୍ରୀଙ୍କ ଅନ୍ଧବିଶ୍ଵାସକୁ ପ୍ରଶ୍ରୟ ଦେବୁନି ଆମେ ।

 

ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବେ ତିନି ପ୍ଲାଟୁନ ପୁଲିସ । ଲାଠି, ବନ୍ଧୁକ ଧରି ଅପେକ୍ଷା କରିଥିବେ ମନ୍ତ୍ରୀଙ୍କ ଆଗମନକୁ ।

 

ନାଲିବତୀ ଜଳେଇ ପହଞ୍ଚିଯିବ ଗୋଟେ କାର୍ । ସାବଧାନ ପୋଜିସନକୁ ଆସିବେ ପୁଲିସବାହିନୀ । ବନ୍ଧୁକ ଉଠେଇ ସଲାମ ମାରିବେ ।

 

ମନ୍ଦିର ସାମ୍‌ନାରେ ରହିଯିବ କାର୍ । ଧାଇଁ ଆସି ଡୋର୍ ଖୋଲିବେ ନିଜେ ତହସିଲଦାର ।

 

ଓହ୍ଲେଇ ପଡ଼ିବେ ବାବାଜି ଜଣେ । ଗେରୁଆ ବେଶ ହୋଇଥିବେ । ପିନ୍ଧିଥିବେ ଗେରୁଆ ପଗଡ଼ି । ଗୋଟେ ହାତରେ ବାଡ଼ି, ଆର ହାତରେ ରୁଦ୍ରାକ୍ଷ । ବାବାଙ୍କୁ ମନ୍ଦିର ଭିତରକୁ ପାଛୋଟି ନେବେ ତହସିଲଦାର ।

 

ମେଁ ମେଁ ହୋଇ ବୋବେଇ ଉଠିବେ ମନ୍ଦିର ବେଢ଼ାରେ ବୋଦାମାନେ । ସ୍ଳୋଗାନ ଦେଉଥିବେ ଜୀବେଦୟା ସଙ୍ଘର ସଭ୍ୟଗଣ । ବୋଦାବଳି–ବନ୍ଦ କର । ଭଣ୍ଡ ବାବାଜି–ଫେରିଯାଅ । ଅନ୍ଧବିଶ୍ଵାସ–ଦୂର କର ।

 

ଢୋ ଢୋ ହୋଉ ଫୁଟିବ ବାଣ । ଢୋଲ ଶବ୍ଦରେ କମ୍ପିଯିବ ଇଲାକା । ଜିନ୍ଦାବାଦ ପକେଇବେ ଶାସକ ଦଳର କର୍ମୀମାନେ । କର୍ଡ଼ନ ତିଆରି କରିବେ ପୁଲିସ । ବେକରେ ଫୁଲହାର ପକେଇ, ହାତଯୋଡ଼ି ରାଜକୀୟ ଠାଣିରେ ବିଜେ କରିବେ ମନ୍ତ୍ରୀ ମହୋଦୟ ।

 

କେଉଁଠି ଥିବେ ମାଡ଼ି ଆସିବେ ବିରୋଧୀଦଳ ଲୋକ । ପକେଟରୁ ବାହାର କରିବେ କଳା ପତାକା । ମନ୍ତ୍ରୀଙ୍କ ଆଡ଼େ ଦେଖାଇବେ । କଣ୍ଠ ଫଟେଇ ଚିତ୍କାର କରିବେ, ରକ୍ଷଣଶୀଳ ମନ୍ତ୍ରୀ-ମୁର୍ଦାବାଦ । ବୋଦାବଳି–ବନ୍ଦକର ।

 

ଆଦେଶ କରିବେ ତହସିଲଦାର । ଆରେଷ୍ଟ କର । ଗହଳି ଠେଲି ମାଡ଼ି ଆସିବେ କେତେଜଣ ପୁଲିସ । ଝିଙ୍କି ନେବେ କାହା କଲର୍ ଧରି । କାହା ଚୁଟି ଧରି ଟାଣିନେବେ ଗାଡ଼ି ଆଡ଼େ । କାହାକୁ ବିଧା ମାରି ଭର୍ତ୍ତି କରିଦେବେ ପୁଲିସ ଗାଡ଼ିରେ ।

 

ଶାନ୍ତ ପଡ଼ିଯିବ ଅଞ୍ଚଳ । ଥମିଯିବ ଜୀବେଦୟା ସଙ୍ଘର ଗର୍ଜନ । ସେମିତି ହସି ହସି, ସମସ୍ତଙ୍କୁ ହାତ ଯୋଡ଼ି ମନ୍ଦିର ଭିତରେ ପ୍ରବେଶ କରିବେ ମନ୍ତ୍ରୀ ।

 

ବେଢ଼ା ଭିତରେ ଗର୍ଜନ କରିବେ ବାବାଜି । ମନ୍ତ୍ରଧ୍ଵନିରେ କମ୍ପାଇ ଦେବେ ମନ୍ଦିର । ଲହଲହ ହୋଇ ଜଳିଉଠିବ ନିଆଁ । ତୁହାକୁ ତୁହା ଘିଅ ଢଳା ଯାଉଥିବ ଯଜ୍ଞ ନିଆଁରେ । ପ୍ରସ୍ତୁତ ହୋଇ ରହିଥିବ ଘାତକ । ଆଦେଶ ପାଇଲା ମାତ୍ରେ କାଟି ଖଣ୍ଡ ଖଣ୍ଡ କରିଦବ ବୋଦାମାନଙ୍କୁ ।

 

ଯଜ୍ଞ କୁଣ୍ଡ ପାଖରେ ହାତଯୋଡ଼ି ବସିଥିବେ ମନ୍ତ୍ରୀ । ତାଙ୍କ ପାଖକୁ ଭକ୍ତିରେ ବସିଥିବେ ବିଧାୟକ, ଚେୟାରମ୍ୟାନ, ସରପଞ୍ଚ, ୱାର୍ଡ଼ମେମ୍ବର, ଦଳୀୟ ସଭାପତି, କର୍ମୀ, ଅଫିସର, କର୍ମଚାରୀ-

 

ଶକ୍ତି ସଞ୍ଚୟ କରିବେ ଜୀବେଦୟା ସଂଘର ସଭ୍ୟମାନେ । ପୁଣିଥରେ ସ୍ଳୋଗାନ ଦେବେ ବୋଦାବଳି ବିରୁଦ୍ଧରେ । ଭାଷଣ ଦେବେ ମନ୍ତ୍ରୀଙ୍କ ବିରୁଦ୍ଧରେ ।

 

ଫଳ ହେବ ନାହିଁ କିଛି । ଆଗେଇ ଚାଲିଥିବ ଯଜ୍ଞ । ବୋଦାବଳି ଦେଖିବା ପାଇଁ ବଢ଼ି ଯାଉଥିବ ଜନ ସମାଗମ ।

 

ଘୋଷଣା କରିବେ ସଙ୍ଘର ସଭାପତି । ରାଲି କରି ମନ୍ଦିର ଭିତରେ ପ୍ରବେଶ କରିବା ଆମେ । ମୁକୁଳେଇ ଆଣିବା ବୋଦାମାନଙ୍କୁ । ଯେମିତି ହେଲେ ବନ୍ଦ କରିବାକୁ ହେବ ଏ କୁସଂସ୍କାର ।

 

ପ୍ରସ୍ତୁତି ହୋଇଯିବେ ପୁଲିସ । ବାଡ଼ିକୁ ବାଡ଼ି ଛନ୍ଦି ଦେବେ ସେମାନେ । ମନ୍ଦିର ଚାରିପାଖରେ ତିଆରି ହୋଇଯିବ ଏକ କର୍ଡ଼ନ । ଆଗେଇଯିବେ ସଙ୍ଘର କର୍ମୀମାନେ । ଯେମିତି ହେଲେ ମନ୍ଦିର ଭିତରକୁ ଯିବେ ସେମାନେ ।

 

ମାଇକରେ ଘୋଷଣା କରିବେ ଜଣେ ପୁଲିସ ଅଫିସର । କର୍ଡ଼ନ ଭାଙ୍ଗିଲେ ବିପଦ । ଲାଠିଚାର୍ଜ ହୋଇପାରେ । ଗୁଳି କରାଯାଇପାରେ ।

 

ତଥାପି ଶୁଣିବେନି ସଭ୍ୟମାନେ । ଆଗେଇ ଯାଇ ପହଞ୍ଚିଯିବେ କର୍ଡ଼ନ ପାଖରେ । କେତେଜଣ ମିଶି ଠେଲିଦେବେ ଠେଙ୍ଗା । ଆଦେଶ କରିବେ ତହସିଲଦାର । ଆରମ୍ଭ ହେବ ଲାଠିଚାର୍ଜ । ଫାଟିଯିବ କାହାର ମୁଣ୍ଡ । ଖଣ୍ଡିଆଖାବରା ହୋଇ ତଳେ ପଡ଼ିଯିବ କିଏ । ଛୋଟା ହୋଇ କିଏ ପଳାଇଯିବ ।

 

ସହି ପାରିବେନି କେତେଜଣ ଯୁବକର୍ମୀ । ରାଗରେ ଜଳି ଉଠିବେ ସେମାନେ । ତଳୁ ଗୋଟାଇ ଫିଙ୍ଗିବେ ଢେଲା । କାଦୁଅ ଫିଙ୍ଗିବେ ମନ୍ଦିର ଭିତରକୁ । ଖଣ୍ଡିଆଖାବରା ହେବେ ପୁଲିସମାନେ । ଗୋଡ଼େଇ ଗୋଡ଼େଇ ପିଟିବେ ଲୋକମାନଙ୍କୁ ।

 

ମନ୍ଦିର ବେଢ଼ାରେ ପଡ଼ିବ ଢେଲା । କାଦୁଅ ପଡ଼ିବ ଯଜ୍ଞ ବେଦିରେ । ରାଗରେ ଦାନ୍ତ କଡ଼ମଡ଼ କରିବେ ମନ୍ତ୍ରୀ । ଲାଲ ହୋଇଯିବ ତାଙ୍କ ଆଖି । ବୁଲିପଡ଼ି ଅନାଇବେ କେତେଜଣ ଯୁବ କର୍ମୀଙ୍କୁ ।

 

ଯଜ୍ଞ ପାଖରୁ ଉଠିଆସିବେ ଶାସକ ବ୍ଲକ ସଭାପତି । କେତେଜଣ ଯୁବ କର୍ମୀ ଉଠିଆସିବେ ତାଙ୍କ ସହିତ ।

 

ଏବେ ବି ସରି ନ ଥିବ ପୁଲିସର ଛକାପଞ୍ଝା ଖେଳ । ବନ୍ଦ ହୋଇ ନ ଥିବ ଜୀବେଦୟା ସଙ୍ଘର ବଳିବିରୋଧୀ ଆନ୍ଦୋଳନ । ନୂଆ ଉତ୍ସାହରେ ମାତିଥିବେ ଅବଶିଷ୍ଟ ସଭ୍ୟମାନେ । ପ୍ରତିଜ୍ଞା କରିଥିବେ, ଯେମିତି ହେଲେ ଭଣ୍ଡୁର କରିବେ ଯଜ୍ଞ । ଲୁଚିଛପି ଢେଲା ମାରୁଥିବେ ପୁଲିସକୁ ।

 

ଦେଖିଲା ମାତ୍ରେ ବାଡ଼ୋଉଥିବେ ପୁଲିସ । ଧରି ନେଇ ବସାଇ ଦେଉଥିବେ ପୁଲିସ ଗାଡ଼ିରେ । ଢୋ ଢୋ ଶବ୍ଦରେ ଚମକି ଉଠିବେ ସମସ୍ତେ । ଅଜଣା ସ୍ଥାନରୁ ଗୁଳି ଆସି ପହଞ୍ଚିଯିବ ମନ୍ଦିର ପାଖରେ । ମୁହୂର୍ତ୍ତକ ମଧ୍ୟରେ ଟଳି ପଡ଼ିବେ ଜୀବେଦୟା ସଂଘର ତିନି ଜଣ ସଭ୍ୟ ।

 

ଥମିଯିବ ଢେଲାମାଡ଼ । ଥମିଯିବ ଲାଠି ପ୍ରହାର । ପୁଲିସମାନେ ଅନେଇବେ ତହସିଲଦାରକୁ । ତହସିଲଦାର ଚାହିଁବେ ଚାରିଆଡ଼କୁ । କୁଆଡ଼ୁ ଆସିଲା ଗୁଳି ? କିଏ ଚଳେଇଲା ଗୁଳି ? କେହି ଜାଣିପାରିବେନି କିଛି । କେହି ଅନୁମାନ କରିପାରିବେନି କିଛି ।

 

ମନ୍ତ୍ରୀଙ୍କ କାନରେ ଫୁସ୍‌ଫୁସ୍ କରି କହିଦେବ ଜଣେ । କାହାକୁ କିଛି ନ କହି ଉଠିବେ ମନ୍ତ୍ରୀ । କାର୍ ପାଖରେ ପହଞ୍ଚିବା ଆଗରୁ ତାଙ୍କୁ ଘେରିଯିବେ ଉତ୍ତ୍ୟକ୍ତ ଜନତା । ହାତଠାରି ଦେଖେଇଦେବେ ତିନୋଟି ଶବ । ପ୍ରତିବାଦ କରିବେ ମନ୍ତ୍ରୀଙ୍କ ଏକଛତ୍ରବାଦର । ବିରୋଧ କରିବେ ପୁଲିସ ଦମନଲୀଳାର ।

 

ତରତର ହୋଇ କାର୍ ଭିତରକୁ ଯାଉଥିବେ ମନ୍ତ୍ରୀ । ଯଥାଶୀଘ୍ର ଜାଗାଛାଡ଼ି ଚାଲିଯିବାକୁ ଚେଷ୍ଟା କରୁଥିବେ ।

 

ଚିତ୍କାର କରିବେ କେତେଜଣ ଯୁବକ । ଗର୍ଜନ କରି କହିବେ ଇସ୍ତଫା ଦିଅନ୍ତୁ ମନ୍ତ୍ରୀ । ବରଖାସ୍ତ କରାଯାଉ ତହସିଲଦାରଙ୍କୁ । ଘଟଣାର ତଦନ୍ତ ପାଇଁ ବିଚାର ବିଭାଗୀୟ କମିଶନ ବସୁ । ସରକାରୀ ସାହାଯ୍ୟ ମିଳୁ ମୃତ ବ୍ୟକ୍ତିଙ୍କ ପରିବାରବର୍ଗକୁ ।

 

ବଢ଼ି ଯାଉଥିବ ଲୋକମାନଙ୍କର ସଂଖ୍ୟା । ଶବ ଦେଖି ଉତ୍ତ୍ୟକ୍ତ ହୋଇ ଉଠୁଥିବେ ସମସ୍ତେ । ବିଳମ୍ବ ନ କରି ଘୋଷଣା କରିବେ ମନ୍ତ୍ରୀ । ବରଖାସ୍ତ କରାଗଲା ତହସିଲଦାରଙ୍କୁ । ପଚିଶ ହଜାର ଟଙ୍କା ଲେଖାଏଁ ସରକାରୀ ସାହାଯ୍ୟ ମିଳିବ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ । ତଦନ୍ତ କମିଶନ ବସାଇବା କଥା ଘୋଷଣା କରାଯିବ ରାଜଧାନୀରେ ।

 

କହିବେ ତ କାର୍ ଭିତରେ ପଶିଯିବେ ମନ୍ତ୍ରୀ । ସମସ୍ତଙ୍କୁ ହାତ ହଲାଇ ବିଦାୟ ନେବେ । ମନ୍ତ୍ରୀଙ୍କ ଗାଡ଼ିକୁ ସୁରକ୍ଷା ଦେଇ ଚାଲିଯିବେ ପୁଲିସବାହିନୀ ।

 

ଶବ ଚାରି ପାଖରେ ଘେରିଯିବେ ଲୋକମାନେ । ମୁଣ୍ଡ ବାଡ଼େଇ କାନ୍ଦୁଥିବେ କେତେଜଣ । ରକ୍ତ ଦେଖି ରକ୍ତମୁଖା ହୋଇଥିବେ କେତେକ ।

 

ସମସ୍ତଙ୍କୁ ଶୁଭିଲା ପରି କହିବେ ଶାସକ ଦଳର ବ୍ଲକ ସଭାପତି । ସବୁ କଥାର ମୂଳ ଏଇ ତହସିଲଦାର । ଗୁଳି ପାଇଁ ଆଦେଶ ଦେଇଛନ୍ତି ପୁଲିସକୁ । ମାରି ଦେଇଛନ୍ତି ତିନି ଜଣ ନିରୀହ କର୍ମୀଙ୍କୁ ।

 

ହୋ ହୋ କରି ମାଡ଼ି ଆସିବେ ସମସ୍ତେ । ତହସିଲଦାରଙ୍କ ଉପରେ ଲଦିଦେବେ ବିଧା, ଚାପୁଡ଼ା, ଗୋଇଠା । ସବୁ ରାଗ ଶୁଝେଇ ଦେବେ ସେଇଠି ।

 

ରକ୍ତ ଜୁଡ଼ୁବୁଡ଼ୁ ହୋଇଥିବେ ତହସିଲଦାରଙ୍କ ଶରୀର । ସାମର୍ଥ୍ୟହୀନ ହୋଇଯାଇଥିବ ମନ । ଧୀରେ ଧୀରେ ଖୋଲିବେ ଆଖି । ବଡ଼ କଷ୍ଟରେ ଚାହିଁବେ ମନ୍ଦିର ଆଡ଼େ ।

 

ପୂର୍ଣ୍ଣାହୁତି ସରି ଯାଇଥିବ ଯଜ୍ଞର । ବୋଦାବଳି ଆରମ୍ଭ ହୋଇଥିବ ବେଢ଼ା ଭିତରେ । ବୋଦା ମାଂସକୁ ଭୋଗ କହି ବାଣ୍ଟି ନେଉଥିବେ ଲୋକମାନେ । ମନ୍ତ୍ରୀଙ୍କ ନାଆଁରେ ମନ୍ତ୍ରପାଠ କରୁଥିବେ ବାବାଜି । କ୍ଷୀଣ ହୋଇଯାଉଥିବ ବୋଦାମାନଙ୍କର ମେଁ ମେଁ ସ୍ୱର ।

 

ତହସିଲଦାର ଦେଖୁଥିବେ, ପୂଜା ପାଉଛନ୍ତି ଠାକୁର । ମାଂସ ଖାଉଛନ୍ତି ଲୋକେ । ପୁଣ୍ୟ ଅର୍ଜୁଛନ୍ତି ମନ୍ତ୍ରୀ । ଅଥଚ ଜୀବନ ଯାଉଛି ବୋଦାମାନଙ୍କର ।

☆☆☆

 

ସାପ ପାଳନ

 

ସାପର ପିଠି ଉପରେ ହାତ ବୁଲେଇ ନେଉଛନ୍ତି ଏମ୍.ଡି. । ଖୁବ୍ ଆଦରରେ ସାଉଁଳି ଦେଉଛନ୍ତି ସାପର ମୁଣ୍ଡକୁ । ନିଜ ଆଙ୍ଗୁଠିରେ ଗୁଡ଼େଇ ଦେଉଛନ୍ତି ସାପ ଲାଙ୍ଗୁଡ଼ । ସାପକୁ ବେକ ଉପରେ ପକେଇ ବୁଲେଇ ଦେଉଛନ୍ତି ଗାମୁଛା ପରି ।

 

ସାପର ବିଷ ଦାନ୍ତକୁ ଭୟ କରୁନାହାନ୍ତି ଏମ୍.ଡି. । ଚିନ୍ତା କରୁନାହାନ୍ତି ସାପ କାମୁଡ଼ାର ପରିଣତି ବିଷୟରେ । ପରମ ଆତ୍ମୀୟଭାବ ପ୍ରଦର୍ଶନ କରୁଛନ୍ତି ସାପ ସହିତ । ପୋଷା ଶୁଆ ବା ପୋଷା ବିଲେଇ ପରି ଆଦରି ନେଉଛନ୍ତି ସାପକୁ ।

 

ହାତରେ ଫାଇଲ ଧରି ଅଳ୍ପ ଦୂରରେ ଠିଆ ହୋଇଥିବା ପିଏ ବାବୁ କହୁଛନ୍ତି, ସାର୍ । କେତେବେଳେ କେଉଁକଥା । ସାପଟା ସହ ଆପଣ ଲାଗନ୍ତୁନି । ସାପମାନଙ୍କୁ ବିଶ୍ୱାସ କରିବା ଉଚିତ୍ ନୁହେଁ ସାର୍ ।

 

ଏମ୍. ଡି. କିଛି କହିବା ପୂର୍ବରୁ ଉତ୍ତର ଦେଉଛନ୍ତି ସାମ୍‌ନା ଚେୟାରରେ ବସିଥିବା ମିଶ୍ରବାବୁ । ତୁମେ କିଛି ଜାଣିନ ପିଏବାବୁ । ଇଏ ହେଉଛି ପୋଷା ସାପ । ଯାହା କହିବ ସେୟା କରିବ । କହିଲେ ଖାଇବ । କହିଲେ ନାଚିବ । ଦରକାର ପଡ଼ିଲେ ନିପାତ କରିଦେବ ମୂଷା । ନିଜ ପୁଅ ପରି କୋଳରେ ପଶି ଗେହ୍ଲା ହେବ । ଇଏତ ୟାଡ଼ୁସାଡ଼ୁ ସାପ ନୁହେଁ ଯେ କାମୁଡ଼ି ଦବ ! ପୋଷା ସାପ ହେବା ପାଇଁ ତାଲିମ ଦିଆଯାଇଛି ତାକୁ । ମୁନିବ ସହିତ ବ୍ୟବହାର କରିବାର ଆଦବକାଇଦା ଶିଖାଇ ଦିଆଯାଇଛି ।

 

ସାପକୁ ନିଜ ମୁହଁ ପାଖକୁ ନେଲେ ଏମ୍.ଡି. । ପରମ ଆନନ୍ଦରେ ଚୁମାଟିଏ ଦେଲେ ସାପର ଫଣା ଉପରେ । ମୁଣ୍ଡ ହଲେଇ ଚୁମାଟି ଗ୍ରହଣ କରିନେଲା ସାପ । ଏମ୍.ଡି.ଙ୍କ ଗାଲକୁ ଚୁଚୁମି ଦେଲା ଜିଭରେ ।

 

ଭୟରେ ଶିତେଇ ଉଠିଲେ ପିଏବାବୁ । ସାର୍, ଆପଣ ଟିକେ ସତର୍କ ରୁହନ୍ତୁ ସାପ ପ୍ରତି-। ତା’ର ବିଷଦାନ୍ତ ଝଡ଼ା ଯାଇନି । ଭାରି ଅସୁବିଧା ବରଂ ବିଷଦାନ୍ତଗୁଡ଼ା ଭାଙ୍ଗିଦେଇ ପୋଷନ୍ତୁ ସାପକୁ ।

 

ହସିଉଠିଲେ ମିଶ୍ରବାବୁ । ତୁମେ ବଡ଼ ଡରକୁଳା ପିଏବାବୁ । ସବୁ ସାପମାନଙ୍କ ପରି ଭାବିଛ ଆମ ସାପକୁ ! ସମସ୍ତଙ୍କ ପରି ଇଏ କାମୁଡ଼ି ଦେବ ବୋଲି ଚିନ୍ତା କରୁଛ ? କିନ୍ତୁ ଆମ ସାପ ସେପରି ନୁହେଁ । ତା’ର ବିଷଦାନ୍ତ ଥିଲେ ମଧ୍ୟ ସେ ସାମାନ୍ୟ ପରିମାଣରେ ବିଷ ଛାଡ଼ିବନି ଏମ୍.ଡି.ଙ୍କ ମୁହଁରେ । ତା’ର ବିଷଦାନ୍ତ ଉପାଡ଼ିବା କିଛି ଦରକାର ନାହିଁ । ବିଷଦାନ୍ତ ନ ଥିଲେ ସାପର ସାପତ୍ୱ ଜଣାପଡ଼ିବ କିପରି ଯେ ?

 

ବଡ଼ ସନ୍ତର୍ପଣରେ ଫାଇଲ ଧରି ଏମ୍.ଡି.ଙ୍କ ପାଖକୁ ଆସିଲେ ପିଏବାବୁ । ଏମ୍.ଡି.ଙ୍କ ହାତରୁ ଯାଇ ମିଶ୍ରବାବୁଙ୍କ କାନ୍ଧ ଉପରେ ଚଢ଼ି ସାରିଥିଲା ସାପ । ପୋଷା ଛୁଆ ପରି ଘୂରି ଯାଉଥିଲା ଏ ମୁଣ୍ଡରୁ ସେ ମୁଣ୍ଡକୁ ।

 

ଫାଇଲ ଖୋଲି ବୁଝାଇ ଦେଲେ ପିଏବାବୁ । ଏଇଟା କ୍ଵାର୍ଟର ଆଲଟମେଣ୍ଟ ଫାଇଲ । ସିନିଅରଟି ଅନୁସାରେ ଖାଁ ବାବୁ କ୍ଵାର୍ଟର ପାଇବାକୁ ଯୋଗ୍ୟ । ଆପଣଙ୍କ ଅନୁମୋଦନ ଦରକାର ।

 

ଫାଇଲ ଉପରେ ଦସ୍ତଖତ କରିବାକୁ ଯାଉଥିଲେ ଏମ୍.ଡି. । ଅଟକାଇ ଦେଲେ ମିଶ୍ରବାବୁ । ଆପଣ ଜାଣିନାହାନ୍ତି ସାର୍ । ଖାଁ ବାବୁଙ୍କର ଭୁବନେଶ୍ୱରରେ ଘର ଅଛି । ତାଙ୍କୁ କ୍ଵାର୍ଟର ଯୋଗାଇ ଦେଲେ ଆମେ ଅସୁବିଧାରେ ପଡ଼ିବା ।

 

ଅଟକିଗଲା ଏମ୍.ଡି.ଙ୍କ ହାତ । ଅବଜେକ୍‌ସନ କରି ଫେରାଇ ଦେଲେ ଫାଇଲ । ଲେଖିଦେଲେ ଭୁବନେଶ୍ୱରରେ ଘର ନାହିଁ ବୋଲି ପ୍ରମାଣପତ୍ର ଦେଲେ କ୍ଵାର୍ଟର ଯୋଗାଇ ଦିଆଯିବ-

 

ଏଥର ଅନ୍ୟ ଏକ ଫାଇଲ ଖୋଲିଲେ ପିଏବାବୁ । ଚିଲିକାକୁ ଆସୁଥିବା ପକ୍ଷୀମାନଙ୍କୁ ଅନୁଧ୍ୟାନ କରିବା ପାଇଁ ଏକ ଦୁଇବର୍ଷିଆ ସ୍କିମ ଦେଇଛନ୍ତି କେନ୍ଦ୍ର ସରକାର । ପକ୍ଷୀ ବିଶେଷଜ୍ଞ ଡଃ ଶକ୍ତି ମହାପାତ୍ରଙ୍କ ଅଧୀନରେ ସ୍କିମଟି ରଖାଗଲେ ଭଲ ହେବ ।

 

ପିଏଙ୍କୁ ଚାହିଁ ପଚାରିଲେ ମିଶ୍ରବାବୁ । କେତେ ଟଙ୍କା ଅଛି ସ୍କିମରେ । ସତୁରୀ ଲକ୍ଷ ଟଙ୍କା-। ସଂକ୍ଷିପ୍ତ ଉତ୍ତର ଦେଲେ ପିଏ ।

 

ଗଭୀର ଭାବେ ଫାଇଲ ଦେଖୁଥିବା ଏମ୍.ଡି.ଙ୍କୁ କହିଲେ ମିଶ୍ରବାବୁ । ସେ ମହାପାତ୍ର ଅଧୀନରେ ଏ ସ୍କିମଟା ରଖନ୍ତୁ ନାହିଁ ସାର୍ । ତାଙ୍କ ବିରୁଦ୍ଧରେ ଭିଜିଲାନ୍‌ସ କେସ୍‍ ଅଛି । ପାଞ୍ଚବର୍ଷ ତଳେ ଲକ୍ଷ ଲକ୍ଷ ଟଙ୍କା ଖାଇଯାଇଛନ୍ତି ଅଫିସରୁ ।

 

ସାମାନ୍ୟ ଚିନ୍ତା କଲେ ଏମ୍. ଡି. । କାହାକୁ ଦିଆଯିବ ଏ ସ୍କିମ । ମିଶ୍ରବାବୁଙ୍କୁ କହିଲେ, ମିଶ୍ରବାବୁ ଆପଣ ନେଉନାହାନ୍ତି ଏ ସ୍କିମକୁ । ଆପଣ ତ ପଶୁପକ୍ଷୀମାନଙ୍କୁ ଖୁବ୍ ଭଲପାଆନ୍ତି ।

ମତେ ଆଜ୍ଞା ସମୟ କାହିଁ । ହଠାତ୍ କହିଦେଲେ ମିଶ୍ରବାବୁ । ହଉ, ଆପଣ କହୁଛନ୍ତି ଯେତେବେଳେ ଥାଉ ସେ ସ୍କିମଟା ।

କିଛି କହିବାକୁ ଯାଉଥିଲେ ପିଏବାବୁ । ମିଶ୍ରବାବୁଙ୍କ ମୁହଁକୁ ଦେଖି ଚୁପ୍ ରହିଲେ ସେ ।

ଏମ୍.ଡି.ଙ୍କ ସାର୍ଟ ଭିତରେ ପଶି ଯାଇଥିଲା ସାପ । ସଲ ସଲ ଲାଗିବାରୁ ସାପକୁ ବାହାର କରି ଆଣିଲେ ଏମ୍.ଡି ସାହେବ । ଆଞ୍ଜୁଳାଏ ଫୁଲ ପରି ସାପକୁ ଏପଟ ସେପଟ କଲେ ହାତରେ ।

ବେଶ୍‍ ଖୁସି ହେଉଥିଲେ ମିଶ୍ରବାବୁ । ସାପ ସହ ଏମ୍.ଡି.ଙ୍କ ଖେଳ ଦେଖି ଫାଟି ପଡ଼ୁଥିଲେ ଆନନ୍ଦରେ ।

ସେ ନିଜେ ତ ଏମ୍.ଡି.ଙ୍କୁ ଦେଇଛନ୍ତି ସାପଟି । ଏମ୍.ଡି. ଜଏନ୍ କରିବା ପରେ ତାଙ୍କୁ ଉପହାର ଦେଇଛନ୍ତି ଏଇଟି । ମିଶ୍ରବାବୁ ଶୁଣିଥିଲେ ପଶୁପକ୍ଷୀଙ୍କୁ ଖୁବ୍ ଭଲପାଆନ୍ତି ଏମ୍.ଡି ସାହେବ । ତାଙ୍କ ଘରେ ବିଲେଇ, କୁକୁର, ଶୁଆ, ହରିଣ, ମୟୂର ଆଦି ଅନେକ ପ୍ରାଣୀ ଥାଆନ୍ତି । ସେ ଚିନ୍ତା କଲେ ଏକ ଅଦ୍ଭୁତ ଉପହାର ଦେବେ ଏମ୍.ଡି.ଙ୍କୁ । ସବୁଦିନ ଏମ୍.ଡି.ଙ୍କ ମନରେ ଏକ ଦୁର୍ବଳତା ସୃଷ୍ଟି କରିଦେବେ ତାଙ୍କ ପ୍ରତି ।

ଅନେକ ଖୋଜାଖୋଜି କରି ପୋଷା ସାପଟିଏ ଆଣିଥିଲେ ମିଶ୍ରବାବୁ । ଏମ୍.ଡି.ଙ୍କ ସାମ୍‌ନାରେ ପେଡ଼ି ଖୋଲିଦେଲେ ତ ଚମକି ପଡ଼ିଲେ ଏମ୍.ଡି. ସାହେବ । ଭୟରେ ପଛେଇ ଗଲେ କେଇ ପାହୁଣ୍ଡ ।

 

ହସି ହସି ଏମ୍.ଡି.ଙ୍କ ହାତରେ ସାପକୁ ସମର୍ପି ଦେଲେ ମିଶ୍ରବାବୁ । ଆଜ୍ଞା, ଏଇଟା ପୋଷା ସାପ । ଆପଣଙ୍କର କିଛି କ୍ଷତି କରିବନି । ଆପଣଙ୍କ ପୋଷା ପଶୁମାନଙ୍କ ଭିତରୁ ଇଏ ଗୋଟିଏ । ଅନ୍ୟ ପଶୁମାନଙ୍କ ପରି ଖୁବ୍ ପ୍ରଭୁଭକ୍ତ ଏ ସାପଟି ।

 

ସତକଥା, ଦୁଇବର୍ଷ ଭିତରେ ଅନ୍ୟାନ୍ୟ ପୋଷା ପଶୁଙ୍କ ତୁଳନାରେ ଏମ୍.ଡି.ଙ୍କର ପରମ ଆତ୍ମୀୟ ପାଲଟି ଯାଇଛି ସାପ । ପାଖରେ ଶୋଉଛି । ଏମ୍.ଡି.ଙ୍କ କାରରେ ଯାଉଛି । ଏମ୍.ଡି.ଙ୍କ ହାତରୁ କ୍ଷୀର ପିଉଛି । ନିର୍ଦ୍ଦେଶ ଦେଲାମାତ୍ରେ ମୂଷାମାନଙ୍କୁ ମାରିଦେଉଛି ଘରୁ । ବୁଲା କୁକୁର, ଗାଈ, ଷଣ୍ଢମାନଙ୍କୁ ଗୋଡ଼େଇ ବାହାର କରିଦେଉଛି ଗେଟ୍ ସେପଟକୁ । ଏମ୍.ଡି.ଙ୍କ ଘରେ ଏକାନ୍ତ ଆତ୍ମୀୟ ହୋଇଯାଇଛି ସାପ ।

 

ଏମ୍.ଡି.ଙ୍କ ନାତିନାତୁଣୀମାନେ ଖୁସିରେ ଖେଳୁଛନ୍ତି ତା’ ସହ । ମ୍ୟାଡାମ ମଧ୍ୟ ସାପକୁ ଗେଲ କରୁଛନ୍ତି ବେଳାଅବେଳାରେ ।

 

ସାପ ଦେଇଥିବାରୁ ମିଶ୍ରବାବୁଙ୍କ ଉପରେ ଶୁଭଦୃଷ୍ଟି ପଡ଼ିଛି ଏମ୍.ଡି.ଙ୍କର । ଯେତେବେଳେ ଇଚ୍ଛା ସେତେବେଳେ ଏମ୍.ଡି.ଙ୍କ ଘରେ ପହଞ୍ଚି ଯାଉଛନ୍ତି ମିଶ୍ରବାବୁ । ସାପର ଖବର ବୁଝୁଛନ୍ତି । ବୁଝୁଛନ୍ତି ଅନ୍ୟ ପୋଷା ଜୀବମାନଙ୍କର କଥା । କୁକୁରର ପେଟ ଖରାପ ହେଲା, ନେଉଳ ଦେହ ଥରିଲା, ମୟୂରର ଝାଡ଼ା ହେଲା, ସବୁ କଥାରେ ମିଶ୍ରବାବୁ ଯାଇ ହାଜର । ପଶୁଡାକ୍ତରଙ୍କ ପାଖକୁ ନେଇ ଭଲ କରିଦେଉଛନ୍ତି ପୋଷା ଜୀବମାନଙ୍କୁ । ବେଶ୍ ଆତ୍ମୀୟ ହୋଇଯାଇଛନ୍ତି ଏମ୍.ଡି.ଙ୍କ ପରିବାରରେ ।

 

ମିଶ୍ରବାବୁଙ୍କ ଋଣ ଶୁଝାଇବାକୁ ଯାଇ ତାଙ୍କୁ ଜଏଣ୍ଟ ଡାଇରେକ୍ଟରରୁ ଡାଇରେକ୍ଟର କରିଦେଲେ ଏମ୍.ଡି. । ଛଅ ଜଣ ଲୋକଙ୍କୁ ସୁପରସିଡ କରି ଡାଇରେକ୍ଟର ହୋଇଗଲେ ମିଶ୍ରବାବୁ-

 

ଏମ୍.ଡି.ଙ୍କର ପରମ ଆତ୍ମୀୟ ହୋଇଯାଇଛି ସାପ । ଏମ୍.ଡି.ଙ୍କ ପରିବାରରେ ଜଣେ ହୋଇଯାଇଛନ୍ତି ମିଶ୍ରବାବୁ । ଏମ୍.ଡି.ଙ୍କ ମାଆ ମଲାବେଳେ ତାଙ୍କୁ ଶୁଦ୍ଧି ହୋଇପଡ଼ିଲେ ମିଶ୍ରବାବୁ । ନିଜ ମାଆ ମରିଗଲା ପରି ଲଣ୍ଡା ହୋଇପଡ଼ିଲେ ସେ । ଏମ୍.ଡି.ଙ୍କ ଭାଇ ନ ଥିଲେ ମିଶ୍ରବାବୁଙ୍କୁ ହୁଏତ ମୁଖାଗ୍ନି ଦେବାକୁ ପଡ଼ିଥାନ୍ତା ।

 

ଏମ୍.ଡି.ଙ୍କ ପୁଅ ବାହାଘରବେଳେ ଅଫିସରୁ ଟଙ୍କା ଆଦାୟ କଲେ ମିଶ୍ରବାବୁ । ଜଣ ଜଣ କରି ସମସ୍ତଙ୍କୁ ନିମନ୍ତ୍ରଣ ପତ୍ର ବାଣ୍ଟିଲେ । ଖାଇବା ପିଇବା, ରୋଷଣୀ ହେବା, ଅତିଥି ଚର୍ଚ୍ଚା ହେବା ସବୁ କଥା ବୁଝିଦେଲେ ଘର ଲୋକଙ୍କ ପରି ।

 

ଏମିତି ଲୋକଙ୍କୁ ବିଶ୍ଵାସ ନ କରାଯିବ କାହିଁକି ଯେ ! ଭାଗ୍ୟରେ ଥିଲେ ଏମିତି ସହକର୍ମୀ ମିଳେ କାହାକୁ । ମିଶ୍ରବାବୁଙ୍କୁ ପାଇ କୃତ୍ୟ କୃତ୍ୟ ହୋଇପଡ଼ୁଥିଲେ ଏମ୍.ଡି. ସାହେବ ।

 

ଏମ୍.ଡି.ଙ୍କ ଟେବୁଲ ଉପରେ ଖେଳୁଛି ସାପଟା । ପେପର ଓ୍ଵେଟ୍ ସହ ଗୁଡ଼େଇ ହେଉଛି-। ଗଡ଼େଇ ଦେଉଛି ଟେଲିଫୋନ । ଘରୁ ଆସି ଅଫିସରେ ଆସ୍ଥାନ ଜମେଇ ଦେଇଛି ସାପ-। ଏମ୍‍.ଡି.ଙ୍କ ପୋଷା ସାପ ବୋଲି ତାକୁ ତଡ଼ିବାକୁ ସାହସ କରିପାରୁନାହାନ୍ତି କେହି । ଅଥଚ ସାପର ବିଷଦାନ୍ତ କଥା ଚିନ୍ତା କରି ଛନକା ପଶିଯାଇଛି ସମସ୍ତଙ୍କ ମନରେ ।

 

ଯେତେହେଲେ ଗୋଟିଏ ସାପ । ପୁଣି ବିଷଦାନ୍ତ ଝଡ଼ାଯାଇନି ତା’ର । କିଛି ଘଟିଗଲା ପରେ କ’ଣ ଆଉ କରାଯାଇପାରିବ ଯେ ! ସାପ ପ୍ରତି ଆଗରୁ ସତର୍କ ରହିବା ଉଚିତ ।

 

ଗୋଟିଏ ଫାଇଲ ଧରି ପଶିଆସିଲେ ମିଶ୍ରବାବୁ । ଫାଇଲ ଥୋଇ ଉଠେଇ ନେଲେ ସାପ । ଫଣା ଉପରେ ହାତ ବୁଲେଇ ଆଣି ଗେଲ କଲେ । ପୂର୍ବପରି ଟେବୁଲ ଉପରେ ଛାଡ଼ି ଦେଲେ ସାପକୁ ।

 

ଖୁସି ହୋଇ ପ୍ରକାଶ କରିଦେଲେ ଏମ୍.ଡ଼ି । ମୋର ଧାରଣା ଥିଲା ପଶୁପକ୍ଷୀମାନଙ୍କୁ କେବଳ ମୁଁ ହିଁ ଅଧିକ ଭଲପାଏ । କିନ୍ତୁ ସାପ ପ୍ରତି ଆପଣଙ୍କ ମମତା ବଳିଯାଛି ମୋ’ଠାରୁ ।

 

ହସି ହସି କହିଲେ ମିଶ୍ରବାବୁ । ନାଇଁ ଆଜ୍ଞା, ଆମେ କେତେକର ଲୋକ । ଆପଣଙ୍କ ପରି ଆମେ କ’ଣ ହୋଇପାରିବୁ ସତରେ ! ଆମେ କ’ଣ ଆପଣେଇ ନେଇପାରିବୁ ସବୁ ପଶୁପକ୍ଷୀମାନଙ୍କୁ !

 

ଏଥର ଫାଇଲ ଖୋଲି ଏମ୍.ଡି.ଙ୍କ ଆଡ଼କୁ ଗୋଟିଏ ପୃଷ୍ଠା ଦେଖେଇଦେଲେ ମିଶ୍ରବାବୁ-। ସାମାନ୍ୟ ନରମ କଣ୍ଠରେ କହିଲେ ସ୍କିମ ପାଇଁ ଜିପ୍ କିଣାଯିବ ଯେ ! ଆପଣଙ୍କ ଅନୁମୋଦନ ଦରକାର ।

 

ଫାଇଲ ଆଡ଼େ ଚାହିଁଲେ ଏମ୍.ଡି. । ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନକୁ ଆଙ୍ଗୁଠି ଦେଖାଇ କହିଲେ ମିଶ୍ରବାବୁ । ଏଇଠି ଦସ୍ତଖତ କରନ୍ତୁ ସାର୍ ।

 

ଖୁବ୍ ସହଜ ଭାବେ ଫାଇଲରେ ଦସ୍ତଖତ କରିଦେଲେ ଏମ୍.ଡି. । ଚଟାପଟ୍ ଫାଇଲଟିକୁ ଗୁଡ଼େଇ ବାନ୍ଧିଦେଲେ ମିଶ୍ରବାବୁ । ପେନ୍ ଷ୍ଟାଣ୍ଡ ଉପରେ ଶୋଇଥିବା ସାପକୁ ଉଠେଇ ଆଣି ଚୁମି ଦେଲେ ଆଉଥରେ ।

 

ଅଫିସରେ ମିଶ୍ରବାବୁଙ୍କ ଆଧିପତ୍ୟ ବଢ଼ିଯାଇଛି ଅନେକ । ତାଙ୍କ କଥାରେ ଚାଲିଛି ଅଫିସ । ତାଙ୍କ କଥାରେ ଚାଲିଛନ୍ତି ଏମ୍.ଡି. । ମିଶ୍ରବାବୁ କହିଲେ ଫାଇଲ ନ ପଢ଼ି ଦସ୍ତଖତ କରୁଛନ୍ତି ଏମ୍.ଡି. । ଲୋକଙ୍କୁ ଚାକିରି ଦେଉଛନ୍ତି, ଲକ୍ଷ ଲକ୍ଷ ଟଙ୍କାର ବିଲ ପାସ୍‍ କରୁଛନ୍ତି ।

 

ଏଇ କେତେଦିନ ତଳେ ଅଫିସ କାମରେ ଦିଲ୍ଲୀ ଯାଇଥିଲେ ଏମ୍.ଡି. ସାହେବ । ସାତ ଆଠ ଦିନ ପରେ ଫେରିଲେ ଭୁବନେଶ୍ୱର । ଘରେ ପହଞ୍ଚି ଯାହା ଦେଖିଲେ ହଠାତ୍‍ ବିଶ୍ୱାସ କରିପାରିଲେନି ସେ କଥା । ସବୁ ଓଡ଼ିଆ ଖବରକାଗଜରେ ପ୍ରକାଶ ପାଇଥିଲା ତାହା । ସେ ନିଜେ ଇସ୍ତଫା ଦେଇଛନ୍ତି ତାଙ୍କ ପଦବୀରୁ । ମିଶ୍ରବାବୁଙ୍କୁ ଏମ୍.ଡି. କରିବା ପାଇଁ ସୁପାରିସ୍‍ କରିଛନ୍ତି ସରକାରଙ୍କୁ । ସରକାର ଗ୍ରହଣ କରିନେଇଛନ୍ତି ତାଙ୍କ ଇସ୍ତଫା । ମିଶ୍ରବାବୁଙ୍କୁ ବସେଇ ଦିଆଯାଇଛି ଏମ୍.ଡି.ଙ୍କ ଚେୟାରରେ ।

 

ଦିଲ୍ଲୀରେ ଥିଲାବେଳେ ଏ ଖବର ଜଣାଇ ଦିଆଯାଇନି ତାଙ୍କୁ । ଯେତେ ଚେଷ୍ଟା କରି ମଧ୍ୟ ତାଙ୍କ ଘରଲୋକ ଟେଲିଫୋନରେ ଯୋଗାଯୋଗ କରିପାରିନାହାନ୍ତି ତାଙ୍କ ସହ ।

 

ମନେପକାଇଲେ ଏମ୍.ଡି. । କେବେ ତ ଇସ୍ତଫା ଦେଇଥିବା କଥା ମନେ ନାହିଁ ତାଙ୍କର-। ନିଶ୍ଚୟ କିଏ ଜାଲି ଚିଠି ଦେଇଛି ତାଙ୍କ ନାଁରେ ।

 

ସଙ୍ଗେ ସଙ୍ଗେ ସଚିବାଳୟକୁ ଧାଇଁଲେ ଏମ୍.ଡି. ସାହେବ । ବିଭାଗୀୟ ସଚିବଙ୍କ ସହ ଦେଖାକଲେ ସେହି ମୁହୂର୍ତ୍ତରେ । ତାଙ୍କ ଦରଖାସ୍ତ କାଢ଼ି ଦେଖାଇଦେଲେ ସଚିବ ମହୋଦୟ । ସେ ନିଜେ ହିଁ ଦସ୍ତଖତ କରିଛନ୍ତି ଟାଇପ କରାଯାଇଥିବା ଚିଠିରେ । ସ୍ଵାସ୍ଥ୍ୟଗତ କାରଣରୁ ଇସ୍ତଫା ଦେବା ପାଇଁ ମନସ୍ଥ କରି ଚିଠି ଲେଖିଛନ୍ତି । ଏହାର ଏକ ନକଲ ପଠାଇ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ । ଏଥିରେ କିଏ କାହିଁକି ସନ୍ଦେହ କରନ୍ତା ଯେ !

 

ସଫେଇ ଦେବା ପାଇଁ ଭରସି ପାରିଲେନି ଏମ୍.ଡି. । ମୁହଁ ଖୋଲି କହିପାରିଲେନି ତାଙ୍କୁ ପ୍ରତାରିତ କରାଯାଇଛି ବୋଲି । ତାଙ୍କ ସରଳତାର ସୁଯୋଗ ନେଇ ଏସବୁ କରାଯାଇଛି ବୋଲି । ଅନେକ ଚିଠି ପରି ଅନ୍ୟମନସ୍କ ଭାବେ ନିଜ ଇସ୍ତଫା ପତ୍ରରେ ଦସ୍ତଖତ କରିଦେଇଛନ୍ତି ଏମ୍.ଡି. । ମିଶ୍ରବାବୁଙ୍କୁ ବିଶ୍ଵାସ କରିଛନ୍ତି ସବୁ କାମରେ ।

 

ନୀରବରେ ଘରକୁ ଫେରିଆସିଲେ ଏମ୍.ଡି. ସାହବେ । ଭାରାକ୍ରାନ୍ତ ମନରେ ପୋର୍ଟିକୋ ଡେଇଁ ଘରେ ପଶିଲେ । ଅନ୍ୟମନସ୍କ ଭାବେ ପଶିଗଲେ ଡ୍ରଇଁ ରୁମ୍ ଭିତରକୁ । ତାଙ୍କ ଅଜାଣତରେ ସାପ ଉପରେ ଗୋଡ଼ ପଡ଼ିଗଲା ଏମ୍.ଡି.ଙ୍କର । ଚମକି ପଡ଼ି ଗୋଡ଼ ଉଠେଇ ଆଣିଲେ ଏମ୍.ଡି. ସାହେବ । ଚୋଟ ମାରି ଘର ପାଖ ଲନ୍ ଭିତରେ ଲୁଚିଗଲା ସାପଟା । ଯନ୍ତ୍ରଣାରେ ଛଟପଟ ହୋଇ ସୋଫା ଉପରେ ବସିପଡ଼ିଲେ ଏମ୍.ଡି. ।

 

ଉଚ୍ଚ ସ୍ୱରରେ ବୋବେଇ ଉଠିଲେ ଘରେ ଥିବା ଶୁଆ, ସାରୀ, ବଣି, କୁକୁର, ମୟୂର, ବିଲେଇ, ହରିଣ ଓ ଅନ୍ୟ ପୋଷା ଜୀବମାନେ ।

☆☆☆

 

ହରିଣ ସେବା

 

ବାଘର ଗୁମ୍ଫାରେ ହରିଣ ସେବା । ଘାସ ପଡ଼ିଆ ଖୋଲି ଦେଇଛି ବାଘ । ଗଛର ଡାଳପତ୍ର ଗଦେଇ ଦେଇଛି ହରିଣମାନଙ୍କ ପାଇଁ ।

 

ହରିଣମାନେ ଧାଉଁଛନ୍ତି ଏ ଦିଗରୁ ସେ ଦିଗକୁ । ଏ ପଡ଼ିଆରୁ ସେ ପଡ଼ିଆକୁ । କୁରୁଳି ଉଠୁଛନ୍ତି ଖୁସିରେ । ଡେଇଁ ପଡ଼ୁଛନ୍ତି ପରମ ଆବେଗରେ । ଟୁପ୍‌ଟାପ୍ ହୋଇ କହୁଛନ୍ତି, କେଡ଼େ ଦୟାବନ୍ତ ଏ ବାଘରଜା । ଆମ ପାଇଁ ଖୋଲି ଦେଇଛି ଖାଦ୍ୟ ଭଣ୍ଡାର । ଆମେ ହରିଣଦଳ ଏଯାଏ ବୁଝି ପାରିଲେନି ବାଘକୁ । ଚିହ୍ନି ପାରିଲେନି ତା’ ହୃଦୟ । ଅଯଥାରେ ଶତ୍ରୁ ବୋଲି ତାକୁ ଘୃଣା କରୁଛନ୍ତି ସିନା ।

 

ଗୁମ୍ଫା ସାମ୍‌ନାରେ ଥୁଆ ହୋଇଥିଲା ବାଘର ମୂର୍ତ୍ତି ଦୁଇଟି । ଖୁବ୍ ଭୟଙ୍କର । ଦେଖିଲେ ଥରିଯିବ ଛାତି । ଡାଆଣିଆ ରାଶିର ଲୋକକୁ ଭୂତ ଗ୍ରାସିବ ।

 

ଭିତରେ ଝାପ୍‌ସା ଅନ୍ଧାର । କାନ୍ଥରେ ଟଙ୍ଗା ଯାଇଥିଲା ବାଘଛାଲ । ବୀରତ୍ୱର ସନ୍ତକ ଥିଲା କାହାର । ମୋଟା ନିଶ ରଖିଥିବା ବାବୁ ଜଣକ ଦିଶୁଥିଲେ ଖୋଦ ବାଘ ପରି । ଟେବୁଲ ଉପରେ ଗୋଡ଼ ରଖି ବସିଥିଲେ ଘର ଭିତରେ ।

 

ଖାକି ପୋଷାକ ପିନ୍ଧା ହାବିଲଦାର ଆସି ସଲାମ ମାରିଲେ ବାବୁଙ୍କୁ । ସାବଧାନ ପୋଜିସନକୁ ଆସି ହାବିଲଦାର କହିଲେ, ଚଉତିରିଶ ଦଳ କୀର୍ତ୍ତନିଆ ଆସି ପହଞ୍ଚିଗଲେଣି । ଗାଡ଼ି ନ ମିଳିବାରୁ ଆସିପାରୁ ନାହାନ୍ତି ସୁନ୍ଦରପଦାର କୀର୍ତ୍ତନମଣ୍ଡଳୀ ।

ଫଁ କରି ଗର୍ଜିଉଠିଲେ ଥାନାବାବୁ । ସଟ୍ ଅପ୍ । ଏଇ କଥା କହିବାକୁ ଆସିଛ ମୋତେ ! ଯାହାର ଟ୍ରକ ଥିବ ପଠାଇ ଦିଅ । ସୁନ୍ଦରପଦାର କୀର୍ତ୍ତନମଣ୍ଡଳୀ ଆସିବା ମୁଁ ଚାହେଁ ।

ଥାନା ପରିସରରେ ଅଖଣ୍ଡ କୀର୍ତ୍ତନ ଚାଲିଛି । ଦିନ ରାତି ହରି ହରି ଶବ୍ଦରେ କମ୍ପି ଯାଉଛି ମଦନପୁର ଥାନା । ଦଳକୁ ଦଳ ଲୋକ ନାଚି ଯାଉଛନ୍ତି ଉଦଣ୍ଡ କୀର୍ତ୍ତନ କରି । ହାଲିଆ ହେଲେ ପ୍ରସାଦ ସେବନ କରୁଛନ୍ତି । ସେଥିପାଇଁ ସକାଳ ପହରୁ ଖନ୍ଦା ଲାଗିଛି ଥାନା ପାଖରେ । ବଡ଼ ବଡ଼ ଛଅଟା ପିତଳ ହାଣ୍ଡିରେ ରୋଷେଇ ଚାଲିଛି ଅରୁଆ ଭାତ, ଡାଲମା, ଘାଣ୍ଟ, ପୋଟଳ ରସା, ଆମ୍ବ ଖଟା, ପାଏସ୍ ।

ଥାନାବାବୁଙ୍କୁ ଧନ୍ୟ ଧନ୍ୟ କହୁଛନ୍ତି ଲୋକେ । ଏମିତି ଅଫିସର ଦେଖି ନ ଥିଲୁ ଆମେ-। ଏମିତି ହରିନାମ ଶୁଣି ନ ଥିଲୁ କେବେ । ଏ ଖଣ୍ଡମଣ୍ଡଳରେ ବାଦ୍ ଯାଇନି କେଉଁ ଗାଆଁ-। ଏ ଇଲାକାର କେଉଁ କୀର୍ତ୍ତନମଣ୍ଡଳୀ ବିନା ନିମନ୍ତ୍ରଣରେ ନାହାନ୍ତି । ଧନ୍ୟ ହେ ଧାର୍ମିକ ଥାନାବାବୁ-। ଧନ୍ୟ ତୁମ ଲୀଳା । ହଜାର ହଜାର ଲୋକଙ୍କ ମୁହଁ ଧୋଇବାଠାରୁ ଧର୍ମ କାମ ଆଉ କ’ଣ ଅଛି-!

ଫୋନ ଉଠାଇଲେ ଥାନାବାବୁ । ସେପଟରେ ଧରିଲେ କଣ୍ଟ୍ରାକ୍ଟର ପ୍ରହ୍ଲାଦ ଦାସ । ଆଦେଶ ହେଲା, କୋଡ଼ିଏ ସେର ଗୁଆଘିଅ ଦରକାର । ଯଜ୍ଞର ପୂର୍ଣ୍ଣାହୂତି ଦିଆଯିବ । ସନ୍ଧ୍ୟା ସୁଦ୍ଧା ଆସି ହାଜର ହୁଅନ୍ତି ଯେମିତି ।

ଚଣ୍ଡୀପାଠ ଆରମ୍ଭ ହୋଇଗଲା ଯଜ୍ଞ ବେଦିରେ । ସ୍ୱାହା ସ୍ୱାହା ମନ୍ତ୍ର ପଢ଼ି କମ୍ପାଇଦେଲେ ଦଶ ଜଣ ପଣ୍ଡିତ । ଏକ ସହସ୍ର ଆହୂତି ପୂର୍ଣ୍ଣ ହେବ ଯଜ୍ଞର । ଶାନ୍ତ କରାଯିବ ସବୁ ଦେବାଦେବୀଙ୍କୁ-

 

ହରିବୋଲ ହୁଳହୁଳିରେ କମ୍ପିଗଲା ଥାନା ପରିସର । ନୂଆ କରି ଗଢ଼ାଯାଇଥିବା ମନ୍ଦିର ବେଢ଼ାରେ ପ୍ରତିଧ୍ୱନିତ ହେଲା ହରିନାମ ।

 

କାକୁସ୍ଥ ହୋଇ ଥାନାରେ ହାଜର ହେଲା ଜଣେ ଥଟ୍ଟାରି । ଥଙ୍ଗ ଥଙ୍ଗ ହୋଇ କହିଲା, ମୋ ଉପରେ ଚାନ୍ଦାଟା ବଳି ପଡ଼ୁଛି ଆଜ୍ଞା । ମୋର ଛୋଟ ଦୋକାନ ସାର୍ । କିଛି କମ୍ କରନ୍ତୁ ।

 

ଭାକ୍ ଶଳା । ଗର୍ଜି ଉଠିଲେ ଥାନାବାବୁ । ମାସେ ପୂରିନି ତୁ ଚଉତିରିଶ କିଲୋ ଚୋରା ତମ୍ବା କିଣିଛୁ । ଯା ପଳା । ଆଜି ତୋ ନାଁରେ ଚାର୍ଜସିଟ୍ କରୁଛି । କିଛି ଦରକାର ନାହିଁ ।

 

ହାତଯୋଡ଼ି କାକୁସ୍ଥ ହେଲା ଥଟ୍ଟାରି । ମରିଯିବି ସାର୍ । ଚାର୍ଜସିଟ୍ କରନ୍ତୁନି । ଯାହା କହିବେ ଦେବି ।

 

ମନ୍ଦିର ପ୍ରତିଷ୍ଠା ହେବ କାଲି । ପିତଳର ବଡ଼ କଳସୀ ଦୁଇଟା ଦେବୁ । ପତାକା ବନ୍ଧା ହେବା ପାଇଁ ତମ୍ବାର ବାଡ଼ି ଦୁଇଟା ଦେବୁ । ତା’ ସହିତ ମନ୍ଦିର ଉପରକୁ କଳସୀ ଉଠିବାର ସବୁ ଖର୍ଚ୍ଚ ତୋର ।

 

ଅହରହ ଘିଅ ପୋଡ଼ା ଚାଲିଛି । ଆହୂତି ଦିଆଯାଉଛି ଦିନରାତି । ଯଜ୍ଞ ବେଦିରେ ଘିଅ ଢାଳି ଢାଳି ହାଲିଆ ହେଲେଣି ବ୍ରାହ୍ମଣମାନେ । ତଥାପି ବିରତି ନାହିଁ । ମାଠିଆ ମାଠିଆ ଘିଅ ଆସି ପହଞ୍ଚି ଯାଉଛି ଯଜ୍ଞସ୍ଥଳରେ । ଦାତାମାନେ ସ୍ଵେଚ୍ଛାକୃତ ଭାବେ ପଠାଇ ଦେଉଛନ୍ତି ଘିଅ । ଲହ ଲହ ନିଆଁ ସହ ଘିଅ ସବୁ ମିଶିଯାଉଛି ପବନରେ । ବାସ୍ନାରେ ମହକି ଉଠଛି ମଦନପୁର ବଜାର ।

 

ସଦ୍ୟ ରଙ୍ଗ ଦିଆଯାଇଥିବା ମନ୍ଦିରଟି ଝଲସାଇ ଦେଉଛି ଆଖି । ଦେଖିଲା ଲୋକ ଚାହିଁ ରହୁଛି ଘଡ଼ିଏ । ଶହେ ଫୁଟ ଉଚ୍ଚର ମନ୍ଦିର ଦିଶୁଛି କାହିଁ କେତେ ଦୂରଯାଏ । ପ୍ରତିଷ୍ଠା ପୂର୍ବରୁ ମୁଣ୍ଡରେ ହାତ ଦେଇ ଜୁହାର ହେଉଛନ୍ତି ସମସ୍ତେ ।

 

ଦାତା ଜଣେ ଦେଇଛନ୍ତି ପିତଳର ରାଧାକୃଷ୍ଣ ମୂର୍ତ୍ତି । ଚାରିଫୁଟ ଉଚ୍ଚ ମୂର୍ତ୍ତିରେ ଲାଗିଛି ସୁନାର ମୁକୁଟ । ମୁକ୍ତାର ଆଖି ଲାଗିଥିବା କଥା କହନ୍ତି ଦେଖିବା ଲୋକେ ।

 

ବଢ଼ି ଯାଉଥିଲା ଘାସ ପଡ଼ିଆର ଦୈର୍ଘ୍ୟ । ମେଞ୍ଚା ମେଞ୍ଚା ଡାଳପତ୍ର ଆସି ଜମା ହେଉଥିଲା ହରିଣମାନଙ୍କ ପାଇଁ । ବାଘର ନିର୍ଦ୍ଦେଶରେ ସମଗ୍ର ବଣ ମୁଲକ ସେବା କରୁଥିଲା ହରିଣ ସମାଜର ।

 

ସକାଳ ହେଲା, ମଦନପୁର ବଜାରରେ ବଢ଼ିଗଲା ଚାଉଳର ଦାମ୍ । ଆଳୁ ପିଆଜର ଦାମ୍ । ତେଲ ମସଲାର ଦାମ୍ । ବେପାରୀମାନେ କହିଲେ ମନ୍ଦିର ପ୍ରତିଷ୍ଠା ହେଉଛି ଥାନାରେ । ଚାନ୍ଦା ଦେଇଛୁ ଯେତେବେଳେ ତାକୁ ତ ପୁଣି ଭରଣା କରିବୁ ।

 

ହରି ହରି ଶବ୍ଦରେ କମ୍ପିଗଲା ଥାନା ପରିସର । ଖାଇବା-ପିଇବାରେ କିଛି ବାରଣ ରହିଲା ନାହିଁ । ଯିଏ ଗଲା ପତ୍ର ପକେଇଲା ଥାନା ସାମ୍‌ନାରେ ।

 

ରାସ୍ତାରେ ଚାଲିବାକୁ ଶଙ୍କିଗଲେ ଲୋକେ । ଦିନ ଦି’ପହରେ ସ୍ତ୍ରୀ ଲୋକମାନଙ୍କଠୁ ଗହଣା ଲୁଟି ନିଆଗଲା । ପକେଟରେ ହାତ ପୂରାଇ ଟଙ୍କା କାଢ଼ିନେଲେ ତସ୍କରମାନେ । ତାଙ୍କର ସେଇ ଯୁକ୍ତି, ଚାନ୍ଦା ଦେବେ ଥାନାବାବୁଙ୍କୁ । ଅଖଣ୍ଡ ଯଜ୍ଞ ପାଇଁ ଟଙ୍କା ଦରକାର ।

 

ଅତିଷ୍ଠ ହୋଇଗଲେ ମଣିଷମାନେ । ଘରେ ରହିବା ବିପଦ ମଣିଲେ । ସାହସ କଲେନି ରାସ୍ତାରେ ଚାଲିବାକୁ ।

 

ଦେଖୁଥିଲେ ସମସ୍ତେ । ହରିଣମାନଙ୍କୁ ଖାଇବା ଆରମ୍ଭ କରିଛି ବାଘ । ହରିଣ ସାମ୍ନାରେ ପକେଇ ଦେଇଛି ଘାସ । ପଛପଟୁ ପୁଳା ପୁଳା ମାଂସ ଖାଉଛି । ରଡ଼ମଡ଼ କରି ଚୋବାଇ ଯାଉଛି ହାଡ଼ । ହରିଣମାନେ କାକୁସ୍ଥ ହୋଇ ଠିଆ ହୋଇଛନ୍ତି । ଲାଙ୍ଗୁଡ଼ ଜାକି ସ୍ଥିର ହୋଇଯାଇଛନ୍ତି ପଡ଼ିଆ ମଝିରେ ।

 

ମନ୍ଦିର ପ୍ରତିଷ୍ଠା ହେବା ମୁହୂର୍ତ୍ତ ଆସିଗଲା । ଠାକୁରଙ୍କୁ ସିଂହାସନକୁ ନେବାର ମୁହୂର୍ତ୍ତ ଆସିଗଲା । ଥାନା ଅଫିସର ବଦଳେଇ ଦେଲେ ବେଶ । ନୂଆ ଧୋତିଟିଏ ପିନ୍ଧିଲେ । ଘୋଡ଼େଇ ହେଲେ ଏକ ଦାମୀ ଚାଦର । ମୁଣ୍ଡରେ କଳସୀ ଧରି ଘୂରିଗଲେ ମନ୍ଦିର ଚାରି ପାଖରେ । ହରିବୋଲ ହୁଳହୁଳି ଶବ୍ଦରେ କମ୍ପିଗଲା ଚାରି ଦିଗ । ମନ୍ଦିର ବେଢ଼ା, ଗଛପତ୍ର ସବୁଠୁ ଲହରେଇ ଆସିଲା ହରି ହରି ଶବ୍ଦ ।

 

ଭିଡ଼ ଠେଲି ପଶିଆସିଲା ସ୍ତ୍ରୀ ଲୋକଟିଏ । ହାତ ଯୋଡ଼ି ପଡ଼ିଗଲା ମନ୍ଦିର ସାମ୍ନାରେ । ରକ୍ଷାକର, ରକ୍ଷାକର ଶବ୍ଦ ସବୁ ମିଳେଇ ଗଲା ହରିବୋଲ ଧ୍ଵନି ଭିତରେ ।

 

ଆଖି ପିଛୁଳାକେ ଆସିଲେ ଦୁଇଜଣ ଯୁବକ । ଜବରଦସ୍ତି ଉଠେଇ ନେଲେ ସ୍ତ୍ରୀ ଲୋକଟିକୁ । ଭିଡ଼ାଓଟାରି କରି ଶାଢ଼ି, ସାୟା, ବ୍ଲାଉଜ ଖୋଲିଦେଲେ ତା’ ଦେହରୁ । ଅଣ୍ଡାଳି ଅଣ୍ଡାଳି ନେଇଗଲେ ହାର, ଚୁଡ଼ି, ଆର୍ମଲେଟ, କାନଫୁଲ, ଗୋଡ଼ ମୁଦି, ମଥାମଣି ଅଣ୍ଟା ସୂତା ।

 

ଥମିଗଲେ ମଣିଷମାନେ । ଥପ୍‍କିନା ବନ୍ଦ ହୋଇଗଲା ସବୁ କୋଳାହଳ । ଜଣେ ଜଣକ ମୁହଁକୁ ଚାହୁଁଥିଲେ ହତବମ୍ଭ ହୋଇ ।

 

ଖେଦିଗଲେ ଟୋକା ଦୁଇଜଣ । ମନ୍ଦିର ପ୍ରତିଷ୍ଠା ଦେଖିବାକୁ ଆସିଥିବା ସ୍ତ୍ରୀଲୋକଙ୍କ ଭିତରେ ପଶିଗଲେ । ଟାଣିନେଲେ କାନରୁ ଫୁଲ । କାହା ହାତରୁ ଚୁଡ଼ି ବାହାର କରିନେଲେ । କାହା ବେକରୁ ଛିଣ୍ଡାଇ ନେଲେ ହାର । ହରିଣ ପଲରେ ବାଘ ପଶିଲା ପରି ମନଇଚ୍ଛା ଲୁଟ କରୁଥିଲେ ସେମାନେ ।

 

ପାଟି କରି କାନ୍ଦି ଉଠିଲେ ସ୍ତ୍ରୀ ଲୋକମାନେ । କରୁଣ ମୂର୍ଚ୍ଛନା ଖେଳିଗଲା ଥାନା ପରିସର ମଧ୍ୟରେ ।

 

ସୁନାଗହଣା ସବୁ ନେଲେ ଟୋକା ଦି’ଜଣ । ଥାନାବାବୁଙ୍କ ପାଖରେ ରଖିଦେଲେ ସେସବୁ । କଳସୀ ଭିତରେ ପକାଯିବ ଏ ସୁନା । ମନ୍ଦିର ଚୂଡ଼ାରେ ରହିବ ସବୁଦିନ ପାଇଁ ।

 

ଆଦେଶ କଲେ ଥାନାବାବୁ । କୀର୍ତ୍ତନ କର । ହରିବୋଲ ଦିଅ । ମାହେନ୍ଦ୍ର ବେଳା ଆସିଗଲା । ମନ୍ଦିର ଚୂଡ଼ାକୁ କଳସ ଉଠାଯିବାର ମୁହୂର୍ତ୍ତ ଆସିଗଲା । ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା କରାଯିବାର ସମୟ ଆସିଗଲା ।

 

ନୀରବତା ଭାଙ୍ଗି ଲୋକଟିଏ କହିଲା, ଆଉ ଡେରି କାହିଁକି ? ଆରମ୍ଭ କର କୀର୍ତ୍ତନ । ଟଙ୍କାସୁନା ତ ଥାନାବାବୁ ଘରକୁ ନେଇଗଲେନି ! ମନ୍ଦିର ତିଆରି ପାଇଁ ଖର୍ଚ୍ଚ କଲେ ସବୁ । ତିନି ଦିନ ହେଲା ହଜାର ହଜାର ଲୋକ ଖାଉଛନ୍ତି ଏଇଠି । ଏଇ ସାମାନ୍ୟ ଅସୁବିଧା ଆମେ କ’ଣ ସହିବାନି !

 

ପୁଣି ଆରମ୍ଭ ହେଲା କୀର୍ତ୍ତନ । ହରିନାମରେ କମ୍ପି ଉଠିଲା ମନ୍ଦିର ବେଢ଼ା । ମନ୍ତ୍ର ପଢ଼ି ଥାନାବାବୁଙ୍କ ମୁଣ୍ଡକୁ କଳସ ଉଠାଇ ଦେଲେ ପଣ୍ଡିତଗଣ ।

 

ବାଘ ଗୁମ୍ଫାରେ ହରିଣମାନଙ୍କୁ ଭୋଜନ କରାଯାଉଥିବାର ଦୃଶ୍ୟ ସ୍ପଷ୍ଟ ହେଲା ।

☆☆☆

 

ହୁଙ୍କା

 

ମନ୍ତ୍ରୀଙ୍କ ଚାମ୍ବର ପାଖ ଓ୍ଵେଟିଂ ରୁମରେ ହୁଙ୍କା ପାଲଟିଯାଇଛି ମାଟି । ସୋଫା ପଛକୁ କାନ୍ଥ ଲଗା ହୋଇ ରହିଯାଇଛି ଆକୃତିବିହୀନ ରୂପଟାଏ । ସମସ୍ତେ ଆସୁଛନ୍ତି, ଯାଉଛନ୍ତି । ଓ୍ଵେଟିଂ ରୁମରେ ବିତେଇ ଦେଉଛନ୍ତି ଘଣ୍ଟା ଘଣ୍ଟା । ଅଥଚ ଥରେ ହେଲେ ବି କାହା ମୁଣ୍ଡରେ ପ୍ରଶ୍ନ ଉଠୁନି ଉଇହୁଙ୍କା ବିଷୟରେ । କେମିତି ସୃଷ୍ଟି ହେଲା ଏ ରୂପ ! ତିନି ମହଲା ଉପରକୁ କେଉଁଠୁ ଆସିଲା ମାଟି !

 

ବରଂ ଜଣେ ଜଣେ ନାକ ଟେକିଲେଣି ହୁଙ୍କାର ଉପସ୍ଥିତି ନେଇ । ଅଫିସରେ କଥାବାର୍ତ୍ତା ହୋଇ କହିଲେଣି ବଡ଼ ବିପଜ୍ଜନକ ଏ ହୁଙ୍କାର ଉପସ୍ଥିତି । ବେଳାଅବେଳାରେ ୟା ଭିତରୁ ସାପ ବାହାରିବା କିଛି ଅସମ୍ଭବ ନୁହେଁ ।

 

ହୁଙ୍କାର ପେଟ ଭିତରେ ଅସୁମାରୀ ଗର୍ତ୍ତ । ବୋଝେ ସମସ୍ୟା ନେଇ ହୁଙ୍କା ବଞ୍ଚି ରହିଛି ଏ ଦୁନିଆରେ । ଯନ୍ତ୍ରଣା ପ୍ରକାଶ କରିବାକୁ ଶବ୍ଦ ନାହିଁ । ଭାଷା ଶିଖିନି ମନ୍ତ୍ରୀଙ୍କ ପାଖେ ଜଣେଇବାକୁ ଦୁଃଖ । ଅସହାୟ ହୋଇ ଜଣଜଣଙ୍କୁ ଚାହୁଁଛି । ବାରମ୍ବାର ଅନୁରୋଧ କରୁଛି ଆଟେଣ୍ଡାଣ୍ଟଙ୍କୁ । ଆଜ୍ଞା, ଟିକେ ଛାଡ଼ିଦିଅ । ମନ୍ତ୍ରୀଙ୍କୁ ଗୁହାରି ଜଣେଇବି ।

 

ଲୋକଟାର ଅପରଛନିଆ ରୂପ ଦେଖି ନାକ ଟେକୁଛି ଆଟେଣ୍ଡାଣ୍ଟ । ଅବଜ୍ଞା କରି କହୁଛି, ହେ ଆଇଲା କୋଉଠୁ ନାଟ ସାଇବ । ମନ୍ତ୍ରୀଙ୍କର କିଛି କାମନାହିଁ ଯେ ୟାକୁ ଦେଖା କରିବେ ।

 

ସ୍ଲିପଟେ ଦେଇ ଲୋକଟା ଅପେକ୍ଷା କରିଛି ତ ବିତିଯାଇଛି ଗୋଟିଏ ଯୁଗ । ଅନେଇ ରହିଛି ମନ୍ତ୍ରୀ ଡାକିଲେ ଭିତରକୁ ଯିବ । ଜଣେଇଦବ ଜୀବନର ସବୁ ଅସୁବିଧା । ବଞ୍ଚିବାର ପ୍ରତିବନ୍ଧକମାନ ଦୂରେଇ ଯିବ ସେଇଠି ।

 

ଥରକୁଥର ବଦଳିଯାଉଛି ଶାସନଦଣ୍ଡ । ଯୁଗ ପରେ ବିତିଯାଉଛି ଯୁଗ । ଲୋକଟା ସେମିତି ଅପେକ୍ଷା କରିଛି ତ କରିଛି । ଦିନେ ହେଲେ ବି ମନ୍ତ୍ରୀ ଡାକୁ ନାହାନ୍ତି ତାକୁ । ଶୁଣିବାକୁ ଚେଷ୍ଟା କରୁନାହାନ୍ତି ତା’ ଦୁଃଖର କାରଣ ।

 

ହୁଙ୍କାଟାର ବଞ୍ଚିବା ପାଇଁ ଦାବି କେଉଁଠି ରହିଲା ଯେ ତା’ ସମସ୍ୟା କିଏ ବୁଝିବ । ମାଟି ହୋଇଥିଲେ କାମରେ ଲାଗିଥାନ୍ତା, ମନଇଚ୍ଛା ବ୍ୟବହୃତ ହୋଇଥାନ୍ତା ଅନ୍ୟମାନଙ୍କ ଦ୍ୱାରା । ମାତ୍ର ସେ ତ ସମସ୍ୟା ବନିଯାଇଛି ଶାସନ କଳ ପାଇଁ ।

 

ସକାଳୁ ଉଠୁଛି ଲୋକଟା । ଖାଇ ଦେଉଛି ପୁଅ ହୋଟେଲରୁ କିଛି । ପୁଅକୁ ସାହାଯ୍ୟ କରୁଛି ଦୋକାନ କାମରେ । ଏଗାରଟା ବାଜିଲେ ଚାଲିଆସୁଛି ସେକ୍ରେଟେରିଏଟ୍ । ଗେଟରେ ପାସ୍ ମାଗୁନି ପ୍ରହରୀ । ସବୁଦିନ ଆସୁଛି ଯେତେବେଳେ ସଚିବାଳୟର କର୍ମଚାରୀ ହୋଇଥିବ, ନଚେତ ହୋଇଥିବ ସାଇକେଲ ଷ୍ଟାଣ୍ଡବାଲା କି କ୍ୟାଣ୍ଟିନର ରୋଷେଇଆଟିଏ ।

 

ଲୋକଟା ଅନୁମାନ କଲା ଖାଇବା ସମୟ ହୋଇଯିବ ମନ୍ତ୍ରୀଙ୍କର । ହାତ ଯୋଡ଼ି ଆଟେଣ୍ଡାଣ୍ଟକୁ କହିଲା, ଥରକ ପାଇଁ ଛାଡ଼ି ଦୁଅନ୍ତୁ ଆଜ୍ଞା ! କୋଲ୍‍ଡ ଡ୍ରିଙ୍କସ ନେଉ ନେଉ ଆଟେଣ୍ଡାଣ୍ଟ କହିଲା, ଅପେକ୍ଷା କର । ଭିତରେ କଲେକ୍ଟର ଅଛନ୍ତି । କନ୍‌ଫିଡେନ୍‌ସିଆଲ ମିଟିଂ ଚାଲିଛି ।

 

ହତୋତ୍ସାହରେ ଅଠା ଅଠା ହୋଇଗଲା ଲୋକଟାର ପାଟି । କାନ୍ଥକୁ ଭାଗଦେଇ ନଥ୍ କରି ବସିପଡ଼ିଲା ବିଚରା ।

ଲୋକଟା ଅପେକ୍ଷା କରିଛି, ମନ୍ତ୍ରୀଙ୍କର ସମୟ ହେଉନି ତାକୁ ସାକ୍ଷାତ ଦେବାକୁ । ଦିନକୁ ତିନିଥର ଆସୁଛନ୍ତି ଏମ୍.ଏଲ୍.ଏ. । ଗୁପ୍ତ ମନ୍ତ୍ରଣାରେ ବିତିଯାଉଛି ଘଣ୍ଟା ଘଣ୍ଟା । କଲେକ୍ଟର ଆସୁଛନ୍ତି, ନିରୋଳାରେ ଗପୁଛନ୍ତି ମନ୍ତ୍ରୀଙ୍କ ସହ । ନେତାମାନେ ତ ପଶି ଯାଉଛନ୍ତି ବାରମ୍ବାର । ଲୋକଟା ଅନେଇ ରହିଛି ସେମିତି ।

 

ଅପେକ୍ଷା କରିବାଟା ଦେହସୁହା ହୋଇଗଲାଣି ଲୋକଟି ପାଇଁ । ତା’ ସମସ୍ୟା ସମାଧାନର ବେଳ ଗଡ଼ିଗଲାଣି । ତଥାପି ଏକ ଚିରାଚରିତ ଅଭ୍ୟାସରେ ପଡ଼ି ଅପେକ୍ଷା କରିଛି ସିଏ ।

 

ତା’ର ତ ସମସ୍ୟା ଅନେକ । ଜାତୀୟ ରାଜପଥ ତିଆରିବେଳେ ତା’ ଜମି ଯାଇଛି, ତାକୁ ଟଙ୍କା ମିଳିନି ଏଯାଏ । ବନ୍ୟାରେ ଭାଙ୍ଗି ଯାଇଛି ତା’ ଘରଦ୍ୱାର । ରିଲିଫ ଟଙ୍କା ଗାଏବ ହୋଇଛି ଏସ୍.ଡ଼ି.ଓ ଅଫିସରୁ । ତାକୁ ନ ଜଣାଇ ବିକ୍ରି କରିଦିଆଯାଇଛି ତା’ ଘରବାଡ଼ି । ଅଭିଯୋଗ ପତ୍ର ପଡ଼ିରହିଛି କଲେକ୍ଟର ଅଫିସରେ । ଯୋଗ୍ୟତା ଥାଇ ବି ଗାଁ ସ୍କୁଲରେ ଚାକିରି ମିଳିଲାନି ତା’ ସାନ ପୁଅକୁ । ଜାଲିଆତି କରିଛନ୍ତି ସ୍କୁଲ ସେକ୍ରେଟାରୀ ।

 

ସବୁଠୁ ନିରାଶ ହୋଇ ମନ୍ତ୍ରୀଙ୍କ ପାଖକୁ ଆସିଛି ଲୋକଟି । ଆଶା ଅଛି, କିଛି ଗୋଟାଏ ସମାଧାନ ପାଇଁ । ମନ୍ତ୍ରୀ ତ ସର୍ବେସର୍ବା ଏ ରାଜ୍ୟରେ । ଲୋକଙ୍କ ଗୁହାରି ଶୁଣିବାକୁ ବସି ରହିଛନ୍ତି ସିଏ । ତା’ ଦୁଃଖ ବୁଝିବେ ନାହିଁ କାହିଁକି ?

ସ୍ଲିପ ଦେଇ ଅପେକ୍ଷା କରିଛି ଲୋକଟା । ବିନା ସ୍ଲିପରେ ପଶିଯାଉଛନ୍ତି କେତେଜଣ । ତାଙ୍କ ସହିତ ଲୋକଟା ବି ପଶିଯାଉଥିଲା ମନ୍ତ୍ରୀଙ୍କ ଚାମ୍ବରକୁ । ଅଟକାଇ ଦେଲା ଆଟେଣ୍ଡାଣ୍ଟ । ଅପେକ୍ଷା କର, ମନ୍ତ୍ରୀ ଡାକିଲେ ଯିବ । ଲୋକଟା ମୁହଁରୁ ଗୋଟିଏ ଶବ୍ଦ ବି ବାହାରିଲାନି । ଆଟେଣ୍ଡାଣ୍ଟ କଥାକୁ ପ୍ରତିବାଦ କରିବା ପାଇଁ ସେ ସାହସ କରିପାରିଲାନି । ନୀରବରେ ଫେରିଆସିଲା ଓ୍ଵେଟିଂ ରୁମ୍‍କୁ ।

ଅନେକ ଜ୍ଵଳନ ଅଛି ହୁଙ୍କା ଭିତରେ । ଅନେକ ଶବ୍ଦ ଛପିଯାଇଛି ଗର୍ତ୍ତମାନଙ୍କ ଭିତରେ । ତଥାପି ବର୍ଷ ବର୍ଷ ଧରି ମୂକ ପାଲଟି ଯାଇଛି ହୁଙ୍କା । ସାମାନ୍ୟତମ ସ୍ୱର ଶୁଣାଯାଉନି ହୁଙ୍କା ଭିତରୁ-

ଲୋକଟା ଦେଖୁଥିଲା ଲୋକଙ୍କ କଥା ବୁଝୁନାହାନ୍ତି କେହି । ସାଲିସ୍‍ ଚାଲିଛି ମନ୍ତ୍ରୀ, ଏମ୍.ଏଲ୍‍.ଏ., କଲେକ୍ଟରଙ୍କ ଭିତରେ । ଉପର ମହଲରେ ବୁଝାମଣା କରି ଶୋଷଣ କରୁଛନ୍ତି ସମସ୍ତେ । ଲୋକଙ୍କ ଟଙ୍କାରେ ଜୀବନକୁ ଉପଭୋଗ କରୁଛନ୍ତି ସର୍ବଶେଷ ବୁନ୍ଦାଯାଏ ।

ଉତ୍ତେଜନାରେ ଥରି ଉଠୁଥିଲା ଲୋକଟାର ସର୍ବାଙ୍ଗ । ଶବ୍ଦ ସବୁ ଉବୁକି ଆସି ଅଟକି ଯାଉଥିଲା ତଣ୍ଟି ପାଖରେ ।

ଏତେ ଦିନ ପରେ ଆଟେଣ୍ଡାଣ୍ଟ ଜଣେଇଦେଲା ଗୋଟିଏ ଶୁଭଖବର । ଲୋକଟା ପାଇଁ ପ୍ରତୀକ୍ଷାରେ ଦିନ ଶେଷ ହୋଇଗଲା । ଯୁଗଯୁଗର ଅଭିପ୍‌ସା ପୂରିଗଲା ବିଚରାର । ମନ୍ତ୍ରୀ ଡାକୁଛନ୍ତି ସାକ୍ଷାତ ପାଇଁ । ଏଇଥର ସମାଧାନ ହୋଇଯିବ ସବୁ ସମସ୍ୟାର । ପୂର୍ବ ଜୀବନ ଫେରି ପାଇବ ସିଏ ।

 

ପରମ ଆନନ୍ଦରେ ଠାକୁରଙ୍କୁ ଜୁହାର ହେଲା ଲୋକଟି । ଜାମାଟାକୁ ଟାଣି ସିଧା କରିଦେଲା । ଥରନ୍ତା ପାଦରେ ଆଗେଇଗଲା ଚାମ୍ବର ଆଡ଼କୁ । ମୁହୂର୍ତ୍ତକ ପାଇଁ ଚାରିଆଡ଼କୁ ଚାହିଁଲା, କବାଟ ଖୋଲି ଧୀର ପାଦରେ ପଶିଗଲା ମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ।

 

ଭିତରେ ପଶିଲା ତ ହଠାତ୍‍ ଶୀତେଇଗଲା ଲୋକଟି । ଅବାକ୍ ହୋଇଗଲା ସେଠାକାର ସାଜସଜ୍ଜା ଦେଖି । ମର୍ତ୍ତ୍ୟ ନୁହେଁ ସ୍ୱର୍ଗପୁର ଇଏ । ମାନବ ନୁହେଁ, ଦେବତାଙ୍କ ବିହାରସ୍ଥଳୀ ଏଇଟା । ବାସ୍ନାରେ ମହକି ଉଠୁଛି ଘର । ଅମୃତମୟ ଲାଗୁଛି ପରିବେଶ । ନୀରବ କୋଠରୀଟିରେ ଛାଇଯାଇଛି ଯୁଗଯୁଗର ଶାନ୍ତି ।

 

ହାତ ଯୋଡ଼ି ଲୋକଟି ନମସ୍କାର କଲା ମନ୍ତ୍ରୀ ମହୋଦୟଙ୍କୁ । କିଛି ପ୍ରତିକ୍ରିୟା ପ୍ରକାଶ କଲେନି ମନ୍ତ୍ରୀ । ଗପି ଯାଉଥିଲେ ସାମ୍‌ନାରେ ବସିଥିବା ଲୋକମାନଙ୍କ ସହ । ଲୋକଟା ଦେଖିଲା ମନ୍ତ୍ରୀଙ୍କ ଆଗରେ ବସିଛନ୍ତି କଲେକ୍ଟର । ତା’ ଜମି ବିକ୍ରି କରିଥିବା ଲୋକ ଫୁସ ଫୁସ ହୋଇ କ’ଣ କହୁଛି ମନ୍ତ୍ରୀଙ୍କ କାନରେ । ମନ୍ତ୍ରୀଙ୍କୁ ଘେରି ବସିଛନ୍ତି ଗାଁ ସ୍କୁଲର ସେକ୍ରେଟାରୀ, ଜାତୀୟ ରାଜପଥର ଇଞ୍ଜିନିଅର, ତା’ ଅଞ୍ଚଳର ଏସ୍.ଡି.ଓ ଏବଂ ଅନ୍ୟ କେତେକ ଲୋକ । ପରମ ଅନ୍ତରଙ୍ଗ ଭାବେ କଥା ହେଉଛନ୍ତି ସେମାନେ ।

 

ଅସ୍ୱାଭାବିକ ଭାବେ ଲୋକଟି ଡରିଗଲା ଏମିତି ଏକ ଦୃଶ୍ୟ ଦେଖୁ ଦେଖୁ । କାହାକୁ ଜଣାଇବ ତା’ ଦୁଃଖ । କାହା ବିରୁଦ୍ଧରେ ଗୁହାରି କରିବ ମନ୍ତ୍ରୀଙ୍କ ପାଖରେ । ଖୁବ୍ ଜୋରରେ ଥରି ଉଠିଲା ଲୋକଟା । ଅସ୍ପଷ୍ଟ ଭାବେ ଚିତ୍କାର କରି ପଡ଼ିଗଲା ମନ୍ତ୍ରୀଙ୍କ ପ୍ରକୋଷ୍ଠ ଭିତରେ ।

 

କଥାବାର୍ତ୍ତା ବନ୍ଦ କରି ଲୋକଟି ଆଡ଼କୁ ଅନେଇଲେ ସମସ୍ତେ । ଭାବିଲେ, ହୋଇଥିବ ପାଗଳଟାଏ । ଅଥବା ଗାଁରୁ ଆସିଥିବା ବୁଦ୍ଦୁ ଲୋକଟାଏ ।

 

ଆଟେଣ୍ଡାଣ୍ଟ ଭିଡ଼ିଆଣି ଲୋକଟିକୁ ବସେଇ ଦେଲା ଓ୍ଵେଟିଂ ରୁମରେ । ହୁଙ୍କା ଉପରେ ଅଜାଡ଼ି ହୋଇପଡ଼ିଲା ଲୋକଟାର ସମଗ୍ର ଆତ୍ମସତ୍ତା । ହୁଙ୍କା ସହ ମିଶି ହୁଙ୍କା ପାଲଟିଗଲା ସିଏ ।

☆☆☆

 

ଆମିବା ସଂଘର୍ଷ

 

ସକାଳ ପହରୁ ସହରଟା ସାରା ଖେଳିଯାଇଛି ଏକ ବିଚିତ୍ର ସମ୍ବାଦ । ଘଟଣାଟା କାହାର ବୋଧଗମ୍ୟ ହେଉଛି ତ କାହା ଜ୍ଞାନର ସୀମା ବାହାରକୁ ଚାଲିଯାଇଛି କଥା । କେତେକ ତ କିଛି ନ ବୁଝି ଦୋଷାରୋପ କରୁଛନ୍ତି ସମ୍ବାଦପତ୍ରମାନଙ୍କ ଉପରେ । ଶୂନ୍ୟରୁ ଆଣି ଚାଞ୍ଚଲ୍ୟକର ସମ୍ବାଦ ପରିବେଷଣ କରିବା ଖବରକାଗଜ ବାଲାଙ୍କ ପାଇଁ କିଛି ନୂଆ କଥା ନୁହେଁ ।

ପ୍ରଥମେ ପ୍ରଥମେ ହେୟଜ୍ଞାନ କରି କଥାଟିକୁ ଉଡ଼େଇ ଦେଉଥିଲେ କେତେଜଣ । ଅବଜ୍ଞା କରି କହୁଥିଲେ, ଏମିତି କ’ଣ ସମ୍ଭବ ହୋଇପାରେ ଗୋଟିଏ ଘଟଣା । ଆମିବା ଦେହରେ ଶକ୍ତି ନାହିଁ ଚଳପ୍ରଚଳ ହେବା ପାଇଁ । ତାଙ୍କ ଭିତରେ ସଂଘର୍ଷ ଘଟିବ କାହୁଁ ! ଅବିଶ୍ୱାସ କରୁଥିବା ଲୋକଙ୍କୁ ପଢ଼ି ଶୁଣେଇ ଦେଉଥିଲେ ଖବରରେ ବିଶ୍ୱାସ କରୁଥିବା ଲୋକମାନେ ।

ଗତ ଗୁରୁବାର ସନ୍ଧ୍ୟା ସାତଟାବେଳେ ନୂଆଦିଲ୍ଲୀଠାରୁ ପ୍ରାୟ ଷାଠିଏ କିଲୋମିଟର ଦୂରରେ ବଡ଼ ଧରଣର ସଂଘର୍ଷ ଘଟିଯାଇଛି । ଏଥିରେ ପ୍ରାୟ ଦେଢ଼ ଲକ୍ଷ ଆମିବା ମୃତ୍ୟୁବରଣ କରିବା ସହିତ ଲକ୍ଷାଧିକ ଆମିବା ଗୁରୁତର ଭାବେ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ଆମିବା ସଂଘର୍ଷର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ପୃଥିବୀରେ ଏ ଧରଣର ସଂଘର୍ଷ ପ୍ରଥମ ବୋଲି କୁହାଯାଉଛି ।

କିଏ ବୋକା ହୋଇଛି ଯେ ବିଶ୍ୱାସ କରିବ ଏମିତି ଏକ ଅସମ୍ଭବ ଘଟଣା । ଖାଲି ଆଖିରେ କ’ଣ ଆମିବା ଦେଖିବା ସମ୍ଭବ ଯେ ସମ୍ପୃକ୍ତ ସମ୍ବାଦପତ୍ରର ପ୍ରତିନିଧି ପଠେଇ ଦେଲେ ଏ ଖବର ?

 

କଥାଟା ସତ ହେଉ ବା ମିଛ, ବ୍ୟାପିଗଲା କାନରୁ କାନ । ସହରରୁ ଯାଇ ଗାଁରେ ପ୍ରଚାରିତ ହୋଇଗଲା ଏକ ଚାଞ୍ଚଲ୍ୟକର ଘଟଣା ଭାବେ । ପଛୁଆ ହେଲେ ବି ଏହାକୁ ସମର୍ଥନ କରି ଛାପିଲେ ଅନ୍ୟାନ୍ୟ ସମ୍ବାଦପତ୍ରମାନେ । କେତେକ ତ ଏଥିପାଇଁ ସ୍ୱତନ୍ତ୍ର ବକ୍‌ସ ସମ୍ବାଦ ପ୍ରକାଶ କଲେ ।

 

ଭାରତର ବୈଜ୍ଞାନିକମାନଙ୍କ ପାଇଁ ଗୋଟିଏ ବଡ଼ ଦୁଶ୍ଚିନ୍ତାରେ ପରିଣତ ହେଲା ଏ ଖବର । ସାର୍ ରମଣଲାଲଙ୍କ ପରୀକ୍ଷାଗାରରେ ବସିଥିଲାବେଳେ ଦିନେ ଡଃ ଭେଙ୍କଟସୁବାୟା କହିଲେ ଆମିବାମାନଙ୍କ ଭିତରେ ଯେପରି ସଂଘର୍ଷ ଲାଗି ରହିଛି ଭାରତ ଭୂଇଁରୁ ଆମିବା ବଂଶ ସମ୍ପୂର୍ଣ୍ଣ ଲୋପ ପାଇଯିବ । ସେତେବେଳେ ଆମେ ପ୍ରାଣୀବିଜ୍ଞାନୀମାନେ ଚେଷ୍ଟା କରି ମଧ୍ୟ ଆମିବା ବିଷୟରେ ଅଧିକ ଗବେଷଣା କରିପାରିବା ନାହିଁ । ସେଦିନ ଖୁବ୍ ଗୁରୁତ୍ୱର ସହିତ ଆଲୋଚନା ହେଲା ଏ ବିଷୟରେ । ଏକକୋଷୀ ପ୍ରାଣୀ ଆମିବା ବଂଶ ଲୋପ ପାଇଲେ ଏକ ଅପୂରଣୀୟ କ୍ଷତି ଘଟିବ ବିଜ୍ଞାନର । ସେମାନଙ୍କ ଦ୍ଵାରା ସାଧିତ ବୈଜ୍ଞାନିକ ଗବେଷଣା ତ ହୋଇପାରିବେ ନାହିଁ, ତା’ଛଡ଼ା ପରିବେଶରେ ବି ଏକ ବଡ଼ ଧରଣର ପରିବର୍ତ୍ତନ ଘଟିବ । ଆମିବା ଖାଇ ବଞ୍ଚୁଥିବା କ୍ଷୁଦ୍ରଜୀବଙ୍କର ମୃତ୍ୟୁ ଘଟିବ । ତା’ପରେ ଲୋପ ପାଇବ ବଡ଼ ବଡ଼ ପ୍ରାଣୀମାନଙ୍କର ବଂଶ । ଏମିତି ସମଗ୍ର ଜୀବଜଗତର ଭାରସାମ୍ୟ ଦୋହଲିଯିବ କିଛି ବର୍ଷ ପାଇଁ ।

 

ଏ କଥାକୁ ଦୃଢ଼ ସମର୍ଥନ ଜଣାଇଲେ ପରିବେଶବିଜ୍ଞାନୀ ମନ୍ମଥରାମ । ଏବେଠୁ ଏହାର ପ୍ରତିକାର ଆବଶ୍ୟକ । ନଚେତ୍ ଭବିଷ୍ୟତରେ ମଣିଷକୁ ଯେଉଁ ମୂଲ୍ୟ ଦେବାକୁ ପଡ଼ିବ ତାହା ଅବର୍ଣ୍ଣନୀୟ ।

 

ଏମିତି ଘଣ୍ଟାଏ କାଳ ଆଲୋଚନା ପରେ ମତ ପ୍ରକାଶ ପାଇଲା ଯେମିତି ହେଲେ ଆମିବା ବଂଶ ରକ୍ଷା କରାଯିବ ଭାରତ ବର୍ଷରେ । ଏଥିପାଇଁ ଯେତେ ପ୍ରକାର ବୈଜ୍ଞାନିକ ଗବେଷଣା ଦରକାର ସବୁ କରାଯିବ ।

 

ସେହି ଦିନ ସନ୍ଧ୍ୟାରେ ଆମିବା ସଂରକ୍ଷଣ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଗଲା । ଏଥିପାଇଁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଗଲା ପାଞ୍ଚଜଣ ପୁରୁଖା ବୈଜ୍ଞାନିକଙ୍କୁ । ଦରକାରୀ ଯନ୍ତ୍ରପାତି ନେଇ ସେମାନେ ଯୁଦ୍ଧକ୍ଷେତ୍ରକୁ ଯିବେ । ହଜାର ହଜାର ଆମିବା ସଂଗ୍ରହ କରି ଶକ୍ତିଶାଳୀ ଅଣୁବୀକ୍ଷଣ ଯନ୍ତ୍ରରେ ନିରୀକ୍ଷଣ କରିବେ । ଏକ ପ୍ରକାରର ସ୍ୱତନ୍ତ୍ର କମ୍ପ୍ୟୁଟର ସାହାଯ୍ୟରେ ଆମିବାମାନଙ୍କର ମନ କଥା ମଧ୍ୟ ଜାଣିବାକୁ ଚେଷ୍ଟା କରିବେ । ଦରକାର ହେଲେ ସଂଘର୍ଷ ନ କରିବା ପାଇଁ ସେମାନଙ୍କୁ ଆବଶ୍ୟକୀୟ ଉପଦେଶ ଦେବେ ।

 

ଦିନ ବିତିଗଲା । ବଦଳିଗଲା ଆମିବା ବଂଶ ରକ୍ଷା ପାଇଁ ଉଦ୍ଦିଷ୍ଟ ଗବେଷଣାର ସ୍ୱରୂପ । ମାସ ମାସର ପରୀକ୍ଷା ପରେ ବି ନିର୍ଦ୍ଧିଷ୍ଟ କାରଣ ଖୋଜି ପାଇଲେନି ବୈଜ୍ଞାନିକଗଣ । ସକ୍ଷମ ହେଲେନି ବନ୍ଦ କରିବାକୁ ଆମିବା ସଂଘର୍ଷ । ଏମିତି ଏକ ଶୀତକାଳୀନ ଅଧିବେଶନରେ ପାର୍ଲାମେଣ୍ଟରେ ଆଲୋଚନା ହେଲା ଏ ବିଷୟ । ଆମିବା ସଂରକ୍ଷଣ ନାଁରେ କୋଟି କୋଟି ଟଙ୍କା ବାଟମାରଣା ହେଉଥିବାର ଅଭିଯୋଗ କଲେ ବିରୋଧୀଦଳ । ଏହାର ତଦନ୍ତ ଦରକାର । ଆମିବା ଗବେଷଣା ନାଁରେ ରାଜକୋଷରୁ ଖର୍ଚ୍ଚ ହେଉଥିବା ଅର୍ଥ ଅସୁଲ ହେବା ଦରକାର ।

 

ସବୁ ଅଭିଯୋଗ ଶୁଣି ଉଠିପଡ଼ିଲେ ବିଜ୍ଞାନ ଓ ପରିବେଶ ବିଭାଗର ମନ୍ତ୍ରୀ । ଗୋଟି ଗୋଟି କରି କଇଫତ ଦେଲେ ଆମିବା ଗବେଷଣା ବିଷୟରେ । ଏହା ଭାରତର ବୈଜ୍ଞାନିକମାନଙ୍କ ପାଇଁ ଏକ ନୂତନ ଅଭିଯାନ । ଦେଶରେ ଆମିବା ସଂଘର୍ଷ ରୋକିବା ପାଇଁ ସେମାନଙ୍କର ନୂଆ ପଦକ୍ଷେପ ।

 

ବିତିଗଲା ବର୍ଷ ପରେ ବର୍ଷ । ଦିଲ୍ଲୀରୁ ଆରମ୍ଭ ହୋଇ ଆମିବା ସଂରକ୍ଷଣ ବିଷୟ ବ୍ୟାପିଗଲା ସମଗ୍ର ଦେଶରେ । ଜନମାନସରେ ଆମିବା ସମ୍ପର୍କରେ ଏକ ବଦ୍ଧମୂଳ ଧାରଣା ସୃଷ୍ଟି କରିବା ପାଇଁ ଗବେଷଣା ପୁସ୍ତକମାନଙ୍କରେ ପ୍ରକାଶ ପାଇଲା ନୂଆ ନୂଆ ଲେଖା । ଆମିବା ନାଁରେ ସ୍ୱତନ୍ତ୍ର ପତ୍ରିକାଟିଏ ପ୍ରକାଶ ପାଇଲା ଭାରତ ସରକାରଙ୍କ ଆମିବା ସଂରକ୍ଷଣ ବିଭାଗ ତରଫରୁ । ଏଥିପାଇଁ ବାରମ୍ବାର ବଜେଟରେ ବଡ଼ିଚାଲିଲା ଅର୍ଥ ପରିମାଣ । ଅଥଚ ଫଳ ହେଲା ନାହିଁ କିଛି ।

 

ଏମିତି ଦିନେ ଆଉ ଗୋଟିଏ ଚାଞ୍ଚଲ୍ୟକର ଖବର ଛପାହେଲା ବାଙ୍ଗାଲୋରରୁ ପ୍ରକାଶିତ ଏକ ଇଂରାଜୀ ଦୈନିକରେ । ଆମିବା ସମ୍ପର୍କରେ ବିବୃତି ଦେଇ କଥାଟି ପ୍ରକାଶ କରିଦେଲେ ପବିତ୍ରାଳୟ ମଠର ଜଣେ ବିଶିଷ୍ଟ ମହନ୍ତ । ଘୋଷଣା କଲେ ଆମିବା ସଂଘର୍ଷର ପ୍ରକୃତ କାରଣ । ସାଂପ୍ରଦାୟିକ ସଂଘର୍ଷ ଲାଗିଛି ଆମିବା ଭିତରେ । କେତୋଟି ଦଳରେ ବିଭକ୍ତ ହୋଇ ଯୁଦ୍ଧରତ ଅଛନ୍ତି ଆମିବାଗଣ । ଆମିବାମାନଙ୍କର ଗୋଟିଏ ସମ୍ପ୍ରଦାୟ ବିଶ୍ଵାସ କରେ ନିରାକାର ହେଉଛନ୍ତି ଈଶ୍ୱର । ତାଙ୍କ ବିସ୍ତୃତି ଅନନ୍ତ ଦିଗ ପର୍ଯ୍ୟନ୍ତ । ତାଙ୍କୁ ଜାଣିବା କଷ୍ଟ, ଅସମ୍ଭବ ତାଙ୍କୁ ସ୍ପର୍ଶ କରିବା । ସେମାନଙ୍କ ତଥ୍ୟକୁ ବିରୋଧ କରନ୍ତି ଅନ୍ୟ ଗୋଟିଏ ଦଳ । ସେମାନେ କହନ୍ତି ସାଧନା କଲେ ଛୁଇଁ ହୁଏ ଈଶ୍ୱରଙ୍କୁ । ଅନୁଭବ କରିହୁଏ ତାଙ୍କ ସାନ୍ନିଧ୍ୟ । ଯେକୌଣସି ସମସ୍ୟାର ସମାଧାନ ପାଇଁ ପରାମର୍ଶ ଲୋଡ଼ା ଯାଇପାରେ ଈଶ୍ୱରଙ୍କଠାରୁ । ଈଶ୍ୱରଙ୍କ ସ୍ଥିତିକୁ ଅସ୍ଵୀକାର କରୁଥିବା ଲୋକେ ବିଧର୍ମୀ । ଧର୍ମ ନାଁରେ ଭାଣ୍ଡାମୀ କରୁଛନ୍ତି ସେମାନେ ।

 

ଆମିବାର ତୃତୀୟ ଗୋଷ୍ଠୀଟି ବିଶ୍ୱାସ କରେନି ଏସବୁରେ କିଛି । ଈଶ୍ୱର ଫିଶ୍ୱର କିଛି ନାହିଁ ଏ ଦୁନିଆରେ । ଇଏ ସବୁ କେତେଜଣଙ୍କର ଫିକର । ସହଜ ଭାବେ ଅର୍ଥ ରୋଜଗାର ପାଇଁ ଶୂନ୍ୟରୁ ସୃଷ୍ଟି କରାଯାଇଛି ଭଗବାନଙ୍କ ଅସ୍ତିତ୍ୱ । ଆମେ ଏସବୁରେ ବିଶ୍ଵାସ କରୁନା । ଆମ ପାଇଁ ଜୀବନ ସବୁ କିଛି । ସବୁ କିଛି ଆମ କର୍ମ ଓ ତା’ର ଫଳାଫଳ ।

 

ବିଜ୍ଞାନୀମାନେ ଏକଥା ବିଶ୍ଵାସ କରନ୍ତୁ ବା ନ କରନ୍ତୁ ସାଧାରଣ ଲୋକେ ସନ୍ତୁଷ୍ଟ ହେଲେ ଏ କଥା ଶୁଣି । ପବିତ୍ରାଳୟ ମଠର ମହନ୍ତଙ୍କୁ ଧନ୍ୟ ଧନ୍ୟ କହିଲେ ସମସ୍ତେ । ଏଇ ତେବେ ଆମିବାମାନଙ୍କ ମଧ୍ୟରେ ସଂଘର୍ଷର କାରଣ । କେବଳ ଈଶ୍ୱରଙ୍କ ସ୍ଥିତି ବିଷୟରେ ସାମାନ୍ୟ ମତପାର୍ଥକ୍ୟ ନେଇ ସୃଷ୍ଟି ହୋଇଛି ଏପରି ଏକ ଗଣ୍ଡଗୋଳ ।

 

ଧର୍ମ ଉପରେ ଅଧିକ ବିଶ୍ୱାସ କରୁଥିବା ଲୋକେ ବିବୃତି ଦେଲେ ସମ୍ବାଦପତ୍ରରେ । ଭାରତର ବୈଜ୍ଞାନିକ ଗବେଷଣା ବନ୍ଦ କରିଦିଆଯାଉ ଆଜିଠାରୁ । ଅଯଥା ଅର୍ଥର ଅପବ୍ୟୟକୁ ରୋକାଯାଉ ଏ ଦେଶରେ । ଧର୍ମ ହିଁ କରିପାରିବ ସବୁ କିଛି । ଧର୍ମଗୁରୁ ବିଜ୍ଞାନର ନୂତନ ସତ୍ୟକୁ ଆବିଷ୍କାର କରିଦେଇପାରିବେ ସାଧନା ବଳରେ । ସେଥିପାଇଁ ଦରକାର ନାହିଁ ଅର୍ଥ । ଜଟିଳ ଯନ୍ତ୍ରପାତିର ଆବଶ୍ୟକତା ବି ନାହିଁ । କେବଳ ଦରକାର ବିଶ୍ଵାସ । ଧର୍ମଗୁରୁମାନଙ୍କ ଉପରେ ଆମ ସମସ୍ତଙ୍କର ଅଗାଧ ବିଶ୍ୱାସ ।

 

କିଛି ଦିନ ବିତିଗଲା । ମଠ ମହନ୍ତ ଦେଇଥିବା ଆମିବା ସଂଘର୍ଷର କାରଣ ଲିଭିଗଲା ଲୋକମାନଙ୍କ ମନରୁ । ଆମିବା ସଂଘର୍ଷ ବିଷୟକ ଶାନ୍ତ ପରିବେଶକୁ ଚହଲେଇ ଦେଲା ଅନ୍ୟ ଏକ ସମ୍ବାଦ । କଲିକତାରୁ ପ୍ରକାଶ ପାଉଥିବା ଏକ ବଙ୍ଗଳା ପତ୍ରିକାରେ ପ୍ରବନ୍ଧଟିଏ ଲେଖିଲେ ଜଣେ ବାମପନ୍ଥୀ ଆଲୋଚକ । ଆମିବା ସଂଘର୍ଷର ପ୍ରକୃତ କାରଣ ଜାଣିଥିବା ଦାବି କଲେ ସିଏ ।

 

ଅନ୍ୟ କିଛି ନୁହେଁ, ଶ୍ରେଣୀ ସଂଘର୍ଷ ଘଟିଛି ଆମିବାମାନଙ୍କ ମଧ୍ୟରେ । ଦୁର୍ବଳ ଉପରେ ସବଳର ଅତ୍ୟାଚାର ଯୋଗୁଁ ଏସବୁ ଘଟିଛି । ଯୁଗ ଯୁଗ ଧରି ସୁସ୍ଥସବଳ ଆମିବାମାନେ ହତ୍ୟା କରୁଥିଲେ କ୍ଷୁଦ୍ର ଆମିବାମାନଙ୍କୁ । ଚତୁଃପାର୍ଶ୍ଵରେ ଥିବା ସମସ୍ତ ଖାଦ୍ୟକୁ ନିଃଶେଷ କରିଦେଉଥିଲେ ସବଳ ଆମିବାମାନେ । ଖାଦ୍ୟାଭାବ ଯୋଗୁଁ ଅନେକ ଆମିବା ମୃତ୍ୟୁବରଣ କରିଛନ୍ତି । ସବଳମାନଙ୍କ ଆକ୍ରମଣରେ ଜୀବନ ଦେଇଛନ୍ତି ଅନେକ । ସେଥିପାଇଁ ସଂଘବଦ୍ଧ ଭାବେ ସବଳମାନଙ୍କୁ ବିରୋଧ କରିଛନ୍ତି ଦୁର୍ବଳମାନେ । ଦୁର୍ବଳମାନଙ୍କ ପ୍ରତିରୋଧ ଯୋଗୁଁ ସଂଘର୍ଷ ଆରମ୍ଭ ହୋଇଛି ଆମିବା ସମାଜରେ । କିଛି ଗୋଟାଏ ସମାଧାନ ନ ହେବା ପର୍ଯ୍ୟନ୍ତ ଲାଗିରହିବ ଏ ସଂଘର୍ଷ ।

 

କିଛି ଦିନ ପରେ ମେଘାଳୟରୁ ପ୍ରକାଶ ପାଇଲା ଅନ୍ୟ ଏକ ସମ୍ବାଦ । କ୍ଷୁଦ୍ର ହେଲେ ବି ଗୁରୁତ୍ୱ ହରେଇ ନ ଥିଲା ବିବୃତିଟି । ସର୍ବଭାରତୀୟ ନାରୀ ଅଧିକାର ସମିତିର ସଭାନେତ୍ରୀ କହିଛନ୍ତି ଯେତେବେଳେ ଏହାକୁ ବିଶ୍ୱାସ କରିଥିଲେ କେତେଜଣ ।

 

ଜଣେ ଗବେଷିକାଙ୍କ ସନ୍ଦର୍ଭ ଉପରେ ଆଲୋକପାତ କରି ସେ କହିଲେ ଆମିବା ମଧ୍ୟରେ ସଚେତନ ହୋଇଉଠିଛି ନାରୀସମାଜ । ଯୁଗ ଯୁଗ ଧରି ପୁରୁଷର ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି ସେମାନେ । ପୁରୁଷ ସହିତ ଆମର ସମାନ ଅଧିକାର, ସମାନଦାବି ବଞ୍ଚିବା ପାଇଁ । ଏଇଥି ପାଇଁ ଆରମ୍ଭ ହୋଇଛି ସଂଘର୍ଷ । ନାରୀ ଅଧିକାର ସାବ୍ୟସ୍ତ ନ ହେବାଯାଏ ଶେଷହେବନି ଏ ସଂଗ୍ରାମର । ଏଥିରୁ ଅନେକ କିଛି ଶିଖିବାର ଅଛି ଭାରତର ନାରୀ ସମାଜ ପାଇଁ-। କ୍ଷୁଦ୍ର ହେଲେ ବି ଆମିବା ଆଜି ଆଖି ଖୋଲିଦେଇଛି ନାରୀମାନଙ୍କର ।

 

ଆମିବା ସଂଘର୍ଷ ସମ୍ପର୍କରେ ଅନେକ ବୈଜ୍ଞାନିକ ପ୍ରବନ୍ଧ ପ୍ରକାଶ ପାଇଥିଲା ପତ୍ରପତ୍ରିକାମାନଙ୍କରେ । ଅନେକ ମୌଳିକ ମତ ପ୍ରକାଶ ପାଇଥିଲା ଦେଶର ବିଭିନ୍ନ ଗବେଷଣାଗାରରୁ । ଦଳେ ସମର୍ଥନ କରୁଥିଲେ ଆମିବା ସଂଘର୍ଷ ଜନିତ ଘଟଣାବଳୀକୁ । ଏହା ଜୀବଜଗତର ଏକ ଚିରନ୍ତନ ନିୟମ । ବିବର୍ତ୍ତନ ପ୍ରକ୍ରିୟାରେ ସବଳ ତିଷ୍ଠି ରହିବ ସଂସାରରେ । ଯୁଗେ ଯୁଗେ ଦୁର୍ବଳ ଉପରେ ନିଜର ଆଧିପତ୍ୟ ବିସ୍ତାର କରି ସବଳ ବଞ୍ଚିରହିବ ଏଠି । ଦରକାର ପଡ଼ିଲେ ସବଳ ପାଇଁ ପ୍ରାଣନାଶ କରାଯିବ ଦୁର୍ବଳର । ଏହାର ପରିବର୍ତ୍ତନ ଅସମ୍ଭବ । ଅବାନ୍ତର ଏହି ପ୍ରାକୃତିକ ନିୟମକୁ ବଦଳାଇବା । ଆମିବା ସଂଘର୍ଷ ବନ୍ଦ ହୋଇଗଲେ ବନ୍ଦ ହୋଇଯିବ ପୃଥିବୀର ସ୍ୱାଭାବିକ ଜୀବନ ପ୍ରକ୍ରିୟା । ଏହା ହେଲେ କୋଟି କୋଟି ସଂଖ୍ୟାରେ ଆମିବା ଜନ୍ମ ହେବେ ପ୍ରତିଦିନ । ଆମିବାର ମୃତ୍ୟୁ ନ ଥିବାରୁ ଆଶାତୀତ ଭାବେ ବଢ଼ିଯିବ ସେମାନଙ୍କ ସଂଖ୍ୟା । ପୃଥିବୀ କେବଳ ଆମିବାରେ ପୂର୍ଣ୍ଣ ହୋଇଯିବ ଦିନ କେତୁଟାରେ । ଅନ୍ୟାନ୍ୟ ପ୍ରାଣୀ ତିଷ୍ଠି ରହିବାକୁ ସ୍ଥାନ ନ ଥିବ ପୃଥିବୀ ବକ୍ଷରେ ।

 

ଉତ୍ତର ଭାରତର କେତେକ ବୈଜ୍ଞାନିକ ଦୃଢ଼ ବିରୋଧ କରୁଥିଲେ ଏହାକୁ । କେତେକ ସ୍ପଷ୍ଟ ଭାବେ ଘୋଷଣା କଲେ ଏହା ଦକ୍ଷିଣ ଭାରତୀୟମାନଙ୍କର ଏକ ସୁପରିକଳ୍ପିତ ଯୋଜନା । ଉତ୍ତର ଭାରତରେ ଆମିବା ସଂଘର୍ଷ ଲାଗିଛି ବୋଲି ଏହାକୁ ସମର୍ଥନ କରୁଛନ୍ତି ସେମାନେ । ଈର୍ଷାନ୍ଵିତ ହୋଇ କହୁଛନ୍ତି ବର୍ଷ ବର୍ଷ ଧରି ଲାଗିଥାଉ ଆମିବା ସଂଘର୍ଷ । ଦିଲ୍ଲୀରୁ ହରିଆନା ପଞ୍ଜାବ ଏମିତି ବିଛାଡ଼ି ହୋଇଯାଉ ସମଗ୍ର ଉତ୍ତର ଭାରତରେ । କିନ୍ତୁ ଆମେ ବରଦାସ୍ତ କରିବୁନି ଏହା । ଆବଶ୍ୟକ ହେଲେ ଉତ୍ତର ଭାରତର ସମସ୍ତ ବୈଜ୍ଞାନିକ ମିଶି ସ୍ୱତନ୍ତ୍ର ଗବେଷଣା କରିବୁ ଆମିବା ସଂଘର୍ଷ ରୋକିବା ପାଇଁ । ସଚେତନ ହୋଇ ଉଠିଲେ ଗଣତନ୍ତ୍ର ସୁରକ୍ଷାଦଳ । ଆମିବା ସଂଘର୍ଷ ବିଷୟରେ ମୁହଁ ଖୋଲିଲେ ଦଳର ନେତା । କର୍ମୀ ସମ୍ମିଳନୀ ଡକାଇ ପ୍ରକାଶ କରିଦେଲେ ତାଙ୍କ ଦଳର ମତାମତ ।

 

ରାଜନୈତିକ ସମସ୍ୟା ସୃଷ୍ଟି ହୋଇଛି ଆମିବାମାନଙ୍କ ଭିତରେ । ବହୁ ବର୍ଷ ହେଲା ବିଶୃଙ୍ଖଳିତ ଭାବେ ରହି ସବୁ ନିୟମକାନୁନ୍‌‌ର ବାହାରକୁ ଚାଲିଯାଇଛନ୍ତି ସେମାନେ । ଏଥିପାଇଁ ଦଳେ ପୁରୁଖା ଆମିବା ଦାବି କରୁଛନ୍ତି ଗୋଷ୍ଠୀତନ୍ତ୍ରର ବ୍ୟବସ୍ଥା କରାଯାଉ ଆସିବା ସମାଜରେ । ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ହାତରେ ସବୁଦିନ ପାଇଁ ସମର୍ପି ଦିଆଯାଉ ଶାସନ ।

 

ଗଣତନ୍ତ୍ରରେ ବିଶ୍ଵାସ କରୁଥିବା ଆମିବାମାନେ ସମର୍ଥନ କରୁନାହାନ୍ତି ଏହାକୁ । ଆରମ୍ଭ କରିଦେଇଛନ୍ତି ଏକ ବ୍ୟାପକ ଆନ୍ଦୋଳନ । ଗଣତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି ସେମାନେ । ସେଥିରୁ ଜାତ ହୋଇଛି ଏ ଆମିବା ସଂଘର୍ଷ । ସେମାନଙ୍କ ମତରେ ଏ ସମସ୍ୟା ଆମିବାର ସମସ୍ୟା ନୁହେଁ । ଏହା ହେଉଛି ସମଗ୍ର ପୃଥିବୀର ସମସ୍ୟା । କ୍ଷୁଦ୍ର ହେଲେ ବି ଆମିବାମାନେ ଆଜି ଆମର ଆଖି ଖୋଲି ଦେଇଛନ୍ତି । ଏ ଦେଶରେ ଗଣତନ୍ତ୍ରର ଯେଉଁ ଅଧୋଗତି ଘଟୁଛି ତାକୁ ଜଣେଇ ଦେଇଛି ଆମିବା ସମାଜ ।

 

ଆଜି ଆମିବା ମଧ୍ୟରେ ସଂଘର୍ଷ ଲାଗିଛି । କାଲି ଏ ସଂଘର୍ଷ ବ୍ୟାପିଯିବ ବ୍ୟାକ୍ଟେରିଆମାନଙ୍କୁ, ଭୂତାଣୁମାନଙ୍କୁ । ଗାଈ, ଛେଳି, ମେଣ୍ଢା, ହାତୀ, ବାଘ । ସବୁ ସମାଜରେ ଆରମ୍ଭ ହୋଇଯିବ ଏ ସଂଘର୍ଷ । ସେଥିପାଇଁ ସରକାରଙ୍କ ପକ୍ଷରୁ କଠୋର ପଦକ୍ଷେପ ନିଆଯାଉଛି-। ବନ୍ଦ କରାଯାଉଛି ଆମିବା ସଂଘର୍ଷ । ତେଣୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଆମକୁ ମଧ୍ୟ ଗଣତନ୍ତ୍ର ବଞ୍ଚାଇ ରଖିବା ପାଇଁ ଆରମ୍ଭ କରିବାକୁ ହେବ ସଂଘର୍ଷ । ଛଦ୍ମବେଶୀ ଗୋଷ୍ଠୀତନ୍ତ୍ର ବିରୁଦ୍ଧରେ ଆରମ୍ଭ କରିବାକୁ ପଡ଼ିବ ଆନ୍ଦୋଳନ । ତାଳିମାରି ଏ କଥାକୁ ସମର୍ଥନ ଜଣାଇଲେ ଦଳର କର୍ମୀଗଣ । ଆମିବା ସଂଘର୍ଷର ପ୍ରକୃତ କାରଣ ଜାଣିଥିବାରୁ ଦଳର ନେତାଙ୍କୁ ଧନ୍ୟ ଧନ୍ୟ କହିଲେ ସମସ୍ତେ ।

 

ଏତେବେଳଯାଏ ନୀରବ ରହିଥିଲେ ଡଃ ଭେଙ୍କଟ ସୁବାୟା । ସବୁ ବାକ୍‌ବିତଣ୍ଡାର ଊର୍ଦ୍ଧ୍ଵରେ ରହି ଚାଲୁ ରଖିଥିଲେ ଆମିବା ଉପରେ ଗବେଷଣା । ଭାରତର ସମସ୍ତ ବୈଜ୍ଞାନିକ ଅପେକ୍ଷା କରିଥିଲେ ତାଙ୍କ ମତାମତକୁ । ପ୍ରଥମେ ଆମିବା ସଂରକ୍ଷଣ ପାଇଁ ଯିଏ ମତ ଦେଇଛନ୍ତି ସେ ହିଁ କେବଳ ଠିକ୍‍ଭାବେ ଜଣେଇ ପାରିବେ ଆମିବା ସଂଘର୍ଷର ପ୍ରକୃତ କାରଣ ।

 

ଆମିବା ସଂଘର୍ଷ ବିଷୟରେ ସମସ୍ତଙ୍କ ମନରୁ ସନ୍ଦେହ ଦୂର କରି କେତେଦିନ ଭିତରେ ପ୍ରକାଶ ପାଇଲା ଡଃ ଭେଙ୍କଟସୁବାୟାଙ୍କ ରିପୋର୍ଟ । ବହୁ ତଥ୍ୟ ଓ ତତ୍ତ୍ୱ ସାହାଯ୍ୟରେ ସେ ପ୍ରକାଶ କଲେ ଆମିବାର ଜୀବନ ବୃତ୍ତାନ୍ତ । ପୃଥିବୀର ସୃଷ୍ଟି ପରେ ପରେ ସୃଷ୍ଟି ହୋଇଛି ଆମିବା । ଆମିବାର ମୃତ୍ୟୁ ଘଟି ନାହିଁ ଏଯାଏ । ବାର୍ଦ୍ଧକ୍ୟ ଭୋଗ କରିବାର ପ୍ରମାଣ ନାହିଁ ଆମିବା ସମାଜରେ-

 

ଆମିବା ଜନ୍ମ ହୁଏ ଗୋଟିଏ ଜୀବ କୋଷରେ । ଖାଇବା ହଜମ କରିବା, ନିଶ୍ଵାସ ନେବା ଆଦି ସମସ୍ତ ଦୈହିକ କ୍ରିୟା ସମ୍ପାଦନ କରେ ସେଇ କୋଷ ଭିତରେ । ବଡ଼ ହେଲେ ଏକ ବିଚିତ୍ର ଘଟଣା ଘଟିଯାଏ ଆମିବା ଜୀବନରେ । ବୁଢ଼ା ହେବା ଆଗରୁ ଦୁଇ ଭାଗରେ ବିଭକ୍ତ ହୋଇଯାଏ ଆମିବା । ଗୋଟିଏ ବୟସ୍କ ଆମିବାରୁ ଜନ୍ମ ନିଏ ଦୁଇଗୋଟି ଶିଶୁ ଆମିବା ।

 

ଆମିବା ସମାଜରେ ସ୍ତ୍ରୀ-ପୁରୁଷ ନାହିଁ । ନାହିଁ ସେଠି ଶ୍ରେଣୀ ସଂଘର୍ଷର ପ୍ରଶ୍ନ । ସେଠାରେ ଦଳମତ ବା ଗୋଷ୍ଠୀ କନ୍ଦଳ ଦେଖାଯାଏନି କେବେ । ଏହାର ଏକମାତ୍ର କାରଣ ଆମିବାମାନଙ୍କର ଜୀବନ ଇତିହାସ । ଏ ପୃଥିବୀର ସମସ୍ତ ଆମିବା ଜନ୍ମ ହୋଇଛନ୍ତି ଗୋଟିଏ ଆମିବାରୁ । ପୃଥିବୀ ବକ୍ଷରେ ଜନ୍ମ ନେଇଥିବା ପ୍ରଥମ ଆମିବାଟି ଖଣ୍ଡ ଖଣ୍ଡ ହୋଇ ସୃଷ୍ଟି ହୋଇଛି କୋଟି କୋଟି ଆମିବା । ସମସ୍ତ ଆମିବା ଦେହରେ ଏବେ ବି ରହିଛି ମୂଳ ଆମିବାର ସନ୍ତକ । ସେଥିପାଇଁ ଗୋଟିଏ ଆମିବାର ଅନୁକମ୍ପା ରହିଛି ଅନ୍ୟ ଆମିବାଟି ପ୍ରତି । ଗୋଟିଏ ଆମିବା ଭଲପାଏ ଅନ୍ୟ ଆମିବାକୁ ।

 

ତେଣୁ ଆମିବାମାନଙ୍କ ଭିତରେ ସଂଘର୍ଷ ଘଟିବାର କୌଣସି କାରଣ ନାହିଁ । ପ୍ରଶ୍ନ ଉଠେନି ବିଭିନ୍ନ ଆଦର୍ଶରେ ବିଶ୍ଵାସ କରୁଥିବା ଆମିବା ସମାଜ । ଏଯାବତ୍‍ ଆମିବା ସଂଘର୍ଷ ନାଁରେ ପ୍ରକାଶ ପାଇଥିବା ସମସ୍ତ ସମ୍ବାଦ ମିଥ୍ୟା । ଆମିବା ସଂଘର୍ଷ ପାଇଁ ଦିଆଯାଇଥିବା କାରଣଗୁଡ଼ିକ ମିଥ୍ୟା । ଆମିବା ସଂରକ୍ଷଣ ନାଁରେ ବ୍ୟୟ କରାଯାଇଥିବା ସମସ୍ତ ଅର୍ଥ, ଶ୍ରମ ବୃଥା ।

 

ଆମିବା ସଂଘର୍ଷ ସମ୍ପର୍କରେ ଏ ସିଦ୍ଧାନ୍ତ ଶୁଣି ସ୍ତବ୍ଧ ହୋଇଗଲେ ସମସ୍ତେ । ଡଃ ଭେଙ୍କଟ ସୁବାୟାଙ୍କ ପ୍ରକୃତ ଗବେଷଣାର ତଥ୍ୟଗୁଡ଼ିକ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଶକ୍ତି ନ ଥିଲା କାହାର । ତାଙ୍କ ନିବନ୍ଧର ଶେଷ ଭାଗରେ ଡଃ ଭେଙ୍କଟସୁବାୟା ଲେଖିଥିଲେ, ଆମିବା ସଂଘର୍ଷର ପ୍ରକୃତ କାରଣ ଜାଣିବା ପାଇଁ ମୁଁ ବିଭିନ୍ନ ଆମିବାଙ୍କୁ ଭେଟିଛି । କମ୍ପ୍ୟୁଟର ସାହାଯ୍ୟରେ କଥାବାର୍ତ୍ତା କରିଛି ପୁରୁଖା ନୂଆ ଅନେକ ଆମିବାଙ୍କ ସହିତ । ତାଙ୍କ ଭିତରେ ସଂଘର୍ଷର କାରଣ ପଚାରନ୍ତେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁଛନ୍ତି ମୋତେ । ମୋ କଥାକୁ ହସରେ ଉଡ଼େଇ ଦେଇ ସେମାନେ କହିଛନ୍ତି ଆମିବା ସମାଜରେ କେବେ ବି ସଂଘର୍ଷ ହୋଇନି ଏଯାଏ । ଭବିଷ୍ୟତରେ ବି ହେବାର ସମ୍ଭାବନା ନାହିଁ । ଆମେ କ୍ଷୁଦ୍ରାତିକ୍ଷୁଦ୍ର ପ୍ରାଣୀ ହୋଇପାରୁ । କିନ୍ତୁ ଏତିକି ବୁଝିଛୁ, ଏ ପୃଥିବୀର ସମସ୍ତ ଆମିବା ସୃଷ୍ଟି ମୂଳରେ ଅଛି ଗୋଟିଏ ଆମିବା । ପ୍ରତି ଆମିବା ଦେହରେ ଏବେ ବି ମୂଳ ଆମିବାର ରକ୍ତ ପ୍ରବାହିତ ହେଉଛି ।

☆☆☆

 

Unknown

ପଥରର ପଟୁଆର

 

ରାତି ପାହି ସକାଳ ହେଲା । ପଥର ପାଲଟିଗଲା କ୍ୟାମ୍ପସର ନିତିଦିନିଆ ଜୀବନ । ସ୍ଥାଣୁତ୍ଵ ଆସି ଯାଇଥିଲା ସବୁ ଗତାନୁଗତିକତା ଦେହରେ । କ୍ୟାମ୍ପସ ସାରା ବିଛାଇ ହୋଇ ଯାଇଥିଲା ଗୋଟାଏ ପରେ ଗୋଟାଏ ମୂର୍ତ୍ତି ।

 

ସବୁଦିନ କ୍ୟାଣ୍ଟିନ ଯାଉଥିବା ଛାତ୍ରଟି ପଥର ପାଲଟି ଯାଇଥିଲା ଜଳଖିଆ ଖାଉ ଖାଉ । ରୋଜାରିଅମ୍ ଭିତରେ ନିଜ ପ୍ରେମିକା କୋଳରେ ମୁଣ୍ଡ ରଖି ପଥର ପାଲଟି ଯାଇଥିଲା ରୋମାଣ୍ଟିକ ଛାତ୍ରଟି । ଲାଇବ୍ରେରୀର ବହିମାନଙ୍କ ସହ ପଥର ପାଲଟି ଯାଇଥିଲେ ଗବେଷଣାରତ ଅଧ୍ୟାପକ କେତେଜଣ । ରଘୁ ପାନ ଦୋକାନ ସାମ୍ନାରେ ସିଗାରେଟ ପିଉ ପିଉ ପଥର ପାଲଟି ଯାଇଥିଲେ ଛାତ୍ର ନେତା । ଅଧ୍ୟକ୍ଷ ନିଜ ଆସନରେ ବସି ପଥରର ମୂର୍ତ୍ତି ପାଲଟି ଯାଇଥିଲେ ତ ଅଫିସର ଫାଇଲମାନଙ୍କ ସହ ପଥର ପାଲଟି ଯାଇଥିଲେ ସମସ୍ତ କର୍ମଚାରୀ ।

 

କ’ଣ ଏମିତି ହେଲା ଯେ ମୁହୂର୍ତ୍ତକ ଭିତରେ ଘଟିଗଲା ଏତେ ବଡ଼ ଚାଞ୍ଚଲ୍ୟକର ଘଟଣା-। କିଏ ଅଭିଶାପ ଦେଲା ଯେ ରାତି ପାହିଲାବେଳକୁ ପଥର ପାଲଟିଗଲେ ରାଜଧାନୀ ଆଡ଼ଭାନ୍‌ସ କଲେଜର ହଜାର ହଜାର ଛାତ୍ର, ଶିକ୍ଷକ, କର୍ମଚାରୀ । ଶବ୍ଦ ବାହାରୁ ନ ଥିଲା କାହା ମୁହଁରୁ-। ନୀରବେଇ ଯାଇଥିଲା କ୍ୟାମ୍ପସର ସବୁ କୋଳାହଳ ।

 

ଛାତି ଭିତରୁ ଉବୁକି ଆସି ଇଥରରେ ମିଳେଇ ଯାଇଥିଲା ମୂର୍ତ୍ତିମାନଙ୍କର ସ୍ୱର । ଶାସନର କଡ଼ା ନିର୍ଦ୍ଦେଶରେ ମୂକ ପାଲଟି ଯାଇଥିଲେ କ୍ୟାମ୍ପସ ବାସିନ୍ଦାଗଣ । ପାଟି ଫିଟାଇବ ତ କଲେଜରୁ ରଷ୍ଟିକେଟ କରାଯିବ । ଦଳବଦ୍ଧ ହୋଇ ଦାବି ଜଣାଇଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବ କଲେଜ ।

 

କଲେଜର ବାୟୁମଣ୍ଡଳରେ ନୀରବେଇ ଯାଇଥିଲା ପବନର ସ୍ୱର । ବନ୍ଦ ହୋଇଯାଇଥିଲା ଫୁଲମାନଙ୍କର ବାସ୍ନା । ସବୁରି ଭିତରୁ ଛିଟିକି ଆସୁଥିଲା ଏକ ଅପ୍ରତ୍ୟାଶିତ ଘଟଣାର ମର୍ମାନ୍ତିକ ଦୃଶ୍ୟ ।

 

ଫୁଲର ବସନ୍ତରେ ଚହଟି ଯାଉଥିବ କ୍ୟାମ୍ପସର ସ୍ୱପ୍ନିଳ ଅପରାହ୍ନ । ହସନ୍ତା ମୁହଁରେ ଦଳବାନ୍ଧି କଲେଜ ଛାତିରେ ଚାଲିଯାଉଥିବେ ଝିଅ କେତେଜଣ । କ୍ୟାମ୍ପସର ଆଖି ବୁଲି ଯାଉଥିବ ତାଙ୍କୁ ଅନୁସରଣ କରି । ସବୁରି ଛାତିରେ ଶିହରି ଉଠୁଥିବ ଅପୂର୍ବ ପୁଲକ ।

 

କୁଆଡ଼ୁ କିଛି ନ ଥିବ ମାଡ଼ି ଆସିବ କଳାରଙ୍ଗର ଗୋଟେ କାର୍ । ଅଟକିଯିବ ଝିଅମାନଙ୍କ ସାମ୍ନାରେ । ଚଳଚିତ୍ରର ଗୋଟାଏ ଦୃଶ୍ୟ ପରି ଫକ୍ ଫାକ୍ ଓହ୍ଲେଇ ପଡ଼ିବେ ଟୋକା କେତେଜଣ । ମୁହୂର୍ତ୍ତକ ମଧ୍ୟରେ କାର୍ ଭିତରକୁ ଉଠେଇ ନେବେ ସେକେଣ୍ଡ ଇୟରର ଛାତ୍ରୀ ରଞ୍ଜିତା ମିଶ୍ରକୁ । କଲେଜର ମୁଖ୍ୟ ଫାଟକ ଦେଇ କ୍ୟାମ୍ପସବାସୀଙ୍କ ଆଖି ଆଗରୁ ଅନ୍ତର୍ଦ୍ଧାନ ହୋଇଯିବ କାର୍ । ଦେଖଣାହାରିଙ୍କ ପାଇଁ ଅତୀତ ହୋଇଯିବ ଘଟଣା । ଏମିତି ଏକ ଦୃଶ୍ୟ ଦେଖୁ ଦେଖୁ ସ୍ତବ୍ଧ ହୋଇଯିବ କ୍ୟାମ୍ପସ ଜୀବନ ।

 

କଲେଜ ସାରା ଜଳି ଉଠିବ ଲହ ଲହ ନିଆଁ । ଛାତ୍ରମାନେ ଦାବିପତ୍ର ଦେବେ କର୍ତ୍ତୃପକ୍ଷଙ୍କୁ । ଛାତ୍ରୀ ଅପହରଣ ଘଟଣା ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଅଣାଯିବ ଶିକ୍ଷକ ସଂଘ ତରଫରୁ-। ଘଟଣାର ତଦନ୍ତ ପାଇଁ ସରକାରଙ୍କୁ ଅନୁରୋଧ ଜଣାଇବେ କଲେଜର ଅଧ୍ୟକ୍ଷ-। ଅଥଚ ଫଳ ହେବ ନାହିଁ କିଛି । କାହାର ଗୋପନ ନିର୍ଦ୍ଦେଶରେ ଗୁରୁତ୍ୱ ହରାଇବ ଛାତ୍ରୀ ଅପହରଣ ଘଟଣା-

 

ଏମିତି ଏକ ବର୍ବରୋଚିତ କାଣ୍ଡକୁ ବରଦାସ୍ତ କରିପାରିବନି ଛାତ୍ର ସମାଜର ରକ୍ତ । ଦିନ କେତୁଟାରେ କଲେଜ ପାଲଟିଯିବ ଲୁଟତରାଜର କେନ୍ଦ୍ରସ୍ଥଳୀ । କ୍ୟାମ୍ପସ ଭିତରେ ବସ୍‍ ପୋଡ଼ାଯିବ-। ଢେଲାମାରି ଭାଙ୍ଗି ଦିଆଯିବ ଅଫିସର ଆସବାବପତ୍ର । ଛାତ୍ରମାନଙ୍କୁ ଏକାଠି କରି ଆରମ୍ଭକରାଯିବ ଧାରଣା, ବିକ୍ଷୋଭ, ଅନଶନ । ଶାନ୍ତିରକ୍ଷା ପାଇଁ ପୋଲିସ ମୁତୟନ କରାଯିବ କ୍ୟାମ୍ପସ ଭିତରେ । ସେନା ଛାଉଣୀ ପାଲଟିଯିବ କଲେଜ ସାରା ।

 

ଏକ ଅନିୟନ୍ତ୍ରିତ ମୁହୂର୍ତ୍ତରେ ଆରମ୍ଭ ହୋଇଯିବ ଛାତ୍ର ପୋଲିସ ସଂଘର୍ଷ । ପୋଲିସ ଗୁଳିରେ ପ୍ରାଣ ହରେଇବେ ତିନିଜଣ ଛାତ୍ର । ଦୃଢ଼ କଣ୍ଠରେ ଘୋଷଣା କରିବେ ସରକାର ଯାହା ହେଲେ ବି ଆଇନଶୃଙ୍ଖଳା ରକ୍ଷା କରାଯିବ ରାଜଧାନୀ ଆଡ଼ଭାନ୍‌ସ କଲେଜରେ । କେଉଁ ଛାତ୍ରକୁ ସୁଯୋଗ ଦିଆଯିବନି ଆଇନକୁ ନିଜ ହାତକୁ ନେବା ପାଇଁ ।

 

ଛାତ୍ରମାନଙ୍କ ଭିତରେ କୁହୁଳି ଉଠୁଥିବ ବିଦ୍ରୋହର ଏକ ଆଶୁ ବିସ୍ଫୋରଣ । ଆଇନକୁ ନିଜ ହାତକୁ ନେବା ସିନା ଅନ୍ୟାୟ, କିନ୍ତୁ ଯେଉଁମାନେ ଆଇନର ଶାସକ ହୋଇ ବେଆଇନ କାମ କରନ୍ତି ! ଆଇନ କ୍ଷମତା ଜାବୁଡ଼ି ଧରି ପ୍ରଶ୍ରୟ ଦିଅନ୍ତି ଦୁର୍ନୀତି ଅପରାଧକୁ, ଉସୁକାନ୍ତି ହିଂସା ଗୁଣ୍ଡାରାଜକୁ ? କେଉଁଠୁ ପାଇଲେ ସେମାନେ ଆଇନକୁ ହାତଛଡ଼ା ନ କରିବାର ଅଧିକାର ? ଛଡ଼େଇ ଆଣିବାକୁ ହେବ ସେମାନଙ୍କ ହାତରୁ ଆଇନ । କଳେବଳେ କୌଶଳେ ଖୋଲିଦେବାକୁ ପଡ଼ିବ ବେଆଇନ ଉପରେ ଥିବା ଆଇନର ଆବରଣ ।

 

ନୂତନ ଉତ୍ସାହରେ ତେଜି ଉଠିବ ଛାତ୍ର ଆନ୍ଦୋଳନ । ରାଜଧାନୀ ଆଡ଼ଭାନ୍‌ସ କଲେଜ ଆକାଶରୁ ଝଲସି ଉଠିବ ଅଗ୍ନିଶିଖା । ଆନ୍ଦୋଳନର ପଦଧ୍ଵନି ଶୁଣାଯିବ ଓଡ଼ିଶାର ପ୍ରତିଟି କୋଣରେ । ସମ୍ବାଦପତ୍ରରେ ବିବୃତି ଦେବେ ବିଭିନ୍ନ ଛାତ୍ର ସଙ୍ଗଠନର ନେତୃଗଣ । ବିରୋଧୀଦଳ ନେତା, ସଚେତନ ବୁଦ୍ଧିଜୀବୀ, ସମସ୍ତେ ନିନ୍ଦା କରିବେ ଛାତ୍ରୀ ଅପହରଣ ଘଟଣା ।

 

ପୂର୍ବରୁ ସାବଧାନ ହୋଇ ସରକାର ବଦଳାଇ ଦେବେ ନୀତି । ଘଟଣାର ଆପୋଷ ସମାଧାନ ପାଇଁ ଆହ୍ୱାନ ଦେବେ ଛାତ୍ର ନେତାମାନଙ୍କୁ । ଦଳ ଦଳ ନେତୃବର୍ଗ ସାକ୍ଷାତ କରିବେ ଶିକ୍ଷାମନ୍ତ୍ରୀଙ୍କୁ । ଗୃହମନ୍ତ୍ରୀଙ୍କୁ ଭେଟି ଜଣେଇଦେବେ ସେମାନଙ୍କ ଦାବି ବିଷୟରେ ।

 

ଏବେ ବି ପଥର ମୂର୍ତ୍ତିମାନଙ୍କ ପାଖରେ ଅଛପା ରହିଛି ଅନେକ କଥା । କ’ଣ ଏମିତି ହେଲା ଯେ ମନ୍ତ୍ରୀଙ୍କ ଚାମ୍ବରରୁ ଫେରିଲା ପରେ ଛାତ୍ର ନେତାଏ ବଦଳେଇ ଦେଲେ ନିଷ୍ପତ୍ତି । ଆନ୍ଦୋଳନକୁ ଭୁଲିଯାଇ ଆଦରି ନେବାକୁ କହିଲେ ନିଜ ପାଠପଢ଼ା । ଖୁବ୍ ସହଜ ଭାବେ ଭୁଲିଗଲେ ଛାତ୍ରୀ ଅପହରଣ ଘଟଣା ।

 

ଯୁବକର ରକ୍ତ କିନ୍ତୁ ଶିଥିଳ ହେବାର ନୁହେଁ ସାନ୍ତ୍ୱନାବାଣୀରେ । କାହା ଚକ୍ରାନ୍ତରେ ହାରିଯିବାର ବସ୍ତୁ ନୁହେଁ ଯୁବକର ମନୋବଳ । ନେତୃତ୍ୱ ଅଭାବ ହେଲେ ସୃଷ୍ଟି ହେବ ନୂତନ ନେତୃତ୍ୱ । ଗୋଟାଏ ସ୍ୱର ଥମିଗଲେ ଲହରେଇ ଆସିବ ଅନ୍ୟ ଏକ ସ୍ୱରର ଝଙ୍କାର । ଯେମିତି ହେଲେ ଗତିରୋଧ କରାଯିବ ଅନ୍ୟାୟର । ଅନୀତିର ମୁଖା ଖୋଲିଦେବ ଯୁବକ ସମାଜ ।

 

ସେଇଥିପାଇଁ ତ କଲେଜ ମାଟିରୁ ଲିଭିଗଲାନି ଛାତ୍ର ଆନ୍ଦୋଳନର ନିଆଁ । ନୂତନ ନେତୃତ୍ୱରେ ସମସ୍ତେ ଜାଗିଉଠିଲେ ଛାତ୍ରୀ ଅପହରଣ ବିରୁଦ୍ଧରେ । ଶିକ୍ଷାନୁଷ୍ଠାନ ନୁହେଁ, ଜଳନ୍ତା ନିଆଁର କୁଣ୍ଡ ପାଲଟିଗଲା ରାଜଧାନୀ ଆଡ଼ଭାନ୍‌ସ କଲେଜ । ପୋଡ଼ି ଦିଆଗଲା ସରକାରୀ ଗାଡ଼ି । ଅଧ୍ୟକ୍ଷଙ୍କୁ ଘେରାଉ କରାଗଲା ସକାଳୁ ସଞ୍ଜଯାଏ-। ଧର୍ମଘଟ କରି ବନ୍ଦ କରି ଦିଆଗଲା କଲେଜ । ତଥାପି ଥମିଲାନି ଆନ୍ଦୋଳନ । ସନ୍ତୁଷ୍ଟ ହେଲାନି ଯୁବକର ରକ୍ତ । ଆହ୍ୱାନ ଦିଆଗଲା ରାଜଧାନୀ ବନ୍ଦ ପାଇଁ ।

 

ନିଶବ୍ଦ ନିଥର ହୋଇପଡ଼ି ରହିଗଲା ପଥରର ମୂର୍ତ୍ତିମାନ । ଅଧ୍ୟକ୍ଷ ଆସନରେ ବସିଥିବା ପଥରଟା ଖୁବ୍ ଅସହାୟ ମଣୁଥିଲା ନିଜକୁ । ମଣିଷ ନୁହେଁ ଆଦେଶ ପାଳନ କରୁଥିବା ରବଟଟାଏ ସିଏ । ଜୀବନ୍ତ ନୁହେଁ, ଅବଚେତନ ମନରେ କାମ କରିଯାଉଥିବା କମ୍ପ୍ୟୁଟରଟାଏ ସିଏ । ଶିକ୍ଷା ପାଇଛନ୍ତି, ବିନିଯୋଗ କରିବାର ସାହସ ନାହିଁ । କ୍ଷମତା ଅଛି, ପ୍ରୟୋଗ କରିବାର ସାମର୍ଥ୍ୟ ନାହିଁ । ମସ୍ତିଷ୍କ ଅଛି, ନିଷ୍ପତ୍ତି ନେବାର ଅବକାଶ ନାହିଁ ।

 

ଟେଲିଫୋନ ଆସିଲେ ଦସ୍ତଖତ କରିବେ । ଚିନ୍ତା ନ କରି ଧ୍ୱଂସ କରିଦେବେ ପିଲାମାନଙ୍କର ଜୀବନ । କାହାର ପରାମର୍ଶ ନ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେବେ କଲେଜ । ଅଧ୍ୟକ୍ଷ ତ କଲେଜର ଶାସକ ନୁହନ୍ତି, ଛଦ୍ମବେଶରେ କାମ କରୁଥିବା ଶାସନ କଳର ଡମିଟାଏ ସିଏ ।

 

ସକାଳ ପହରୁ ନୀରବେଇ ଯାଇଛି କ୍ୟାମ୍ପସର ସ୍ୱର । ମୂକ ପାଲଟିଯାଇଥିବା ପଥରମାନଙ୍କର ଶୋଭାଯାତ୍ରା ଚାଲିଛି କ୍ୟାମ୍ପସ ଛାତିରେ । ସମସ୍ତେ ଦେଖୁଛନ୍ତି ଅନ୍ୟାୟ ହୋଇଛି, ଶାସନ କଳର ଅପବ୍ୟବହାର କରି ଖିନ୍ ଭିନ୍ କରାଯାଇଛି ମାନବିକ ଅଧିକାର । ଶକ୍ତି ପ୍ରୟୋଗ କରି ନ୍ୟାୟ ପ୍ରାର୍ଥୀର ମୁହଁ ବନ୍ଦ କରିଦିଆଯାଇଛି । ଅଥଚ ମୁହଁ ଖୋଲି କହିପାରୁନାହାନ୍ତି କେହି ।

 

ଦ୍ରୁତରୁ ଦ୍ରୁତତର ହୋଇ କଲେଜ ଛାତିରେ ବ୍ୟାପିଯାଉଛି ଗୁଜବ । ଛାତ୍ର ଆନ୍ଦୋଳନକୁ ସମର୍ଥନ କରୁଥିବା ଅଧ୍ୟାପକଙ୍କ ନାଁ ଟିପି ରଖୁଛି ଇଣ୍ଟେଲିଜେନ୍‌ସ । ଆନ୍ଦୋଳନର ନେତୃତ୍ୱ ନେଉଥିବା ଛାତ୍ରମାନଙ୍କୁ ରଷ୍ଟିକେଟ କରାଯିବାର ଯୋଜନା ଚାଲିଛି । ଉପରବାଲାଙ୍କ ଆଦେଶ ନ ମାନିଲେ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି ଅଧ୍ୟକ୍ଷଙ୍କୁ । ସମସ୍ତଙ୍କ ମୁହଁ ବନ୍ଦ କରିଦିଆଯାଇଛି କ୍ଷମତାର ଅମୋଘ ଅସ୍ତ୍ରରେ ।

 

ସକାଳ ହେଲା । କଲେଜ ଛାତିରେ ବହିଗଲା କେଉଁ ଏକ ତାନ୍ତ୍ରିକର ଜୀବନଭେଦି ମନ୍ତ୍ର-। ଜଣ ଜଣ କରି ସମସ୍ତେ ପାଲଟିଗଲେ ପଥରର ମୂର୍ତ୍ତିଟିଏମାନ । କାଲି ରାତିରେ ସାତ ଜଣ ଛାତ୍ରଙ୍କୁ କଲେଜରୁ ବହିଷ୍କାର କରିଛନ୍ତି ଅଧ୍ୟକ୍ଷ । କଲେଜରେ ଶାନ୍ତିଭଙ୍ଗ ଅଭିଯୋଗରେ ବାରଜଣଙ୍କ ଉପରେ ଜୋରିମାନା ହୋଇଛି । ସତର୍କ କରେଇ ଦିଆଯାଇଛି କେତେଜଣ ଯୁବ ଅଧ୍ୟାପକଙ୍କୁ-

 

ଆଡ଼ଭାନ୍‌ସ କଲେଜର ଯାନ୍ତ୍ରିକ ବିଦ୍ୟା ଭିତରେ ଯନ୍ତ୍ର ପାଲଟି ଯାଇଛନ୍ତି ସମସ୍ତେ । ମେସିନ ଭଳି ଶୁଣି ଯାଉଛନ୍ତି ସବୁ । ନୀରବ ରହୁଛନ୍ତି ଆଜ୍ଞାଧୀନ ଭୃତ୍ୟ ପରି । ନିଜ ଭବିଷ୍ୟତର ସୁରକ୍ଷା କଥା ଚିନ୍ତା କରି ସ୍ୱୀକାର କରୁଛନ୍ତି କର୍ତ୍ତୃପକ୍ଷଙ୍କ ସମସ୍ତ ଆଦେଶ ।

 

ସକାଳୁ ଏଯାଏ ବିତିଗଲାଣି କେତେ ଘଣ୍ଟା । କିଚୁ ପରିବର୍ତ୍ତନ ନାହିଁ କ୍ୟାମ୍ପସ ଭିତରେ । ପିଲା କଲେଜ ଆସୁଛନ୍ତି, ଅଫିସକାମ ଚାଲିଛି ପୂର୍ବ ଭଳି, ପ୍ରାକ୍ଟିକାଲ କ୍ଲାସ ନେଉଛନ୍ତି ଅଧ୍ୟାପକଗଣ; ଅଥଚ ସବୁ ଆନ୍ଦୋଳନର ପରିସମାପ୍ତି ଘଟିଛି ଅଧ୍ୟକ୍ଷଙ୍କ ଆଦେଶ ପରଠୁ । ସମସ୍ତେ ପାଲଟି ଯାଇଛନ୍ତି ଛନ୍ଦବଦ୍ଧ ମୂର୍ତ୍ତି । ସ୍ୱର ଅଛି ପ୍ରକାଶ କରିବାର ଶକ୍ତି ନାହିଁ । ବିଦ୍ରୋହ ଜନ୍ମୁଛି ମନରେ ଖୋଲି କହିବାର ସାମର୍ଥ୍ୟ ନାହିଁ ।

 

କେଉଁଠି କିଛି ନ ଥିଲା କଲେଜ ଦିଓ୍ଵାଲରେ ପ୍ରତିଧ୍ୱନିତ ହେଲା ଅପୂର୍ବ ଶବ୍ଦର ଗୁଞ୍ଜରଣ-। କାହାର ତାଚ୍ଛଲ୍ୟଭରା ହସରେ ଥରି ଉଠିଲା କଲେଜର ପ୍ରତିଟି ଆସବାବପତ୍ର । ପଥରର ମୂର୍ତ୍ତିମାନଙ୍କ ଭିତରେ ଏକପ୍ରକାର ଭୟ ସଞ୍ଚରିଗଲା କେଇ ମୁହୂର୍ତ୍ତ ପାଇଁ । ତାରି ଭିତରେ ପଶିଆସିଲା ଗୋଟିଏ କଳାରଙ୍ଗର କାର୍ । ଅଟକିଗଲା ଅଧ୍ୟକ୍ଷଙ୍କ ଅଫିସ ସାମ୍‌ନାରେ । କ’ଣଟିଏ କାଢ଼ି ଦିଆଗଲା କାର୍‍ରୁ । ରଖାଗଲା ରାସ୍ତା ଉପରେ । ପଥର ପାଲଟିଥିବା ଇଲାକାର ମଣିଷମାନଙ୍କୁ ପୁଣିଥରେ ପଥର କରି ମୁଖ୍ୟ ରାସ୍ତାରେ ହଜିଗଲା କାର୍‌ଟି ।

 

ରାସ୍ତା ଉପରେ ପଡ଼ି ରହିଥିଲା ରଞ୍ଜିତା ମିଶ୍ରର ରକ୍ତ ଜୁଡ଼ୁବୁଡ଼ୁ ଶରୀର । ବିଧ୍ୱସ୍ତ ହୋଇଗଲା ବସ୍ତ୍ର । ଆଖିରେ ଭରିଯାଇଥିଲା ନିୟୁତ ଯୁଗର ନିର୍ଲିପ୍ତତା । କ୍ଷତାକ୍ତ କରାଯାଇଥିଲା ସର୍ବାଙ୍ଗ । ଗାଲ ଉପର ଦେଇ ଧାର ଧାର ଲୁହ ବହିଯାଉଥିଲା ଆଖିରୁ ।

 

ମୁହୂର୍ତ୍ତକ ପାଇଁ ସ୍ତମ୍ଭୀଭୂତ ହୋଇଗଲା କେଲେଜ ପରିବେଶ । ସମସ୍ତେ ଅଜଣା ଆତଙ୍କରେ ଶିହରି ଉଠିଲେ ରଞ୍ଜିତାର ରକ୍ତ ଦେଖୁ ଦେଖୁ । ପଚାରିଲେ ଜଣେ ଯୁବ ଅଧ୍ୟାପକ, କିଏ ତୁମକୁ କ୍ଷତାକ୍ତ କରିଛି ରଞ୍ଜିତା ? ତୁମ ଭଳି ନିଷ୍ପାପ ବାଳିକାକୁ ବିକଳାଙ୍ଗ ବନେଇଛି କିଏ ?

 

ଖୋଲିଗଲା ରଞ୍ଜିତା ମିଶ୍ରର ଆଖି । ଥରି ଉଠିଲା ଓଠର ପର୍ଦ୍ଦାସବୁ । ସମସ୍ତଙ୍କୁ ଦେଖିଲା ତ ଧାର ଧାର ଲୁହ ଗଡ଼ିଗଲା ଆଖିରୁ । ସେହି କାନ୍ଦୁରା ମୁହଁରେ କିଛି କହିବାକୁ ଚେଷ୍ଟା କରୁଥିଲା ରଞ୍ଜିତା । କିନ୍ତୁ ଶକ୍ତି ନ ଥିଲା ଖୋଲି କହିବାକୁ କିଛି । ତା’ ଆଖିରେ ଫୁଟି ଉଠୁଥିଲା କାରୁଣ୍ୟର ଚିହ୍ନ । ଥର ଥର ଓଠରୁ ଝରିପଡ଼ୁଥିଲା ଅସହାୟତାର ସ୍ୱର ।

 

ସମସ୍ତଙ୍କ ଛାତିରେ ବହିଗଲା କାରୁଣ୍ୟର ପ୍ରବହମାନ ଧାରା । ସବୁରି ଭିତରେ ଲହ ଲହ ହୋଇ ବହିଗଲା ରଞ୍ଜିତା ମିଶ୍ରର ତପ୍ତ ରକ୍ତଧାରା । ହେଲେ ପଦୁଟିଏ କଥା ବାହାରିଲାନି କାହା ମୁହଁରୁ । ଏକ ବିରାଟ ପଟୁଆରରେ ଥାଇ ମଧ୍ୟ ନିଜକୁ ଅସହାୟ ମଣୁଥିଲେ ସମସ୍ତେ । ଜଣେ ଆଉ ଜଣକ ମୁହଁକୁ ଚାହିଁ ନୀରବେଇ ଯାଉଥିଲେ ପଥରର ମୂର୍ତ୍ତିଟିଏ ପରି ।

☆☆☆

 

ଗଧ

 

ଅଦ୍ଭୁତ ଏକ ଭାବାବେଗ ଖେଳିଗଲା ଶଙ୍କରା ମନରେ । ଗଧଟା ପାଲଟିଗଲା ଘୋଡ଼ା-। ମୁହୂର୍ତ୍ତକ ମଧ୍ୟରେ ଓଲଟି ଗଲା ଦୃଶ୍ୟପଟ । ଆଖି, କାନ, ଗୋଡ଼, ଦେହ, ଲାଙ୍ଗୁଡ଼ ସବୁଠି ଗଧତ୍ୱ ବଦଳରେ ସ୍ପଷ୍ଟ ବାରି ହୋଇପଡ଼ିଲା ଘୋଡ଼ା ଚିହ୍ନ । ଜଳ ଜଳ କରି ଶଙ୍କର୍ଷଣ ଦେଖୁଥିଲା ଗଧଟା ପାଲଟି ଯାଇଛି ଘୋଡ଼ା ।

 

ମନ ଫୁର୍ତ୍ତିରେ ବୁଲୁଥିଲା ଘୋଡ଼ା । ବେକରେ ପଘା ନ ଥିଲା । ଚାରି ପଟରେ ନ ଥିଲା ବାଡ଼ । ସ୍ୱାଧୀନ ଭାବେ ବୁଲିବା ପାଇଁ ଘାସ ପଡ଼ିଆଟିଏ ଲମ୍ବିଯାଇଥିଲା କାହିଁ କେତେ ଦୂର ଯାଏ ।

 

ଅନେକ ସ୍ୱାଧୀନତା ମିଳିଥିଲା ଶଙ୍କର୍ଷଣକୁ । ତା’ ପୁରୁଣା ଜୀବନରୁ ମୁକୁଳେଇ ଆଣିଥିଲେ କେତେଜଣ । ଟଙ୍କା କେତେଟା ପାଇଁ ସେ ଆଉ ବିକ୍ରି ହେଉ ନ ଥିଲା କାହା ପାଖରେ । ସାରା ଜୀବନ ପାଇଁ ସେ କାହାର ବେଠି ଖଟିବା ପାଇଁ ଲେଖି ଦେଉ ନ ଥିଲା ହାତକାଟି ।

 

ଶଙ୍କର୍ଷଣକୁ କୁହାଯାଇଥିଲା ଯେଉଁଦିନ ଚାହିଁବ ଘରକୁ ଯିବ । ଯେବେ କହିଲେ ତାକୁ ଛୁଟି ମିଳିବ । ଦଶଟାରୁ ସେ ଆସିବ ଅଫିସ । ପାଞ୍ଚଟାରେ ଛୁଟି । ତା’ପରେ ଯାହା ଇଚ୍ଛା ତାହା କରିବ ଶଙ୍କରା ।

 

ଗଧଟି ଘୋଡ଼ା ପାଲଟିବା ମାତ୍ରେ ଖୁସି ହୋଇଗଲା ଅନେକ । ଘୋଡ଼ା ପରି ଡେଇଁବ । ମନଇଚ୍ଛା ଯୁଆଡ଼େ ନାହିଁ ସିଆଡ଼େ ବୁଲିବ । ତାକୁ ଆଉ ବସ୍ତା ବସ୍ତା ମାଲ ବୋହିବାକୁ ପଡ଼ିବନି । କାହାଠାରୁ ଶୁଣିବାକୁ ପଡ଼ିବନି ହେଇରେ ଗଧଟା ।

 

ସ୍ୱପ୍ନେଇ ଯାଇଥିଲା ଶଙ୍କରା । କାମାକ୍ଷାଦେବୀଙ୍କ କାଉଁରୀ ମନ୍ତ୍ର ଛୁଆଁ ଯିବନି ତାକୁ । ଆସାମର କେଉଁ ଖାଦାନରେ କାମ କରିବାକୁ ହେବନି ବର୍ଷ ବର୍ଷ ଧରି । ବାପ ଗୋସାପ ଅମଳର ପରାମ୍ପରାକୁ ମାନି ବର୍ଷ ବର୍ଷ ଧରି ଘର ସହ ସମ୍ପର୍କ ତୁଟାଇବାକୁ ପଡ଼ିବନି । କାମ କରିନପାରିଲେ କେହି ପିଟିବେନି ବେତରେ । ଘରକୁ ଚିଠି ଖଣ୍ଡିଏ ଲେଖିଲେ ଛଡ଼ାଇ ନିଆଯିବନି କାଗଜ । ଖରା ବର୍ଷା, ସୁସ୍ଥ ଅସୁସ୍ଥ, ଦିନରାତି ସବୁବେଳେ ଖଟିବାକୁ ପଡ଼ିବନି ତାକୁ ।

 

ସ୍ୱପ୍ନ ସବୁ ସ୍ୱପ୍ନ ହେଉଥିଲା । ଘରମାଲିକ ଆଦେଶ ଦେଉଥିଲେ ଶଙ୍କରାକୁ । ଗଧ ଉପରେ ଚାଉଳ ଲଦି ମାର୍କେଟକୁ ଯାଆ । ଗ୍ୟାସ ସିଲିଣ୍ଡର ଆଣିବା ପାଇଁ ଗଧକୁ ନେଇଯା ସାଙ୍ଗରେ । ମାର୍କେଟିଂ ସାରି ସବୁ ଜିନିଷ ଗଧ ଉପରେ ରଖି ଆଣିବୁ ।

 

ବିନୀତ ହୋଇ କହୁଥିଲା ଶଙ୍କର୍ଷଣ । ଆଜ୍ଞା, ଗଧଟା ତ ଘୋଡ଼ା ହୋଇଯାଇଛି । ତା’ ଉପରେ ଆଉ ମାଲ ଲଦି ହେବ ନାହିଁ ।

 

ଖୁବ୍ ଜୋରରେ ହସି ଦେଉଥିଲେ ଘରମାଲିକ । ଗଧଟା ପୁଣି ଘୋଡ଼ା ହୋଇଗଲା ତୁ ଆଖିରେ ଏଣିକି ଚଷମା ଲଗା ଶଙ୍କରା ।

 

ସତ କହୁଛି ଆଜ୍ଞା, ଗଧଟା ଘୋଡ଼ା ପାଲଟି ଯାଇଛି । ତା’ ଉପରେ ଆଉ ମାଲ ବୋହି ହେବ ନାହିଁ ।

 

ଭାକ୍ । ଜୋରରେ ପାଟି କରିଲେ ମାଲିକ । ଯାହା କହିଲି ସେୟା କର । ମତେ କ’ଣ ତୁ ଏଠି ପାଠ ପଢ଼େଇବାକୁ ଆସିଛୁ ।

 

ଶଙ୍କର୍ଷଣ ମାନିଗଲା ସବୁ । ଚାଉଳ ନେଇ ମାର୍କେଟ ଗଲା । ଦୋକାନରେ ବଦଳେଇ ଭଲ ଚାଉଳ ଆଣିଲା । ଗ୍ୟାସ ପାଇଁ ଡିଲର ପାଖକୁ ଗଲା । ତା’ପରେ ସବୁଦୁନିଆ କାମରେ ସଉଦା କିଣିଲା । ଲନରେ ପାଣି ଦେଲା, ଶାଗ କିଆରୀଟେ ହାଣିଲା । ବାବୁଆଣୀଙ୍କ ହୁକୁମ, ଗାଜର ଆସିଲେ ସାଲାଡ଼ ହେବ । ପୁଣିଥରେ ମାର୍କେଟ ଗଲା ଶଙ୍କରା । ଗାଜର ଆଣିଲା ।

 

ତର ତର ହୋଇ ଅଫିସରେ ପହଞ୍ଚିଲା ବେଳକୁ ସାଢ଼େ ଏଗାର । ବଡ଼ବାବୁ କହିଲେ, ହଇରେ ଶଙ୍କରା, ଚାକିରି କରିବାକୁ ଇଚ୍ଛା ନାହିଁତ ଘରକୁ ଚାଲିଯା । ବହୁତ ଲୋକ ମିଳିବେ ଚାକିରି କରିବାକୁ । ଏମିତି ହଲି ହଲି ଆସିଲେ ଆଉ ଚଳିବନି ।

 

କହି ଆସୁଥିଲା ଶଙ୍କରା, ଡେପୁଟି ଡାଇରେକ୍ଟରଙ୍କ ଘରେ କାମ ଥିଲା । ଡେରି ହୋଇଗଲା । କିନ୍ତୁ ସାହସ ହେଲାନି ତା’ର । ଦିନେ କହିଥିଲା ବୋଲି ଘରେ ଆସି ମନଇଚ୍ଛା ଗାଳିଦେଲେ ବାବୁ । ମୋ ଘରେ କ’ଣ ଟିକିଏ କାମ କରୁଛୁ ବୋଲି ଅଫିସରେ ହାଲ୍ଲା କରୁଛୁ । ମତେ କ’ଣ ଭାବିଛୁ କିରେ । ଆଜି ଚାହିଁଲେ ନିକାଲି ଦେବି । ଟୋକା ଏନେମାର ରହିଛି । ସାହାସ ତ କିଛି କମ୍ ନୁହେଁ ।

 

ନୀରବରେ ଠିଆହେଲା ଶଙ୍କରା । ବଡ଼ବାବୁ କହିଲେ ପାନ ଆଣିଛୁ ?

 

–ଭୁଲି ଗଲି ଆଜ୍ଞା ।

 

–ଆଉ ଆସିଛୁ କୁଆଡ଼େ । ମୁହଁ ଦେଖାଇବାକୁ ! ଏଗାର ବର୍ଷ ହେଲା ଏନ.ଏମ.ଆର. ରହିଲୁଣି ଏତିକି ମନେ ରଖିପାରୁନୁ । ଯା ପଳା, ତୋର ଆଜି ଛକି ପକାଇଦେଉଛି ।

 

ଶଙ୍କିଗଲା ଶଙ୍କରା, ଦିନକର ମଜୁରୀ ଚାଲିଯିବ ତା’ର । ପଚିଶ ଟଙ୍କା କଟିଯିବ ଏ ମାସରେ । ସବୁ ପରିଶ୍ରମ ବୃଥା ହୋଇଯିବ । କାକୁସ୍ଥ ହୋଇ କହିଲା, ଯାଉଛି ଆଜ୍ଞା । ସାଙ୍ଗେ ସାଙ୍ଗେ ନେଇଆସୁଛି ।

 

ସବୁଦିନ ପରି ଚାରିଟା ଗୋପାଳ ଡିଲକ୍‌ସ ପାନ ଆଣି ବାବୁଙ୍କୁ ଧରେଇଦେଲା ଶଙ୍କରା-

 

ସୁପର ଭାଇଜର ଡାକିଲେ ଶଙ୍କରାକୁ । ଗଲୁ, ଘରେ ଚଷମାଟା ଛାଡ଼ିଆସିଲି ନେଇଆସିବୁ । ସାଇକେଲ ଛୁଟାଇ ଦେଲା ଶଙ୍କରା । ଚାରି କିଲୋମିଟର ଦୂରରେ ଥିବା ସୁପରଭାଇଜରଙ୍କ ଘରୁ ଚଷମା ଆଣିଲା ।

 

ବଡ଼ବାବୁ ପଚାରିଲେ କୁଆଡ଼େ ଯାଇଥିଲୁ । ସାର ବେଲ୍ ମାରୁଛନ୍ତି, ଶୀଘ୍ର ଯା ।

 

ଧଇଁ ସଇଁ ହୋଇ ଡେପୁଟି ଡାଇରେକ୍ଟରଙ୍କ ରୁମକୁ ଦୌଡ଼ିଲା ଶଙ୍କରା ।

 

ଗର୍ଜିଉଠିଲେ ଡେପୁଟି ଡାଇରେକ୍ଟର । ତୁମ ଗୁଡ଼ାଙ୍କୁ କିଏ ଆଣି ରଖିଥିଲା କେଜାଣି । ବେଲ୍ ମାରି ମାରି ହାତ ଦରଜ । କାହାର ଦେଖାନାହିଁ ।

 

–ସାର୍ ସୁପରଭାଇଜରଙ୍କ ଘରକୁ ଯାଇଥିଲି ଚଷମା ପାଇଁ ।

 

–ଚୋପ୍ । ତତେ ଅଫିସ ଦରମା ଦେଉଛି ନା ସୁପରଭାଇଜର । ଆସିଲା ମୋ ମୁହଁରେ ଜବାବ ଦବାକୁ ।

 

ଶୁଣ୍, ଘରୁ ଫୋନ ଆସିଛି । ଡାଲି ସରିଯାଇଛି । ମାର୍କେଟରୁ ଦୁଇ କିଲୋ ଡାଲି ନେଇଯିବୁ । ମିଲିକୁ ସ୍କୁଲରୁ ଆଣି ଘରେ ଛାଡ଼ିବୁ ।

 

ଆଜ୍ଞା, କହିଦେଇ ଦୌଡ଼ିଲା ଶଙ୍କରା ।

 

ଫେରିଲାବେଳକୁ ଦେଈ କହିଲେ, ଶଙ୍କରା । ଚାରିଟା ବେଳକୁ ଅଫିସରୁ ଆସିବୁ । ଆଜି ସିନେମା ଯିବାର ଅଛି । ଆଗରୁ ଯାଇ ଟିକେଟ୍‍ କରିବାକୁ ହେବ ।

 

ହଁ ମାରିଦେଇ ଅଫିସକୁ ଧାଇଁଲା ଶଙ୍କରା । ବଡ଼ବାବୁ ରାଗି ଉଚ୍ଛନ୍ନ । ପିଅନ ରଖି କିଛି ଲାଭ ହେଲା ନାହିଁ । ଖରାବେଳେ ଜଳଖିଆ ଟିକେ ଆଣିବା ପାଇଁ ଲୋକ ନାହାନ୍ତି । ତୁ ଘରକୁ ପଳା ଶଙ୍କରା । ତୋ ଭଳି ଲୋକ ଆମର ଦରକାର ନାହିଁ ।

 

ତଳକୁ ମୁହଁ କରି ଠିଆହେଲା ଶଙ୍କରା । ବଡ଼ବାବୁ କହିଲେ, ଘରକୁ ଗଲୁ । ଗାଈଟା ଦି’ ଦିନ ହେଲା ଖାଇନି । ଡାକ୍ତରଖାନାକୁ ନେଇଯିବୁ । ଡାକ୍ତର ଯାହା କହିବେ ଠିକ୍‍ଭାବେ ଶୁଣି ଆସିବୁ-

 

ଟାଇପିଷ୍ଟ କଥା ଯୋଡ଼ିଲେ । ଶଙ୍କରାଟା ଯୋଉ ଚାଲାଖନା, ସବୁ ଭୁଲିଯିବ । ବରଂ କୁହନ୍ତୁ ଲେଖେଇ ଆଣିବ ସବୁ ।

 

ବଡ଼ ବାବୁଙ୍କ ଘରୁ ଫେରିଲାବେଳକୁ ଚାରିଟା । ତରତରରେ ପ୍ରେସକ୍ରିପସନଟା ଧରେଇଦେଇ ବାହାରିଲା ଶଙ୍କରା ।

 

ବଡ଼ବାବୁ ଡାକିଲେ, ପଇସା ନେଇଯା ଔଷଧ ଆଣିବୁ । କାଗଜଟା ଧରେଇଦେଇ ଯାଉଛୁ କୁଆଡ଼େ । ଶଙ୍କରା ଦୌଡ଼ିଲା ଔଷଧ ପାଇଁ ।

 

ଡେପୁଟି ଡାଇରେକ୍ଟରଙ୍କ ଘରେ ପହଞ୍ଚିଲାବେଳକୁ ସାଢ଼େ ଚାରି । ଦେଈ ରାଗି ପଞ୍ଚମ । କି ଚାକରଟେ ରହିଲା ଯେ ଫିଲ୍ମ ଟିକେ ଯାଇହେଉନି । ଆଜି ଡାଡ଼ିଙ୍କୁ କହି ତାକୁ ବିଦା ନ କଲେ ହେବନି ।

 

ଶଙ୍କରା କହିଲା, ଦିଅନ୍ତୁ ଆଜ୍ଞା ଟିକଟ ଆଣିବି । ସାଢ଼େ ପାଞ୍ଚଟା ଭିତରେ ପହଞ୍ଚିଯିବି ଘରେ ।

 

–ସତ କହୁଛୁ ?

 

ହଁ ମାରିଲା ଶଙ୍କରା । ଫେରିଲା ବେଳକୁ ବାବୁଆଣୀ ରାଗି ଉଚ୍ଛନ୍ନ । ଯୁଆଡ଼େ ଯାଇଥିବୁ ତ ଯାଇଥିବୁ । ସବୁ କାମରେ ଡେରି । ଗଛଗୁଡ଼ାରେ ପାଣି ଦିଆ ହୋଇନି । ଠାକୁର ପୂଜା ହେବ । କେତେବେଳେ କ’ଣ କରିବୁ କେଜାଣି ।

 

ବାଲ୍‌ତି ଧରି ଗାର୍ଡ଼େନକୁ ଗଲା ଶଙ୍କରା । ପାଣି ଦେଇ ତରତରରେ ଆସିଲା । ଗୋଡ଼ ହାତ ଧୋଇ ଠାକୁର ପୂଜା କଲା ।

 

ଜଣେ ବାନ୍ଧବୀଙ୍କ ଘରକୁ ଶଙ୍କରାକୁ ପଠାଇଦେଲେ ବାବୁଆଣୀ । କାଲି ସନ୍ତୋଷୀମା ବ୍ରତ । ଦୀପଟିଏ ଆଣିବା ଦରକାର ।

 

ବାନ୍ଧବୀ କହିଲେ ଶଙ୍କରାକୁ । ତୁଟା ଭାରି କାମିକା । ଯେତେବେଳେ ଯାହା କହିଲେ କରିଦବୁ । ଆମ ଚାକରଟା ପରି କିଏ ହୋଇଛି । ଚାରିଦିନ ହେଲା ଘରକୁ ଯାଇଛି ଯେ ଆସିବାକୁ ନାହିଁ । ଗଲୁ ଟିକିଏ କେଇଟା ଗଛରେ ପାଣି ଦେଇଦବୁ । ମୁଁ ୟାଡ଼େ ଦୀପ ଖୋଜୁଛି ।

 

ଶଙ୍କରା ପାଣି ଦେଲା ଲନରେ । ଫୁଲଗଛରେ, ଶାଗ କିଆରୀରେ ଲଙ୍କା ତଳିରେ, ନଡ଼ିଆ ମୂଳେ, ଡ୍ରଇଁ ରୁମରେ ଥିବା ଗଛମାନଙ୍କରେ ।

 

ଦୀପ ଧରି ଘରେ ପହଞ୍ଚିଲା ବେଳକୁ ବାବୁଆଣୀ ଖପ୍‌ପା । ଅଧଘଣ୍ଟେ ହେଲା ଶାଢ଼ି ପିନ୍ଧି ଠିଆ ହୋଇଛି ମାର୍କେଟ ଯିବି ବୋଲି । ତୁ ଏତେ ଡେରି କଲୁ । ବେଗ୍ ଧର, ମାର୍କେଟ ଯିବା ।

 

ମାର୍କେଟରୁ କିଣାଗଲା ଫଳ, ପୂଜା ସାମଗ୍ରୀ, ଶାଢ଼ି ଆଉ ଆନ୍ୟାନ୍ୟ ଜିନିଷ । ବୋହି ଆଣି ସବୁକୁ ଘରେ ରଖିଲା ଶଙ୍କରା ।

 

ଘଣ୍ଟାଏ ହେଲା ଘରେ ଲାଇନ ନାହିଁ । ସମସ୍ତେ ବିରକ୍ତ ହୋଇ ବାହାରେ ବସିଛନ୍ତି । ଶଙ୍କରା ଆସିଲେ ସବଷ୍ଟେସନ ଯାଇ କମ୍ପ୍ଲେନ ଦେବ ।

 

ସବଷ୍ଟେସନରୁ ଫେରିଲାବେଳକୁ ରାତି ସାଢ଼େ ଦଶ । ସବୁ ଘରର ଶେଯକୁ ଝାଡ଼ିଲା ଶଙ୍କରା । ଠିକ୍‍ଭାବେ ବେଡ୍‍ ପକାଇ ବାବୁଆଣୀଙ୍କୁ କହିଲା, ମା ମୁଁ ଯିବି ।

 

–ଯିବୁ । ହଉ ଯା । ଶଙ୍କର୍ଷଣକୁ ଦୟା କଲେ ମା’ । କାଲି ଛଅଟା ପୂର୍ବରୁ ଆସିବୁ । ସନ୍ତୋଷୀମା ବ୍ରତ । ଘର ଧୁଆଯିବ ।

 

ସାତ କିଲୋମିଟର ଦୂରରେ ଥିବା ତା’ ବସାକୁ ସାଇକେଲ ଛୁଟାଇ ଦେଲା ଶଙ୍କରା । ହିଟରରେ ରୋଷେଇ କଲା । ଭାତ ଆଳୁଚକଟା । ଖାଇ ସାରିବା ମାତ୍ରେ ତାକୁ ନିଦ ଆସିଗଲା ।

 

ସ୍ୱପ୍ନରେ ଦେଖିଲା ଶଙ୍କରା । ଗଧଟା ଏବେ ବି ଗଧ ହୋଇ ରହିଛି । ତାକୁ କେତେଜଣ ଘୋଡ଼ା ବୋଲି ଡାକୁଛନ୍ତି । ହେଲେ ସେ ସେମିତି ଗଧ ହୋଇ ରହିଛି । ତା’ ଉପରେ ଯାହା ଲଦିଦେଲେ ବୋହି ନେଉଛି । ପଡ଼ିଆ ଯେତେ ଲମ୍ବିଥିଲେ ବି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚରିବାକୁ ତାକୁ କୁହା ହେଉଛି । ଗଧଟା ଗଧ ହୋଇ ରହିଛି ।

☆☆☆

 

ଭୂତଖାନା

 

ଆଲୁଅ ଜଳୁଛି, ପଙ୍ଖା ଘୂରୁଛି, ତୁହାକୁ ତୁହା ଚାହା ମଗା ଚାଲିଛି । ସିଗାରେଟ ଧୂଆଁରେ ପୂରିଯାଇଛି ଘର । ଘୋ ଘୋ ଶବ୍ଦରେ କାନରୁ ଅତଡ଼ା ଖସୁଛି । ଅଥଚ ଲୋକଟିଏ ଦେଖିବାକୁ ମିଳୁନି କେଉଁଠି ।

 

ସନମ ଦେଖୁଛି, ଚଟାଣ ଉପରେ ଭୂତ । ରାକ୍‍ ଥାକରେ ଭୂତ । ଟେବୁଲ ଉପରେ ଭୂତ-। ଚେୟାର ଉପରେ ଭୂତ । ଯେମିତି ଭୂତମୟ ହୋଇଯାଇଛି ସମଗ୍ର ପରିବେଶ ।

 

ଫିତାବନ୍ଧା କାଗଜ ଥାକ ଧରି ବୁଲୁଛି ସନମ । ଟାଇପକରା କାଗଜ କିଛି ଗୁଡ଼ାଯାଇଛି ନାଲି ରିବନରେ ।

 

ଭୂତଟିଏ ବଢ଼େଇ ଦେଉଛି ହାତ । ଦେଖୁଛି ସନମ । ଆଖି ଅଛି ଭୂତର । କାନ ଅଛି, ହାତ ଅଛି, ଅଛି ଗୋଡ଼ । ଖୁବ୍ ସୁନ୍ଦର ପାଟିଟିଏ ବି ଅଛି । ଅଥଚ ମୁଣ୍ଡଟା ଦିଶୁନି ଆଦୌ । ଆଖି ପତା ଉପରୁ କପାଳଟା ଅନ୍ତର୍ଦ୍ଧାନ ହୋଇଯାଇଛି ଯେମିତି ।

 

ଭୟରେ ଶୀତେଇ ଉଠୁଛି ସନମର ଦେହ । ଥରି ଯାଉଛି ହାତ । ଡରି ଡରି ଭୂତ ହାତକୁ ବଢ଼େଇ ଦେଉଛି ନଥି । ନେହୁରା ହୋଇ କହୁଛି ବାପା ଗଲାଦିନୁ ଅନାଥ ହୋଇ ପଡ଼ିଛୁ ଆମେ । ଭଉଣୀଟା ବାହା ହୋଇପାରୁନି । ପଇସା ନାହିଁ ମା’ପାଇଁ ଔଷଧ କିଣିବାକୁ । ଟିକେ ଦୟା କରିବେ ଆଜ୍ଞା ।

 

ଆପେ ଆପେ ବନ୍ଦ ହୋଇଯାଉଛି ଭୂତର କାନ । ପରଦା ପଡ଼ିଯାଉଛି ସ୍ୱୟଂଚାଳିତ ଭାବେ ।

 

ନଥିପତ୍ର ଖୋଲୁଛି ଭୂତ । ଖେଳେଇ ପକାଉଛି କାଗଜପତ୍ର । ଦି’ଧାଡ଼ି ଲେଖି ଦେଉଛି କଲମରେ । ପୁଣିଥରେ ବାନ୍ଧି ଦେଉଛି ନାଲି ରିବନ । ଠାରି ଦେଉଛି ଅନ୍ୟ ଏକ ଭୂତ ଆଡ଼େ ।

 

ନଥିକୁ ଧରୁଛି ସନମ । ପହଞ୍ଚି ଯାଉଛି ଅପେକ୍ଷାକୃତ ବଡ଼ ଦେଖା ଯାଉଥିବା ଭୂତ ପାଖରେ । ନଥିପତ୍ର ଥୋଇଦେଉଛି । ଗୋଡ଼ତଳେ ପଡ଼ି ମୁଣ୍ଡିଆ ମାରୁଛି ।

 

ଆପେ ଆପେ ବନ୍ଦ ହୋଇଯାଉଛି ବଡ଼ ଭୂତର ଆଖି । ସନମର ନିଉନ ଭାବ ଦେଖାଯାଉନି ତାକୁ । ବୃଥା ହୋଇଯାଉଛି ତା’ର ଗୋଡ଼ ତଳେ ପଡ଼ିବା ।

 

ଏପଟ ସେପଟ ବୁଲୁଛି ସନମ । ଚାରିଆଡ଼କୁ ଦେଖୁଛି । ତଳକୁ ଆସି ସାଇକେଲ ଷ୍ଟାଣ୍ଡ ପାଖରେ ଠିଆହେଉଛି । ଚାହା ଦୋକାନରୁ ଗିଲାସେ ପାଣି ମାଗି ପିଉଛି ।

 

ବିତିଯାଉଛି ଦିନ ପରେ ଦିନ । ଘୋରି ହୋଇଯାଇଛି ସନମର ଚପଲ । ମଇଳା ହେଉଛି ଜାମା ପ୍ୟାଣ୍ଟ । ଦାଢ଼ି ସବୁ ଭର୍ତ୍ତି ହୋଇଯାଉଛି ମୁହଁରେ । ବଡ଼ ଭୂତ ସାମ୍‌ନାରେ ହାତଯୋଡ଼ି ସନମ କହୁଛି ବାପା ମୋର କାମ କରୁଥିଲେ ଏଇଠି । ଆପଣଙ୍କ ପରି ନିଜକୁ ହଜେଇ ଦେଇଥିଲେ ନଥିପତ୍ର ଭିତରେ । ଏଇ ଚେୟାରରେ ବସୁଥିଲେ ।

 

ସନମକୁ ଆଖି ଟେକି ଅନୋଉଛି ବଡ଼ ଭୂତ । ଶୁଖିଲା ଓଠରେ ଜିଭ ବୁଲେଇ ଆଣୁଛି ସନମ । ସାହସ ବାନ୍ଧି କହୁଛି ଆପଣ ସେଦିନ ଆମ ଘରକୁ ଯାଇ ନ ଥିଲେ ? ବାପାଙ୍କ ଶବ ଉପରେ ଫୁଲତୋଡ଼ା ଦେଲାବେଳେ କାନ୍ଦି ପକେଇ ନ ଥିଲେ ଆପଣ ।

 

ଗମ୍ଭୀର ହୋଇ ମୁଣ୍ଡ ହଲୋଉଛି ବଡ଼ ଭୂତ । ନଥିଖୋଲି ଲେଖି ଦେଉଛି କ’ଣ । କୃତ୍ୟ କୃତ୍ୟ ହୋଇ ଫେରି ଆସୁଛି ସନମ ।

 

ସନମ ଦେଖିଛି, ଖଣ୍ଡିଆ ଭୂତ ନେଇଯାଉଛି ନଥି । ଲୁହାର ପାଚେରୀ ସେପଟେ ରଖିଦେଇ ଆସୁଛି । ଦିନସାରା ଏପଟ ସେପଟ ହେଉଛି ଖଣ୍ଡିଆ ଭୂତ । ଆଖି ନାହିଁ, ଦେଖିପାରୁନି କିଛି । କାନ ନାହିଁ ଶୁଣିପାରୁନି । ମୁହଁ ନାହିଁ କହିବାକୁ କଥା । ମୁଣ୍ଡ ତ ଦିଶୁନି ଆଦୌ । ହାତଗୋଡ଼ ଚାରିଟାକୁ ଧରି ବଞ୍ଚିଛି ଖଣ୍ଡିଆ ଭୂତ ।

 

ଲୁହାର ପାଚେରୀ ଏପଟେ ଅପେକ୍ଷା କରିଛି ସନମ । ଖବର ମିଳିଛି ଶେଷ ଅବସ୍ଥା ପହଞ୍ଚି ଯାଇଛି ତା’ ମା’ର । ଦୁଃଖରେ ପାଗଳ ହେବାକୁ ବସିଲାଣି ଅଣତିରିଶ ବର୍ଷର ଭଉଣୀ ।

 

ସନମ ଭାବୁଛି ଠେଲିଦେବ ପାଚେରୀ । ଲୁହାର କବାଟ ଭାଙ୍ଗି ଭିତରେ ପଶିବ । ବୁଝିଆସିବ ତା’ ନଥି ବିଷୟରେ । ତା’ ମା’ ଆଉ ଭଉଣୀର ଭାଗ୍ୟ ବିଷୟରେ । କିନ୍ତୁ ଅଟକେଇ ଦେଉଛି ଖଣ୍ଡିଆ ଭୂତ । ପ୍ରତିଥର ଠେଲି ଦେଉଛି ସନମକୁ । ଏକା ଶକ୍ତ ଧକ୍‌କା ପାଇ ଫେରି ଆସୁଛି ସେ ।

 

ଭୂତଖାନା ମଝିରେ ଠିଆହୋଇ ସନମ କହୁଛି, ମୋର ଚାକିରି ନହେଲା ନାହିଁ । ବାପାଙ୍କ ଗ୍ରାଚୁଇଟି ଟଙ୍କାଟା ଦିଅ । ଆମ ପରିବାର ପେନ୍‌ସନ ପାଇବାର ବ୍ୟବସ୍ଥା କରିଦିଅ । ତୁମମାନଙ୍କ ସହିତ ଏତେ ବର୍ଷ କାମ କଲେ ବାପା । ସରକାରୀ କାମରେ ଯାଇ ପ୍ରାଣ ହରାଇଲେ । ଏତିକି ସାହାଯ୍ୟ କରିପାରିବେନି ତାଙ୍କ ପରିବାରକୁ ।

 

କାନସବୁ ବନ୍ଦ ହୋଇଯାଉଛି ଭୂତମାନଙ୍କର । ନଥିପତ୍ର ଭିତରେ ମିଳେଇ ଯାଉଛି ଶବ୍ଦ-

 

ଏମିତି ଦିନେ ସୁଯୋଗ ମିଳିଯାଉଛି ସନମକୁ । ନଥି ବିଡ଼ାଏ ଧରି କୁଆଡ଼େ ଯାଇଛି ଖଣ୍ଡିଆଭୂତ । କାହାର ନିଜର ନାହିଁ ପାଚେରୀ ଆଡ଼େ । ଛପି ଛପି ସନମ ଠେଲି ଦେଉଛି ପାଚେରୀ-। ଏକା ଖେପାକେ ପଶିଯାଉଛି ଭିତରେ ।

 

ଦିଶିଯାଉଛି ତାକୁ । ଲୁହାର ପାଚେରୀ ଭିତରେ ବନ୍ଦ ହୋଇଛି ଘର । ମଝିରେ ବସିଛି ହାକିମ ଭୂତ । ହାତ ନାହିଁ କି ଗୋଡ଼ ନାହିଁ ଖାଲି ମୁଣ୍ଡଟା ଉପରେ ରହିଛି ତା’ର ।

 

ତଳେ ମୁଣ୍ଡ ଲଗେଇ ଜୁହାର ହେଉଛି ସନମ । ଲୁହାର ପାଚରୀଟିଏ ପଡ଼ିଯାଉଛି ସନମ ଓ ହାକିମ ଭୂତ ମଝିରେ ।

 

ଆଗରୁ ଘୋଷିଥିଲା ପରି ସନମ କହୁଛି, ମାଗୁଣି ମହାପାତ୍ରଙ୍କ ବଡ଼ ପୁଅ ମୁଁ । ମୋ ଦରଖାସ୍ତଟା ଅଛି ଆପଣଙ୍କ ପାଖରେ ।

 

ଖୋଲି ଯାଉଛି ହାକିମ ଭୂତର ମୁହଁ । ଆହା ବିଚରା ମହାପାତ୍ରେ ଚାଲିଗଲେ ରାସ୍ତା ଦୁର୍ଘଟଣାରେ । ଆଉରି ସାତ ବର୍ଷ ଚାକିରି ଥିଲା ତାଙ୍କର । ନିୟମ ଅନୁସାରେ ତୁମକୁ ଚାକିରି ଦେବା କଥା ସରକାର ।

 

ସାହସ ପାଉଛି ସନମ । କହୁଛି, ସେଇଥିପାଇଁ ତ ବର୍ଷେ ହେଲା ଦଉଡ଼ୁଛି ଆଜ୍ଞା । ଗ୍ରାଚ୍ୟୁଇଟି, ପେନସନ କିଛି ମିଳିନି । ଖାଇବାକୁ ଗଣ୍ଡେ ମିଳୁନି ଆମକୁ । ଟିକେ ଦୟା କରନ୍ତୁ, ଆଜ୍ଞା-

 

ହଉ ଯାଅ । ସାତ ଦିନ ଭିତରେ ସବୁ ପାଉଣା ପହଞ୍ଚିଯିବ ତୁମ ଘରେ । ତୁମକୁ ଚାକିରି ମିଳିବ ଯୋଗ୍ୟତା ଅନୁସାରେ ।

 

ସାତଦିନ ଯାଉଛି, ବିତିଯାଉଛି ସାତ ମାସ । ସମାଧାନ ହେଉନି ସନମର ସମସ୍ୟା । ଆଗଭଳି ଭୂତଖାନା ଆସୁଛି ସେ । ଭୂତମାନଙ୍କୁ ଗୁହାରି କରୁଛି ପୁଣିଥରେ ।

 

ସନମ ଆଖି ସାମ୍‌ନାରେ ଘଟିଯାଉଛି ଗୋଟା ଗୋଟା ଅବିଶ୍ଵାସ୍ୟ ଘଟଣା । ଦେହାନ୍ତ ହୋଇଛି ତା’ ମା’ର । ସଙ୍ଗା ବାଉଁଶରେ ରଶି ଲଗେଇ ଆତ୍ମହତ୍ୟା କରିଛି ତା’ ଭଉଣୀ ।

 

ମୁଣ୍ଡ ଭିତରେ ସବୁ ଗୋଳମାଳ ହୋଇଯାଇଛି ସନମର । ଖୁବ୍ ଅସହାୟ ଲାଗୁଛି ତାକୁ-। ଅନୁଭବ କରୁଛି ସେ, ଯେମିତି ଏକା ଏକା ହୋଇଯାଇଛି ସାରା ଦୁନିଆରେ ।

 

ଦାନ୍ତ ଉପରେ ଦାନ୍ତ ଜାବି ଦେଉଛି ସନମ । ବଡ଼ ବଡ଼ କରି ଦେଉଛି ଆଖିଡୋଳା । ଗୋଟିଏ କାନ୍ଧରେ ଉଠୋଉଛି ମା’ର ଶବ, ଆର କାନ୍ଧରେ ଭଉଣୀର ଦେହ । ଧଇଁ ସଇଁ ହୋଇ ଭୂତଖାନା ଯାଉଛି ସନମ, ଭୂତମାନଙ୍କ ଭିତରେ କଚାଡ଼ି ଦେଉଛି ଶବ ଦି’ଟା । ପାଟିକରି କହୁଛି, ଦେଖ । ତୁମେ ଘଟାଇ ପାରୁଥିବା ଘଟଣାକୁ ଦେଖ । ନଥିପତ୍ର ଭିତରେ ହଜିଯାଇଥିବା ତୁମମାନଙ୍କ କାମର ଫଳାଫଳ ଦେଖ । ଆହୁରି ଗଦା ଗଦା ସଜାଡ଼ି ଦିଅ ନଥି । ନାଲି ରିବନରେ ଭଲଭାବେ ବାନ୍ଧିଦିଅ ତାକୁ । ଆଖି କାନ ବନ୍ଦ କରି ହଜିଯାଅ ତାରି ଭିତରେ । ପ୍ରତିଦିନ ଗୋଟିଏ ମା’କୁ ମାର । ଗୋଟିଏ ଭଉଣୀକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କର । ଭୂତମୟ କରିଦିଅ ସାରା ଦେଶଟାକୁ ।

 

ନଥି ଭିତରୁ ମୁଣ୍ଡ ଉଠାଉଛନ୍ତି ଭୂତମାନେ । ଦେଖୁଛନ୍ତି ସାମ୍‌ନାରେ ପଡ଼ିଥିବା ଶବକୁ । ସନମର ପାଗଳାମୀକୁ ଦେଖି ଫେଁ କିନା ହସି ଦେଉଛନ୍ତି ସେମାନେ । ପୁଣିଥରେ ମୁହଁ ମାଡ଼ି ଦେଉଛନ୍ତି ନଥିପତ୍ର ଭିତରେ ।

☆☆☆

 

ଖଣ୍ଡାଧାରରେ ଜୀବନ

 

ଡମ୍-ଡମ୍-ଡମ୍ । ଡମ୍ବରୁ ବାଜିବା ସହିତ ଦଳ ଦଳ ଲୋକ ଜମାହୋଇ ପଡ଼ୁଛନ୍ତି ରାସ୍ତା ଉପରେ । ଇଏ ରାଜସ୍ଥାନର ଥର୍ ମରୁଭୂମି ନୁହେଁ, ଆଫ୍ରିକାର ଘଞ୍ଚ ଅରଣ୍ୟାନୀ ନୁହେଁ, ସାଇବେରିଆର ବିସ୍ତୀର୍ଣ୍ଣ ପ୍ରାନ୍ତର ନୁହେଁ କି ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର କଥା ନୁହେଁ ଯେ ଲୋକଟିଏ ମିଳିଯିବା ମୁସ୍କିଲ ହୋଇଯିବ । ଇଏ ହେଉଛି ଆମ ଓଡ଼ିଶାର ଏକ ଜନବହୁଳ ସହର-ଖୋଦ ରାଜଧାନୀ । ଏଠି ଛୁଞ୍ଚି ପଡ଼ିଲେ ଆଟମବମ୍ ପରି ଶବ୍ଦ ହୁଏ । ପାଗଳଟିଏ ମଲେ ସମ୍ବାଦପତ୍ରରେ ଚାଞ୍ଚଲ୍ୟକର ବିବୃତି ବାହାରେ ତିନି ସପ୍ତାହ ବ୍ୟାପି । ରାସ୍ତା ଉପରେ ରିକ୍‌ସା ଓଲଟିଗଲେ ଓଲଟିଯାଏ ରାଜ୍ୟର ରାଜନୀତି ।

 

ସେମିତି ସହରରେ ରାସ୍ତାକଡ଼ରେ କ’ଣ ଗୋଟାଏ ଘଟିଯିବା ସତ୍ତ୍ୱେ ଲୋକେ ରୁଣ୍ଡ ହେବେନି ଇଏ କୋଉ କଥା । ଅବଶ୍ୟ ଏମିତି ଗୋଟାଏ ଘଟଣା ଦେଖିବାକୁ ସମସ୍ତଙ୍କର ଇଚ୍ଛା ନ ଥାଏ । ତା’ବୋଲି ଗଲା ଆସିଲା ବେଳେ, ମାର୍କେଟିଂ କରି ଫେରିଲା ସମୟରେ ଜନଗହଳି ଦେଖିଲେ କିଏ କାହିଁକି ନିମିଷେ ଅଟକି ଘଟଣାଟା ଭଲଭାବେ ଜାଣିବାକୁ ଇଚ୍ଛା ନ କରିବ ଯେ !

 

ଲୋକେ ଆସୁଛନ୍ତି, ଜନଗହଳି ଠେଲି ବଡ଼ କଷ୍ଟରେ ଭିତରେ ପଶୁଛନ୍ତି । କେତେକ ଠିଆହୋଇ ଦେଖୁଛନ୍ତି । କେତେକ ବି ଅବଜ୍ଞା ସୂଚକ ମନ୍ତବ୍ୟ ଦେଇ ଚାଲି ଯାଉଛନ୍ତି ତାଙ୍କ କାମରେ । ଡମ୍ବରୁ ବଜାଉଥିବା ଲୋକଟା କିନ୍ତୁ କାହା କଥା କାନକୁ ନ ନେଇ ସେମିତି ଡମ୍ବରୁ ବଜାଉଛି । ବଡ଼ ପାଟି କରି କ’ଣ ଗୁଡ଼ାଏ ବୁଝି ନ ହେଲା ପରି ମନ୍ତ୍ର ପଢ଼ୁଛି । ଅଣ୍ଟା ନଚେଇ ବାହା ଦୋହଲାଇ ବୁଲି ଆସୁଛି ଲୋକମାନଙ୍କ ସାମ୍ନାରେ । ହାଡ଼ ଦୁଇଟା ଠକ୍ ଠକ୍ କରି ବାଡ଼ୋଉଛି । ମଣିଷ ଖପୁରିଟାକୁ ଫୁଙ୍କି ଗୁଣୁ ଗୁଣୁ ସ୍ୱରରେ କିଛି କହୁଛି।

 

ପିଲାଏ ତାଳି ମାରୁଛନ୍ତି ଦେଖି ସେ ଖୁସି ହେଉଛି । ନୂଆ ଉତ୍ସାହରେ ମାଡ଼ିଯାଇ ଚୋବେଇ ଦେଉଛି ନାଲି ରଙ୍ଗର ରିବନ୍ । ପାଟିରୁ ବାହାର କରୁଛି ବ୍ଲେଡ୍‍ର ଲମ୍ବା ହାରଟିଏ । ଗୋଟେ ଡବାରେ କଞ୍ଚା ଗୋବର ରଖି ଫୁଲହାର କାଢ଼ୁଛି । ଖାଲି ହାତରୁ ସୃଷ୍ଟି କରୁଛି ବିଡ଼ା ବିଡ଼ା ନୋଟ୍, ଲଡ଼ୁ, ତାସ୍‍ । ବାଃ, କି ଚମତ୍କାର ଏ ଦୃଶ୍ୟ !

 

ପିଲା କ’ଣ ବୟସ୍କମାନେ ବି ପ୍ରଶଂସା କଲେଣି ଏଥର । କୋଡ଼ିଏ-ବାଇଶ ବର୍ଷର ପିଲାଟା ଏତେ ସାଧନା କଲାଣି ଆଜିଠୁ, ବଡ଼ ହେଲେ ବିଖ୍ୟାତ ଯାଦୁକର ହେବ ଇଏ ।

 

ଯାଦୁକର କାନେଇ ରହୁଛି ଏ କଥାକୁ । ଆଉ କିଏ କ’ଣ କହିଲା କି ତାକୁ । ପ୍ରଶଂସା କଲା କି ତା’ର କେଉଁ ନୂଆ ଖେଳକୁ ଦେଖି । ସେ ଆଉ ଅଧିକ କ’ଣ ଚାହେଁ ଯେ ! ସେଇ ପ୍ରଶଂସା ଟିକକ ପାଇଁ ତ ଆଜି ଯାଦୁକର ସାଜିଛି । କେତେ ମାଡ଼ ଖାଇଛି । ଭୋକ ଉପାସରେ ବିତେଇ ଦେଇଛି ରାତି ରାତି । କିନ୍ତୁ ତା’ ମ୍ୟାଜିକକୁ ଛାଡ଼ିପାରିନି କେବେ ।

 

ପିଲାଦିନୁ ଯାଦୁବିଦ୍ୟା ପ୍ରତି ତା’ର ଟିକେ ଭିନ୍ନ ଆକର୍ଷଣ ଥିଲା । କଉଡ଼ି, ତାସ୍‍, ଖପରା, ତେନ୍ତୁଳି ମଞ୍ଜିରେ ମେଜିକ୍ କରି ଭୁଲେଇ ଦେଉଥିଲା ସାଙ୍ଗସାଥୀମାନଙ୍କୁ । ସମସ୍ତେ କହିଲେ ଇଏ ଗୋଟେ ବଡ଼ ଯାଦୁକର ହେବ । ପି.ସି. ସରକାରଙ୍କୁ ବି ବଳିଯିବ ବଡ଼ ହେଲେ । ସେଇଦିନରୁ ତା’ ମୁଣ୍ଡରେ ବସା ବାନ୍ଧିଛି ମ୍ୟାଜିକବାଲା ହେବ । ସମସ୍ତଙ୍କୁ ଟପି ନାଁ କରିବ ଏ ଦେଶରେ ।

 

ବାପା ବୁଝାଇଲେ ବାବୁରେ, ମ୍ୟାଜିକ ବାଲାର ଜୀବନ ଗୋଟେ ଜଳନ୍ତା ଧୂପକାଠିର ଜୀବନ । ଦଳେ ସ୍ୱାର୍ଥସର୍ବସ୍ୱ ଲୋକଙ୍କ ମନର ଆଶା ମେଣ୍ଟାଇବାକୁ ଯାଇ ଜଳି ଜଳି ନିଃଶେଷ ହେବାର ଜୀବନ । ପାଖରେ ଡାଆଣୀ ଭୂତ, ସାମ୍‌ନାରେ ଶହ ଶହ ଦର୍ଶକ । କେତେବେଳେ କୋଉ କଥା । ତୁ ଆମର ସେ ଅଡ଼ୁଆକୁ ଯିବୁ ନାହିଁ ।

 

ପୁଅ କହିଲା ବାପାମ, ଆଈ ତ କହୁଥିଲା ମ୍ୟାଜିକବାଲା ହେଲେ ସବୁ କିଛି କରିପାରେ ମଣିଷ । ଭୂତକୁ ପେଡ଼ିରେ ରଖି ନଚାଇବା, ବୁଢ଼ୀ ଅସୁରୁଣୀକୁ ମାରି ସୁନାଫରୁଆ ଆଣିବା, ମର୍କଟା ରାକ୍ଷସ ମୁଣ୍ଡରୁ ରୂପାବାଳ ଓପାଡ଼ି ତା’ ଜୀବନ ନାଟିକା ଶେଷ କରିବା, ଅଗନାଗ୍ନି ବନସ୍ତରେ ବନ୍ଦୀ ହୋଇଥିବା ଦିବ୍ୟ ସୁନ୍ଦରୀ ରାଜକନ୍ୟାକୁ ବାହାହେବା, ସବୁ କିଛି ମ୍ୟାଜିକ ବାଲା ହିଁ କରିପାରେ । ତୁମେ ଜମାରୁ ଜାଣିନ ବାପା, ମ୍ୟାଜିକବାଲା ମଣିଷ ନୁହେଁ, ସ୍ୱୟଂ ଭଗବାନ । ଆଈ କହିଛି ମୁଁ ମ୍ୟାଜିକବାଲା ହେବି ।

 

ଲାଲ ଆଖି ଦେଖାଇ ବାପା କହିଲେ, ମୁଁ ତ କହିଲି ତୁ ଏ ମେଜିକି ଫେଜିକି କୋଉଥିରେ ମୁଣ୍ଡ ପୂରାନା । ପାଠପଢ଼୍, ଚାକିରି କରିବୁ । ଏ ମେଜିକିରେ କ’ଣ ଅଛି । ସମସ୍ତେ ସିନା କହନ୍ତି ମ୍ୟାଜିକବାଲା ହେବା ଭଲ, କିନ୍ତୁ କହିଲୁ ଦେଖି କିଏ ତା’ ନିଜ ପୁଅକୁ ମ୍ୟାଜିକବାଲା ହେବାକୁ କହିଲାଣି ?

 

ଏଥର ନିରାଶ ହୋଇ ମା’ ପାଖକୁ ଗଲା ପିଲାଟି । ମା’ କହିଲେ ବାପାରେ ତୁ ଆମର ସୁନାପିଲା । ପାଠ ପଢ଼ିବୁ । ହାକିମ ହବୁ । ଏ ମେଜିକ କରିବା ବଡ଼ କଷ୍ଟ କାମ । ଏଥି ପାଇଁ କୋଉ ମଶାଣି ପଦାରେ ବୁଲି ହାଡ଼ ଆଣିବାକୁ ହୁଏ । ନିଜ ହାତରୁ ରକ୍ତ ଦେଇ ଶାନ୍ତି କରିବାକୁ ପଡ଼େ ଚଣ୍ଡୀଚାମୁଣ୍ଡାମାନଙ୍କୁ । ଦରକାର ପଡ଼ିଲେ ବଳି ଦେଇ ତନ୍ତ୍ର ସାଧନା କରିବାକୁ ହୁଏ । ତୁ ଆମର କେତେ ଡରକୁଳା । ଏସବୁ କାମ ତୁ କରିପାରିବୁ କୋଉଠି ମେଜିକବାଲା ହବୁ । ବରଂ ପାଠ ପଢ଼ି ଅଫିସର ହେଲେ ତୋତେ କେତେ ମେଜିକବାଲା ସଲାମ ମାରିବେ ।

 

ପୁଅର କିନ୍ତୁ ଏକା ଜିଦ୍ ସେ ମ୍ୟାଜିକବାଲା ହେବ । ମା’କୁ ବୁଝାଇବାକୁ ଯାଇ କହିଲା, ତୁ ଜମା ବୁଝିପାରୁନୁ ବୋଉ । କହିଲୁ ଦେଖି ଜଣେ ଅଫିସରକୁ ବେଶି ଲୋକ ପ୍ରଶଂସା କରନ୍ତି ନା ଜଣେ ମ୍ୟାଜିକବାଲାକୁ । ପି.ସି. ସରକାରଙ୍କୁ କିଏ ନ ଜାଣେ କହିଲୁ ! ହାକିମ ସିନା ତା’ ଅଫିସରେ ହୁକୁମ ଦେଇ ପାରେ, କିନ୍ତୁ ମ୍ୟାଜିକବାଲା ହେଲେ ସାରା ପୃଥିବୀରେ ହୁକୁମ ଦେଇ ହୁଏ ।

 

ହାତରେ ଥାକେ ଖାତା ଧରି କଲେଜରୁ ଫେରୁଥିଲେ ତା’ ବଡ଼ ଭାଇ । ପିଲାଟାର କାନ ମୋଡ଼ି ଦେଇ କେହିଲେ, କେବେଠୁ ତୁ ଏମିତି ମ୍ୟାଜିକବାଲା ହେଲୁଣୁ । ଭାରି ତ ବଡ଼ ବଡ଼ କଥା କହୁଛୁ ବୋଉ ପାଖରେ । ଜାଣିଛୁ, ମ୍ୟାଜିକବାଲାକୁ ଲୋକେ ପ୍ରଶଂସା କରନ୍ତି ଖାଲି ଉପରେ ଉପରେ ! ପ୍ରଶଂସା କରିବା ପାଇଁ ଯଦି ପଇସା ପଡ଼ୁଥାନ୍ତା, ଦେଖନ୍ତୁ କେତେଜଣ ପ୍ରଶଂସା କରନ୍ତେ ତାକୁ ।

 

ମ୍ୟାଜିକବାଲା ଆଜି ହିଁ ବୁଝୁଛି ତା’ ଭାଇର କଥା । ଅନେକ ସମୟରେ ଲୋକେ ପ୍ରଶଂସା କରନ୍ତି ସେଥିରେ ଆନ୍ତରିକତା ନ ଥାଏ । ନିନ୍ଦା କରନ୍ତି ତାହା ତାଙ୍କ ଅନ୍ତରର ଭାଷା ନୁହେଁ-। ଯେତେ ସହଜ ଭାବେ ଜଣେ ଅନ୍ୟ ଉପରେ ମନ୍ତବ୍ୟ ଦିଏ ସେମିତି ସହଜ ଭାବେ ତାକୁ ଗ୍ରହଣ କରିନେଲେ ଅନ୍ତତଃ ଅନେକ ଦୁଃଖରୁ ରକ୍ଷା ପାଇଯାଆନ୍ତା ମଣିଷ ।

 

ବିଚରା ମ୍ୟାଜିକବାଲା ଦୁଇ ଚାରି ଟଙ୍କା ରୋଜଗାର କରୁଛି ରାସ୍ତା ଉପରୁ । ପେଟପୂରା ଖାଇବାକୁ ପାଉନି ବୋଲି ଅନ୍ତଃ ଫଟେଇ ଉବୁକି ଆସୁଛି ଭୋକ । ପଇସା ବିନା ସାଜ ସରଞ୍ଜାମ କିଣି ପାରୁନି ବୋଲି ସକ୍ଷମ ହେଉନି ନୂଆ ଖେଳ ଦେଖାଇବାକୁ ।

 

ପିଲା ଦିନର ସବୁ ବଡ଼ ବଡ଼ ଆଶା, ଭାରତ ପ୍ରସିଦ୍ଧ ଯାଦୁକର ହେବାର ନିଶା କୁଆଡ଼େ ସ୍ୱପ୍ନ ହୋଇଗଲାଣି ଆଜି । ସବୁ ଚେଷ୍ଟା, ଅଧ୍ୟବସାୟ, ନିଷ୍ଠା ଯେମିତି ବନ୍ଦୀ ହୋଇଛି ପେଟ ଚାଖଣ୍ଡକର ଦାବି ପୂରଣ କରିବା ପାଇଁ । ୟା ସତ୍ତ୍ୱେ ବି ଯାଦୁବିଦ୍ୟା ଛାଡ଼ିପାରୁନି ଯାଦୁକର । ତା’ର ଭୟ ହେଉଛି ସଂଗ୍ରାମ କରିପାରିବନି ଦୈନନ୍ଦିନ ଜୀବନରେ । ଏଠି ତ ଆରାମରେ ଅଛି । ଶହ ଶହ ଲୋକଙ୍କ ନିନ୍ଦା ପ୍ରଶଂସା, ପ୍ରେରଣା ପ୍ରତାରଣାକୁ ନିଜର କରି ବଞ୍ଚିଯାଇଛି । କାହିଁକି ଆଉ ସେ ଜୀବନ ଯନ୍ତ୍ରଣା ଭିତରେ ଆଉଟି ପାଉଟି ହୋଇ ଦୁଃଖ ପାଇବ ।

 

ସାମ୍‌ନାକୁ ଦେଖିଲା ମ୍ୟାଜିକବାଲା, ପଇସା ପଡ଼ିଛି ଟଙ୍କାଏ ହେବନି । ଆହୁରି ଜୋରରେ ଡମ୍ବରୁ ବଜାଇଲା । ବଡ଼ ପାଟିରେ କହିଲା ଏକ ନୂଆ ଖେଳ ଦେଖାଯିବ ଏଥର । ସମ୍ପୂର୍ଣ୍ଣ ନୂତନ ଧରଣର ମ୍ୟାଜିକ । ତା’ କଥା ଶୁଣି ଗଲା ଆଇଲା ଲୋକେ ଅଟକି ଗଲେ ମୁହୂର୍ତ୍ତେ । ନ ଦେଖିବା ଲୋକେ ଭିଡ଼ି ଠେଲି ପଶିଆସିଲେ ଭିତରକୁ ।

 

ଚାରିଆଡ଼େ ଅନାଇଲା ଯାଦୁକର । ଅନେକ ଲୋକ ଜମା ହେଲେଣି । ଜଣକା ଦଶ ପଇସା ଲେଖାଏଁ ଦେଲେ ପଚାଶ ଟଙ୍କାରୁ କମ୍‍ ହେବନି । ଏତେ ବେଶି ରୋଜଗାର କଥା ଭାବି ମନ ଭରି ଖୁସି ହୋଇଗଲା ଲୋକଟାର । କଳ୍ପନା କଲା ପ୍ରଥମେ ଯାଇ ଗୋଟେ ଢୋଲକି କିଣିବ । ହିପନୋଟିଜ୍‌ମ ଶିଖି ସମ୍ମୋହିତ କରିଦେବ ସମସ୍ତଙ୍କୁ । ଜିଅନ୍ତା ମଣିଷକୁ କାଟି ବଞ୍ଚାଇବା ପାଇଁ ସବୁ କୌଶଳ ଶିଖିବ । ତା’ପରେ ଯାଇ ଦେଖାଇଦେବ ସେ ଭାରତର ଶ୍ରେଷ୍ଠ ଯାଦୁକର କି ନା ।

 

ମ୍ୟାଜିକବାଲା ଠିଆ ହୋଇଗଲା ଲୋକଙ୍କୁ ସାମ୍ନା କରି । ବନ୍ଦ କରିଦେଲା ଡମ୍ବରୁର ଡମ୍ ଡମ୍ ଶବ୍ଦ । ବଡ଼ ପାଟିରେ ନେତାଙ୍କ ପରି ଭାଷଣ ଦେଲା । ଭାଇମାନେ, ବାବୁମାନେ, ପିଲାମାନେ, ତୁମେ ସବୁ ମ୍ୟାଜିକ ଦେଖିବ ବୋଲି ଛିଡ଼ା ହୋଇଛ ନା । ମୁଁ ବର୍ତ୍ତମାନ ଗୋଟିଏ ନୂଆ ମ୍ୟାଜିକ ଦେଖାଇବି । ଯାହା କେବେ ବି ତୁମେ ଦେଖି ନ ଥିବ । ଏଇଟା ବି ମୋ’ପାଇଁ ଏକବାରେ ନୂଆ । ଆପଣଙ୍କ ସହରରେ ଏଇ ପ୍ରଥମ ଖେଳ ।

 

ଉତ୍କଣ୍ଠାରେ ବଡ଼ ହୋଇଗଲା ଲୋକମାନଙ୍କର ଆଖି । ଏତେ ବଡ଼ ବଡ଼ ଯାଦୁକରଙ୍କୁ ଦେଖିଛୁ ଆମେ । ଫୁଟପାଥର ଏହି ଯାଦୁକର ନୂଆ କ’ଣ ଦେଖାଇବ ଆଉ । କେତେକ ବି ତାଚ୍ଛଲ୍ୟ କରି କହିଲେ ହଁ ମ, ପଇସା ପାଇଁ ଏମିତି ସମସ୍ତେ କହନ୍ତି । ସେଇ ଗୁଣି ଗାରେଡ଼ିରୁ କେତେଟା ଦେଖାଇବ ଆଉ କ’ଣ !

 

କଣ୍ଠ ଫଟେଇ କହିଲା ମ୍ୟାଜିକ ବାଲା । ଇଏ ଗୁଣି ନୁହେଁ, ମନ୍ତ୍ର ତନ୍ତ୍ରର କଥା ନୁହେଁ ନର ପିଶାଚକୁ ବଶୀକରଣକରିବା ଖେଳ ନୁହେଁ । ଇଏ ହେଉଛି ସାଧନାର କଥା । ବର୍ଷ ବର୍ଷ ଧରି ରକ୍ତକୁ ପାଣି କରି ଆୟତ୍ତ କରିଥିବା କଠିନ ବିଦ୍ୟାର କଥା ।

 

କହିଲା ତ ଖପ୍‌ଖାପ୍ ଚଢ଼ିଗଲା ରାସ୍ତାପାଖ ଟେଲିଫୋନ ଖୁଣ୍ଟ ଉପରକୁ । ଶହ ଶହ ଲୋକଙ୍କ ଆଖି ବୁଲିଗଲା ତାରି ଆଡ଼େ । ଅଣ୍ଟାରୁ ଗୋଟାଏ ଲମ୍ବାତାର କାଢ଼ିଲା ଯାଦୁକର । ପ୍ରାୟ ଦି’ ପୁରୁଷ ଉଚ୍ଚରେ ବାନ୍ଧି ଦେଲା ସେଇ ଖୁଣ୍ଟ ଦେହରେ । ତାରର ଅନ୍ୟ ମୁଣ୍ଡରେ ଗୋଟିଏ ଲମ୍ବା କାଠ, କାଠ ସହିତ ଝୁଲୁଛି ଖଣ୍ଡାଟିଏ । ଖଣ୍ଡାର ଚିକ୍ ଚିକ୍ କରୁଥିବା ଧାରକୁ ଦେଖି ଚମକି ଉଠିଲେ ସମସ୍ତେ । ମୁହୂର୍ତ୍ତକ ପାଇଁ ଚାପା ଗୁଞ୍ଜରଣ ଖେଳିଗଲା ଦର୍ଶକମାନଙ୍କ ଭିତରେ । କିଏ କହିଲା, ଏଥିରେ ଆଉ ନୂତନତ୍ୱ କ’ଣ ? କୋଉ ପିଲାକୁ ନେଇ ହାଣି ଦବ । କାଳୀ ସାଧନା କରି ପୁଣି ବଞ୍ଚାଇ ଦେବ କଟା ମୁଣ୍ଡ ଓ ଗଣ୍ଡିକୁ ଯୋଡ଼ି । କହିବ ଇଏ ମନ୍ତ୍ର ତନ୍ତ୍ର ନୁହେଁ, ଖାଲି ହାତ ସଫେଇର କଥା ।

 

ମ୍ୟାଜିକବାଲା ପ୍ରତିବାଦ ପ୍ରକାଶ କଲାନି ଏ କଥାରେ । ଖଣ୍ଡାର ଅନ୍ୟ ମୁଣ୍ଡରେ ଯୋଡ଼ି ଦେଲା ଶକ୍ତ ତାରଟେ । ତାକୁ ନେଇ ବାନ୍ଧି ଦେଲା ରାସ୍ତା ପାଖ କୃଷ୍ଣଚୂଡ଼ା ଡାଳରେ-। ଦର୍ଶକମାନଙ୍କ ଭିତରେ ଆଶଙ୍କା ଖେଳିଗଲା ପୁଣି ଥରେ । ଏଥର କିଛି ଗୋଟେ ନୂଆ ଖେଳଦେଖାଇବ ଲୋକଟା-

 

କାଳୀଙ୍କର ଫଟୋକୁ ନମସ୍କାର ହେଲା ମ୍ୟାଜିକ ବାଲା । ଖପୁରିକୁ ଆଣି ମୁଣ୍ଡରେ ଲଗାଇଲା । ଗୁଣୁ ଗୁଣୁ ହୋଇ ବକିଗଲା ମନ୍ତ୍ର । ଅଲୋଡ଼ା ଭାବେ ପଡ଼ିଥିବା କୁଆଁରୀ ହାଡ଼ ଦି’ଖଣ୍ଡ ନେଇ ବାରମ୍ବାର ଚୁମାଦେଲା । ଲୋକମାନଙ୍କୁ ଚାହିଁ କହିଲା, ମୁଁ ବର୍ତ୍ତମାନ ଖଣ୍ଡାଧାର ଉପରେ ଚାଲିବି । ଝୁଲନ୍ତା ତରବାରିର ଧାର ଉପରେ ଚାଲିବି ଏଇ ପ୍ରଥମ । ଏହାକୁ ଏଯାଏ କୋଉ ଯାଦୁକର ଦେଖାଇ ନାହାନ୍ତି । ମୁଁ ବି ପ୍ରଥମ ଥର ପାଇଁ ଏ ଖେଳ ଦେଖାଉଛି । ହେଲେ ସମସ୍ତଙ୍କୁ ଗୋଟିଏ ଅନୁରୋଧ, ଖଣ୍ଡାଧାରରେ ଚାଲିଲାବେଳେ କେହି ଟେଲିଫୋନ ଖୁଣ୍ଟିକୁ ଛୁଇଁବେ ନାହିଁ । ତାରକୁ ହଲାଇବେ ନାହିଁ । ଏହାହେଲେ ମୋ ସାଧନା ବିଫଳ ହେବ । ତଳେ ପଡ଼ି ସବୁଦିନ ପାଇଁ ମୋ ମୃତ୍ୟୁ ଘଟିବ ।

 

ଏକ ସଙ୍ଗରେ ଲୋକମାନଙ୍କର ସମବେତ ଧ୍ଵନି ଶୁଣାଗଲା । ନା, ନା । ଆମେ ଖୁଣ୍ଟକୁ ଛୁଇଁବୁ ନାହିଁ । ଯେକୌଣସି ପ୍ରକାରେ ଯାଦୁକରକୁ ସାହାଯ୍ୟ କରିବାକୁ ଆମେ ପ୍ରସ୍ତୁତ । ଯାଦୁକର ତ ସବୁ କିଛି ତା’ ନିଜ ପାଇଁ କରୁନି । ଲୋକମାନଙ୍କ ମନୋରଞ୍ଜନ ତା’ର ପ୍ରଧାନ ଲକ୍ଷ୍ୟ । ତା’ର ସମସ୍ତ ସାଧନାର ଉଦ୍ଦେଶ୍ୟ ତ ବଞ୍ଚିବା ପାଇଁ ନୁହେଁ, ବରଂ ଲକ୍ଷ ଲକ୍ଷ ଲୋକଙ୍କୁ ଆନନ୍ଦ ଦେବା ପାଇଁ ସେ ବଞ୍ଚିଛି ।

 

ତଳିପାଦକୁ ସିମେଣ୍ଟ ଉପରେ ଘଷିଦେଲା ଯାଦୁକର । ହାତର ମାଂସପେଶୀକୁ କଠିନ କରି ପରୀକ୍ଷା କଲା ତା’ ସାଧନାର ଫଳାଫଳ ବିଷୟରେ । ପାଞ୍ଚ ହାତିଆ ବାଉଁଶଟିଏ ଧରିଲା ସିଏ-। ଉଠାଇ ନେଲା ଭାରସାମ୍ୟ ରକ୍ଷା କରି । ଚୁପ୍‍ଚାପ୍ ଚଢ଼ିଗଲା କୃଷ୍ଣଚୂଡ଼ା ଗଛ ଉପରକୁ-। ସାବଧାନ ହୋଇ ତା’ର ଉପରେ ଡାହାଣ ପାଦ ରଖିଲା । ବାମ ପାଦ ବଢ଼ାଇ ସିଧା ଛିଡ଼ା ହେଲା ତା’ର ଉପରେ ।

 

ସବୁ ଆଶଙ୍କାକୁ ଦୂରେଇ ଦେଇ ଉଲ୍ଲାସ ଖେଳିଗଲା ଦର୍ଶକମାନଙ୍କ ମନରେ । ଘନ ଘନ କରତାଳିରେ ପ୍ରକମ୍ପିତ ହେଲା ଚତୁର୍ଦ୍ଦିଗ । କେତେକ ବି ପକେଟରୁ କାଢ଼ି ପଇସା ପକେଇଲେ କାଳୀ ମୂର୍ତ୍ତି ନିକଟକୁ । ଝଣଝଣ ଶବ୍ଦ ଶୁଣି ଏକ ନୂତନ ଉତ୍ସାହ ଖେଳିଗଲା ଯାଦୁକର ମନରେ । ନୂଆ ଶକ୍ତି ପାଇ ଆଗେଇଲା ଯାଦୁକର । ପାଦେ, ଦୁଇପାଦ, ତିନି ପାଦ । ଆଃ, ପଡ଼ୁ ପଡ଼ୁ ନିଜକୁ ସମ୍ଭାଳି ନେଲା ବିଚରା । ହାତରେ ଧରିଥିବା ବାଉଁଶ ସାହାଯ୍ୟରେ ସମ୍ଭାଳି ନେଲା ନିଜକୁ । ଦର୍ଶକମାନଙ୍କ ଭିତରେ ସବୁ କୋଳାହଳ ବନ୍ଦ ହୋଇଗଲା । ଏକ ଅଜଣା ଆତଙ୍କରେ ଥରିବାକୁ ଲାଗିଲେ ଦେଖଣାହାରିଏ ।

 

ତଥାପି ଦୃଢ଼ ପ୍ରତିଜ୍ଞ ରହିଛି ଯାଦୁକର । ପ୍ରତି ମୁହୂର୍ତ୍ତରେ ପଡ଼ିଯିବାର ଭୟ ଜନ୍ମିଲେ ମଧ୍ୟ ପଛେଇ ଯାଉନି ସିଏ । ଜୀବନକୁ ପାଣି ଛଡ଼େଇ ଆଗେଇ ଚାଲିଛି ସେମିତି । ଏଇଟା ତା’ପାଇଁ ଚରମ ପରୀକ୍ଷାର ବେଳ । ଆଉ ପାଦେ ଆଗେଇଲେ ତୀକ୍ଷ୍‌ଣ ଖଣ୍ଡାଧାର । କାଠ, ବାଉଁଶ, ଲୁହା, ପଥର ଯାହା ହେଲେ ବି କଟିଯିବ ଏକା ଚୋଟକରେ । ଆଉ ଏଇ ଯାଦୁକରର ଗୋଡ଼ କ’ଣ ଏତେ ଶକ୍ତ ଯେ ତା’ ଆଘାତରେ ସମ୍ଭାଳି ନବ ନିଜକୁ !

 

ଦର୍ଶକମାନଙ୍କ ଭିତରୁ କେତେ ସହୃଦୟ ବ୍ୟକ୍ତି ଆଗେଇ ଆସିଲେ ଭିଡ଼ି ଠେଲି । ଯାଦୁକର ପ୍ରତି ସମବେଦନା ଜଣାଇ କହିଲେ, ତମ ମ୍ୟାଜିକ ସେତିକି ଥାଉ । ଆମେ ବରଂ ପଇସା ଦେଉଛୁ । ତୁମେ ଆଉ ଏତେ କଷ୍ଟ କରନା । ଖଣ୍ଡାଧାରରେ ବାଟ ଚାଲି କିଏ କୋଉଠି ସଫଳ ହେଲାଣି ନା ହୋଇଛି ଯେ ତୁମେ ସଫଳ ହେବ ! ଇଏ କୋଉ ଖେଳଘର କଥା ନୁହେଁ । ଖୋଦ୍ ଜୀବନ ମରଣର କଥା । ସଫଳତା ଅନିଶ୍ଚିତ ଜାଣି ରକ୍ତସଂଗ୍ରାମ କରିବାଟା ଚରମ ବୋକାମି ନୁହେଁ ତ ଆଉ କ’ଣ ?

 

ମ୍ୟାଜିକବାଲା ଭାବିଲା ସତ କଥା । ସତକୁ ସତ ସେ ଯଦି ବିଫଳ ହୁଏ ରାସ୍ତାରେ ! ଏମିତି ଏକ କଠୋର ସାଧନାର ପଥରେ ଆଗେଇ ଯାଇ ଯଦି ହାର ମାନିଯାଏ ଅଧାବାଟରେ ! !

 

ନା, ମନେମନେ ରୁକ୍ଷ ହୋଇଉଠିଲା ଯାଦୁକର । ନିଜକୁ ନିଜେ କଇଫତ ଦେବା ଆରମ୍ଭ କରିଦେଲା । ସଫଳତା ବିଷୟରେ ଦୃଢ଼ ନିଶ୍ଚିତ ନ ହେଲା ବୋଲି ପ୍ରଚେଷ୍ଟାରୁ ଓହରି ଯିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ସେ ଜାଣେ ସଫଳତାଠାରୁ ପ୍ରଚେଷ୍ଟାର ମୂଲ୍ୟ ଅଧିକ । ସବୁ ପ୍ରଚେଷ୍ଟା ହୁଏତ ସଫଳ ନ ହୋଇପାରେ, କିନ୍ତୁ ସମସ୍ତ ସଫଳତା ପଛରେ କାହାର ନା କାହାର ଅଦମ୍ୟ ପ୍ରଚେଷ୍ଟା ରହିଛି ।

 

ଖୁବ୍ ଆସ୍ତେ ଡରି ଡରି ପାଦ ଉଠେଇଲା ମ୍ୟାଜିକବାଲା । ବାମ ପାଦ ନେଇ ରଖିଦେଲା ଖଣ୍ଡାଧାରରେ । ପୁଣିଥରେ ଅଖଣ୍ଡ ନୀରବତା ଛାଇଗଲା ଦେଖଣାହାରିଙ୍କ ଭିତରେ ।

 

ମ୍ୟାଜିକ୍‌ବାଲା କପାଳରେ ଜମିଯାଇଛି ବିନ୍ଦୁ ବିନ୍ଦୁ ଝାଳ । ହୃଦସ୍ପନ୍ଦନ ଗତି ବଢ଼ିଯାଇଛି କାହିଁ କେତେବେଳୁ । ଭୟରେ ଥରୁଛି ସର୍ବାଙ୍ଗ । ଡାହାଣ ପାଦ ଉଠେଇଲାତ ଖୁବ୍ ଜୋରରେ ଚିତ୍କାର କଲା ଯାଦୁକର । ଖଣ୍ଡାଧାରରେ ବାମ ପାଦ କଟି ପିଚ୍ ପିଚ୍ ରକ୍ତ ବୋହୁଛି । ଯାଦୁକର କେତେବେଳେ ଡାହାଣ ପାଦ ରଖିଛି ଜାଣିନି । ହେଲେ ଉଭୟ ପାଦରୁ ଧାର ଧାର ରକ୍ତ ବୋହୁଛି ସେ ଦେଖୁଛି । କାଳୀ ମୂର୍ତ୍ତିକୁ ମୁଣ୍ଡିଆ ମାରି ଚେଷ୍ଟା କରୁଛି ଆଗେଇବା ପାଇଁ । ଗୋଟାପଣ ଖଣ୍ଡା ଭିଜି ଧାର ଧାର ରକ୍ତ ଝରିପଡ଼ୁଛି ରାସ୍ତା ଉପରେ । ଫୁଟପାଥର ଏମୁଣ୍ଡରୁ ସେମୁଣ୍ଡଯାଏ ଜମିଯାଇଛି ଇଞ୍ଚେ ବହଳର ରକ୍ତ । ଚତୁର୍ଦ୍ଦିଗରୁ ହଜାର ହଜାର ଲୋକ ଛୁଟି ଆସୁଛନ୍ତି ସେ ରକ୍ତ ଦେଖିବା ପାଇଁ । ସାରା ସହରଟାରେ ରକ୍ତର ଗୋଟେ ଆବହାଓ୍ଵା ବହି ଯାଇଛି ଯେମିତି । ସମସ୍ତେ ଆଖି ପୂରେଇ ଦେଖୁଛନ୍ତି ରକ୍ତ । ଯାଦୁକରର ରକ୍ତ । ଏ ଦୁନିଆର ସବୁ ଦିନିଆ ଚଳଣି ସହ ସାଲିସ୍‍ କରିନପାରି ବଞ୍ଚିବାର ସ୍ୱାତନ୍ତ୍ର୍ୟବାଦୀ କରୁଥିବା ଲୋକଟିଏର ରକ୍ତ ।

 

ଏଥର କିଏ କିଏ ମନ୍ତବ୍ୟ ଦେବା ଆରମ୍ଭ କଲେଣି ଉପସ୍ଥିତ ଜନସମାଗମ ଭିତରୁ । ବିଚରାଟାର କପାଳରେ କୁଆ ଉଡ଼ିଥିଲା ଯେ ଆଜି ଏ ଯନ୍ତ୍ରଣା ଭୋଗୁଛି । ସାଧନା ନ କରି ଖଣ୍ଡାଧାରରେ ଗୋଡ଼ ଦବାର ଇଏ ହେଉଛି ଫଳ । ଏମିତି ରକ୍ତ ବୋହି ବୋହି ଦେହଟା ଯାକର ରକ୍ତ ଶୁଖିଗଲେ ବି ସେ ମୁଣ୍ଡରେ ପହଞ୍ଚିବା ଏକାବେଳକେ ସ୍ୱପ୍ନ ହୋଇଯିବ ।

 

କେତେକ ତ କହୁଛନ୍ତି ଲୋକଙ୍କୁ ଭୁଲାଇବା ପାଇଁ ଯାଦୁକର ବୁହାଇ ଦେଉଛି ରକ୍ତ । ସମବେଦନା ପାଇବା ପାଇଁ ତା’ର ଇଏ ଗୋଟିଏ ଚାଲ ।

 

ଲୋକଙ୍କ ଭର୍ତ୍ସନା, ନିରାଶବାଣୀ ସବୁକିଛି ନିଜର କରି ଆଗେଇ ଚାଲିଛି ଯାଦୁକର । ଲୋକଙ୍କୁ କଥା ଦେଇଛି ଯେତେବେଳେ ଯେମିତି ହେଲେ ସେ ମୁଣ୍ଡରେ ପହଞ୍ଚିବାକୁ ହେବ । ବରଂ ଦେହଟା ଯାକର ସବୁ ରକ୍ତ ନିଗିଡ଼ିଯାଉ, ଦୁନିଆର ସମସ୍ତ ବିଫଳତା ଭରା କାହାଣୀ ତା’ କାନରେ ପ୍ରତିଧ୍ଵନିତ ହେଉ, ଏମିତି ଚେଷ୍ଟା କରୁ କରୁ ସଂଜ୍ଞାହୀନ ହୋଇ ତା’ର ପ୍ରାଣ ଚାଲିଯାଉ, ତଥାପି ନିଜ କର୍ତ୍ତବ୍ୟ ପଥରୁ ଓହରି ଆସି ପାରିବନି ଯାଦୁକର ।

 

ସହର ଯାକର ଲୋକ ଆସି ଜମି ଗଲେଣି ରାସ୍ତା ଉପରେ । ଯାଦୁକର ପାଇଁ ଆଜି ଦୋକାନ ବଜାର ବନ୍ଦ । ଥମିଯାଇଛି ସହରର କୋଳାହଳ । ମ୍ୟାଜିକ ଦେଖାଉଥିବା ରାସ୍ତାଟା ବି ଜନଗହଳି ଯୋଗୁଁ ଏକାବେଳକେ ଅବରୁଦ୍ଧ ହୋଇ ସାରିଲାଣି ।

 

କୁଆଡ଼ୁ କିଛି ନ ଥିଲା, ହଠାତ୍ ହଇଚଇ ସୃଷ୍ଟି ହୋଇଗଲା ଲୋକମାନଙ୍କ ଭିତରେ । ପଶ୍ଚିମ ଦିଗରୁ ଲୋକମାନେ ଧସେଇ ଆସୁଛନ୍ତି ସାମ୍ନା ଆଡ଼କୁ । ସାମ୍ନାର ଲୋକେ ଏ ଧକ୍‍କା ସହି ନ ପାରି ପଡ଼ିଯାଉଛନ୍ତି ଜଣକ ଉପରେ ଆଉ ଜଣେ । ଦ୍ରୁତଗତିରେ ପୁଲିସଗାଡ଼ି ଆସୁଛି ରାଜଭବନ ଆଡ଼ୁ, ପଛରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି । ରାସ୍ତା ଫାଙ୍କା କରିବାରେ ଲାଗିଛନ୍ତି ପୁଲିସ କେତେଜଣ । ଭିଡ଼ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କର ବିଳମ୍ବ ଘଟିଲେ କଇଫତ ମାଗିବେ ଉପରିସ୍ଥ ଅଫିସର-। ସେଇ ଆଶଙ୍କାରେ କେତେଜଣ ପୁଲିସ ଲାଠିରେ ଠେଲି ଦେଉଛନ୍ତି ଲୋକମାନଙ୍କୁ । କିଏ ତଳେ ପଡ଼ି ଖଣ୍ଡିଆଖାବରା ହେଉଛି ଚିନ୍ତା ନାହିଁ । ବାଟ ନ ପାଇ ଦଳେ ଲୋକ କଣ୍ଟା ବାଡ଼ରେ ଧକ୍‌କା ଖାଉଛନ୍ତି ଅନୁଶୋଚନା ନାହିଁ । ଯେମିତି ହେଲେ ରାସ୍ତା ସଫା କରିବା ପୁଲିସର ପ୍ରଥମ କାମ ।

 

ଜନସମାଗମର କାରଣ ଖୋଜି ଖୋଜି ମ୍ୟାଜିକବାଲା ନିକଟରେ ପହଞ୍ଚିଗଲେ କେତେଜଣ ପୁଲିସ । ହାତରେ ଲାଠି, କାନ୍ଧରେ ବନ୍ଧୁକ, ବ୍ୟବହାରରେ ରୁକ୍ଷ । କଣ୍ଠରେ କଡ଼ା ସ୍ୱରରେ ପ୍ରଶ୍ନ । ଏ ଯାଦୁକର, କାହା ଅନୁମତିରେ ଖେଳ ଦେଖାଉଛୁ ଏ ରାସ୍ତାରେ ? ଏ ଜନସମାଗମ ପାଇଁ ଅନୁମତି ଆଣିଲୁ କେଉଁଠୁ ?

 

ଯାଦୁକର ନୀରବ । ଅନ୍ତରରେ ଭାଷା ଅଛି, ମୁହଁରେ କଥା ନାହିଁ । ମନ ଭିତରେ କଇଫତ ଅଛି, କିନ୍ତୁ ଖୋଲି କହିବାର ଶକ୍ତି ନାହିଁ ।

 

ପୁଲିସର କଡ଼ା ସ୍ୱର । ଏ, ଭଲ ଗତି ଅଛି ତ ଓହ୍ଲା ସେ ତା’ର ଉପରୁ । ନଚେତ୍ ଲାଠିଚାର୍ଜ ହେବ, ଗୁଳି କରାଯିବ ।

 

ତଥାପି ଯାଦୁକର ନୀରବ । ଜୁଳୁଜୁଳୁ ଆଖିରେ ଚାହିଁ ରହିଛି ସାମ୍‌ନାକୁ । ସମବେତ ଜନତା ଭିତରୁ ଜଣେ କହିଲା, ଛାଡ଼ିଦିଅନ୍ତୁ ଆଜ୍ଞା । ବିଚରା ଗରିବଟା, ପେଟପାଟଣା ପାଇଁ ଏ ଖେଳ କରୁଛି । ତାରର ସେମୁଣ୍ଡରେ ପହଞ୍ଚି ସାରିଲେ ସେ ଆପେ ଓହ୍ଲାଇଯିବ ।

 

ନିଆଁ ଜଳିଉଠିଲା ପୋଲିସ ଆଖିରେ । ସିମେଣ୍ଟ ରାସ୍ତା ଉପରେ ଲାଠିଟାକୁ କଚାଡ଼ି ଦେଇ କହିଲା, କ’ଣ ହେଲା ! ଛାଡ଼ିଦେବି ! ୟାରି ଯୋଗୁ ମୁଖ୍ୟମନ୍ତ୍ରୀଙ୍କର ପନ୍ଦର ମିନିଟ୍ ଡେରି ହେଲାଣି । ରାଜ୍ୟ ଶାସନ ପଛେଇ ଗଲାଣି କେତେ ସମୟ ପାଇଁ । ଦିନକଲାଗି ଧିମେଇ ଗଲାଣି ରାଜଧାନୀର ଜୀବନ । ୟାକୁ ପୁଣି ଛାଡ଼ି ଦେବି ?

 

ପୁଣି ଥରେ ସତର୍କ କରେଇ ଦିଆଗଲା ଯାଦୁକରକୁ । ଓହ୍ଲାଇବୁ ତ ଓହ୍ଲା । ନଚେତ୍ ତା’ର କାଟି ଦିଆଯିବ ।

 

ଏଥର ଚମକି ପଡ଼ିଲା ଯାଦୁକର ଆଗାମୀ ଘଟଣା କଥା ଭାବି ଶଙ୍କା ଖେଳିଗଲା ମନରେ । ତଥାପି ସିଏ କାହା ଧମକରେ ଡରିଯିବା ଲୋକ ନୁହେଁ । ଜୀବନକୁ ପାଣି ଛଡ଼େଇ ଖଣ୍ଡାଧାରରେ ଚାଲିବା ପାଇଁ ଶପଥ କରିଛି ଯେତେବେଳେ, ଏତେ ସହଜ ଭାବେ ହାର ମାନିଯିବ କାହିଁକି ? ତାକୁ କ’ଣ କେହି ସମର୍ଥନ କରିବେନି ? ଦେଖଣାହାରିଏ କ’ଣ ତାକୁ ସୁରକ୍ଷା ଦେବେନି-?

 

ସାଇରନ୍ ବଜାଇ ମାଡ଼ିଆସିଲା ପୁଲିସ ଜିପ୍ । ତରତରେ କେତେଜଣ ପୁଲିସ ଆଗେଇ ଗଲେ ଫୋନ ଖୁଣ୍ଟଆଡ଼େ । ତଳେ ଥିବା ଲୋକମାନେ ପ୍ରତିବାଦ କଲେ । କିନ୍ତୁ ଖୁବ୍ କ୍ଷୀଣଥିଲା ସେ ପ୍ରତିବାଦର ସ୍ୱର । ଯେନତେନ ପ୍ରକାରଣେ ଯାଦୁକର ପ୍ରତି ନିଜ ଦାୟିତ୍ୱ ତୁଲାଇଛୁ ବୋଲି କହିବାକୁ ଯଥେଷ୍ଟ ଥିଲା ତାହା । ଯାଦୁକର ଧ୍ୱଂସ ପାଉ କାହାର କ’ଣ ଯାଉଛି । ତାକୁ କ’ଣ କିଏ କହୁଥିଲା ଏମିତି ଖେଳ ଦେଖାଇବା ପାଇଁ । କିଏ କ’ଣ ତାକୁ ଡାକି ଯାଇଥିଲା ମନୋରଞ୍ଜନ ପାଇଁ-। ସେ ଆପେ ଆସି ଖେଳ ଦେଖାଇଛି, ତା’ର ପରିଣାମ ଭୋଗ କରୁ ।

 

ସେମିତି ଫକ୍ ଫାକ୍ ଖୁଣ୍ଟ ଉପରକୁ ଚଢ଼ିଗଲେ ଜଣେ ପୁଲିସ । କାଟିଦେଲେ ଲୁହା ତାରଟିକୁ । ଖଣ୍ଡାସହ ଦୁମ୍ କିନା ତଳେ ଖସିପଡ଼ିଲା ଯାଦୁକର । ତା’ ସହିତ ବିଷାଦର ଘନ କାଳିମା ଖେଳିଗଲା ସମଗ୍ର ଜନତା ଭିତରେ । କିଏ ଲୁହ ଗଡ଼ାଇଲା ତ କିଏ ମୁଣ୍ଡରେ ହାତଦେଇ ଫେରିଗଲା ତା’ କର୍ମମୟ ଜୀବନକୁ । ସୁରୁଖୁରୁରେ ଚାଲିଗଲା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି । କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ପଡ଼ି ରହିଥିଲା ଯାଦୁକରର ରକ୍ତ ଜୁଡ଼ୁବୁଡ଼ୁ ଶରୀର ।

 

ସକାଳର ସବୁ ଘଟଣା ଭୁଲି ଅପରାହ୍ନରେ ଜୀବନ୍ତ ହୋଇ ଉଠିଲା ରାଜଧାନୀ । ସବୁଦିନ ପରି ସ୍ୱାଭାବିକ କୋଳାହଳ ଖେଳିଗଲା ଛକମାନଙ୍କରେ । ବେଳଉଣ୍ଡି ସାମ୍ବାଦିକମାନେ ଆସିଲେ । ଫଟୋ ନେଲେ ବିଭିନ୍ନ ପୋଜରେ । ମ୍ୟାଜିକବାଲାର ପ୍ରଶଂସକମାନେ ଦଳ ଦଳ ହୋଇ ପହଞ୍ଚିଗଲେ ତା’ ପାଖରେ । ସେମାନଙ୍କ କାନ୍ଦୁରା ମୁହଁକୁ ଦେଖି ସ୍ମିତହାସ୍ୟ ଖେଳିଗଲା ଯାଦୁକର ମୁହଁରେ ।

 

ଦେଖଣାହାରିଙ୍କ ଭିତରେ ଖୁବ୍ ଗୋଟିଏ ଭାବପ୍ରବଣତା ଲକ୍ଷ୍ୟ କରାଯାଇଥିଲା ସେତେବେଳକୁ । କିଏ କିଏ ବାଷ୍ପାକୁଳ କଣ୍ଠରେ କହିଲେ, ତୁମ ତ୍ୟାଗ, ତୁମ ପ୍ରତିଭା ଆମେ ଭୁଲିପାରିବୁନି ହେ ମହାପୁରୁଷ । କହିବ ଯଦି ତୁମ ସ୍ମୃତି ପାଇଁ ତାଜମହଲ ଗଢ଼ିଦେବୁ । ତୁମ ଆତ୍ମାର ସଦ୍‌ଗତି ପାଇଁ ଏ ସ୍ଥାନକୁ ମକ୍‌କା, ମଦିନା, ବୁଦ୍ଧଗୟାଠୁ ବି ଅଧିକ ପବିତ୍ର ଘୋଷଣା କରିବୁ ।

 

ମ୍ୟାଜିକବାଲାର ରକ୍ତ ଦେଖି ରାଗିଗଲେ କେତେଜଣ ସମର୍ଥକ । ରାଗ ତମ ତମ ହୋଇ କହିଲେ, ତୁମେ ଆମକୁ ନିର୍ଦ୍ଦେଶ ଦିଅ । ପ୍ରତିଶୋଧ ନେବୁ ଏ ଶାସନ ଉପରେ । ଦେଶବ୍ୟାପୀ ଧର୍ମଘଟ କରିବୁ । ଚବିଶ ଘଣ୍ଟିଆ ବନ୍ଦ ଆହ୍ୱାନ ଦେଇ ଅଚଳ କରିଦେବୁ ଶାସନ । ଦରକାର ପଡ଼ିଲେ ଏ ଦେଶର ନିରୀହ ଜନତା ଉପରେ ପୁଲିସର ଆତଙ୍କରାଜ ବିରୁଦ୍ଧରେ ସଂଗ୍ରାମ କରି ପ୍ରାଣବଳୀ ଦେବାକୁ ପଛାଇବୁ ନାହିଁ ।

 

ହସର କ୍ଷୀଣରେଖା ଫୁଟି ଉଠିଲା ମ୍ୟାଜିକବାଲାର ମୁହଁ ଉପରେ । ମୃତ୍ୟୁକାଳୀନ ଜମାନବନ୍ଦୀ ଦେଲାପରି ଉତ୍କଣ୍ଠିତ ଜନସମାଗମ ଆଡ଼େ ଚାହିଁ କହିଲା, ମୋ ପ୍ରତି ତୁମମାନଙ୍କର ଅଶେଷ ସମବେଦନା ଯୋଗୁଁ ମୁଁ ଧନ୍ୟ ହୋଇଛି । ମୋର ଜନ୍ମଜନ୍ମାନ୍ତରର ଆଶା ଯେମିତି ଫଳବତୀ ହୋଇଛି ଏଇ ମୁହୂର୍ତ୍ତରେ । ମୁଁ ତୁମମାନଙ୍କଠାରୁ କିଛି ଆଶା କରୁନି । ତୁମେ ଯଦି ସତରେ ମୋତେ ଭଲ ପାଉଥାଅ ତେବେ ଗୋଟିଏ କାମ କରିବ । ମୁଁ ଯେଉଁ ନୂଆ ଖେଳର ଅୟମାରମ୍ଭ କଲି ତାକୁ ତୁମେ ବଞ୍ଚାଇ ରଖିବ । ଏଇ କାଳୀଫଟୋ ନିଅ । ମଣିଷ ଖପୁରି ନିଅ । କୁଆଁରୀ ହାଡ଼, ତା’ର, ତରବାରି ସବୁ ନିଅ । ତୁମ କାନରେ ମନ୍ତ୍ର ଶିଖାଇ ଦେଉଛି ମନେରଖ । କିନ୍ତୁ ମୋ ଯାଦୁବିଦ୍ୟାକୁ ତୁମ ସହରରେ ଯୁଗ ଯୁଗ ପାଇଁ ବଞ୍ଚାଇ ରଖ ।

 

ଏତିକି କହି ଚୁପ୍ ହୋଇଗଲା ଯାଦୁକର । ଖୋଜିଲା ଦୃଷ୍ଟିରେ ଜଣ ଜଣ କରି ସମସ୍ତଙ୍କୁ ଚାହିଁଲା । କିନ୍ତୁ ହାୟ ! କେହି ଜଣେ ହେଲେ ବି ଆଗେଇ ଆସିଲେନି ତା’ର ଶେଷ ଇଚ୍ଛା ପୂରଣ କରିବା ପାଇଁ । ସମସ୍ତଙ୍କ ମୁହଁରେ କେମିତି ଏକ ବିଷଣ୍ଣ ଭାବ ଖେଳିଗଲା । ଯାଦୁକରର ଏ ରକ୍ତାକ୍ତ ଶରୀର, ପ୍ରାଣାତଙ୍କ ସଂଗ୍ରାମ, ନିରଳସ ସାଧନା, ପୁଣି ତା’ରି ଉପରେ ପୁଲିସର ଅମାନୁଷିକ ଅତ୍ୟାଚାର, ଉପସ୍ଥିତ ଦର୍ଶକର କୁମନ୍ତବ୍ୟ, ୟାକୁ ଯିଏ ଥରେ ନିଜ ଆଖିରେ ଦେଖିଛି ସେ କାହିଁକି ଯାଦୁକର ହେବାକୁ ଯିବ !

 

କେତେଜଣ ଆଗେଇ ଆସି କହିଲେ ଏ ସହର ପାଇଁ ତୁମ ଯାଦୁବିଦ୍ୟା ପୁରୁଣା ହୋଇଯାଇଛି । ତା’କୁ ବଞ୍ଚାଇ ରଖିଲେ ଫଳ କିଛି ହେବ ନାହିଁ । ବରଂ ତୁମ କୀର୍ତ୍ତିକୁ ସାଇତି ରଖିବା ପାଇଁ ଆମେ ସଂଗ୍ରହାଳୟ ଗଢ଼ିବୁ । ସେଥିରେ ହାଡ଼, ଖପୁରି, କାଳୀ ଫଟୋ, ତାର, ତରବାରି ସବୁ ରଖାଯିବ । ତୁମର ଏକ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ଏହି ସ୍ଥାନରେ । ତୁମ ଉପରେ ପୁଲିସ ଆକ୍ରମଣର ତଦନ୍ତ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରାଯିବ-। ଏ ସମସ୍ତ କାର୍ଯ୍ୟ ତୁଲାଇବା ପାଇଁ ଏ ସହରର ବିଶିଷ୍ଟ ନାଗରିକମାନଙ୍କୁ ନେଇ ତୁମ ନାମରେ ଏକ ସ୍ମୃତି କମିଟି ଗଠନ କରାଯିବ ।

 

ଯାଦୁକର ସବୁ ଦେଖୁଥିଲା । ସବୁ ଶୁଣୁଥିଲା । କିନ୍ତୁ ମୁହଁ ଖୋଲି ପ୍ରକାଶ କଲାନି କିଛି । ତା’ର ମନେପଡ଼ି ଯାଉଥିଲା ପିଲାବେଳର ତା’ ବାପାଙ୍କ କଥା । ସମସ୍ତେ ସିନା କହନ୍ତି ମ୍ୟାଜିକବାଲା ହେବା ଭଲ, କିନ୍ତୁ କହିଲୁ ଦେଖି କିଏ ତା’ ନିଜ ପୁଅକୁ ମ୍ୟାଜିକବାଲା ହେବାକୁ କହିଲାଣି ?

☆☆☆

 

ଏକାମ୍ରକାନନ ମୋ ଏକାମ୍ରକାନନ

 

ବାହା ହଲେଇ ଦେଇ ବାସୁଆକୁ ଉଠେଇଦେଲା ତା’ ସ୍ତ୍ରୀ । କ’ଣ ଏତେ ଏକାମ୍ରକାନନର ନିଶା ଜାଗିଛି ତୁମକୁ ? ରାତିଟାରେ ଏମିତି ବାଉଳି ହେଉଛ କାହିଁକି ? ଚୁପ୍‌ଚାପ୍ ଶୋଇପଡ଼ ।

 

ନାଇଁଲୋ ମୁଁ ଯିବି । ଏତେ ଦିନ ହେଲା ସିନା ଯାଇ ଗେଟ୍ ପାଖରୁ ଫେରି ଆସୁଥିଲି, କାଲି ଯେମିତି ହେଲେ ବି ଯିବି ଏକାମ୍ରକାନନ ଭିତରକୁ । ତତେ ବି ନେଇଯିବି ସାଙ୍ଗରେ ।

 

ମଲା, ମୁଁ ତ ଖାଲି ଗୋଡ଼ ଠିଆ କରିଛି ଯିବା ପାଇଁ । ମାସେ ହେଲା ତ କହି କହି ହେଲାନି । କାଆଲି ପୁଣି ନେଇଯିବ ଏକାମ୍ରକାନନକୁ । ସେଠିକି ନ ଗଲେ କ’ଣ ଜୀବନ ଚାଲିଯିବ-! ଏ ବସ୍ତିରେ କେତେ ଲୋକ ସେମିତି ଏକାମ୍ରକାନନ ନ ଯାଇ ଅଛନ୍ତି ନା । ସେମାନେ ତ ପୁଣି ଆମରି ପରି ମଣିଷ ।

 

ବାସୁଆ ଅନ୍ୟମାନଙ୍କ ସହ ତୁଳନା କରିପାରୁ ନ ଥିଲା ନିଜକୁ । ସେମାନେ ନ ଗଲେ କିଛି ନାହିଁ । ହେଲେ ମୁଁ ଯିବା ନିହାତି ଦରକାର । ସେମାନେ କୁଆଡ଼ୁ ବୁଝିବେ ନିଜ ହାତଲଗା ଗଛକୁ ଫଳଭରା ଦେଖିଲେ କେତେ ଖୁସି ଲାଗେ ! ପାଣି ଦେଇ ବଢ଼େଇଥିବା ଗଛରେ ଫୁଲ ନଦି ହୋଇଗଲେ ପେଟ କେମିତି ପୂରିଯାଏ ! କେତେ ଆନନ୍ଦ ଲାଗେ ନିଜ ପତ୍ନୀକୁ ନିଜ ସଫଳତାର ଚିହ୍ନ ଦେଖେଇଲେ ।

 

ଦିନ ଯାଇ ସଞ୍ଜ ହେଲା । ଏକାମ୍ରକାନନକୁ ଲମ୍ବିଗଲା ଦେଖଣାହାରିଙ୍କ ଭିଡ଼ । କାର୍, ବସ୍, ଜିପ୍, ଘୋଡ଼ାଗାଡ଼ି ଛୁଟି ଚାଲିଲା ଏକାମ୍ରକାନନ ଅଭିମୁଖେ । ଯାତ୍ରୀମାନଙ୍କ ସମାଗମରେ ପୂରି ଉଠିଲା ରାସ୍ତା । ଖାଇବା ବନ୍ଦ କରି ଦେଲା ବାସୁଆ । ଦିନଯାକ ଖଟି ଖଟି ପାଇଥିବା ଦଶଟଙ୍କିଆ ନୋଟଟେ ଗୁଞ୍ଜି ଦେଲା ଅଣ୍ଟାରେ । ଦାଣ୍ଡରେ ଥାଇ ହୁରି ପକେଇଲା ତା’ ସ୍ତ୍ରୀକୁ । ଆଲୋ ଝିଅଟି ଝିଅଟି ବାହାରି ପଡ଼ । ଏକାମ୍ରକାନନ ଯିବା ପରା !

 

ଘରୁଥାଇ ଢଗ ପକେଇଲା ତା’ ସ୍ତ୍ରୀ । ମଲା ମୋର, ଦିନ ଯାଇ ରାତି ହେଲା ଉଛୁର । ଶ୍ରୀକ୍ଷେତ୍ରେ ଯିବାକୁ କରୁଛୁ ତର ।

 

ଭୋକିଲା ପେଟରେ ଚିଡ଼ି ଉଠିଲା ବାସୁଆ । ଆସୁଛୁନା କେତେ ବୋଲି କାଢ଼ୁଛୁ । ତମେ ଶଳା ମାଇକିନିଆଗୁଡ଼ା ମଲେ ବି ଏ ଫେଚକାନି ଛାଡ଼ି ପାରିବନି ।

 

ଦାଣ୍ଡ ଦୁଆରଟା ବନ୍ଦ କରି ଆସୁ ଆସୁ ତା’ ସ୍ତ୍ରୀ କହିଲା, ଆଜି କ’ଣ ଚଳିବନି ! ଆସୁନୁ ଦେଖିଆସିବୁ ମୁଁ କିମିତି ସବୁ ଗଛ ଲଗେଇଛି ।

 

ଲୁଗାକୁ ଅଣ୍ଟାରେ ଗୁଡ଼େଇ ଦେଇ ବାହାରି ପଡ଼ିଲା ବସୁଆର ସ୍ତ୍ରୀ । ଆଉଥରେ ଅଣ୍ଟାରେ ହାତ ମାରି ଟଙ୍କାକୁ ପରଖି ନେଲା ବାସୁଆ ।

 

ବାସୁଆ ଶୁଣିଛି, ୟା ଭିତରେ ଅନେକ ବଦଳି ଯାଇଛି ଏକାମ୍ରକାନନ । ଏଠି ଡାକବଙ୍ଗଳା କରାଯାଇଛି ଇନ୍ଦ୍ରଭୁବନ ପରି । କୃତ୍ରିମ ଝରଣା ସୃଷ୍ଟି କରି ଭୁଲେଇ ଦିଆଯାଉଛି ମନ-। ରାସ୍ତାକଡ଼ର ଝଙ୍କା ଗଛମାନଙ୍କ ଶୀତଳ ସ୍ପର୍ଶରେ ଉଲ୍ଲସି ଉଠୁଛି ପର୍ଯ୍ୟଟକର ପ୍ରାଣ । ଏକ ଅପୂର୍ବ ଶୋଭା ସୃଷ୍ଟି କରୁଛି ଶହେ କୋଡ଼ିଏ ଏକରର ଗୋଲାପ ଉଦ୍ୟାନ । ବିରାଟକାୟ ହ୍ରଦ ଦେଖି ଭୁଲିଯାଉଛି ମଣିଷ ।

 

ଚମକି ପଡ଼ି ବାସୁଆ ପାଖକୁ ଆଉଜି ଆସିଲା ତା’ ସ୍ତ୍ରୀ । ଲୁଗା କାନି ଛୁଇଁ ଚାଲିଗଲା କାର୍‌ଟି । ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଗଲା ସେ । ବାସୁଆ ଆକଟି କହିଲା ସ୍ତ୍ରୀକୁ । ଏ ରାଜଧାନୀରେ ରହୁଛୁ ଯେ ରାସ୍ତାରେ ଚାଲି ଶିଖିନୁ ! ଛି ତୋ ମଣିଷ ପଣିଆକୁ ।

 

ସନ୍ତର୍ପଣରେ ରାସ୍ତା କଡ଼କୁ ଚାଲି ଆସିଲା ବାସୁଆର ସ୍ତ୍ରୀ । ବାସୁଆ ବି ରାସ୍ତା ପାଖ ଘାସ ଉପର ଦେଇ ଚାଲିବାକୁ ଲାଗିଲା । ବାସୁଆ ଦେଖୁଥିଲା, ଦୂରଦୂରାନ୍ତରୁ ଆସୁଥିବା ଲୋକେ ଚାଲିଛନ୍ତି ରାସ୍ତାରେ । ବିଦେଶୀ କେତେଜଣ ଚାଲିଯାଉଛନ୍ତି ତାଙ୍କୁ ଅତିକ୍ରମ କରି । କିନ୍ତୁ ତା’ ନିଜ ସହରରେ ନିଜେ ଛୋଟରୁ ଆହୁରି ଛୋଟ ହୋଇଯାଉଛି ବାସୁଆ ।

 

ବାସୁଆ ଦେଖେଇ ଦେଲା ହାତଠାରି । ଏଇଠି ଯେଉଁ ବଡ଼ ବଡ଼ କୋଠା ହୋଇଛି ସେଇଠି ଥିଲା ଆମ ଘର । ଆମ ବସ୍ତିର ଅଧାଲୋକ ରହୁଥିଲେ ସେଇଠି । ସମସ୍ତେ କାମ କରି ଚଳୁଥିଲେ ଏକାମ୍ରକାନନରେ । ସାତ ବର୍ଷ ଧରି କେଇ କୁଆଡ଼େ ଯାଇନୁ । ସବୁଦିନ କାମ ମିଳି ଯାଉଥିଲା ଏକାମ୍ରକାନନରେ । ବଡ଼ବାବୁ ଆମର ଭାରି ଭଲଲୋକ ଥିଲେ । ଦିନେ କହିଲେ ତୁମମାନଙ୍କୁ ସ୍ୱତନ୍ତ୍ର ପାସ୍‍ ମିଳିବ । ମାଗଣାରେ ଏକାମ୍ରକାନନ ବୁଲି ଆସିବା ପାଇଁ ସୁବିଧା ଦିଆଯିବ । ଯେଉଁମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ଏକାମ୍ରକାନନ ଗଢ଼ିଛନ୍ତି, ତାଙ୍କ ପାଇଁ ଏକାମ୍ରକାନନର ଦ୍ୱାର ଖୋଲାରହିବ । ହେଲେ କ’ଣ ହେବ । କାମ ନ ସରୁଣୁ ବଦଳି ହୋଇଗଲା ବାବୁଙ୍କର । କୁଆଡ଼େ ଗଲେ ଯେ ତାଙ୍କର ପତ୍ତା ମିଳିଲାନି ।

 

ତାଙ୍କ ବଦଳରେ ଯେଉଁ ନୂଆବାବୁ ଆସିଲେ ନା, ଛାଡ଼ ସେ କଥା । ସାକ୍ଷାତ ଯମ ଦେବତା ସିଏ । କାହା ଗୁହାରି ଶୁଣିଲେନି । ଟିକିଏ ବୁଝିଲେନି କାହା ମନ କଥା । ଏକାମ୍ରକାନନରେ କାମ ସରିଲା । ସବୁଦିନ ଲାଗି ସେ ଦ୍ୱାର ବନ୍ଦ ହୋଇଗଲା ଆମ ପାଇଁ । କେତେ ବିନତି ନ କରିଛୁ ତା’ପରେ । ହେଉ ବରଂ ବର୍ଷରେ ଥରୁଟିଏ ପାଇଁ ଆମକୁ ଟିକିଏ ଛାଡ଼ିଦିଅ ଭିତରକୁ । ଦେଖିବାକୁ ଦିଅ ଆମ ହାତଗଢ଼ା ଏକାମ୍ରକାନନକୁ ।

 

ଆମ କଥା ଶୁଣିଲେନି କେହି, ଚିହ୍ନିଲେନି ଏକାମ୍ରକାନନ ଗଢ଼ିଲାବାଲାଙ୍କୁ । ଆମ ପାଇଁ ଶତ୍ରୁ ବନିଗଲେ ସମସ୍ତେ । ସରକାର ଘୋଷଣା କଲେ ଏକାମ୍ରକାନନ ପାଖ ଜମି ଦଖଲ କରାଯିବ-। ହୋଟେଲ, ପାନ୍ଥନିବାସ କରିବା ପାଇଁ ଲିଜ୍ ଦିଆଯିବ ବଡ଼ ବଡ଼ ବ୍ୟବସାୟୀମାନଙ୍କୁ । ସେଥିପାଇଁ ଉପର ମହଲରୁ ହୁକୁମ ଆସିଲା ବସ୍ତି ଛାଡ଼ । ଘରଦ୍ୱାର ଛାଡ଼ି ଚାଲିଯାଅ ଅନ୍ୟ କେଉଁଆଡ଼େ-। ଏହା ସରକାରଙ୍କ ଜମି । ସରକାର ଦଖଲ କରିବେ ତାକୁ ।

 

ଆତଙ୍କ ଖେଳିଗଲା ବସ୍ତି ବାସିନ୍ଦାଙ୍କ ମନରେ । ବାପଗୋସାପ ଚଉଦ ପୁରୁଷରୁ ରହି ଆସିଛୁ ଆମେ । କେତେ କଷ୍ଟରେ ଘର ଗଢ଼ିଛୁ । ଗଢ଼ିଛୁ ଆମର ପରିବାର । ଗୋଟାଏ ସମାଜରେ ରହିବା ଦେଖିଛୁ । ଯୁଗଯୁଗର ସମ୍ପର୍କ ତୋଳିଛୁ ୟାରି ଭିତରେ । ଏତେ ଶୀଘ୍ର ଛାଡ଼ି ଚାଲିଯିବୁ କିପରି ?

 

ବୁଝାଇଦେଲେ ସରକାରୀ ଅଫିସରଗଣ । ନୂଆ ଜମି ଦିଆଯିବ ରହିବା ପାଇଁ । ଘର ତୋଳିବା ପାଇଁ ଟଙ୍କା ମିଳିବ ସମସ୍ତଙ୍କୁ । କିଛି ଅସୁବିଧା ହେବନି ଏଠୁ ଛାଡ଼ି ଅନ୍ୟ କେଉଁଠି ବାସକଲେ ।

 

ପ୍ରତିବାଦ କଲେ କେତେଜଣ । ଘର ଭାଙ୍ଗିଗଲେ ଘର ଦବ ତୁମେ । ଜମିଗଲେ ଜମି ଦବ । ହେଲେ ଦେଇପାରିବ ବାପଗୋସାପ ଅମଳରୁ ଗଢ଼ି ଉଠିଥିବା ଆମ ସମାଜକୁ ? ପରୁଷ ପରୁଷ ଧରି ଯୋଡ଼ିଥିବା ସମ୍ପର୍କକୁ କ’ଣ ଫେରେଇ ପାରିବ ତୁମେ ? ଆମ ଘର, ଆମ ବାଡ଼ି, ଆମ ଆକାଶ, ଆମ ମାଟି ସହ ଗଢ଼ି ଉଠିଥିବା ଆତ୍ମୀୟତାକୁ କ’ଣ ଦେଇ ପାରିବ ତୁମେ !

 

ରାଗି ଉଠିଲେ ଅଫିସର କେତେଜଣ । ସିଧା ଜଣାଇ ଦେଲେ ଏହା ସରକାରଙ୍କ ଜମି । କେହି ଜବର ଦଖଲ କରିପାରିବ ନାହିଁ । ତୁମକୁ ଛାଡ଼ିବାକୁ ହେବ ଏ ବସ୍ତିର ମୋହ ।

 

ଏଥର ଗର୍ଜି ଉଠିଲେ ବୁଢ଼ା କେତେଜଣ । ଏହା ସରକାରଙ୍କ ଜମି ନୁହେଁ, ଆମର ଜମି । ଏଠି ଯେତେବେଳେ ଜଙ୍ଗଲ ଥିଲା ଆମେ ଆସିଛୁ ଏଠିକି । ଦିନବେଳେ ବାଘ ସହ ଲଢ଼େଇ କରିଛୁ-। ଗୋଟା ଗୋଟା ସାପକୁ ବାଡ଼େଇଛୁ ରାସ୍ତା ଉପରୁ । ସେତେବେଳେ ତ ଆସି ନ ଥିଲେ କୋଉ ସରକାରୀ ଅଫିସର । କେହି ତ ସାହାଯ୍ୟ କରି ନ ଥିଲେ ଆମ ଜୀବନ ବିପନ୍ନ ହେଲାବେଳେ-। ଏ ଜମି ଦଖଲ କରିଛୁ ଆମେ । ଏହା ଆମର ସମ୍ପତ୍ତି । କୌଣସିମତେ ଛାଡ଼ି ପାରିବୁନି ଏ ବସ୍ତି ।

 

ରାଗରେ ଫେରିଗଲେ ଅଫିସରଗଣ । ଓଲଟାଇ ଦେଲେ ଆମ ଭାଗ୍ୟଚକ୍ର । କେତେ ବଡ଼ ବଡ଼ ଯନ୍ତ୍ର ଆସିଲା, ଶହ ଶହ ପୋଲିସ ଜମିଗଲେ ଲାଠିଧରି । ଆମକୁ ପଙ୍ଗୁ କରି ଦିଆଗଲା-। ଆମରି ସାମ୍ନାରେ ଭାଙ୍ଗି ଦିଆଗଲା ଆମ ଘରଦ୍ୱାର । ନଷ୍ଟ କରି ଦିଆଗଲା ଆସବାବପତ୍ର-। ଜବରଦସ୍ତ ପୋଲିସ ଗାଡ଼ିରେ ନେଇ ଛାଡ଼ି ଦିଆଗଲା ସହର ସେପାଖରେ ।

 

କ୍ଷୀଣ ହୋଇ ଆସିଲା ବାସୁଆର କଣ୍ଠ ସ୍ୱର । ଗମ୍ଭୀର ହୋଇ ବାଟ ଚାଲୁଥିଲା ତା’ ସ୍ତ୍ରୀ-। କାକୁସ୍ଥ ହୋଇ ରାସ୍ତା କଡ଼ରେ ଚାଲିଥିଲେ ଦୁହେଁ ।

 

ଗେଟ୍ ପାଖରେ ପହଞ୍ଚିଲା ତ ଆବେଗରେ ଉଛୁଳି ଉଠିଲା ବାସୁଆର ମନ । ତରତରରେ ଅଣ୍ଟାରୁ ଟଙ୍କା କାଢ଼ିଲା । ତିନି ଭାଙ୍ଗ ହୋଇଥିବା ଦଶ ଟଙ୍କିଆକୁ ସିଧା କରିଦେଲା ବାସୁଆ । ହାତରେ ଭିଡ଼ି ଧରି ଆଗେଇଗଲା କାଉଣ୍ଟର ଆଡ଼େ । ଧାଡ଼ିରେ ଠିଆହେଲା ଅନ୍ୟମାନଙ୍କ ସହିତ ।

 

ମନେମନେ ସ୍ୱପ୍ନେଇ ଗଲା ବାସୁଆ । ଏକାମ୍ରକାନନ ଭିତରେ ପ୍ରବେଶ କରିବାର ଆଶୁ ଆନନ୍ଦରେ ପୁଲକି ଉଠିଲା । ଯେତେ କଷ୍ଟ ହେଉ ପଛେ, ଗୋଟି ଗୋଟି କରି ସବୁ ଗଛକୁ ଦେଖିବ-। ସମସ୍ତଙ୍କ ପାଖକୁ ଯାଇ ପଚାରିବ ଚିହ୍ନିପାରୁଛ ମୋତେ ! ଚିହ୍ନିପାରୁଛ ତୁମ ଜୀବନଦାତାଙ୍କୁ-। ତୁମେ ନ ଚିହ୍ନିଲେ ନ ଚିହ୍ନ, ମୁଁ ତ ଭୁଲିପାରୁନି ତୁମକୁ । ତୁମେ ଏମିତି ବଡ଼ ହୁଅ । ପ୍ରଶଂସା ପାଅ ଦେଶବିଦେଶର ଲୋକମାନଙ୍କଠାରୁ । ସେତିକିରେ ମୋର ଆନନ୍ଦ, ସେଇ ମୋର ପରମ ଶାନ୍ତି-

 

ପଛରେ ଠିଆ ହୋଇଥିବା ଲୋକଟି ହଲେଇ ଦେଲା ବାସୁଆକୁ । ଚାଲ ଚାଲ । ଇଏ ଠିଆ ହବା ଜାଗା ନୁହଁ ।

 

ଚମକି ପଡ଼ି ଆଗେଇଗଲା ବାସୁଆ । ଦୁଇଟି ଟିକେଟ୍‍ ପାଇଁ ବଢ଼େଇ ଦେଲା ହାତ । କାଉଣ୍ଟରରେ ଥିବା ଲୋକଟି ଫେରେଇ ଦେଲା ପଇସା । ଆଉ ଦୁଇଟଙ୍କା ଦିଅ । ଟିକେଟ୍‍ ଗୋଟିକୁ ଛଅ ଟଙ୍କା ।

ମୁଣ୍ଡରେ ବଜ୍ର ପଡ଼ିଲା ବାସୁଆର । ସ୍ୱପ୍ନ ସବୁ ମାଟି ହୋଇଗଲା । ଥର ଥର ହୋଇ କହିଲା ମୁଣ୍ଡ ପିଛା ପାଞ୍ଚଟଙ୍କା ଥିଲା ପରା ।

ରୁକ୍ଷ ସ୍ୱରରେ ଉତ୍ତର ଆସିଲା ଭିତରୁ । ଥିଲା କେବେ, ଏବେ ଆଉ ନାହିଁ । ବଢ଼ି ଗଲାଣି ।

ଅନୁନୟ ହୋଇ ବାସୁଆ କହିଲା, ବାବୁ ଆମେ ଗରିବ ଲୋକ । ଦି’ଟଙ୍କା ଛାଡ଼ କରି ଦେଲେ କ’ଣ ଚଳିବନି ।

ଜବାବ ଆସିଲା ପଛରୁ । ଆରେ ଉଠ୍ ଉଠ୍ । ପଇସା ନାହିଁ ତ କାଉଣ୍ଟର ଛାଡ଼ । ଏକାମ୍ରକାନନ ନ ଗଲେ କ’ଣ ଚଳିବନି । ତୁମେ ଗୁଡ଼ା ଏକାମ୍ରକାନନରେ କ’ଣ ଦେଖିବ ଯେ ଏମିତି ମାଡ଼ି ଆସୁଛ । ତୁମେ ନ ଆସିଲେ ଏକାମ୍ରକାନନଟା ଯେମିତି ବନ୍ଦ ହୋଇଯିବ !

ଆଉ ଜଣେ କିଏ କହିଲା, ମୂଲିଆର ପାର୍କ ଯିବା ସଉକ ଦେଖ । ପାଖରେ ପଇସା ନାହିଁ, ସାଥିରେ ହିରୋଇନକୁ ଧରି ଆସିଛି ।

ସମବେତ ହସର ଲହରି ଛୁଟି ଆସିଲା ବାସୁଆ ଉଦ୍ଦେଶ୍ୟରେ ।

କାଉଣ୍ଟରରୁ ଚାଲି ଆସିଲା ବାସୁଆ ।ସବୁ କିଛି ଅନ୍ଧାର ଦେଖାଗଲା ତାକୁ । ତା’ ସ୍ୱପ୍ନ କ’ଣ ସ୍ୱପ୍ନ ହୋଇଯିବ ! ଜୀବନ ସାରା କ’ଣ ଦେଖିପାରିବନି ଏକାମ୍ରକାନନକୁ ! ଶେଷଥର ଚେଷ୍ଟା କରିବା ପାଇଁ ଆଗେଇଗଲା ବାସୁଆ । ପହଞ୍ଚିଗଲା ଗେଟ୍‍କିପର ପାଖରେ ।

 

ବାବୁ, ଛାଡ଼ିଦିଅ ପାଞ୍ଚ ଟଙ୍କା ଲେଖାଏଁ ନେଇ । ଥରକ ପାଇଁ ଛାଡ଼ିଦିଅ ଆମକୁ । ତମର କିଛି କ୍ଷତି ହବନି ବାବୁ । ସତ କହୁଛି, ଫୁଲ ଫଳ ମୋଟେ ଛୁଇଁବିନି । ଗଛର ପତ୍ରଟିଏ ବି ଧରିବିନି ହାତରେ । ମାତ୍ର ଥରକ ପାଇଁ ଛାଡ଼ିଦିଅ ମୋତେ ।

 

ଏକାମ୍ରକାନନର ଦିଓ୍ଵାଲରେ ଧକ୍‌କା ଖାଇ ଫେରିଆସିଲା ତା’ ଗୁହାରି । ଯାତ୍ରୀମାନଙ୍କ କୋଳାହଳରେ ମିଳେଇଗଲା ସବୁ ଆବେଗର ସ୍ୱର । ଗେଟ୍‍କିପର କହିଲା, ଯାଃ, ଯାଃ । ପକେଟରେ ଟଙ୍କା ନାହିଁ, ଚାଲି ଆସିଲା ଏକାମ୍ରକାନନ ଯିବାକୁ । ଏଇଟା ତ ଆଉ ମାହାଳିଆ ଅନ୍ନଛତ୍ର ଦିଆ ଯାଉନି ଯେ ଯିଏ ନାହିଁ ସିଏ ଚାଲିଆସିବ !

 

ଡେରିରେ ହେଲେ ବି ଗେଟ୍‍କିପରକୁ ଚିହ୍ନିଲା ବାସୁଆ । ତା’ରି ସାଙ୍ଗରେ କାମ କରୁଥିବା କୁଟିଆ ଇଏ । ସେତେବେଳେ ଘାସ ବାଛୁଥିଲା । ଗଛରେ ପାଣି ଦେଉଥିଲା । କଷ୍ଟ କାମ କରିପାରିବନି ବୋଲି ଖୋସାମନ୍ତ କରୁଥିଲା ବାବୁଙ୍କୁ । ପାଠ ଦି’ ଅକ୍ଷର ପଢ଼ିଥିଲା, ଏବେ ଗେଟ୍‍କିପର ଚାକିରି ପାଇଛି ଏଠି ।

 

ଆଶା ବାନ୍ଧି ବାସୁଆ କହିଲା, ଆରେ ମତେ କ’ଣ ଚିହ୍ନିପାରୁନୁ ? ମୁଁ ପରା ବାସୁଆ ଆସିଛି । ଏ ବଗିଚାରେ ସବୁ ଗଛ ଲଗେଇଥିବା ବାସୁଆ ମୁଁ । ସେତେବେଳେ ବାବୁ ମୋତେ ଖୁବ୍ ଭଲ ପାଉ ନ ଥିଲେ ! ମୋ ହାତ ଶୁଭ ବୋଲି ସବୁ ଗଛ ଲଗେଇବାକୁ ମୋତେ କହି ନ ଥିଲେ ! ମୁଷାଣ୍ଡ୍ରା, ସର୍ବେରା, ଡାଇଫନବିକିଆ, ଡ୍ରାସେନା ଆଦି ସବୁ ଗଛ ମୋରି ହାତରେ ଲଗା ଯାଇ ନ ଥିଲା !

 

ରାଗରେ ଚିଡ଼ି ଉଠିଲା ଗେଟ୍‍କିପର । ହଟ୍ ଏଠୁ । କୋଉଠୁ କିଏ ଆସୁଛି, କହୁଛି କ’ଣ ନା ମୋତେ ଚିହ୍ନ । କିହୋ, ଟିକେଟ୍‍ କାଟିବ ତ ଭିତରକୁ ଯିବ; ଏଥିରେ ଚିହ୍ନା ଚିହ୍ନି ହେବାର କ’ଣ ଅଛି । ଏଠୁ ଉଠିବୁନା ପୁଲିସ ଡାକିବି ଏଇନେ ।

 

ଆକଟି କହିଲା ବାସୁଆର ସ୍ତ୍ରୀ । ଆମର ନ ହେଲା ନାହିଁ । ଚାଲ ଫେରିଯିବା ଘରକୁ । କ’ଣ ମିଳିବ ଏ ଏକାମ୍ରକାନନରୁ ! ବାସୁଆର କିନ୍ତୁ ଏକା ଜିଦ୍ । ଯେମିତି ହେଲେ ସେ ଏକାମ୍ରକାନନ ଯିବ । ସମବେଦନା ଜଣାଇ ତା’ ସ୍ତ୍ରୀ କହିଲା, ବରଂ ତୁମେ ଏକା ଯାଅ । ମୁଁ ଏଇଠି ଅଛି ।

 

ନାଇଁ ଲୋ, ସେ କଥା ହବ କିମିତି । ତତେ ଘରୁ ଡାକି ଆଣିଛି ଯେତେବେଳେ, ମୁଁ ଏକା ଏକା କୋଉ ମୁହଁରେ ଯିବି ।

 

ବାସୁଆ ଦେଖିଲା, ଆଖି ସାମ୍ନାରେ ପଶି ଯାଉଛନ୍ତି ଦଳଦଳ ଲୋକ । କିଏ ଟିକେଟ୍ କରିଛି, କିଏବା ଦେଖାଇ ଦେଉଛି ପାସ୍‍ ।

 

ବିଦ୍ରୋହ ଜାଗିଉଠିଲା ବାସୁଆ ମନରେ । ସମସ୍ତେ ଯାଉଛନ୍ତି, ସେ ବି ଯିବ । ଦେଖି ଆସିବ ତା’ ଏକାମ୍ରକାନନକୁ । ସ୍ତ୍ରୀକୁ ଟାଣି ନେଇ ଆଗେଇ ଗଲା ବାସୁଆ । ଗେଟ୍‌କିପର ଅଟକାଇ ଦେଲା ପୁଣି ଥରେ ।

 

ବାସୁଆ କହିଲା ଭିତରକୁ ଯିବି । ଦେଖିବି ମୋ ହାତଲଗା ଗଛମାନଙ୍କୁ । ଦୃଢ଼ ଭାବେ ବିରୋଧ କଲା ଗେଟ୍‌କିପର । ନା, ହୋଇପାରିବନି । ବିନା ଟିକେଟରେ ଛାଡ଼ିଦେବିନି ଭିତରକୁ ।

 

ଏଇ କଥାରୁ ଆରମ୍ଭ ହୋଇଗଲା ଯୁଦ୍ଧ । ବାକ୍‍ବିତଣ୍ଡାରୁ ପହଞ୍ଚିଗଲା କୁସ୍ତି କସରତ ପର୍ଯ୍ୟନ୍ତ । ସ୍ତବ୍ଧ ହୋଇଗଲା ଏକାମ୍ରକାନନ । ଭୟରେ ସ୍ଥିର ହୋଇଗଲା ଯାତ୍ରୀମାନଙ୍କ ପଟୁଆର ।

 

କୋଉଠିଥିଲେ ମାଡ଼ି ଆସିଲେ ନିରାପତ୍ତା କର୍ମଚାରୀଗଣ । ହ୍ଵିସିଲ ବାଜିଲା ତ ଆଡ଼େଇଗଲା ଉପସ୍ଥିତ ଜନସମାଗମ । ସମସ୍ତେ ଚିହ୍ନେଇ ଦେଲେ ବାସୁଆକୁ । ଗଣ୍ଡଗୋଳ କରୁଛି ଇଏ । ଗୁଣ୍ଡାଗିରି କରି ବିନା ଟିକେଟରେ ପଶିଯାଉଛି ଏକାମ୍ରକାନନ ଭିତରକୁ ।

 

ବାସୁଆ ଉପରେ ଦୁମ୍‌ଦାମ୍ ପଡ଼ିଲା ଲାଠି । ବିଧା ଗୋଇଠା ମାଡ଼ରେ ନିଃଶ୍ଵାସ ବନ୍ଦ ହୋଇଯିବାକୁ ଲାଗିଲା ତା’ର ।

 

କିଛି ଦୂରରେ ଥାଇ ଦେଖୁଥିଲା ବାସୁଆର ସ୍ତ୍ରୀ । ପୁଲିସ ଗାଡ଼ିରେ ବସିଥିଲା ବାସୁଆ । ପାଗଳଙ୍କ ପରି ବାଉଳି ହେଉଥିଲା, ଏକାମ୍ରକାନନ, ମୋ ଏକାମ୍ରକାନନ ।

☆☆☆

 

ସମ୍ରାଟଙ୍କ ଗସ୍ତ ପରେ

 

ସାମନ୍ତ ରାଜାଙ୍କ ଛାମୁରେ ଆସି ଜଣାଇଲା ଚାର । ମହାରାଜା, କାଲି ପ୍ରଭାତରେ ରାଜ୍ୟରେ ବିରାଟ ବିକ୍ଷୋଭର ଆୟୋଜନ ହୋଇଛି । ଶାସନ କଳକୁ ଅଚଳ କରିଦେବା ପାଇଁ ଡାକରା ଦେଇଛନ୍ତି ବିରୋଧୀ ପକ୍ଷ ଲୋକ ।

 

କିଷଣ ଦେଶରେ ଏମିତି ବିକ୍ଷୋଭ, ପଟୁଆର, ଆନ୍ଦୋଳନ ନୂଆ ନ ଥିଲା ସାମନ୍ତ ରାଜାଙ୍କ ପାଇଁ । କଥାଟାକୁ ସେତେ ଗୁରୁତ୍ୱ ନ ଦେଇ ପଚାରି ଦେଲେ ରାଜା, ବିକ୍ଷୋଭକାରୀଙ୍କ ଅଭିପ୍ରାୟ ? ମସ୍ତକ ନତ କରି ଚାର ଜଣାଇଲା, ପ୍ରବଳ ମରୁଡ଼ି ଘଟିଛି ରାଜ୍ୟସାରା । ବୃଷ୍ଟିହୀନତା ଯୋଗୁଁ ହଇରାଣ ହରକତ ହେଉଛନ୍ତି ପ୍ରଜାକୁଳ । ସେମାନଙ୍କ ପାଇଁ ଖାଦ୍ୟ ଦରକାର, ପିଇବା ପାଣିର ବନ୍ଦୋବସ୍ତ ହେବା ଦରକାର । ଆଗାମୀ ଫସଲ ପାଇଁ ବିହନ ସାର ଦରକାର ।

 

ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ମରୁଡ଼ି ମନ୍ତ୍ରୀଙ୍କ ଆଡ଼େ ଚାହିଁଦେଲେ ମହାରାଜ । ଗଦା ଗଦା ନଥି ଭିତରୁ ଗୋଟିଏ ନଥି ବାହାର କଲେ ମନ୍ତ୍ରୀବର । ପୃଷ୍ଠା ପରେ ପୃଷ୍ଠା ପଢ଼ିଗଲେ ରାଜାଙ୍କ ସାମ୍ନାରେ । ମହାରାଜ, ମରୁଡ଼ି ନୁହଁ, ପ୍ରବଳ ବନ୍ୟା ହୋଇଛି ରାଜ୍ୟରେ । ରାଜ୍ୟର ସମସ୍ତ ପ୍ରଶାସକ ପଠେଇ ଦେଇଛନ୍ତି ଜରୁରୀ ଖବର । ଲୋକଙ୍କୁ ଉଦ୍ଧାର କରିବା ଦରକାର । ସେମାନଙ୍କ ପାଖରେ ଚୁଡ଼ା, ଚାଉଳ ପହଞ୍ଚାଇବା ଦରକାର ।

 

ଗମ୍ଭୀର ହୋଇଗଲା ମହାରାଜାଙ୍କ କଣ୍ଠସ୍ୱର । ଲାଲ ହୋଇଗଲା ଆଖି । ବନ୍ୟା ମନ୍ତ୍ରୀଙ୍କ ଆଡ଼କୁ ଚାହିଁ ପଚାରିଲେ, କି ପଦକ୍ଷେପ ନିଆଯାଇଛି ଏଥିପାଇଁ ?

 

କେତେ ପୃଷ୍ଠା ଖେଳେଇ ଗଲେ ବନ୍ୟା ମନ୍ତ୍ରୀବର । ଗୋଟି ଗୋଟି କରି ହିସାବ ଜଣେଇଦେଲେ ରାଜାଙ୍କୁ । ପ୍ରବଳ ବନ୍ୟାରେ ଭାଙ୍ଗିଯାଇଛି ସତସ୍ତରିଟି ଘାଇ । ରାଜ୍ୟର ସତରଟି ଯାକ ପ୍ରଗଣାରେ ମାଡ଼ିଯାଇଛି ବଢ଼ିପାଣି । ଭାଙ୍ଗିଯାଇଛି ଲୋକମାନଙ୍କର ଘର, ତିରିଶ ହଜାର ଗୋରୁଗାଈ ଭାସି ଯାଇଛନ୍ତି । ନିଖୋଜ ହୋଇଛନ୍ତି ତିନୋଟି । ପରିବାର ପ୍ରତିକାର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ସରକାରଙ୍କ ତରଫରୁ । ବନ୍ୟାଞ୍ଚଳକୁ ପଠେଇ ଦିଆଯାଇଛି ସାତ ଶହ ବୋଟ୍-। ପ୍ରତି ପ୍ରଶାସକଙ୍କୁ ଯୋଗାଇ ଦିଆଯାଇଛି ପାଞ୍ଚ ଶହ ଟନ୍‍ ଚୁଡ଼ା, ଦଶ ଶହ ଟନ୍‍ ଚାଉଳ-। ତିନି ହଜାର ଲେଖାଏଁ ବସ୍ତ୍ର ଯୋଗେଇ ଦିଆଯାଇଛି ସମସ୍ତଙ୍କୁ । ଜରୁରୀ ଭାବେ ରିଲିଫ କାର୍ଯ୍ୟ ଚଳାଇବା ପାଇଁ ଆଦେଶ ଦିଆଯାଇଛି ପ୍ରଶାସକମାନଙ୍କୁ ।

 

ସମ୍ରାଟଙ୍କ ପାଖକୁ ଖବର ପଠାଇଛ ? ନିମନ୍ତ୍ରଣ ମନ୍ତ୍ରୀଙ୍କୁ ପଚାରିଲେ ମହାରାଜା ।

 

ହଁ ମହାରାଜା । ପୃଷ୍ଠା ଓଲଟାଉ ଓଲଟାଉ ଜଣାଇଲେ ନିମନ୍ତ୍ରଣ ମନ୍ତ୍ରୀବର । ସ୍ୱତନ୍ତ୍ର ଦୂତ ଦିଲ୍ଲୀନଗରୀକୁ ଘେନିଯାଇଛି ସମ୍ବାଦ । ରାଜ୍ୟର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ଫଟୋଚିତ୍ର ସହ ସମସ୍ତ ବିବରଣୀ ନେଇ ପହଞ୍ଚିଯାଇଛି ଦୂତ । ସମ୍ରାଟଙ୍କୁ ଗୁହାରି କରାଯାଇଛି ସାତ ଶହ କୋଟି ଟଙ୍କା ଆବଶ୍ୟକ କଷଣ ରାଜ୍ୟ ପାଇଁ । ଏ ବନ୍ୟା ପ୍ରକୋପରୁ ରକ୍ଷା ପାଇବା ପାଇଁ ଦୁଇ ହଜାର ବୋଟ୍ ଦରକାର । ବାଇଶ ହଜାର ଟନ୍‍ ଖାଦ୍ୟ ଶସ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ଦ୍ରବ୍ୟ ମଧ୍ୟ ଦରକାର ଏ ବନ୍ୟାର ସାମ୍‌ନା କରିବା ପାଇଁ । ବନ୍ୟାଞ୍ଚଳ ପରିଦର୍ଶନ ପାଇଁ ଅନୁରୋଧ କରାଯାଇଛି ଖୋଦ୍ ଦିଲ୍ଲୀସମ୍ରାଟଙ୍କୁ ।

 

ମନ୍ତ୍ରୀଙ୍କ କଥା ଶୁଣି ସନ୍ତୁଷ୍ଟ ହୋଇଗଲେ ମହାରାଜ ।

 

ରାଜନଅର ସାମ୍ନାରେ ଲମ୍ବିଯାଇଥିଲା ପ୍ରଜାମାନଙ୍କର ବିରାଟ ପଟୁଆର । ଭୋକିଲା କଣ୍ଠରେ ସ୍ଳୋଗାନ ଦେଉଥିଲେ ପ୍ରଜାମାନେ । ସବା ଆଗରେ ବିରୋଧୀ ପକ୍ଷର ଲୋକ କେତେଜଣ । ତା’ ପଛକୁ ନାରୀ, ପୁରୁଷ, ବୃଦ୍ଧ, ବାଳକ ଅସଂଖ୍ୟ ଲୋକଙ୍କର ଲମ୍ବା ଧାଡ଼ିଟିଏ । ହାତରେ ରସ ତାଟିଆ ଗୋଟିଏ ଗୋଟିଏ । ମୁହଁରେ ଖାଦ୍ୟ ପାଇଁ ଆକୁଳ ପ୍ରାର୍ଥନା । ଘରୁ ବାହାରିଲାବେଳେ ତାଙ୍କୁ କୁହାଯାଇଛି ରାଜ ନଅରକୁ ଚାଲ, ଅନ୍ନଛତ୍ର ଦିଆଯାଉଛି ଭୋକିଲାମାନଙ୍କୁ-

 

ସମ୍ମୁଖରୁ ମାଡ଼ିଆସିଲେ ସୈନ୍ୟଦଳ । ବିକ୍ଷୋଭ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଭାବେ ତାଲିମ ପ୍ରାପ୍ତ ସେନାବାହିନୀ ଲାଠି ପ୍ରହାର କଲେ । ଲୁହ ବୁହା ଗ୍ୟାସ ପ୍ରୟୋଗ କରି ଅନ୍ଧାର କରିଦେଲେ ଚତୁର୍ଦ୍ଦିଗ । ପଛକୁ ପଛ ଆଖିବୁଜା ଗୁଳି ଚଳାଇଲେ ସେମାନେ । ଖଣ୍ଡିଆ ଖାବରା ହୋଇ ପଳେଇଗଲେ କେତେଜଣ । ଯାଇ ନ ପାରି ପଡ଼ିଗଲେ ଅନେକ । ଆଉ କେତେକ ତ ଗୁଳିକାଣ୍ଡରେ ପାଲଟି ଯାଇଥିଲେ ଶବ । ବିକ୍ଷୋଭ ପ୍ରତିରୋଧୀ ସେନାପତିଙ୍କୁ ଧନ୍ୟ ଧନ୍ୟ କହିଲେ ମହାରାଜ । କେଇ ମୁହୂର୍ତ୍ତ ଭିତରେ ସମସ୍ତ ଲୋକଙ୍କୁ ତଡ଼ିଦେଇଥିବାରୁ ଆନନ୍ଦ ପ୍ରକାଶ କଲେ ରାଜା ମହୋଦୟ ।

 

ରାଜ୍ୟର ସମସ୍ତ ସମ୍ବାଦ ପ୍ରକାଶ ପାଇଲା ଖବର । ବୁଭୁକ୍ଷୁ ଜନତା ଉପରେ ସେନାବାହିନୀର ଅତ୍ୟାଚାର । ମରୁଡ଼ି ପ୍ରପୀଡ଼ିତ ଲୋକଙ୍କ ଭିକ୍ଷାଥାଳିରେ ଲାଠି ପ୍ରହାର । ଏଥି ସହିତ ମରୁଡ଼ି ଅଞ୍ଚଳର ବିସ୍ତୃତ ବିବରଣୀ ପ୍ରକାଶ ପାଇଲା ସମ୍ବାଦପତ୍ରମାନଙ୍କରେ । ଫଟୋଚିତ୍ର ସହ ପ୍ରକାଶିତ ହେଲା ଲୋକମାନଙ୍କ କରୁଣ କାହାଣୀ । ବିରୋଧୀ ପକ୍ଷ ଲୋକ ବିବୃତି ଦେଇ ନିନ୍ଦାକଲେ ମହାରାଜଙ୍କର ଏ ଅମାନୁଷିକ ଆଚରଣ ।

 

ମନ୍ତ୍ରୀମାନଙ୍କ ଜରୁରୀବୈଠକ ଡାକିଲେ ମହାରାଜ । ଘଟଣାର ସତ୍ୟାସତ୍ୟ ପଚାରି ବୁଝିଲେ ମରୁଡ଼ି ମନ୍ତ୍ରୀଙ୍କ ଠାରୁ ।ସରକାରୀ ନଥିପତ୍ର ଦେଖି ବୁଝିଲେ ପ୍ରକୃତ ଘଟଣା । ଜଣେଇଦେଲେ ମନ୍ତ୍ରୀବର । ଏସବୁ ମିଥ୍ୟା । ସରକାରୀ ସ୍ତରରେ କୌଣସି ସ୍ଥାନରୁ ଖବର ଆସିନି ମରୁଡ଼ି ବିଷୟରେ । କେଉଁ ପ୍ରଶାସକ ଖବର ଦେଇ ନାହାନ୍ତି ମରୁଡ଼ି ପଡ଼ିଛି ବୋଲି । ସମ୍ବାଦପତ୍ରର ସମସ୍ତ ବିବରଣୀ ମିଥ୍ୟା । ବିରୋଧୀ ପକ୍ଷଙ୍କ ଅଭିଯୋଗ ମିଥ୍ୟା । ଲୋକମାନଙ୍କ ମନରେ ହଟଚମଟ ସୃଷ୍ଟି କରିବା ପାଇଁ ଇଏ ଏକ କପୋଳକଳ୍ପିତ ପ୍ରଚାର ପତ୍ର ।

 

ଏ କଥାକୁ ସମର୍ଥନ ଜଣେଇଲେ ବନ୍ୟା ମନ୍ତ୍ରୀ । ରାଜ୍ୟର ସମସ୍ତ ପ୍ରଶାସକ ଜଣେଇ ଦେଇଛନ୍ତି ପ୍ରବଳ ବନ୍ୟା ଆସିଛି କଷଣ ରାଜ୍ୟରେ । ଏହାର ଅନେକ ଫଟୋଚିତ୍ର ମଧ୍ୟ ପ୍ରଦର୍ଶନ କରାଗଲା ରାଜାଙ୍କ ସମ୍ମୁଖରେ ।

 

ହୃଦବୋଧ ହେଲା ମହାରାଜାଙ୍କର । ଏମିତି ବନ୍ୟା ହୋଇଥିଲାବେଳେ ମରୁଡ଼ି ହୋଇପାରିବ କାହୁଁ ! ମିଥ୍ୟା ସମ୍ବାଦ ପଠେଇ ନ ପାରନ୍ତି ପ୍ରଶାସକଗଣ । ରାଜ୍ୟର ସରକାରୀ କର୍ମଚାରୀ ମିଛ କହିବା ସମ୍ଭବ ନୁହେଁ କେବେ । ସମ୍ବାଦପତ୍ରର ଏସବୁ ମନଗଢ଼ା କାହାଣୀ । ତାଙ୍କ ସରକାରଙ୍କୁ ବଦନାମ କରିବା ପାଇଁ ବିରୋଧୀ ପକ୍ଷର ଇଏ ଗୋଟିଏ ଚାଲ୍‍ ।

 

କ୍ରୋଧରେ ଜଳି ଉଠିଲେ ମହାରାଜ । ସମ୍ବାଦ ମନ୍ତ୍ରୀଙ୍କୁ ଚାହିଁ କହିଲେ ଅଧ୍ୟାଦେଶ ଜାରିକର କାଲିଠାରୁ । ରାଜ୍ୟରେ ପ୍ରକାଶ ପାଇପାରିବନି କୌଣସି ସମ୍ବାଦପତ୍ର । ଅନିର୍ଦ୍ଦିଷ୍ଟ କାଳ ପାଇଁ ସେ ସବୁର ପ୍ରକାଶନ ବନ୍ଦ କରାଯିବ ।

 

କାକୁସ୍ଥ ହୋଇ ଜଣାଇଲେ ସମ୍ବାଦ ମନ୍ତ୍ରୀ । କ୍ଷମା କରିବେ ମହାରାଜ । ଏପରି କରିବା ଉଚିତ ହେବ ନାହିଁ । ସମ୍ବାଦପତ୍ର ପ୍ରକାଶନ ବନ୍ଦ ରହିଲେ ପ୍ରଜା ଆନ୍ଦୋଳନ ଦେଖାଯିବ ରାଜ୍ୟରେ-। ଏହାକୁ ସମ୍ଭାଳିବା କଷ୍ଟକର ହୋଇଯିବ ।

 

ହା-ହା-ହା । ଖୁବ୍ ଜୋରରେ ହସିଦେଲେ ମହାରାଜା । କଷଣର ମହାରାଜଙ୍କୁ ପୁଣି ପ୍ରଜା ଆନ୍ଦୋଳନ ଭୟ । କେତେ ହଜାର ସୈନ୍ୟ ଅଛନ୍ତି ମୋ ରାଜ୍ୟରେ ? ସେମାନେ କ’ଣ ବନ୍ଦ କରିପାରିବେନି ପ୍ରଜାମାନଙ୍କ କଣ୍ଠସ୍ୱର ?

 

ଏଥର ଅନ୍ୟ ଏକ ସମସ୍ୟା ଉପସ୍ଥାପନ କଲେ ସମ୍ବାଦ ମନ୍ତ୍ରୀ । ଦିଲ୍ଲୀ ସମ୍ରାଟଙ୍କର କଠୋର ଆଦେଶ । ସମ୍ବାଦପତ୍ର ପ୍ରକାଶନ ଉପରେ ହସ୍ତକ୍ଷେପ କରିପାରିବେନି ସାମନ୍ତ ରାଜାମାନେ । ସମ୍ବାଦପତ୍ରଗୁଡ଼ିକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ ସବୁଆଡ଼େ ।

 

ଏଥର ନରମିଗଲେ ମହାରାଜ । କଥାର ମୋଡ଼ ବଦଳାଇ ପଚାରିଦେଲେ ସମ୍ରାଟଙ୍କ ଆଗାମୀ କଷଣ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ।

 

ଦୀର୍ଘ ସାତ ବର୍ଷପରେ ଦିଲ୍ଲୀର ସମ୍ରାଟ ଆସୁଛନ୍ତି କଷଣ ରାଜ୍ୟକୁ । ବନ୍ୟାଞ୍ଚଳ ପରିଦର୍ଶନ ପାଇଁ ଚାଲି ଆସୁଛନ୍ତି ମନ୍ତ୍ରୀ ପରିଷଦମାନଙ୍କୁ ନେଇ । ଦୁଇ ଦିନ ରହି ବୁଲିଯିବେ ବନ୍ୟାଞ୍ଚଳ । ହେଲିକୋପ୍‌ଟର, ମଟର ଲଞ୍ଚ, ବୁଲେଟ୍‍ପ୍ରୁଫ୍ ଜିପ୍‌ରେ ବସି ଘୂରି ଆସିବେ କଷଣର ସତରଟି ଯାକ ପ୍ରଗଣା ।

 

ସମ୍ରାଟଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀରୁ ଅଣାଯାଇଛି ଚାଳିଶଟି ସ୍ଵତନ୍ତ୍ର ଲଞ୍ଚ । ଦଶୋଟି ବୁଲେଟ୍‍ପ୍ରୁଫ୍ ଜିପ୍ ଅଣାଯାଇଛି ଉଡ଼ାଜାହାଜରେ । ଷାଠିଏ ହଜାର ସୈନିକ ଆସିଛନ୍ତି ମହାମାନ୍ୟ ସମ୍ରାଟଙ୍କ ସୁରକ୍ଷା ପାଇଁ । ସମଗ୍ର ରାଜ୍ୟ ପାଲଟି ଯାଇଛି ଗୋଟିଏ ସେନାଛାଉଣୀ । ରାଜ୍ୟ ଭିତରେ ଯୁଦ୍ଧ ଲାଗିବାର ଅବସ୍ଥା ସୃଷ୍ଟି ହୋଇଛି ଯେମିତି । କଷଣର ପ୍ରଶାସନ ସ୍ତରରେ ସମସ୍ତଙ୍କୁ ସତର୍କ କରିଦିଆଯାଇଛି ସମ୍ରାଟଙ୍କ ଗସ୍ତ ସମୟ ପାଇଁ । କୌଣସି ଅସୁବିଧା ନ ହୁଏ ଯେମିତି ଦିଲ୍ଲୀ ସମ୍ରାଟଙ୍କର ।

 

ଯେତେ ଅର୍ଥ ବ୍ୟୟ ହେବ ହେଉ, ଯେପରି ଭାବେ ବ୍ୟବହାର କରାଯାଉ ଶାସନ କଳ, କିନ୍ତୁ ମହାମାନ୍ୟ ସମ୍ରାଟଙ୍କ ଗସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଉ ସୁଚାରୁରୂପେ ।

 

ଗସ୍ତ ମନ୍ତ୍ରୀଙ୍କ ପ୍ରସ୍ତାବ କ୍ରମେ ସମ୍ରାଟଙ୍କ ଆଗମନ ପୂର୍ବରୁ ପ୍ରଶାସକମାନଙ୍କ ସମ୍ମିଳନୀ ଡକାଗଲା କଷଣ ରାଜଧାନୀରେ । ସମ୍ରାଟଙ୍କ ବନ୍ୟାଞ୍ଚଳ ଗସ୍ତ ପାଇଁ ସବୁ ଆୟୋଜନ କରାଯିବା ଦରକାର । ସାତ ବର୍ଷ ପରେ ଦିଲ୍ଲୀ ସମ୍ରାଟ ଆସୁଛନ୍ତି ଯେତେବେଳେ ତାଙ୍କୁ ଉପଯୁକ୍ତ ସମ୍ମାନ ଦେବା ଦରକାର ।

 

ସମ୍ମିଳନୀରେ ସଭାପତିତ୍ୱ କଲେ ସ୍ୱୟଂ କଷଣର ମହାରାଜ । ପ୍ରଶାସକମାନଙ୍କୁ ଚାହିଁ ମହାରାଜ କହିଲେ, ସମ୍ରାଟଙ୍କୁ ଅଳ୍ପ ପାଣିଥିବା ଅଞ୍ଚଳକୁ ଲଞ୍ଚରେ ନିଆଯିବ । ବଢ଼ିପାଣି ଘେରରେ ପଡ଼ିଯାଇଥିବା ଲୋକଙ୍କ ପାଖକୁ ଯିବାକୁ ଚାହିଁଲେ ବିପଦର ଆଶଙ୍କା ଥିବାରୁ ଯିବାପାଇଁ ବାରଣ କରାଯିବ । ସେହି ଅନୁସାରେ ସମ୍ରାଟଙ୍କ ଗସ୍ତପଥର ଖସଡ଼ା ପ୍ରସ୍ତୁତ କରାଯିବ ।

 

ଉଠିପଡ଼ି ଉତ୍ତରାଞ୍ଚଳର ପ୍ରଶାସକ ଜଣାଇଲେ, କ୍ଷମା କରିବା ହେବେ ମହାରାଜ । ଆମ୍ଭ ପ୍ରଗଣାରେ କରାଳ ମରୁଡ଼ି ପଡ଼ିଛି ଏବେ । ବନ୍ୟାର ତ ନାମଗନ୍ଧ ସୁଦ୍ଧା ନାହିଁ । ସମ୍ରାଟଙ୍କ ଗସ୍ତପଥ ନିର୍ଣ୍ଣୟ କରାଯିବ କିପରି ?

 

ଚିତ୍କାର କରି ଉଠିଲେ ମହାରାଜ । ଅସମ୍ଭବ ଏକଥା, କଷଣରାଜ୍ୟରେ ପ୍ରବଳ ବନ୍ୟା ଆସିଛି ଏବେ । ଭାସି ଯାଇଛି ଘରଦ୍ୱାର । ମରୁଡ଼ି ସମ୍ବାଦ ସମ୍ପୂର୍ଣ୍ଣ ମିଥ୍ୟା । ମୋ ପ୍ରଶାସକ ହୋଇ ଏପରି ମିଥ୍ୟା ସମ୍ବାଦ ପ୍ରକାଶ କରିବା ପାଇଁ ସାହସ କରିପାରୁଛ ତୁମେ ?

 

ନରମି ଗଲେ ଉତ୍ତରାଞ୍ଚଳ ପ୍ରଶାସକ । କିନ୍ତୁ ଅନ୍ୟ ପ୍ରଶାସକଗଣ ସମର୍ଥନ ଜଣେଇଲେ ତାଙ୍କୁ । ଆମ ପ୍ରଗଣାରେ ଏବେ ବନ୍ୟାର ଚିହ୍ନବର୍ଣ୍ଣ ନାହିଁ ମହାରାଜ । ଉତ୍କଟ ମରୁଡ଼ି ଯୋଗୁଁ ହାହାକାର ଖେଳିଯାଇଛି ପ୍ରଜାମାନଙ୍କ ଭିତରେ । ଏ କଥା ଶୁଣି ରାଗି ଉଠିଲେ ମହାରାଜ । ରାଜ୍ୟରେ ମରୁଡ଼ି, ଅଥଚ ମୋତେ ଜଣା ନାହିଁ ଏ ଖବର । ଦାନ୍ତ କଡ଼ମଡ଼ କରି ଚାହିଁ ଦେଲେ ବନ୍ୟା ମନ୍ତ୍ରୀଙ୍କ ଆଡ଼କୁ । ଡରି ଡରି ବନ୍ୟା ମନ୍ତ୍ରୀ ପ୍ରକାଶ କଲେ, ସତ କହୁଛି ମହାରାଜ ଏପର୍ଯ୍ୟନ୍ତ ମୋ ପାଖରେ କେବଳ ବନ୍ୟାର ରିପୋର୍ଟ ପହଞ୍ଚିଛି । ସମସ୍ତ ପ୍ରଶାସକ ଜଣେଇ ଦେଇଛନ୍ତି, ପ୍ରବଳ ବନ୍ୟା ହୋଇଛି ସତରଟି ଯାକ ପ୍ରଗଣାରେ । ମହାରାଜାଙ୍କ ଦୃଷ୍ଟି ବୁଲିଗଲା ମରୁଡ଼ି ମନ୍ତ୍ରୀଙ୍କ ଆଡ଼େ-। ତୁମ ପାଖରେ ରାଜ୍ୟର ମରୁଡ଼ି ସମ୍ବନ୍ଧୀୟ କିଛି ତଥ୍ୟ ଅଛି ?

 

ନା, ମହାରାଜ । ଏପର୍ଯ୍ୟନ୍ତ କୌଣସି ପ୍ରଶାସକ ପଠାଇ ନାହାନ୍ତି ଖବର । ରାଜ୍ୟରେ ମରୁଡ଼ି ହୋଇଛି ବୋଲି ସାମାନ୍ୟତମ ସୂଚନା ଦିଆଯାଇନି ଆମକୁ । ସରକାରୀ ସ୍ତରରେ କୌଣସି ତଥ୍ୟ ପହଞ୍ଚିନି ମୋ ପାଖରେ ।

 

ପ୍ରଶାସକମାନଙ୍କୁ ଚାହିଁ କହିଲେ ମହାରାଜ । ତୁମେମାନେ ରାଜ୍ୟର ମରୁଡ଼ି ଖବର ମୋତେ ଜଣାଇଲ ନାହିଁ କାହିଁକି ? ତୁମେମାନେ କ’ଣ ଜାଣନା ଯେ ରାଜ୍ୟର ସମସ୍ତ ଖବର ତତ୍‌କ୍ଷଣାତ ମହାରାଜଙ୍କ ଗୋଚରକୁ ଆଣିବା ତୁମ୍ଭର ସର୍ବପ୍ରଥମ କର୍ତ୍ତବ୍ୟ ?

 

ଏକ ସ୍ୱରରେ କହି ଉଠିଲେ ସମସ୍ତ ପ୍ରଶାସକ ଜାଣୁ ମହାରାଜ । ଅନେକ ଦିନ ଆଗରୁ ମରୁଡ଼ି ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଆପଣଙ୍କ ପାଖକୁ ପଠାଇ ଦେଉଛୁ ।

 

କାହିଁ ସେ ତଥ୍ୟ ? ମୋ ମନ୍ତ୍ରୀଙ୍କ ପାଖରେ ତଥ୍ୟ ପହଞ୍ଚିଲାନି ତ ଗଲା କୁଆଡ଼େ ?

 

କୋଶଳ ପ୍ରଗଣାର ପ୍ରଶାସକ କହିଲେ, କ୍ଷମା କରିବେ ମହାରାଜ । ଆମେ ସିଧାସଳଖ ଆପଣଙ୍କ ପାଖକୁ ତଥ୍ୟ ପଠାଇବାର ନିୟମ ନାହିଁ । ଆମେ ସମସ୍ତ ତଥ୍ୟ ପ୍ରଥମେ ଉଚ୍ଚ ପ୍ରଶାସକଙ୍କ ପାଖକୁ ପଠାଇବୁ । ସେ ଏହାକୁ ପାଠ କରି ଆବଶ୍ୟକ ହେଲେ ସଂଶୋଧନ ପାଇଁ ଫେରାଇଦେବେ ଆମ ପାଖକୁ । ନଚେତ୍ ସହ ମନ୍ତ୍ରୀଙ୍କ ପାଖକୁ ପଠାଇ ଦେବେ ସେ ରିପୋର୍ଟ । ସହମନ୍ତ୍ରୀ ଏହାକୁ ପାଠକରି ଉପମନ୍ତ୍ରୀଙ୍କ ପାଖକୁ ପଠାଇବେ । ଉପମନ୍ତ୍ରୀଙ୍କ ପାଖରୁ ବିଭାଗୀୟ ଉପମନ୍ତ୍ରୀ, ତାଙ୍କ ପାଖରୁ ବିଭାଗୀୟ ସହକାରୀ ମନ୍ତ୍ରୀ, ତାଙ୍କ ପାଖରୁ ବିଭାଗୀୟ ମନ୍ତ୍ରୀଙ୍କ ସଚିବ ଏବଂ ଶେଷରେ ଯାଇ ପହଞ୍ଚିବ ମାନ୍ୟବର ବିଭାଗୀୟ ମନ୍ତ୍ରୀଙ୍କ ପାଖରେ । ସମୟ ସୁବିଧା ଥିଲେ ମାନ୍ୟବର ମନ୍ତ୍ରୀ ମହୋଦୟ ଆପଣଙ୍କୁ ସେ ଘଟଣା ବିଷୟରେ ଅବଗତ କରାଇବେ । ଏଥିପାଇଁ କୌଣସି ତଥ୍ୟ ପଠାଇଲେ ଆପଣଙ୍କ ପାଖରେ ପହଞ୍ଚିବାକୁ ବର୍ଷକରୁ କମ୍ ସମୟ ଲାଗେ ନାହିଁ । ଏପରିକି କେତେକ ସମୟରେ ପ୍ରଶାସକ ପଠେଇଥିବା ରିପୋର୍ଟ ଆପଣ ପାଇଲା ବେଳକୁ ତିନି ଚାରି ବର୍ଷ ବିତି ଯାଇଥାଏ ।

 

କଥା ଯୋଡ଼ିଲେ ଦକ୍ଷିଣ ପ୍ରଗଣାର ପ୍ରଶାସକ । ସେଇଥିପାଇଁ ଗତ ବର୍ଷ ବନ୍ୟାବେଳେ ଆମେ ଦେଇଥିବା ଜରୁରୀ ରିପୋର୍ଟ ଏବେ ଆପଣଙ୍କ ପାଖରେ ପହଞ୍ଚିଛି । ରାଜ୍ୟ ସାରା ଉତ୍କଟ ମରୁଡ଼ି ହୋଇଥିବାବେଳେ ରାଜ ନଅର ଭିତରେ ପ୍ରବଳ ଭାବେ ବ୍ୟାପିଯାଇଛି ବନ୍ୟାର ସମ୍ବାଦ ।

 

ଦୀର୍ଘଶ୍ଵାସ ଛାଡ଼ି ବସିପଡ଼ିଲେ କଷଣର ମହାରାଜ । ସମସ୍ତ ମନ୍ତ୍ରୀ ତଳକୁ ମୁହଁ କରି ବସିରହିଲେ ସେମିତି । ସମାଧାନର ସୂତ୍ର ଖୋଜୁଥିଲେ ସମସ୍ତେ । ନୀରବତା ଭାଙ୍ଗି ମହାରାଜ କହିଲେ ଏଥର ମୋ ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଘଟିବାର ବର୍ଷକ ଆଗରୁ ରିପୋର୍ଟ ପଠାଯିବ । ତେବେ ଯାଇ ଦୁର୍ବିପାକ ବେଳେ ଠିକ୍ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇପାରିବ ।

 

କଥାର ଅର୍ଥ ବୁଝି ନ ପାରି ପ୍ରଶାସକମାନେ ଅନେଇ ରହିଲେ ପରସ୍ପର ମୁହଁକୁ । ରାଜାଙ୍କ ଘୋଷଣାକୁ ବିଶଦ ଭାବେ ବୁଝାଇବା ପାଇଁ ଠିଆ ହୋଇପଡ଼ିଲେ ଘୋଷଣା ମନ୍ତ୍ରୀ । ପ୍ରଶାସକମାନଙ୍କୁ ଚାହିଁ କହିଲେ ଏହା ରାଜାଙ୍କ ଆଦେଶ । ଆଜିଠାରୁ ଆଗୁଆ ରିପୋର୍ଟ ପଠାଇବେ ପ୍ରଶାସକଗଣ । ଆଗାମୀ ବର୍ଷ ରାଜ୍ୟରେ ବନ୍ୟା, ବାତ୍ୟା କି ମରୁଡ଼ି ହେବ ତାହାର ରିପୋର୍ଟ ଏ ବର୍ଷ ପ୍ରସ୍ତୁତ କରାଯିବ । ଆଗାମୀ ବର୍ଷ ବନ୍ୟାରେ କେତେ ଲୋକ ଭାସିଯିବେ, ବାତ୍ୟାରେ କେତେକ ଲୋକଙ୍କ ଘର ଭାଙ୍ଗିବ ବା ମରୁଡ଼ିରେ କେତେ ପରିମାଣରେ ଖାଦ୍ୟଶସ୍ୟ ଦରକାର ହେବ ସେ ସବୁ ତଥ୍ୟ ଏ ବର୍ଷଠାରୁ ରାଜାଙ୍କ ପାଖକୁ ପଠାଯିବ ।

 

ଏ ଆଦେଶ ଶୁଣି ନୀରବେଇ ଗଲେ ସମସ୍ତେ । ସ୍ୱୟଂ ମହାରାଜ ଆଦେଶ ଦେଇଛନ୍ତି ଯେତେବେଳେ ସେ ସମ୍ପର୍କରେ କିଛି ମତ ପ୍ରଦାନ କରିବା ପାଇଁ ଭରସି ପାରିଲେନି କେହି ।

 

ଏଥର ମୂଳକଥାକୁ ଫେରିଆସିଲେ ମହାରାଜ । ଦିଲ୍ଲୀର ସମ୍ରାଟ ଆସୁଛନ୍ତି ଯେତେବେଳେ ଯେମିତି ହେଲେ ତାଙ୍କ ଗସ୍ତକାର୍ଯ୍ୟକ୍ରମ ସଫଳ କରାଯିବ । ତାଙ୍କୁ ବନ୍ୟାଞ୍ଚଳ ଦେଖାଇବାକୁ ହିଁ ପଡ଼ିବ । ମୋ ରାଜ୍ୟର ସମସ୍ତ ଶ୍ରମିକ, ଇଞ୍ଜିନିୟର, ବୈଜ୍ଞାନିକମାନଙ୍କୁ ଆଦେଶ ଦିଅ । ସାତ ଦିନ ଭିତରେ ରାଜ୍ୟକୁ ବନ୍ୟାଞ୍ଚଳ କରିଦିଅନ୍ତୁ । ପ୍ରତ୍ୟେକ ପ୍ରଗଣାରେ ଭାଙ୍ଗିଯାଉ ବନ୍ଧବାଡ଼ । ଘରଦ୍ଵାର ଭାସିଯାଉ । ଗାଈଗୋରୁ ଭାସିଯାଆନ୍ତୁ ଅସହାୟ ଭାବେ । ଏଥିପାଇଁ ଯେତେ ଅର୍ଥ ଦରକାର ସବୁ ଦିଆଯିବ ରାଜକୋଷରୁ । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଉ କାମ । ସମ୍ରାଟଙ୍କ ଗସ୍ତ ପୂର୍ବରୁ ସବୁକାମ ଶେଷ ହେବା ଏକାନ୍ତ ଜରୁରୀ ।

 

ଏତିକି ଘୋଷଣା କରି ସିଂହାସନ ଉପରୁ ଉଠି ଚାଲିଗଲେ ମହାରାଜ । ତାଙ୍କ ଯିବା ପଥକୁ ଅନେଇ ରହିଥିଲେ ସମସ୍ତେ ।

 

ସମ୍ରାଟଙ୍କ ଗସ୍ତ ପାଇଁ ଆଉ ତିନି ଦିନ ମାତ୍ର ବାକି । ଦିନରାତି ଲକ୍ଷ ଲକ୍ଷ ଲୋକ ମାତିଯାଇଛନ୍ତି କାମରେ । ବନ୍ଧେଇ ଦିଆଯାଉଛି ନଦୀଜଳ । କୃତ୍ରିମ ଭାବେ ବୃଷ୍ଟିପାତ କରିବା ପାଇଁ ଲାଗି ପଡ଼ିଛନ୍ତି ବୈଜ୍ଞାନିକମାନେ । ଉଡ଼ାଜାହାଜରେ ବୁଲି ବୁଲି ସ୍ପ୍ରେ କରୁଛନ୍ତି କେତେକ ରାସାୟନିକ ପଦାର୍ଥ । ବାଦଲରେ ପଡ଼ିବା କ୍ଷଣି ଅସରା ଅସରା ବର୍ଷା ହେଉଛି କଷଣ ରାଜ୍ୟରେ । ଦିନରାତି ବର୍ଷା ହେବା ଯୋଗୁଁ ପୂରିଯାଇଛି ନଦୀଜଳ । ନଦୀରେ ଯେଉଁ ଅଳ୍ପ ପରିମାଣର ପାଣିଥିଲା ତାକୁ ପମ୍ପ ସାହାଯ୍ୟରେ ବୁହାଇ ଦିଆଯାଉଛି ଗାଁ-ଗଣ୍ଡା ଭିତର ଦେଇ । ମରୁଡ଼ି ପ୍ରପୀଡ଼ିତ ଲୋକମାନେ ରାତି ପାହିଲାବେଳକୁ ଦେଖୁଛନ୍ତି ବଢ଼ି ପାଣି ମାଡ଼ି ଯାଇଛି ଦାଣ୍ଡଦୁଆରେ । ଜଣ ଜଣ କରି ହଇଜାରେ ଆକ୍ରାନ୍ତ ହେଉଛନ୍ତି ସମସ୍ତେ । ଗୋରୁଗାଈ, ଛେଳିମେଣ୍ଢା ଭାସି ଯାଉଛନ୍ତି ବନ୍ୟା ଜଳରେ । ଭୁଷୁଡ଼ି ପଡ଼ୁଛି ଗରିବ ପ୍ରଜାମାନଙ୍କ ନୁଆଁଣିଆ ଛପର ଘରମାନ । ତଥାପି ବନ୍ୟାକୁ ପ୍ରବଳରୁ ପ୍ରବଳତର କରିବା ପାଇଁ ଲାଗି ପଡ଼ିଛନ୍ତି କଷଣ ରାଜ୍ୟର ସରକାରୀ କର୍ମଚାରୀଗଣ । ରାଜ୍ୟର ସମସ୍ତ କାର୍ଯ୍ୟ ବନ୍ଦ ହୋଇଯାଇଛି ଏଇ କେତେଦିନ ହେବ । ଇଞ୍ଜିନିୟର ବନ୍ଦ କରିଛି ନିଜ କାମ, ବୈଜ୍ଞାନିକ ବିଜ୍ଞାନଗାର ଯାଉନି ଆଉ । କାରଖାନା କଥା ଭୁଲିଯାଇଛି ଶ୍ରମିକ, ନିଜ ଅଫିସ ବିଷୟରେ ଭାବୁ ନାହାନ୍ତି ପ୍ରଶାସକ ଗଣ । ସମସ୍ତଙ୍କର ସେଇ ଗୋଟିଏ ଚିନ୍ତା କିପରି ପ୍ରବଳ ବନ୍ୟା ହେବ ରାଜ୍ୟରେ । କଷଣ ରାଜ୍ୟର ମହାରାଜାଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ ଯେମିତି ହେଲେ ।

 

ନିର୍ଦ୍ଧାରିତ ତାରିଖରେ ଆସି ପହଞ୍ଚିଗଲେ ଦିଲ୍ଲୀଶ୍ୱର । ତାଙ୍କୁ ପାଛୋଟି ଆଣିବା ପାଇଁ ବିମାନ ପଡ଼ିଆକୁ ଲମ୍ବିଗଲା କଷଣର ଶାସନକଳ । ମହାରାଜାଙ୍କଠାରୁ ଆରମ୍ଭ କରି ଚପରାସି ଯାଏ ଜମା ହୋଇଗଲେ ସମସ୍ତେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ରାଜ୍ୟସାରା ଗସ୍ତକଲେ ସମ୍ରାଟ । ହେଲିକୋପ୍‌ଟରରେ ବୁଲି ବୁଲି ଦେଖିଲେ ବନ୍ୟା ଅଞ୍ଚଳ ।

 

କେତେଜଣ ବଛା ବଛା ପ୍ରଜାଙ୍କୁ ପଚାରି ବୁଝିଲେ ସମ୍ରାଟ । ପ୍ରଜାମାନଙ୍କ ପାଇଁ ସବୁ ସୁବିଧା କରିଦେଇଛନ୍ତି କଷଣର ମହାରାଜ । ଲଞ୍ଚରେ ଉଦ୍ଧାର କାର୍ଯ୍ୟ ଚାଲିଛି । ରିଲିଫ ପକାଯାଉଛି ଉଡ଼ାଜାହାଜରୁ । ଲୋକମାନଙ୍କୁ ଉଦ୍ଧାର କରି ଥଇଥାନ କରାଯାଉଛି ଉଚ୍ଚସ୍ଥାନମାନଙ୍କରେ । ଚାଷୀମାନଙ୍କ ସୁବିଧା ପାଇଁ ମାଗଣାରେ ବିହନ, ସାର ଯୋଗାଇବାର ବନ୍ଦୋବସ୍ତ କରାଯାଇଛି ସରକାରଙ୍କ ତରଫରୁ । ଉତ୍ତର ଶୁଣି ଖୁସି ହୋଇଗଲେ ସମ୍ରାଟ । କଷଣର ମହାରାଜା ବି ମନେମନେ ଫୁଲି ଉଠିଲେ ଯେମିତି ।

 

ଦିଲ୍ଲୀ ସମ୍ରାଟ ଦୁଇଦିନ ବ୍ୟାପି ଦେଖିଗଲେ ବନ୍ୟାଞ୍ଚଳ । ପ୍ରଶାସକଙ୍କ ସହିତ ବୈଜ୍ଞାନିକ, ଇଞ୍ଜିନିୟରମାନେ ବନ୍ୟା ପ୍ରପୀଡ଼ିତ ଲୋକଙ୍କ ଉଦ୍ଧାର ପାଇଁ ଅନବରତ ଲାଗି ଥିବାରୁ ସନ୍ତୁଷ୍ଟ ହୋଇଗଲେ ସିଏ । କଷଣ ମହାରାଜାଙ୍କ ପାରିଲା ପଣିଆ ଦେଖି ତାଙ୍କ ପିଠି ଥାପୁଡ଼େଇ ଦେଲେ ସମ୍ରାଟ । ସାବାସ୍ କଷଣ ମହାରାଜା ସାବାସ୍ । ରାଜ୍ୟର ପାତ୍ରମନ୍ତ୍ରୀ, ଅମାତ୍ୟ, ସେନାପତି ସମସ୍ତେ ଯେମିତି ଅନୁଭବ କଲେ ତାଙ୍କ ପିଠିରେ ହାତ ମାରିଦେଲେ ସ୍ୱୟଂ ଦିଲ୍ଲୀଶ୍ୱର ।

 

କଷଣ ଛାଡ଼ିବା ପୂର୍ବରୁ ବିମାନ ଘାଟିରେ ଘୋଷଣା କଲେ ସମ୍ରାଟ । ଦିଲ୍ଲୀ ସରକାରଙ୍କ ତରଫରୁ ପଇଁତିରିଶ କୋଟି ଟଙ୍କା ସାହାଯ୍ୟ ଦିଆଯିବ କଷଣ ରାଜ୍ୟକୁ । ବନ୍ୟାଞ୍ଚଳରେ ରିଲିଫ ବାଣ୍ଟିବା ପାଇଁ ଦୁଇ ହଜାର ଟନ୍‍ ଖାଦ୍ୟଶସ୍ୟ ପଠାଇ ଦିଆଯିବ । ଏହାଶୁଣି ପରମ ଆବେଗରେ ନାଚି ଉଠିଲେ କଷଣର ମହାରାଜ । ଉପସ୍ଥିତ ସମସ୍ତ ବ୍ୟକ୍ତି ତାଳିମାରି ଧନ୍ୟବାଦ ଜଣାଇଲେ ସମ୍ରାଟଙ୍କୁ । ସମସ୍ତଙ୍କ ଆଡ଼େ ହାତ ହଲେଇ ବିମାନ ଭିତରକୁ ଚାଲିଗଲେ ସମ୍ରାଟ ।

 

ଏଥର ନିଜ କର୍ମଚାରୀ ଉପରେ ଗଭୀର ସନ୍ତୋଷ ପ୍ରକାଶ କଲେ କଷଣର ମହାରାଜ । ଆନନ୍ଦ ବିଭୋର ହୋଇ ପନ୍ଦର ଦିନ ଛୁଟି ଘୋଷଣା କଲେ ରାଜ୍ୟରେ । ସମସ୍ତ ସରକାରୀ କାମ ବନ୍ଦ ହୋଇଯିବ ପନ୍ଦର ଦିନ ପର୍ଯ୍ୟନ୍ତ । ସମ୍ରାଟଙ୍କ ଗସ୍ତ ପୂର୍ବରୁ ଦିନରାତି ଖଟିଥିବା ଅଫିସରମାନଙ୍କୁ ବିଶ୍ରାମ ଦିଆଯିବ ଆଜିଠାରୁ । ରିଲିଫ କାର୍ଯ୍ୟ ବନ୍ଦ ହୋଇଯିବ, ତାଲା ପଡ଼ିଯିବ ସରକାରୀ ଅଫିସମାନଙ୍କରେ । ସୈନ୍ୟସାମନ୍ତ ବାହୁଡ଼ିଯିବେ ଘରକୁ । ପନ୍ଦର ଦିନ ପାଇଁ ଅଚଳ ହୋଇଯିବ ରାଜ୍ୟ ଶାସନ ।

 

ନିଜ କର୍ତ୍ତବ୍ୟ ଦୃଷ୍ଟିରୁ ହିସାବ ମନ୍ତ୍ରୀ ଆସି ଜଣେଇ ଦେଲେ ମହାରାଜାଙ୍କୁ । ସମ୍ରାଟଙ୍କ କଷଣ ଆଗମନ, ତାହାର ପୂର୍ବ ପ୍ରସ୍ତୁତି ଓ ଆନୁସଙ୍ଗିକ ବାବଦରେ ପଞ୍ଚସ୍ତରୀ କୋଟି ଟଙ୍କା ଖର୍ଚ୍ଚ ହୋଇଛି ରାଜକୋଷରୁ । ରାଜ୍ୟରେ ଗଚ୍ଛିତ ଥିବା ତେଇଶ ହଜାର ଟନ୍‍ରୁ କୋଡ଼ିଏ ହଜାର ଟନ୍ ଖାଦ୍ୟଶସ୍ୟ ଶେଷ ହୋଇଯାଇଛି ସମ୍ରାଟଙ୍କ ସୁରକ୍ଷାବାହିନୀ, ଗୁପ୍ତଚର ଓ ପାରିଷଦବର୍ଗଙ୍କ ପାଇଁ । ଆଉ ମାତ୍ର ତିନି ହଜାର ଟନ୍‍ ଖାଦ୍ୟ ଶସ୍ୟ ରହିଛି ଭଣ୍ଡାର ଘରେ । ପ୍ରଜାମାନଙ୍କୁ ଯୋଗାଇବା ପାଇଁ କେଉଁଠି ହେଲେ ଶସ୍ୟ ଗଣ୍ଡିଏ ବି ନାହିଁ ।

 

ଖୁବ୍ ସହଜଭାବେ ଏ କଥା ଏଡ଼େଇ ଗଲେ ମହାରାଜ । ଯେତେ ଅର୍ଥ ବ୍ୟୟ ହେଲେ କିଛି ପରବାୟ ନାହିଁ ମୋର । ସ୍ୱୟଂ ଦିଲ୍ଲୀ ସମ୍ରାଟ ସନ୍ତୁଷ୍ଟ ହୋଇଛନ୍ତି ଯେତେବେଳେ ଆଉ କେଉଁ କଥାକୁ ଏତେ ଡର । ମୋର ଆଦେଶ, ଅବଶିଷ୍ଟ ଖାଦ୍ୟଶସ୍ୟ ପଠାଇ ଦିଅ ରାଜନଅରକୁ । ରାଜ୍ୟରେ ବନ୍ଦ କରିଦିଅ ରିଲିଫ କାର୍ଯ୍ୟ । ସମ୍ରାଟଙ୍କ ଗ୍ରସ୍ତ ଖର୍ଚ୍ଚ ଭରଣା କରିବା ପାଇଁ ରାଜ୍ୟର ସମସ୍ତ ଉନ୍ନୟନ କାର୍ଯ୍ୟକୁ ସ୍ଥଗିତ ରଖ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ । ପ୍ରଜାମାନଙ୍କ ଠାରୁ ବନ୍ୟା ରିଲିଫ ଲାଗି ପଚାଶ କୋଟି ଟଙ୍କାର ନୂଆ ଟିକସ ଆଦାୟ କର ।

 

ମଥାନତ କରି ରହିଲେ ହିସାବ ମନ୍ତ୍ରୀ, ଯଥା ଆଜ୍ଞା ମହାରାଜ ।

☆☆☆

 

ନିଦ୍ରାଭଙ୍ଗ

 

ଶୋଇ ଯାଇଥିବା ଲୋକଟାର କ’ଣ ଚେତନା ଥାଏ । ସିଏ କ’ଣ ଜାଣିପାରେ ଏ ଦୁନିଆରେ ଘଟୁଥିବା ସମସ୍ତ ଘଟଣା । ଆଖିରେ ନିଦ ଥାଏ ତ ପଲକ ପଡ଼ିଯାଏ ମନରେ । ଘନ ଅନ୍ଧାର ଭିତରେ ହଜି ଯାଇଥାଏ ଲୋକଟାର ସମଗ୍ର ଆତ୍ମସତ୍ତା ।

 

କେଉଁ ଯୁଗରୁ ଲୋକଟା ଶୋଇଯାଇଛି ଯେ ବଢ଼ି ଯାଇଛି ନିଶ ଆଉ ଦାଢ଼ି । ଡାକିଲେ ହାଇମାରି କର ଲେଉଟାଉଛି, ଗଡ଼ିଯାଉଛି ଏ ପଟରୁ ସେ ପଟକୁ । ଅଥଚ ଜାଗିବାର ନାଁ ଧରୁନି ଲୋକଟା ।

 

ମୁଣ୍ଡ ଉପରେ ଲହ ଲହ ହୋଇ ବହିଯାଉଛି ଲାଭା । ସମଗ୍ର ଇଲାକାଟାରେ ଅଗ୍ନ୍ୟୁତ୍ପାତର ଘୋ ଘୋ ଗର୍ଜନ ଶୁଭୁଛି । ତଥାପି ନିଦ ଭାଙ୍ଗୁନି ଲୋକଟାର । ତା’ର ତ ଶୋଇବାର ଗୋଟେ ନିଶା ଜନ୍ମିଛି । ଶତାବ୍ଦୀ ଶତାବ୍ଦୀ ଧରି ନିଦ୍ରା ଯାଇଛି ସିଏ । କେମିତି ଯେ ଚେଇଁ ଉଠିବ ଏଇ ସାମାନ୍ୟ ଶବ୍ଦରେ ?

 

ଦାଣ୍ଡ ଦୁଆରେ ଶୁଭୁଛି ଡେଙ୍ଗୁରାର ଶବ୍ଦ । ଚିତ୍କାର କରି କିଏ ଶୁଣେଇ ଦେଉଛି ଆଜିଠାରୁ ଏ ଇଲାକାକୁ କ୍ଷେପଣାସ୍ତ୍ର ଘାଟି ଘୋଷଣା କରାଗଲା । ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଲୋକମାନଙ୍କୁ ହଟେଇ ଦବାର ନିଷ୍ପତ୍ତି ନିଆଗଲା । ଦୁଇଦିନ ଭିତରେ ସମସ୍ତେ ଏ ଜାଗା ଛାଡ଼ି ଚାଲିଯାଅ । ନଚେତ୍ ପୁଲିସ ଆଣି ଭାଙ୍ଗି ଦିଆଯିବ ଘରଦ୍ୱାର । ଫିଙ୍ଗି ଦିଆଯିବ ଆସବାବପତ୍ର ।

 

ସ୍ୱପ୍ନର ଇନ୍ଦ୍ରଜାଲ ଭିତରେ ସତ୍ତା ହରେଇଛି ଲୋକଟାର ନିରୀହ ଜୀବନ । ଡେଙ୍ଗୁରା ଶବ୍ଦରେ ପୁଲକ ଜାଗି ଉଠୁଛି ମନରେ । ଆନନ୍ଦରେ ତାଳି ମାରି ନାଚୁଛି ସିଏ । ପିଲାଙ୍କ ପରି ଖୁସି ହେଉଛି କ୍ଷେପଣାସ୍ତ୍ର ଘାଟି କଥା ଶୁଣି । ସେ ଦେଖୁଛି ଗୋଟା ଗୋଟା ରକେଟ ଉଡ଼ିଯାଉଛି ତା’ରି ସାମ୍ନା ଦେଇ । ଆକାଶରେ ମିଶିଯିବା ଆଗରୁ ଖୁବ୍ ଜୋରରେ ଶବ୍ଦ ହେଉଛି, ଅଗ୍ନିସ୍ଫୁରଣ ହୋଇ ଝଲସାଇ ଦେଉଛି ଇଲାକା । ପରମ ଆନନ୍ଦରେ ଫାଟି ପଡ଼ୁଛି ଲୋକଟା ।

 

ଅବଚେତନ ମନରେ ସ୍ୱପ୍ନେଇ ଯାଇଛି ଲୋକ । ଦେଖୁଛି, ତା’ ସାନଭାଇ ଚାକିରି ପାଇଛି କ୍ଷେପଣାସ୍ତ୍ର ଘାଟିରେ । ମାସକୁ ମାସ ପଠେଇ ଦେଉଛି ବାରଶ ପଚାଶ ଟଙ୍କା । କୋରାପୁଟର ପାହାଡ଼ି ଅଞ୍ଚଳରେ ଲୋକଟାକୁ ମିଳିଛି ଗୋଟିଏ ସରକାରୀ ଘର । ମାଗଣାରେ ଯୋଗାଇ ଦିଆଯାଉଛି ବିଜୁଳି, ପାଣି, ଡାକ୍ତରଖାନା ସୁବିଧା । ଅଜଣା ପୁଲକରେ ଲୋକଟା ଭୁଲି ଯାଇଛି ତା’ ଭିଟାମାଟିର ସ୍ମୃତି । ତା’ ବିଗତ ଜୀବନର ସମସ୍ତ ଘଟଣାକୁ ପାସୋରି ପକେଇଛି ଲୋକଟା ।

 

ସ୍ୱପ୍ନରେ ହଜିଯିବ ଲୋକଟା । ବିଭୋର ହେବ କଳ୍ପନାର ଇଲାକା ଭିତରେ । ସେଇ ସ୍ୱପ୍ନିଳ ଜୀବନ ଭିତରେ ଘଟି ଯାଉଥିବ ଗୋଟାଏ ପରେ ଗୋଟାଏ ଅଘଟଣ । କୌଣସି ଏକ ଅପରାହ୍ନରେ ଟେଲିଗ୍ରାମ ଆସିବ ଦୁର୍ଘଟଣା ଘଟିଛି କ୍ଷେପଣାସ୍ତ୍ର ଘାଟିରେ । ସେଠାରେ କାମ କରୁଥିବା ଆଠଶହ ପଚାଶ ଲୋକଙ୍କ ସହ ନିଶ୍ଚିହ୍ନ ହୋଇଛି ତା’ ନିଜ ଭାଇ ।

 

ଲୋକଟାର ସବୁ ସରାଗ ସରିଯିବ ଏଇଠି । ମରିଯିବ ଜୀବନକୁ ପିଇ ପିଇ ବଞ୍ଚିବାର ମୋହ । ଏଥର ନିଜ ଧନ୍ଦା ନିଜେ ଖୋଜି ବସିବ ଲୋକଟା । ଭାବିବ, ଚାଷବାସ କରି ବିତେଇ ଦବ ଜୀବନର ଅବଶିଷ୍ଟ ଅଂଶ । ବାପଗୋସାପ ଅମଳର ବେଉସା ଧରି ଯେମିତି ହେଲେ ବଞ୍ଚିଯିବ ସିଏ-। କିନ୍ତୁ କୋରାପୁଟର ପାହାଡ଼ି ଇଲାକାରେ ତ କୁଶ କଅଁଳୁ ନ ଥିବ, ସ୍ୱପ୍ନ ହୋଇଯିବ ଫସଲ କରିବାର ଆଶା ।

 

ଭୋକ ଉପାସରେ ବିତିଯିବ ଲୋକଟାର ଦିନ ଗୁଡ଼ାକ । କୋରାପୁଟିଆ ଜଳବାୟୁରେ ଅସ୍ଥିର ହେବେ ତା’ ପରିବାର । ଥରକୁ ଥର ବାଧିକା ପଡ଼ୁଥିବ ତା’ ସ୍ତ୍ରୀ । ଝାଡ଼ାବାନ୍ତିରେ ପିଲାଗୁଡ଼ାଙ୍କର ଆଉ ଅବସ୍ଥା ନ ଥିବ । ପ୍ରବଳ ଶୀତ ସହି ନ ପାରି ଆର ବର୍ଷରୁ ଦେହାନ୍ତ ହୋଇଯାଇଥିବ ତା’ ଅଶୀବର୍ଷିଆ ବୃଦ୍ଧା ମାଆର । ସ୍ୱପ୍ନ ସରିଯିବ ଲୋକଟା ମନର । ଆସିବ ବାସ୍ତବତାର ମୁହୂର୍ତ୍ତ । ଲୋକଟା ଆଖିରୁ ଗଡ଼ି ଆସିବ ଟୋପା ଟୋପା ଲୁହ ଖଟ ଉପରେ ପଡ଼ି କଇଁ କଇଁ ହୋଇ ଉଠିବ ଲୋକଟା ।

 

କାନ୍ଦଣା ଶୁଣି ଭାଙ୍ଗିଯିବ ତା’ ସ୍ତ୍ରୀର ପତଳା ନିଦ । ଲୋକଟାର ହାତକୁ ନିଜ ଛାତିରେ ଚାପିଧରି ସ୍ତ୍ରୀ କହିବ, ଏ–କ’ଣ ହେଲା । ଏମିତି ପିଲାଙ୍କ ପରି କାନ୍ଦି ଉଠିଲେ ଯେ !

 

ଲୋକଟାର ଚେତନା ଫେରିଆସିବ ସେଇ ମୁହୂର୍ତ୍ତରେ । ଆଖିରୁ ଲୁହ ପୋଛି କହିବ, ନା ସେ କିଛି ନୁହେଁ । ତୁମେ ଶୋଇପଡ଼ । ଲୋକଟାର ସ୍ତ୍ରୀ ବୁଝିପାରିବନି କିଛି । ଶୋଇପଡ଼ିବ ଲୋକଟା ଛାତିରେ ନିଜ ହାତକୁ ଚାପି ରଖି ।

 

ଲୋକଟା ଝରକା ଦେଇ ଅନେଇବ ଆକାଶକୁ । ଦେଖିବ ଅନେକ ଡେରି ଅଛି ରାତି ପାହିବାକୁ । ଆକାଶରେ ଲିଭିଯାଇଛି ଜହ୍ନ । କାଁ ଭାଁ ଗୋଟାଏ ଦୁଇଟା ତାରା ଦିଶୁଛି ଦିଗ୍‌ବଳୟ ସେପାରିରେ । ଦକ୍ଷିଣ ଦିଗରୁ ମାଡ଼ି ଆସୁଛି କଳାହାଣ୍ଡିଆ ମେଘରୁ ଖଣ୍ଡିଏ ।

ଲୋକଟା ଆଖିରେ ଛାଇ ନିଦ ମାଡ଼ି ଆସିବ କି ନାହିଁ ବିଜୁଳି ଆଲୁଅରେ ଆଲୋକି ଉଠିବ ଘରଦ୍ୱାର । ଘଡ଼ଘଡ଼ି ଶବ୍ଦରେ ଦୁଲୁକି ଉଠିବ ଖଟ, ଆଲମିରା, କଂସାବାସନ ସବୁ । ଲୋକଟା ଦେଖିବ କ୍ଷେପଣାସ୍ତ୍ର ଘାଟି ଉପରେ ରକେଟ ଆକ୍ରମଣ ହେଉଛି । ଲୋକମାନେ ଯେ ଯାହାର ଘରଦ୍ୱାର ଛାଡ଼ି ଧାଁ ଧପଡ଼ କରୁଛନ୍ତି । ଅଣନିଃଶ୍ୱାସୀ ହୋଇ ଦୌଡ଼ୁଛନ୍ତି ଏଣେତେଣେ । ରେଡ଼ିଓରୁ ଘୋଷଣା କରାଯାଉଛି, ସାବଧାନ ହୁଅ । ଯୁଦ୍ଧ ଲାଗିଯାଇଛି ସୀମାନ୍ତରେ ।

ସେଇକ୍ଷଣି ଲୋକଟା ସାମ୍ନାରେ ଦିଶିଯିବ ଏକ ଖଣ୍ଡପ୍ରଳୟର ଦୃଶ୍ୟ । ଶତ୍ରୁ ପକ୍ଷ ତରଫରୁ ବୋମା ବର୍ଷଣ ଆରମ୍ଭ ହୋଇଥିବ କ୍ଷେପଣାସ୍ତ୍ର ଘାଟି ଉପରେ । ପୁଳାକୁ ପୁଳା ନିଆଁ ଆସି ପଡ଼ିଯିବ ଇନ୍ଧନ କୋଠରୀରେ । ସମଗ୍ର ଇଲାକାଟା ଜଳି ଉଠିବ ଲହ ଲହ ହୋଇ । ଅଗ୍ନିଶିଖା ଲମ୍ବିଯିବ କାହିଁ କେତେ ଯୋଜନ ପର୍ଯ୍ୟନ୍ତ । ପ୍ରଚଣ୍ଡ ଗୋଟାଏ ଶବ୍ଦ କରି ବିସ୍ଫୋରଣ ଘଟିବ କ୍ଷେପଣାସ୍ତ୍ର ଘାଟିରେ । ଏକ ଅଜଣା ଗ୍ୟାସ ବିଛାଡ଼ି ହୋଇଯିବ, ଗ୍ରାସ କରିବ ସମଗ୍ର ରାଜ୍ୟକୁ । ଲୋକଟା ଦେଖୁଥିବ ତାରି ସାମ୍ନାରେ ଅଣନିଃଶ୍ଵାସୀ ହୋଇ ପଡ଼ୁଥିବେ ଗୋରୁ ଗାଈ । ଘାସ ଖାଉ ଖାଉ ଟଳି ପଡ଼ିବେ ଛେଳି ମେଣ୍ଢା । ସ୍କୁଲ ଯାଉଥିବା ପିଲାଟି ବହି ବସ୍ତାନି ଧରି ଟଳି ପଡ଼ିବ ରାସ୍ତାରେ । ଫାଇଲ ଦେଖୁ ଦେଖୁ ମୃତ୍ୟୁବରଣ କରିବେ ଅଫିସର । ଜଣ ଜଣ କରି ସମସ୍ତଙ୍କର ଦେହାନ୍ତ ହୋଇଯିବ । ଗଛପତ୍ର ଝାଉଁଳି ମରୁଭୂମି ପାଲଟିଯିବ ରାଜ୍ୟ । ଲକ୍ଷ ଲକ୍ଷ ଶବ ବିଛେଇ ହୋଇଯିବ ସବୁ ଆଡ଼େ ।

ଏମିତି ଏକ ଶବମୟ ଦୃଶ୍ୟ ଦେଖିବ ତ ଲୋକଟା ମୁଣ୍ଡରେ ଅଡ଼ୁଆ ମଡ଼ୁଆ ହୋଇଯିବ ସବୁ । କିଛି ଗୋଟାଏ ଭାବିବା ଆଗରୁ ଖଟରୁ ଉଠିବ ଲୋକଟା । କବାଟ ଖୋଲି ଦୌଡ଼ିଯିବ ଗାଁ ଦାଣ୍ଡକୁ । କଣ୍ଠ ଫଟେଇ ଚିତ୍କାର କରିବ ଉଠ; ଜାଗ୍ରତ ହୁଅ, ଭିଟାମାଟିକୁ ରକ୍ଷାକର ।

ସମସ୍ତଙ୍କ କବାଟରେ ଆବାଜ କରି ଉଠେଇ ଦବ ଗାଁ ଲୋକଙ୍କୁ । କିଛି ବୁଝି ନ ପାରି ଉଠିପଡ଼ିବେ ଲୋକମାନେ । ନିଦ ବାଉଳାରେ ଲୋକଟାକୁ ଅନୁସରଣ କରି ଦୌଡ଼ୁଥିବେ ସମସ୍ତେ-। ଗାଁ ଦାଣ୍ଡରେ ଏ ମୁଣ୍ଡରୁ ସେ ମୁଣ୍ଡକୁ ଲମ୍ବିଯିବ ନିଦ ଭଙ୍ଗା ଲୋକଙ୍କର ଲମ୍ବା ଧାଡ଼ିଟିଏ-। ପିଲାଛୁଆ, ବୁଢ଼ା, ବୟସ୍କ, ସ୍ତ୍ରୀ-ପୁରୁଷ ସମସ୍ତେ ଦୌଡ଼ୁଥିବେ ଲୋକଟା ପଛରେ । କିଟିମିଟିଆ ଅନ୍ଧାର ଭିତରେ ଅଣନିଃଶ୍ଵାସୀ ହୋଇ ଦୌଡ଼ୁଥିବେ । ଲୋକଟା ସହ କଣ୍ଠ ମିଳେଇ ସମସ୍ତେ କହୁଥିବେ ଯୁଦ୍ଧ ନୁହେଁ ଶାନ୍ତିଦିଅ, ଅସ୍ତ୍ର ନୁହେଁ ଖାଦ୍ୟ ଦିଅ, ମୃତ୍ୟୁ ନୁହେଁ ଜୀବନ ଦିଅ ।

☆☆☆

 

ପୁଅଖିଆ ବାପ

 

ଭୋକରେ ଜଳୁଛି ବାପର ପେଟ । ଶୋଷରେ ଶୁଖି ଯାଉଛି ତଣ୍ଟି । ମୁଣ୍ଡଟା ଝାଇଁ ଝାଇଁ ହୋଇଯାଉଛି । ବନ୍ଦ ହୋଇ ଆସୁଛି ଆଖି । ହାତ ଗୋଡ଼ ଅବଶ ହୋଇଯାଉଛି ପ୍ରବଳ ଭୋକରେ-। ଅଠା ଅଠା ହୋଇଯାଉଛି ପାଟି ।

 

ବିକଳରେ ଚାରି ଆଡ଼କୁ ଚାହୁଁଛି ବାପ । ଖାଇପାରିବା ଭଳି କିଛି ଜିନିଷ ଦେଖିପାରୁନି କେଉଁଠି । ପାଣି ଟୋପାଏ ବି ମିଳୁନି ପିଇବାକୁ । ବଡ଼ ଅସହାୟ ହୋଇଯାଉଛି ବିଚାରା ବାପଟା ।

 

ଦେଖୁଛି, ପୁଅଟା ଖେଳୁଛି ସାମ୍ନାରେ । ଥାକୁଲୁଥୁକୁଲୁ ପିଲାଟା ଅନୁଭବ କରିପାରୁନି ବାପର ଦୁଃଖ । ପୁଅଟାକୁ ଦେଖି ଲାଳ ଗଡ଼ି ଆସୁଛି ବାପର ପାଟିରୁ । ମୁହୂର୍ତ୍ତେ ମାତ୍ର ଚିନ୍ତା ନ କରି ପୁଅର ମୁଣ୍ଡଟାକୁ କାମୁଡ଼ି ଦେଉଛି ବାପ । ରଡ଼ମଡ଼ କରି ଚୋବେଇ ଯାଉଛି ହାତ । ବିକଳରେ ଚିତ୍କାର କରୁଛି ପୁଅ । ବାପ କିନ୍ତୁ ଶୁଣିପାରୁନି କିଛି । ମାଂସ ଖାଉଛି । ଚୁ ଚୁ କରି ପିଇଯାଉଛି ରକ୍ତ-। ଚୋବେଇ ଗୁଣ୍ଡ କରି ଦେଉଛି ହାଡ଼ ।

 

ସାମ୍ନାରେ ଯାଉଥିବା ଲୋକମାନେ ଦେଖୁଛନ୍ତି ବାପ ଖାଉଛି ପୁଅକୁ । ପୁଅର ହାଡ଼ ମାଂସକୁ ଚୋବେଇ ଚୋବେଇ ବଞ୍ଚିଛି ବାପଟା । ଦୟାରେ କିଏ ପୁଅ ଉପରକୁ ପକେଇ ଦେଉଛି ପଇସାଟିଏ । କିଏ ବା ବାପ ହାତକୁ ବଢ଼େଇ ଦେଉଛି କେତୋଟି ପଇସା । ଅନ୍ୟମନସ୍କ ଭାବେ ପଇସାଟିଏ ଫିଙ୍ଗିଦେଇ ଚାଲି ଯାଉଛି କିଏ ।

 

ଗୋଟି ଗୋଟି ପଇସାକୁ ସାଉଁଟି ନେଉଛି ବାପ । ନିଜ ମୁଣାରେ ପୂରେଇ ମାଗୁଛି ପୁଣିଥରେ । ବାବୁ, ମା’, ଗୋଟେ ପଇସା ମିଳୁ । ତିନି ଦିନ ହେଲା ଖାଇବାକୁ ନାହିଁ ବାବୁ । ପଇସାଟିଏ ମିଳୁ ।

 

ବିକଳରେ ଚିତ୍କାର କରୁଛି ପୁଅ । ଆଃ, ମରିଗଲି, ମା’ଲୋ । ମୋ ପେଟ । ଆଃ ।

 

ପୁଅର ତଳି ପେଟ ଉପରୁ ଗାମୁଛାଟିକୁ ଖସେଇ ଆଣୁଛି ବାପ । ସମ୍ପୂର୍ଣ୍ଣ ଭାବେ ଉଲଗ୍ନ ହୋଇଯାଉଛି ପୁଅ । ଦେଖୁଛନ୍ତି ଦେଖଣାହାରିଏ । ପେଟ ତଳକୁ ବଡ଼ ଘା’ଟିଏ ହୋଇଛି ପୁଅର । ପୁଜ, ରକ୍ତରେ ଭରିଯାଇଛି ପୁଅର ନାହି ତଳ ଭାଗ ।

 

ଠକ୍ ଠାକ୍ ପଇସାମାନ ଆସି ପଡ଼ୁଛି ପୁଅ ଉପରେ । ଦୟାରେ ଚାରିଣି ଆଠଣିମାନ ଫିଙ୍ଗି ଦେଉଛନ୍ତି ଲୋକମାନେ । ପୁଅର ଘା’ ଉପରେ ପଡ଼ିଲା ବେଳେ ଚିତ୍କାର କରି ଉଠୁଛି ପୁଅ ।

 

ପୁଅର ବାପ ହେବାକୁ ଦିନେ ପଛଘୁଞ୍ଚା ଦେଇଥିଲା ବାପ । ବାପଟିଏ ଖୋଜିବା ପାଇଁ ସହର ସାରା ବୁଲିଲା, ଗଳିକନ୍ଦି ଦରାଣ୍ଡିଗଲା । ଅଥଚ ଫଳ ହେଲା ନାହିଁ କିଛି । ପୁଅର ବାପ ହେବାକୁ କେହି ବଢ଼େଇ ଦେଇ ନ ଥିଲେ ହାତ ।

 

ପ୍ରଥମେ ଯାଇ ଡାକ୍ତରଖାନାରେ ପହଞ୍ଚିଲା ବାପ । ହାତରେ ଧରିଥିଲା ଗୁଲୁଗୁଲିଆ ପୁଅଟିଏ । ଜୁଳୁ ଜୁଳୁ କରି ସମସ୍ତଙ୍କୁ ଚାହୁଁଥିଲା ପିଲାଟି । ମଝିରେ ମଝିରେ ରାହା ଛାଡ଼ି ଜଣେଇ ଦେଉଥିଲା ତା’ ଉପସ୍ଥିତି ।

 

ବାପ ଭାବୁଥିଲା, ତାକୁ ପ୍ରଶଂସା କରିବେ ସମସ୍ତେ । ମରଣ ମୁହଁର ପିଲାଟିକୁ ବଞ୍ଚେଇ ଆଣିଥିବାରୁ ପୁରସ୍କାର ଦେବେ । ଦେଖିବା ଲୋକେ ବାହା ବାହା କହିବେ ତାକୁ ।

 

ଡାକ୍ତରାଣୀଙ୍କୁ ଜୁହାର ହୋଇ କହିଲା ବାପ । ଆଜ୍ଞା, ଏଇ ସେପାଖରେ ପଡ଼ିଥିଲା ପିଲାଟି । ଆପଣଙ୍କ ଡାକ୍ତରଖାନା ପାଚେରୀ ପାଖରେ । ରାସ୍ତା ଉପରେ ସମସ୍ତେ ଯାଉଥିଲେ । ଟିକିଏ ଅଟକି ଦେଖିଥିଲେ ପିଲାଟାକୁ । ବାବୁଭାୟାମାନେ ଗାଡ଼ି ଅଟକେଇ ଆଖି ପକୋଉଥିଲେ । ହେଲେ ତାକୁ ଉଠେଇ ନେଉ ନ ଥିଲେ କେହି ।

 

ଉପରକୁ ଅନେଇ ପଡ଼ିଥିଲା ପିଲାଟି ବେଳେ ବେଳେ ରାହା ଧରି କାନ୍ଦୁଥିଲା, ମୋ ଦେହ ସହିଲାନି ଆଜ୍ଞା । ବିଲେଇ, କୁକୁର ବୁଲୁଥିଲେ ସେଠି । କେତେବେଳେ କୋଉ କଥା । ଉଠେଇ ଆଣିଲି ପିଲାଟିକୁ ।

 

ଚଷମା କାଢ଼ି ତଳେ ଥୋଇଲେ ଡାକ୍ତରାଣୀ । ଲୋକଟାକୁ ଅନେଇ ପଚାରିଲେ, ଉଠେଇ ଆଣିଲୁ ତ ଇଆଡ଼େ କୁଆଡ଼େ ? ନେଇଯା ତୋ ଘରକୁ ।

 

କି କଥା କହୁଛନ୍ତି ଆଜ୍ଞା । କାହା ପିଲା ହୋଇଥିବ । ମୁଁ କିମିତି ନେଇଯିବି ଘରକୁ ।

 

ଯାଉନୁ ଘର ଘର ବୁଲି ପଚାରିବୁ । କାହାର ପିଲା ସିଏ ?

 

ଆଜ୍ଞା, ଏଇ ଡାକ୍ତରଖାନାରେ ଜନମ ହୋଇଥିବ ମ । କେତେ ବିକଳରେ ଖୋଜୁଥିବ ତା’ ମା’ ।

 

ଯା ପଳା । ଏଠି କେହି ତା’ ମା’ଫା ନାହାନ୍ତି । କେତେ ପିଲା ଏମିତି ପଡ଼ୁଛନ୍ତି ଡାକ୍ତରଖାନା ପାଚେରୀ ପାଖରେ ।

 

ତଳକୁ ମୁହଁ କରି ଲେଖିବା ଆରମ୍ଭ କଲେ ଡାକ୍ତରାଣୀ । ପୁଅଟାକୁ ଧରି ଫେରିଲା ବାପ-। ଭାବିଲା ଯେଉଁଠୁ ଆଣିଥିଲା ପକେଇ ଦବ ସେଇଠି । ସବୁ ଦୋଷ କଟିଯିବ ତା’ର ।

 

କିନ୍ତୁ ଦେହ ସହିଲାନି ତା’ର । ଏତେ ଟିକିଏ ପିଲାକୁ ଏଇ ରାସ୍ତା କଡ଼କୁ ଫିଙ୍ଗି ଦବ କେମିତି ।

 

ବାଁ ପଟରେ ଗୋଟିଏ କ୍ଲବ ଥିଲା । ଜନସେବା ସଂଘ । ପତିତ ଲୋକଙ୍କୁ ଉଦ୍ଧାର କରୁଥିଲେ ସେମାନେ । ପୁଅକୁ ଧରି ତା’ ଭିତରକୁ ପଶିଗଲା ବାପ । ପ୍ରେସିଡେଣ୍ଟଙ୍କୁ କହିଲା ପିଲାଟିଏ ମିଳିଛି, ତା’ର ବାପ ମା’ କେହି ନାହାନ୍ତି । ଟିକିଏ ବାପ ମା’ ଖୋଜି ଆଣନ୍ତୁ ତା’ପାଇଁ ।

 

ହସିଲେ ପ୍ରେସିଡେଣ୍ଟ । ଏଇ ଛୋଟ କାମ ପାଇଁ ବେଳ ନାହିଁ ତାଙ୍କର । ପ୍ରତିଦିନ କେତେ ପୁଅ ଫିଙ୍ଗା ଯାଉଛନ୍ତି ରାସ୍ତା କଡ଼ରେ । ତାଙ୍କୁ ଗୋଟାଇବା କାମ ତାଙ୍କର ନୁହେଁ, ସେଥିପାଇଁ ମେହେନ୍ତରମାନେ ଅଛନ୍ତି ।

 

ବେକରେ ରୁମାଲ ଗୁଡ଼େଇ କହିଲା ଆଉ ଗୋଟିଏ ଟୋକା । ପୁଅ ନ ଥିବା ବାପକୁ ସାହାଯ୍ୟ କରିପାରିବୁ ଆମେ । କିନ୍ତୁ ବାପ ନ ଥିବା ପୁଅ ପାଇଁ ଆମେ କିଛି କରିପାରିବୁନି । ହୋ ହୋ ହୋଇ ହସିଉଠିଲେ ଅନ୍ୟମାନେ ।

 

ସମାଧାନ ପାଇଁ ରାସ୍ତା ବତେଇ ଦେଲେ ପ୍ରେସିଡେଣ୍ଟ । ଆରେ ଯା । ଛୁଆଟାକୁ ଥାନାକୁ ନେଇଯା । ଦାୟିତ୍ୱ ତୁଟିଯିବ ତୋ’ର ।

 

ବୁଲି ବୁଲି ଭୋକ ଲାଗୁଥିଲା ଲୋକଟାକୁ । ଟ୍ୟାପ ଖୋଲି ପେଟେ ପାଣି ପିଇଲା । ଚାହା ଦୋକାନରୁ ଆଠଣାର କ୍ଷୀର କିଣି ଛୁଆଟା ପାଟିରେ ଦେଲା ।

 

ଧମକେଇ ପଚାରିଲେ ଥାନାବାବୁ, ତୋ ନାଁ, ବାପ ନାଁ, ଗାଁ, ଥାନା, ଜିଲ୍ଲା । କେଉଁଠୁ ପାଇଲୁ ପୁଅ । କେତେବେଳେ । ଦେଖିଛି କିଏ । ଏତେବେଳଯାକେ ଥାନାକୁ ଆସୁ ନ ଥିଲୁ କାହିଁକି-

 

ଥଙ୍ଗେଇ ଥଙ୍ଗେଇ ସବୁ କଥାର ଜବାବ ଦେଲା ଲୋକଟା । ସତ ସତ ସବୁ କଥା ବତେଇ ଦେଲା ।

 

ଥାନାବାବୁଙ୍କ ସାମ୍ନାରେ ଛୁଆଟାକୁ ଥୋଇଦେଇ କହିଲା, ମୁଁ ଯାଉଛି ଆଜ୍ଞା । ଏ ପିଲା ଆପଣଙ୍କୁ ଲାଗିଲା ।

 

ଚୋପ । ରୁଲ ବାଡ଼ି କଚାଡ଼ି ଗର୍ଜି ଉଠିଲେ ବାବୁ । ଚମକି ପଡ଼ିଲା ଛୁଆଟା । ଥରି ଥରି ଲୋକଟା ଯୋଡ଼ି ପକେଇଲା ହାତ । ନେଇଯା ୟାକୁ । ମାଧବପୁରରେ ଅନାଥାଶ୍ରମ ଅଛି । ସେଇଠି ଛାଡ଼ିଦବୁ । ମୁଁ ଲେଖି ଦେଉଛି ଚିଠି ।

 

ଛୁଆ ଆଉ ଚିଠି ଧରି ଚାଲିଲା ଲୋକଟା । ସଞ୍ଜବେଳକୁ ଯାଇ ପହଞ୍ଚିଗଲା ମାଧବପୁରରେ ।

 

ପଚାରିଲେ ଅନାଥାଶ୍ରମର ମାଟ୍ରନ, ପିଲାଟାର ବାପ କିଏ ? କ’ଣ ତା’ ମା’ର ନାମ । କୋଉଠି ଜନ୍ମ ହୋଇଛି । ସେ ଅନାଥ ହେଲା କାହିଁକି ?

 

ନୀରବ ରହିଲା ଲୋକଟା ।

 

ସର୍ତ୍ତ ବାଢ଼ିଲେ ମାଟ୍ରନ । ତୁମେ କହୁଛ ଯେତେବେଳେ ଏଠାରେ ରଖିଦେବୁ ପିଲାଟିକୁ । କିନ୍ତୁ ତିନି ହଜାର ଟଙ୍କା ଦେବାକୁ ପଡ଼ିବ ଏଥିପାଇଁ ।

 

କୁନ୍ଥୁ କୁନ୍ଥୁ ହୋଇ କହିଲା ଲୋକଟା । ଥାନାବାବୁ ପରା କହିଥିଲେ ମାଗଣା ।

 

ରାଗିଗଲେ ମ୍ୟାଟ୍ରନ । ପିଲାଟା ଏଠି ରହିବ । ଖାଇବ, ପିଇବ, ପିନ୍ଧିବ । ପାଠ ପଡ଼ିବ । ସବୁ କଥା କ’ଣ ମାଗଣାରେ ହେଇଯିବ । ଯା ସେ ଥାନାବାବୁ ରଖିବେ ମାଗଣାରେ ।

 

ଏଥର ପିଲାଟାକୁ ଉଠେଇ କାନ୍ଧରେ ପକାଇଲା ଲୋକଟା । କାହାକୁ କିଛି ନ କହି ସିଧା ଘରକୁ ମୁହେଁଇଲା ।

 

ମାଆ କାନିକୁ ଟାଣି ଦେଖେଇ ଦେଲା ଛୁଆଟିଏ । ମାଆ, ମାଆ, ଦେଖ ତା’ର ନୁନି ନାହିଁ । କିମିତି ଘା ହେଇଯାଇଛି ନୁନିରେ ।

 

ପିଲାଟାକୁ ଆକଟେଇ ଦେଇ ମା’ କହିଲା ଚୋପ୍ । ସେଆଡ଼େ ଅନାନା । ଏପଟେ ଆ ।

 

ସଚେତନ ହୋଇଗଲା ଶୋଇଥିବା ପିଲାଟାର ବାପ । ମା’ ଗୋଟେ ପଇସା ମିଳୁ ମା’ । ଠାକୁରେ ଆମକୁ ଏ ଦଶା ଦେଇଛନ୍ତି । ମା’ ମା’ ।

 

ପିଲାଟି ଉପରକୁ ଦଶ ପଇସିଟିଏ ଫିଙ୍ଗିଦେଲା ସ୍ତ୍ରୀଲୋକଟି । କୃତ୍ୟ କୃତ୍ୟ ହୋଇ ପଇସାକୁ ଗୋଟେଇ ନେଲା ବାପ ।

 

ଟ୍ରାଉଜର ପଞ୍ଜାବି ପିନ୍ଧା ବାବୁ ଜଣେ ଆସିଲେ । ବିଭିନ୍ନ ଦିଗରୁ ଫଟୋ ନେଲେ ଶୋଇଥିବା ପୁଅର । ବାପ କୋଳରେ ପୁଅ, ପୁଅ ପିଠି ପାଖକୁ ବାପ । ପୁଅ ଉପରେ ବାପର ହାତ, ବାପ ଗୋଡ଼ ଉପରେ ପୁଅର ମୁଣ୍ଡ ଏମିତି କେତେ ଢଙ୍ଗରେ ଫଟୋ ଉଠାଇଲେ ।

 

କ୍ୟାମେରାକୁ ଦେଖି ନିଜ ପିନ୍ଧା ଗାମୁଛାକୁ ସଜାଡ଼ି ନେଲା ପୁଅ । ମୁଣ୍ଡ ବାଳକୁ ସଜାଡ଼ି, ଦାନ୍ତ ନିକୁଟି କ୍ୟାମେରା ଆଡ଼େ ଚାହିଁ ରହିଲା ବାପ ।

 

ବାପ ପାଖରେ ବସିପଡ଼ିଲେ କ୍ୟାମେରା ଧରିଥିବା ବାବୁ । ପଚାରିଲେ ଏମିତି ଅବସ୍ଥା କାହିଁକି ହୋଇଛି ତୁମ ପୁଅର ।

 

ଯାହା ଭାଗ୍ୟରେ ଥିଲା ହେଲା, ଆଉ ପଚାରୁଛ କ’ଣ ? ଅନିଚ୍ଛା ଭିତରେ କହିଦେଲା ବାପ ।

 

ଲୋଭ ଦେଖାଇଲେ କ୍ୟାମେରା ବାବୁ । ସବୁ କଥା କହିଲେ ଅନେକ ପଇସା ଦେବି । ଭଲ କରିଦେବି ତୁମ ପୁଅକୁ ।

 

କ’ଣ ଆଉ କହିବି ସେ କଥା । ଗଳା ଖଙ୍କାରି କଥା ଆରମ୍ଭ କଲା ବାପ । ମୋ ଘରକୁ ପୁଅଟା ଆସିଲା ଯେ ସବୁ ଅମଙ୍ଗଳ ହେଲା । ଦୁହାଁଳିଆ ଗାଈଟା ମରିଗଲା । ଚୋରି ହୋଇଗଲା ରିକ୍‌ସା । ବେମାର ପଡ଼ି ଦୁର୍ବଳ ହୋଇଗଲି ମୁଁ । କାମ କରିବା ଶକ୍ତି ହରେଇଲି ।

 

ମୋ ଭାର୍ଯ୍ୟା କହିଲା, କୋଉଠୁ ଛୁଆଟାକୁ ଉଠେଇ ଆଣିଲ ଯେ ମୋ ଘରେ କଳାକନା ବୁଲିଲା । ତାକୁ ଜଲ୍‌ଦି ବିଦାକର ଏଠୁ । ହେଲେ ପାରିଲିନି । ଛୁଆଟାକୁ ଆଣିଛି ଯେତେବେଳେ ନିଜ ଘରେ ରଖିଲି ।

 

ରାସ୍ତା ଉପରେ ଯାଉଥିବା ଜଣେ ଲୋକ ଫିଙ୍ଗିଦେଲେ ଦଶ ପଇସିଟିଏ । ତରବରରେ ଉଠେଇ ଆଣି ମୁଣାରେ ପୂରାଇଲା ବାପ ।

 

ତା’ପର ଘଟଣା ସବୁ ଦିଶିଗଲା ଜଳ ଜଳ । ଏମିତି ଦିନେ ବଡ଼ ହେଲା ପୁଅ । ସହର ସାରା ବୁଲି କାମ ଖୋଜିଲା । ଚାଲି ଚାଲି ଛିଣ୍ଡିଗଲା ଚପଲ । ସାମନ୍ତ ଲଜିଂର ମ୍ୟାନେଜର କହିଲେ ରହିବୁ ଏଠି । ଯାହା କୁହାଯିବ କରିବୁ । ଖାଇପିଇ ମାସକୁ ସତୁରି ଟଙ୍କା ।

 

ଖୁସିରେ ହଁ ମାରିଲା ପୁଅ । ବାପକୁ କହିଲା ମୋତେ ଚାକିରି ମିଳିଗଲା । ଏଣିକି ସବୁ ଦାୟିତ୍ୱ ମୋର ।

 

ପ୍ରଥମ ମାସ ପୂରିଲା । ସତୁରି ଟଙ୍କା ଆଣି ଘରେ ଦେଲା ପୁଅ । ସଫା ପେଣ୍ଟ ସାର୍ଟ ପିନ୍ଧିଲା । ବାବୁଙ୍କ ପରି ମାଙ୍ଗୁ ଭାଙ୍ଗି ମୁଣ୍ଡ କୁଣ୍ଡେଇଲା । ବାପ ଭାବିଲା ତା’ ପୁଅଟା ବାବୁ ପାଲଟି ଗଲା ମାସକ ଭିତରେ ।

 

ଟିକିଏ ଡେରିରେ ଖବର ପାଇଲା ବାପ । ଦିନେ କୁଆଡ଼େ ଦି’ଟା ଝିଅ ଆସିଲେ ଲଜିଂକୁ-। ଦେଖିବାକୁ ଭାରି ସୁନ୍ଦର । ଓଡ଼ିଆ ଭାଷା ଜଣା ନ ଥିଲା ତାଙ୍କୁ ।

 

ସଞ୍ଜ ହେଲା । ମ୍ୟାନେଜରକୁ କହିଲେ ଦୁଇଟା ପୁଅ ଦରକାର ତାଙ୍କର । ରାତିକ ପାଇଁ ଶହେ ଟଙ୍କା ଦେବେ ।

 

ଲୋଭେଇ ଯାଇଥିଲା ମ୍ୟାନେଜର । କହିଲା, ଟଙ୍କା ଫଙ୍କା ଦରକାର ନାହିଁ ମୋର । ରାତିକ ପାଇଁ ତୁମ ସାନ୍ନିଧ୍ୟ ଚାହେଁ ମୁଁ । ଜଣକ ପାଖକୁ ଗଲା ମ୍ୟାନେଜର । ଆଉ ଜଣକ ପାଖକୁ ପଠାଇ ଦେଲା ପୁଅଟିକୁ ।

 

ସକାଳ ହେଲା । ହୁରି ପଡ଼ିଗଲା ସାମନ୍ତ ଲଜିଂରେ । ରାତାରାତି ଦୁଇଟି ଯାକ ଯୁବତୀ ଚମ୍ପଟ । ରକ୍ତାକ୍ତ ହୋଇ ପଡ଼ିଛନ୍ତି ମ୍ୟାନେଜର ଓ ପୁଅଟି । ଗୋଟାଏ ଲେଖାଏଁ କିଡ୍‍ନି କଟାଯାଇଛି ଦୁହିଁଙ୍କର ।

 

ଦୁଇ ଦିନ ପରେ ପରଲୋକ ଗମନ କଲେ ମ୍ୟାନେଜର । ଡାକ୍ତରମାନେ ଚେଷ୍ଟା କରି ବଞ୍ଚେଇ ଦେଲେ ପୁଅଟିକୁ ।

 

ଚିକିତ୍ସା ନ ସରୁଣୁ ଡାକ୍ତରଖାନାରୁ ଆସିଲା ପୁଅ । ପୁଅ ଉପରେ ନିର୍ଭର କରି ଚଳୁଥିବା ବାପ କିଣି ପାରିଲାନି ଔଷଧ । କେତେଦିନ ପରେ ଘା’ ପାଚିଲା । ଆଉ ଭଲ ହେବାର କିଛି ସମ୍ଭାବନା ବି ନ ଥିଲା ।

 

କଥା ମଝିରେ ପଚାରିଦେଲେ କ୍ୟାମେରା ଧରିଥିବା ଲୋକ । ତୁମେ ଏ ରାସ୍ତା ପାଖରେ କାହିଁକି ଶୁଆଇ ଦେଇଛ ପୁଅକୁ । ତାକୁ ଟିକିଏ ଘରେ ବିଶ୍ରାମ ଦିଅ ।

 

ଦୀର୍ଘଶ୍ୱାସ ମାରି କହିଲା ବାପ, ତା’ରି ପାଇଁ ତ ମୁଁ ବଞ୍ଚିଛି ଆଜି । ଗଣ୍ଡେ ଦାନା ପାଉଛି ତାରି ପାଇଁ । ଖାଇବାକୁ ନ ପାଇ ତା’ ମା’ ମଲା । ଘରେ ପଡ଼ିଥିଲେ ମୁଁ ବି ମରିଥାନ୍ତି ଭୋକ ଉପାସରେ । ଏଇଠି ପଡ଼ିଛୁ । ଦିନକୁ ଯାଇ ଆଠ ଦଶ ଟଙ୍କା ହେଉଛି ଚଳୁଛୁ ଆମେ ।

 

ପ୍ରସ୍ତାବ ଦେଲେ କ୍ୟାମେରା ବାବୁ । ମୋ ସହିତ ଛାଡ଼ିଦିଅ ପୁଅକୁ । ମୁଁ ତାକୁ ଡାକ୍ତରଖାନା ନେବି । ଭଲ କରିଦେବି । ଚାରି ମାସ ପରେ ସୁସ୍ଥ କରିଦେବୁ ତୁମ ପୁଅକୁ ।

 

ମୁଣ୍ଡ ହଲାଇ ମନା କଲା ଲୋକଟି । ଚାରି ମାସ ପୁଅକୁ ଛାଡ଼ିଲେ ମୁଁ ଚଳିପାରିବିନି । ଆଜିକାଲି ଯୁଗ ଯେମିତି । ଖାଲି ହାତରେ କେହି ଭିକ ଦେଉ ନାହାନ୍ତି । ପୁଅର ଏ ଅବସ୍ଥା ଦେଖିଲେ କେହି ହୁଏତ ପକେଇ ଦେଇପାରେ ପାଞ୍ଚ ଦଶ ପଇସା ।

 

ଅସହାୟ ଭାବେ ଆକାଶକୁ ଅନେଇ ଥିଲା ପୁଅ । ପେଟ ତଳ ଘା’ ଉପରେ ମାଛି ବସି ଶୋଷି ନେଉଥିଲେ ରକ୍ତ । ବାପ ଭାବୁଥିଲା ପୁଅଟା ପାଇଥିଲି ବୋଲି ସିନା ସାହା ହେଲା । ଭଲ ବେଳେ ତ ରୋଜଗାର କରୁଥିଲା । ଏମିତି ରୋଗା ହୋଇ ମଧ୍ୟ ଦି’ ପଇସା କମେଇ ପାରିଲା ।

 

କ୍ୟାମେରା କାନ୍ଧରେ ପକାଇ ଉଠିଲେ ବାବୁ ଜଣକ । ତାଙ୍କୁ ଲାଗୁଥିଲା ଯେମିତି ପୁଅର ମୁଣ୍ଡକୁ ଚୋବେଇ ଚୋବେଇ ବଞ୍ଚିଛି ବାପ । ପୁଅର ରକ୍ତମାଂସକୁ ଖାଇ ନିଜର ଆୟୁଷ ବଢ଼େଇବାରେ ଲାଗିଛି ବାପଟା ।

☆☆☆

 

ଭଉଣୀ ବିକ୍ରି

 

ବାବୁ ଭଉଣୀ କିଣିବ ?

 

ବସ୍‍ରୁ ଓହ୍ଲାଉ ଓହ୍ଲାଉ ସମରେଶବାବୁଙ୍କୁ ପଚାରି ଦେବ ଗୋଟିଏ ଚଉଦ ପନ୍ଦର ବର୍ଷର ପିଲା । ସମରେଶବାବୁଙ୍କ ମନରେ ଖେଳିଯିବ ଅଦ୍ଭୁତ ଏକ ଭାବନା ।

 

ଭଉଣୀ କ’ଣ ବିକାଯାଇପାରେ କେଉଁଠି ? ସମ୍ପର୍କକୁ କ’ଣ ମୂଲ କରାଯାଇପାରେ ପଇସାରେ ? ଆତ୍ମୀୟତା କ’ଣ ବିକ୍ରି କରାଯାଇପାରେ ହାଟ ବଜାରରେ ?

 

ସମରେଶ ବାବୁଙ୍କ ସାମ୍‌ନାକୁ ଆସି ଗେହ୍ଲେଇ ଦେବ ପିଲାଟି । କାକୁତି ମିନତି କରି କହିବ, ଏ ବାବୁ ! ଆସନା, ଏଇ ଆଗରେ ଆମ ଦୋକାନ । ବେଶି ଦାମ୍‍ ନୁହେଁ ମ ! ପାଞ୍ଚ ଟଙ୍କାରୁ ଆରମ୍ଭ କରି ଶହେ ଟଙ୍କାରେ ଭଉଣୀ ମିଳୁଛି ସେଠାରେ । ଯେମିତି ପସନ୍ଦ କରିବ ସେମିତି ମିଳିବ-

 

ପାଗଳ ନୁହେଁ ତ ପିଲାଟି ! ମାନସିକ ବିକାରଗ୍ରସ୍ତ ହୋଇ କହୁନି ତ ଏପରି ! ଦ୍ଵନ୍ଦ୍ଵରେ ପଡ଼ିଯିବେ ସମରେଶବାବୁ ।

 

ଧୈର୍ଯ୍ୟ କିନ୍ତୁ ହରାଉ ନ ଥିବ ପିଲାଟି । ଗରାଖକୁ ନିଜର କରି ନେବାର କାଇଦା ବେଶ୍‍ ଜଣାଥିବ ତାକୁ । ତରତର ହୋଇ କହିବ ଶୀଘ୍ର ଆସନ୍ତୁ ଆଜ୍ଞା, ମାଲ୍ ସରିଯିବ । ଆଜି ପରା ରାକ୍ଷୀ ପୂର୍ଣ୍ଣିମା । ବର୍ଷକରେ ଥରେ ଆସେ ।

 

ଚେତନା ଫେରିଆସିବ ସମରେଶବାବୁଙ୍କର । ସମ୍ବଲପୁରରୁ ଆସି ଭୁବନେଶ୍ୱରରେ ପହଞ୍ଚିବା ଭିତରେ ବିତି ଯାଇଛି ଗୋଟିଏ ରାତି । ରାକ୍ଷୀ ପୂର୍ଣ୍ଣିମା ପହଞ୍ଚିଯାଇଛି ୟା ଭିତରେ ।

 

ବସ୍‌ଷ୍ଟାଣ୍ଡ ଭିତରେ ବୁଲିଆସିବ ସମରେଶବାବୁଙ୍କ ଆଖି । ସମସ୍ତଙ୍କ ହାତରେ ଝିଲ୍ ମିଲ୍ କରୁଥିବ ରାକ୍ଷୀ । ପାନ ଦୋକାନୀ, ଗୁପ୍‌ଚୁପ୍ ବାଲା, ଖବରକାଗଜ ହକର; ବସ୍ କଣ୍ଡକ୍ଟର, ବସ୍‌ଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀ, ପଇସା ମାଗୁଥିବା ଭିକାରି, ପଇଡ଼ବାଲା ସମସ୍ତଙ୍କ ହାତ ପୂରି ଯାଇଥିବ ରାକ୍ଷୀରେ । ଅଥଚ ସମରେଶବାବୁଙ୍କ ଖାଲି ହାତଟା ବାରି ହୋଇ ପଡ଼ୁଥିବ ସନସ୍ତଙ୍କ ଭିତରୁ ।

 

ଇଚ୍ଛା କରି ତ ସମରେଶବାବୁ ଭୁଲି ଯାଇଛନ୍ତି ରାକ୍ଷୀ ପୂର୍ଣ୍ଣିମା ବିଷୟରେ । ବାରମ୍ବାର ପ୍ରତିଜ୍ଞା କରିଛନ୍ତି ହାତରେ ରାକ୍ଷୀ ପିନ୍ଧିବେ ନାହିଁ ବୋଲି । ଗୋଟିଏ ପରେ ଗୋଟିଏ ଭଉଣୀଙ୍କୁ ହରେଇଥିବା କେଉଁ ଭାଇର ଇଚ୍ଛା ହେବ ଯେ ରାକ୍ଷୀ ପିନ୍ଧିବାକୁ ?

 

ମନେ ପଡ଼ିଯାଉଥିବ ସମରେଶ ବାବୁଙ୍କର । ଲିଟିଲ୍‌କୁ ଖୁବ୍ ଭଲ ପାଉଥିଲେ ସେ । ସାନ ଭଉଣୀ ବୋଲି ଖୁବ୍ ଗେହ୍ଲା କରୁଥିଲେ ତାକୁ । ନିଜର ଏକମାତ୍ର ଭଉଣୀ ବୋଲି ଖୁବ୍ ଆଦର କରୁଥିଲେ । ସାଙ୍ଗ ହୋଇ ଖାଉଥିଲେ, ଗୋଟିଏ ବେଡ଼ରେ ଶୋଉଥିଲେ । ସାଙ୍ଗ ହୋଇ ଚାଲିଯାଉଥିଲେ ସିନେମା । ଭାଇ ଭଉଣୀର ସମ୍ପର୍କ ପାଇଁ ସେମାନେ ପାଲଟି ଯାଇଥିଲେ ଏକ ଆଦର୍ଶ ।

 

ଏମିତି ଏକ ରାକ୍ଷୀ ପୂର୍ଣ୍ଣିମା ସକାଳେ ଲିଟିଲ୍ ଚାଲିଗଲା ରିକ୍‌ସାରେ । ନିଜ ଭାଇ ପାଇଁ ମନ ପସନ୍ଦର ରାକ୍ଷୀ କିଣିବ ବୋଲି ବାହାରିଗଲା ସକାଳୁ । ଅନେକ ପ୍ରୋଗ୍ରାମ ପ୍ରସ୍ତୁତ କରି ଅପେକ୍ଷା କରି ରହିଲେ ସମରେଶବାବୁ । ଲିଟିଲ୍‌କୁ ନେଇ ହୀରାକୁଦ ଯିବେ । ନେହେରୁ ମିନାର ଦେଖିବେ । ସମଲେଇ ମନ୍ଦିର ଯିବେ । ବୁଲି ଆସିବେ ବୁଢ଼ାରଜା ପାହାଡ଼ ଉପରେ ଥିବା ଠାକୁରଙ୍କ ପାଖରୁ । ସମୟ ହେଲେ ହରିଶଙ୍କର ଯିବେ । ବଣଜଙ୍ଗଲରେ ବୁଲି ବିତେଇ ଦେବେ ସାରା ଦିନ ।

 

ଲିଟିଲ୍ ଫେରିବାରେ ଡେରିକଲା ଅନେକ । ବ୍ୟସ୍ତ ହୋଇ ପଡ଼ିଲେ ସମରେଶବାବୁ । ପିଲାଟାର ସମୟଜ୍ଞାନ ନାହିଁ । ରାକ୍ଷୀଟିଏ କିଣିବ ବୋଲି ଚାରି ଘଣ୍ଟା ହେଲା ଯାଇଛି ।

 

ସମରେଶବାବୁଙ୍କ ପ୍ରତୀକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇ ଫେରିଆସିଲା ରିକ୍‌ସା । ଲିଟିଲ୍‌ର ପର୍ସ ସହ ଦାମୀ ରାକ୍ଷୀଟିଏ ସମରେଶବାବୁଙ୍କ ହାତକୁ ବଢ଼େଇ ଦେଲା ରିକ୍‌ସାବାଲା । ହେଲେ ଫେରି ନ ଥିଲା ଲିଟିଲ୍‍ । ରାକ୍ଷୀ ବାନ୍ଧିବା ପାଇଁ ଫେରି ନ ଥିଲା ସମରେଶବାବୁଙ୍କ ଭଉଣୀ । ଏକ କାର୍ ଧକ୍‌କାରେ ପ୍ରାଣ ହରାଇଥିଲା ବିଚାରୀ ।

 

ସମସ୍ତଙ୍କୁ ଲୁଚେଇ ଲୁଚେଇ ନିଜ ଆଖିରୁ ଲୁହ ପୋଛି ଦେବେ ସମରେଶବାବୁ । ପୋଛି ଦେବାକୁ ଚେଷ୍ଟା କରିବେ ନିଜ ମନର ଦୁଃଖ ।

 

ପିଲାଟି ସହ ଏକ ତମ୍ବୁଘେରା ଦୋକାନ ସାମ୍‌ନାରେ ପହଞ୍ଚିଯାଇଥିବେ ସମରେଶବାବୁ-। ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଥିବ ଦୋକାନ ସାମ୍‌ନାରେ । ଏଠାରେ ଭଉଣୀ ମିଳେ-

 

ସମସ୍ତଙ୍କୁ ଶୁଣେଇ ଶୁଣେଇ ବଡ଼ ପାଟିରେ କହୁଥିବ ଲୋକଟିଏ । ଆସନ୍ତୁ ଆଜ୍ଞା, ଆସନ୍ତୁ ସାର୍ । ସରିଗଲା, ସରିଗଲା, ଆସନ୍ତୁ । ବାଛି ନିଅନ୍ତୁ ମନପସନ୍ଦ ଭଉଣୀ । ପାଞ୍ଚ ଟଙ୍କାରେ, ଦଶ ଟଙ୍କାରେ, ପଚିଶ ଟଙ୍କାରେ, ପଚାଶ ଟଙ୍କାରେ, ଶହେ ଟଙ୍କାରେ, ଯେମିତି ଚାହିଁବେ ସେମିତି ଭଉଣୀ ବାଛି ନିଅନ୍ତୁ । ନିଜ ପକେଟକୁ ଚାହିଁ ନିଜ ପସନ୍ଦକୁ ଚାହିଁ ବାଛି ନିଅନ୍ତୁ ଗୋଟା ଗୋଟା ଭଉଣୀ ।

 

ଆସନ୍ତୁ ଆଜ୍ଞା, ସୁବର୍ଣ୍ଣ ସୁଯୋଗ । ଭଉଣୀ ନ ଥିବା ବାବୁମାନଙ୍କ ପାଇଁ ଅପୂର୍ବ ସୁଯୋଗ-। ଡେରି କରନ୍ତୁନି, କାଳ ଗଡ଼ିଯିବ । ଭଉଣୀ ବିକ୍ରି ହେବାର ଶୁଭ ଲଗ୍ନ ଶେଷ ହୋଇଯିବ-

 

ଭଉଣୀ ଥିବା ଲୋକେ ବି ଆସନ୍ତୁ । କିଣି ନିଅନ୍ତୁ ଆଉ ଗୋଟିଏ ଭଉଣୀ । ଶସ୍ତାରେ ବିକ୍ରି ହେଉଛି ଭଉଣୀ । ଆସନ୍ତୁ, ଆସନ୍ତୁ, ଆସନ୍ତୁ..... ।

 

ସାମାନ୍ୟ ଦୂରରେ ରହି ଦେଖୁଥିବେ ସମରେଶବାବୁ । ଭଉଣୀ ବିକ୍ରି ହେଉଥିବା ଦୋକାନରେ ଗହଳି ଲାଗିଥିବ । ଠେଲାପେଲା କରୁଥିବେ ଗରାଖମାନେ । ନିଜ ପସନ୍ଦ ଭଉଣୀମାନ କିଣି ନେଉଥିବେ ସେମାନେ ।

 

ଦୋକାନ ଭିତରେ ଥିବା ଝିଅଟିଏ ବିକ୍ରି କରୁଥିବ ଭଉଣୀ । ପାଞ୍ଚଟଙ୍କା ବଢ଼େଇ ଦେଲେ ଝିଅଟି ବଢ଼େଇ ଦେଉଥିବ ଗୋଟିଏ ରାକ୍ଷୀ । ଦଶଟଙ୍କା ଦେଲେ ଗରାଖ ହାତରେ ରାକ୍ଷୀ ପିନ୍ଧେଇ ଦେଇଥିବ ଝିଅଟି । ପଚିଶ ଟଙ୍କା ଦେଲେ ରାକ୍ଷୀ ପିନ୍ଧେଇବା ସହିତ ହାତକୁ ବଢ଼େଇ ଦେଉଥିବ ଗୋଟିଏ ଲଡ଼ୁ । ପଚାଶ ଟଙ୍କା ଦେଲେ ନିଜ ହାତରେ ରାକ୍ଷୀ ପିନ୍ଧାଇବ, ତା’ ସହିତ ଗରାଖ ମୁହଁରେ ଖୁଆଇ ଦେବ ଲଡ଼ୁଟିଏ ।

ଅପୂର୍ବ ସୁନ୍ଦର ଦେଖାଯାଉଥିବ ଝିଅଟି । ସାଲଓ୍ଵାର ପଞ୍ଜାବି ଭିତରୁ ଫୁଟି ଉଠୁଥିବ ଯୌବନ । ଝିଅଟିର ସାନ୍ନିଧ୍ୟ ପାଇବା ପାଇଁ ଦୋକାନ ସାମ୍ନାରେ ବଢ଼ି ଯାଇଥିବ ଭିଡ଼ । ବିଭିନ୍ନ ବୟସର ଲୋକେ କିଣିବାରେ ଲାଗିଥିବେ ମନ ପସନ୍ଦ ଭଉଣୀ ।

ଦୋକାନର ସାମାନ୍ୟ ପାଖକୁ ଯିବେ ସମରେଶବାବୁ । ନିରିଖେଇ ଦେଖିବେ ଭଉଣୀ ବିକ୍ରି କରୁଥିବା ଝିଅଟିକୁ । ଝିଅଟିର ମୁହଁକୁ ଦେଖିବେ ତ ଚମକି ପଡ଼ିବେ ସମରେଶବାବୁ । ସ୍ୱରୂପା ଯେ ଶେଷରେ ଏପରି ହୋଇପାରେ କଳ୍ପନା କରିପାରୁନଥିବେ ସେ । ଶାଢ଼ି ଛାଡ଼ି ସାଲଓ୍ଵାର ପଞ୍ଜାବି ପିନ୍ଧିଛି ସ୍ୱରୂପା । ସମ୍ବଲପୁର ଛାଡ଼ି ଚାଲି ଆସିଛି ଭୁବନେଶ୍ୱର । ବଦଳି ଯାଇଛି ତା’ ସ୍ୱରୂପ-। ତା’ ଆଚରଣରେ ପରିବର୍ତ୍ତନ ହୋଇଛି ଅନେକ ।

ସ୍ୱରୂପା ସହ କିପରି ଚିହ୍ନା ହେଲା ମନେପକାଇ ପାରିବେ ନାହିଁ ସମରେଶ ବାବୁ । କିନ୍ତୁ ମନେପଡ଼ି ଯାଉଥିବ ଦିନକର ଘଟଣା ।

ଏମିତି ଏକ ରାକ୍ଷୀ ପୂର୍ଣ୍ଣିମା ସକାଳେ ସମରେଶ ବାବୁଙ୍କ ଘରେ ପହଞ୍ଚି ଯାଉଥିଲା ସ୍ୱରୂପା । ରାକ୍ଷୀଟିଏ ନେଇ ବାନ୍ଧିବାକୁ ଯାଉଥିଲା ତାଙ୍କ ହାତରେ ।

ପ୍ରତିବାଦ କଲେ ସମରେଶବାବୁ । ଫେରାଇ ନେଲେ ନିଜ ହାତ । କଠୋର କଣ୍ଠରେ କହିଲେ ମୁଁ ପ୍ରତିଜ୍ଞା କରିଛି, ଜୀବନରେ କେବେ ରାକ୍ଷୀ ବାନ୍ଧିବି ନାହିଁ । ଲିଟିଲ୍‌ର ଅନୁପସ୍ଥିତିକୁ ମୋ ଭିତରେ ଅଭାବବୋଧ କରି ରଖିଥିବି ସବୁଦିନଯାଏ ।

 

ଅପ୍ରସ୍ତୁତ ହୋଇପଡ଼ିଲା ସ୍ୱରୂପା । ଅନୁନୟ କରି କହିଲା । ମୋତେ ଆଉ କଷ୍ଟ ଦିଅନି ତୁମେ । ଦୁଇ ବର୍ଷ ତଳେ ରୋଗରେ ପଡ଼ି ମରିଯାଇଛି ମୋ ଭାଇ । ମୋ ଅସହାୟତାକୁ ଧକ୍‌କା ଦିଅନି । ମୋର ଗୋଟିଏ ଭାଇ ଦରକାର । ତୁମରି ପରି ଭାଇଟିଏ ଦରକାର ।

 

ସମରେଶବାବୁ ବୁଝିପାରୁଥିଲେ ଭାଇ ନ ଥିବା ଭଉଣୀଟିଏର ଦୁଃଖ । ସ୍ୱରୂପା ମନର ବେଦନାକୁ ଅନୁଭବ କରିପାରୁଥିଲେ ସେ ।

 

ତଥାପି ରାଜି ନଥିଲେ ନିଜ ପ୍ରତିଜ୍ଞା ଭାଙ୍ଗିବାକୁ । ସର୍ତ୍ତ ରଖିଲେ, ମୋତେ କଥା ଦିଅ ସ୍ୱରୂପା । ମୋ ଛଡ଼ା ତୁମେ କାହା ହାତରେ ରାକ୍ଷୀ ବାନ୍ଧିବନି । କାହାକୁ ଆଦରି ନେବନି ଭାଇ ବୋଲି । ମୋ ଭଉଣୀ ସେମିତି ହେବା ଦରକାର, ଯେ ମୋତେ ଭଲ ପାଉଥିବ ଏବଂ କେବଳ ମୋତେ ହିଁ ଭଲ ପାଉଥିବ । ପାରିବ ଯଦି ବାନ୍ଧିଦିଅ ରାକ୍ଷୀ ।

 

ସବୁ ସର୍ତ୍ତକୁ ମାନି ନେଇ ସମରେଶବାବୁଙ୍କ ହାତରେ ରାକ୍ଷୀ ବାନ୍ଧି ଦେଇଥିଲା ସ୍ୱରୂପା । ନିଜର ଏକମାତ୍ର ଭାଇ ବୋଲି ଗ୍ରହଣ କରି ନେଇ ଥିଲା ସମରେଶ ବାବୁଙ୍କୁ ।

 

ଅଥଚ ବର୍ଷ କେତେଟା ପରେ ସ୍ୱରୂପା ଭୁଲିଗଲା ତା’ ଶପଥ । ଅନେକ ଲୋକଙ୍କ ପାଖକୁ ରାକ୍ଷୀ ପଠାଇଲା । ଅନେକ ଭାଇଙ୍କ ହାତରେ ବାନ୍ଧିଦେଲା ରାକ୍ଷୀ । ସମରେଶବାବୁଙ୍କ ମନରେ ଆଉଥରେ ଆଘାତ ଦେଲା ରାକ୍ଷୀ ପୂର୍ଣ୍ଣିମା । ଆଉଥରେ ରାକ୍ଷୀ ନ ପିନ୍ଧିବାର ପ୍ରତିଜ୍ଞା କରିନେଲେ ସମରେଶବାବୁ ।

 

ସମରେଶବାବୁଙ୍କୁ ଠେଲି ଦେଇ ଦୋକାନ ଆଡ଼କୁ ମାଡ଼ିଯିବ ଜଣେ ଲୋକ । ଶହେ ଟଙ୍କିଆ ନୋଟଟିଏ ବଢ଼େଇ ଦେବ ସ୍ୱରୂପା ହାତକୁ । ନୋଟଟିକୁ ହାତରେ ଧରି ହସିଦବ ସ୍ୱରୂପା । ବେଶ୍ ସୁନ୍ଦର ରାକ୍ଷୀଟିଏ ଆଣି ବାନ୍ଧି ଦେବ ଲୋକଟିର ହାତରେ । ଲଡ଼ୁଟିଏ ନେଇ ଖୋଇଦବ ଲୋକଟିକୁ । ଲୋକଟିର ହାତ ପାପୁଲିକୁ ନେଇ ସନସ୍ତଙ୍କ ସାମ୍‌ନାରେ ଚୁମି ଦେବ ସ୍ୱରୂପା ।

 

ବଡ଼ ପାଟିରେ ପ୍ରଚାର କରୁଥିବା ଲୋକଟି କହିବ ଆସନ୍ତୁ, ଆସନ୍ତୁ । ଶହେ ଟଙ୍କିଆ ଭଉଣୀ ବିକ୍ରି ହେଲା । ଆସନ୍ତୁ । ପରୀକ୍ଷା କରନ୍ତୁ । କିଣି ନିଅନ୍ତୁ ଭଉଣୀ ।

 

ଚିହିଙ୍କି ଉଠିବେ ସମରେଶବାବୁ । ନିଜ ଭିତରେ ଅନୁଭବ କରିବେ ପ୍ରଚଣ୍ଡ ଏକ ବିସ୍ଫୋରଣ । ଦୋକାନ ପାଖକୁ ଯାଇ ସ୍ୱରୂପାକୁ ପଚାରିବେ ସମସ୍ତ ଭଉଣୀର ଦାମ୍ କେତେ ?

 

ଚିହ୍ନିବି ଅଚିହ୍ନା ପରି ହେବ ସ୍ୱରୂପା । ପ୍ରଚାର କରୁଥିବା ଲୋକଟି ବୋକାଙ୍କ ପରି ଚାହିଁବ ସମରେଶବାବୁଙ୍କ ମୁହଁକୁ । ଆଶ୍ଚର୍ଯ୍ୟ ହୋଇ ସମରେଶବାବୁଙ୍କୁ ଅନେଇଥିବେ ଅନ୍ୟ ଗରାଖମାନେ-

 

ଆଉଥରେ ରୁକ୍ଷ କଣ୍ଠରେ ପଚାରିବେ ସମରେଶବାବୁ । ସବୁ ଭଉଣୀର ଦାମ୍ କେତେ-?

 

ପ୍ରଚାର କରୁଥିବା ଲୋକଟି କହିବ, କ’ଣ ବାବୁ ବେପାର କରିବେ ? ଆଜି ରାକ୍ଷୀ ପୂର୍ଣ୍ଣିମା । ବେଳ ଆସି ଏଗାରଟା ହେଲାଣି । ଆଉ ଏ ବେପାର ହେବନି ଆଜ୍ଞା ।

 

କ୍ରୋଧରେ ଥରି ଉଠୁଥିବେ ସମରେଶବାବୁ । ଥରିଲା କଣ୍ଠରେ କହିବେ, ତୁମକୁ ଯାହା ପଚାରୁଛି ସେଇଆ କୁହ । ସବୁ ଭଉଣୀର ଦାମ୍ କେତେ ?

 

ଏଥର ଦୋକାନରେ ଝୁଲୁଥିବା ରାକ୍ଷୀମାନଙ୍କୁ ଦେଖିବ ଲୋକଟି । ଗୋଟି ଗୋଟି କରି ହିସାବ କରିବ । କୁଣ୍ଠାବୋଧ କରି କହିବ ଛହଶହ ପଚିଶ ଟଙ୍କା ।

 

ପର୍ସରୁ ଟଙ୍କା ବାହାର କରିବେ ସମରେଶବାବୁ । ଛଅ ଶହ ପଚିଶ ଟଙ୍କା ଫିଙ୍ଗି ଦେବେ ସ୍ୱରୂପା ମୁହଁକୁ । ରାକ୍ଷୀ ଆଣି ସମରେଶବାବୁଙ୍କ ହାତରେ ବାନ୍ଧିବାକୁ ଯାଉଥିବ ସ୍ୱରୂପା । ଚିତ୍କାର କରି ଉଠିବେ ସମରେଶବାବୁ । ନା, ସବୁ ରାକ୍ଷୀ ଦେଇଦିଅ ମୋତେ । ତୁମର ସମସ୍ତ ଭଉଣୀତ୍ୱ କିଣି ନେବି ମୁଁ । ସମସ୍ତ ମୂଲ୍ୟ ଦେଇ ମୁଁ ତୁମର ଏକମାତ୍ର ଗରାଖ ହେବି । ମୋ ପରେ ଆଉ କେଉଁ ଗରାଖ ନ ଥିବେ ତୁମର । ପଇସା ଦେଇ ତୁମର ଭାଇ ହୋଇ ପାରିବେନି କେହି ।

 

ଦୋକାନରେ ଥିବା ସମସ୍ତ ରାକ୍ଷୀକୁ ସମରେଶବାବୁଙ୍କ ହାତରେ ସମର୍ପିଦେବ ଲୋକଟି-। ରାକ୍ଷୀଗୁଡ଼ିକୁ ଗଦା କରି ନିଆଁ ଲଗାଇ ଦେବେ ସମରେଶବାବୁ । ଭଉଣୀ ବିକ୍ରି ହେବାର ସମସ୍ତ ସମ୍ଭାବନାକୁ ଶେଷ କରି ଦେବେ ସେହି ମୁହୂର୍ତ୍ତରେ ।

 

ସମସ୍ତ ଭଉଣୀ କିଣି ଥିବାରୁ ଖୁସିରେ ଚାଲିଯିବେ ସମରେଶବାବୁ । ଭଉଣୀ ବିକ୍ରି ଦୋକାନରୁ କମିଯିବ ଲୋକମାନଙ୍କର ଭିଡ଼ ।

 

ପ୍ରଚାର କରୁଥିବା ଲୋକଟି ଟଙ୍କା ଦେଇ ପଠେଇ ଦେବ ଗୋଟିଏ ପିଲା । ମାର୍କେଟ ଭିତରୁ ଦୁଇଶହ ରାକ୍ଷୀ କିଣି ଆଣିବାକୁ ନିର୍ଦ୍ଦେଶ ଦେବ ।

 

ପୁଣି ଥରେ ଉଚ୍ଚ ସ୍ୱରରେ ପ୍ରଚାର କରିବ ଲୋକଟି । ଆସନ୍ତୁ ଆଜ୍ଞା । ଆସନ୍ତୁ । କିଣି ନିଅନ୍ତୁ ଭଉଣୀ । ଏଇ ପାଞ୍ଚ ମିନିଟ୍ ଭିତରେ ଆରମ୍ଭ ହୋଇଯିବ ଭଉଣୀ ବିକ୍ରି । ମନ ପସନ୍ଦ ଭଉଣୀ କିଣନ୍ତୁ । ଦାମ୍ ମାତ୍ର ପାଞ୍ଚ ଟଙ୍କା, ଦଶଟଙ୍କା, ପଚିଶ ଟଙ୍କା, ପଚାଶ ଟଙ୍କା, ଶହେ ଟଙ୍କା । ଆସନ୍ତୁ । ଆସନ୍ତୁ । ଆସନ୍ତୁ ।

☆☆☆

 

ସମାଧାନ

 

ସମଗ୍ର ଘଟଣାକୁ କରି ଦିଆଯାଉ ଏକ ପୁସ୍ତକ । ସୂଚୀପତ୍ର ହେବ ଏହିପରି ।

 

ପ୍ରତୀକର ପତ୍ନୀକୁ ସର୍ପଦଂଶନ

 

ପ୍ରତୀକ ଗିରଫ

 

ଔଷଧ ମନ୍ତ୍ରୀଙ୍କୁ ହତ୍ୟା

 

ରାଜ୍ୟସାରା ରେଡ଼ ଆଲର୍ଟ

 

ନେତା, ବ୍ୟବସାୟୀ, ଅଫିସର ନିହତ

 

ସମାଧାନ

 

ପୃଷ୍ଠାମାନଙ୍କୁ ଖୋଜିଲେ ବର୍ଣ୍ଣନା କରାଯାଇଥିବ ସମଗ୍ର ଘଟଣା ।

 

ପ୍ରତୀକର ପତ୍ନୀକୁ ସର୍ପଦଂଶନ

 

ଏକ ଅସତର୍କ ମୁହୂର୍ତ୍ତରେ ସାପ ଉପରେ ପାଦ ପଡ଼ିବ ପ୍ରତୀକ-ପତ୍ନୀର । ବୁଲି ପଡ଼ି ଚୋଟ ମାରିବ ସାପ ।

 

ପ୍ରତୀକକୁ ଉପଦେଶ ଦେବେ ସାଇ ପଡ଼ିଶା । ଗୁଣିଆ ପାଖକୁ ନେଇ ଯା’ ସ୍ତ୍ରୀକୁ । ଶିବଙ୍କ ପାଦୁକା ଆଣି ତା’ ପାଟିରେ ଦେ । ଅମୁକ ଗଛର ଚେର ଆଣି କାମୁଡ଼ା ଜାଗାରେ ମାର୍ ।

 

କୋଉ କଥା ଶୁଣିବ ନାହିଁ ପ୍ରତୀକ । ଖାତିର କରିବ ନାହିଁ କାହାରି ଉପଦେଶ । ସାଇକେଲରେ ବସେଇବ ନିଜ ସ୍ତ୍ରୀକୁ । ରାତାରାତି ଯାଇ ପହଞ୍ଚିଯିବ ଆଠ କିଲୋମିଟର ଦୂରରେ ଥିବା ଡାକ୍ତରଖାନାରେ ।

 

ରୋଗୀକୁ ଦେଖିବେ ଡାକ୍ତର । କାଗଜରେ ଲେଖିଦେବେ ଇଞ୍ଜେକସନ । ଡାକ୍ତରଖାନାରେ ନାହିଁ । ବାହାରୁ କିଣିବାକୁ ପଡ଼ିବ ।

 

ଦୋକାନ ପରେ ଦୋକାନ ଘୂରିଯିବ ପ୍ରତୀକ । ଆଣ୍ଟିଭେନିନ୍ ଇଞ୍ଜେକସନ ପାଇବ ନାହିଁ କେଉଁଠି ।

 

ସ୍ତ୍ରୀର ମୁଣ୍ଡ ବୁଲେଇବ । ନଇଁ ଆସିବ ଆଖି ପତା । ଚଟାଣ ଉପରେ ଶୋଇପଡ଼ିବ ସିଏ-

 

ବ୍ୟସ୍ତ ହୋଇପଡ଼ିବ ପ୍ରତୀକ । ଅନୁନୟ ହୋଇ କହିବ ଡାକ୍ତରଙ୍କୁ । ମୋ ସ୍ତ୍ରୀଙ୍କୁ ବଞ୍ଚାନ୍ତୁ ସାର୍ । ଯାହା କହିବେ କରିବି । ଯେତେ ପଇସା ଦରକାର ଦେବି । ମୋ ସ୍ତ୍ରୀକୁ ବଞ୍ଚାନ୍ତୁ ।

 

ନିରୁପାୟ ହୋଇଥିବେ ଡାକ୍ତର ।

 

ଆଶଙ୍କା ବଢ଼ି ଯାଉଥିବ ପ୍ରତୀକ ମନରେ । ବିକଳରେ ଆଉଁସି ଦେବ ସ୍ତ୍ରୀର ମୁଣ୍ଡ । ଭାବପ୍ରବଣ ହୋଇ ଚୁମା ଦେଉଥିବ ତା’ ମୁହଁରେ । ଡାକ୍ତରଙ୍କୁ ଅନୁନୟ ହେଉଥିବ ।

 

ପାଟିରୁ ବୋହି ପଡ଼ିବ ଲାଳ । ଜିଭ ବାହାରି ଆସିବ ପଦାକୁ । ନିଥର ହୋଇ ପଡ଼ିଯିବ ପ୍ରତୀକ-ସ୍ତ୍ରୀର ଶରୀର ।

 

ଅସହାୟ ହୋଇ ସ୍ତ୍ରୀ ଉପରେ ଝୁଙ୍କି ପଡ଼ିବ ପ୍ରତୀକ । ମାତ୍ର ଦୁଇବର୍ଷର ଦାମ୍ପତ୍ୟ ଜୀବନ ସ୍ମୃତି ହୋଇଯିବ ତା’ପାଇଁ । ମୁହଁରେ ନ ଥିବ ଭାଷା । ଦେହରେ ନ ଥିବ ଶକ୍ତି । ଆଖିରୁ ବହି ଯାଉଥିବ ଟୋପାଟୋପା ଲୁହ ।

 

ପ୍ରତୀକ ଗିରଫ

 

ପୁଲିସ ପାଇଁ ଖୋରାକ ମିଳିଯିବ । ଖବର ପାଇ ପ୍ରତୀକ ଘରକୁ ଆସିବେ ପୁଲିସ । ତା’ ନାଁରେ ଯୋଡ଼ି ଦେବେ ଦଫା ପରେ ଦଫା । ଯୌତୁକ ପାଇଁ ହତ୍ୟା କରାଯାଇଛି ସ୍ତ୍ରୀକୁ । ବିଧିବଦ୍ଧ ଭାବେ ପୋଷ୍ଟମର୍ଟମ କରାଯାଇନି । ପୁଲିସକୁ ନ ଜଣାଇ ଦାହ କରାଯାଇଛି ଶବ । ଜାଣିଶୁଣି ଅବହେଳା କରାଯାଇଛି ଚିକିତ୍ସାରେ ।

 

ଅଭିମାନ ଆସିବ ପ୍ରତୀକ ମନରେ । ବୈରାଗ୍ୟ ଜନ୍ମିବ ସଂସାର ପ୍ରତି । ସ୍ତ୍ରୀର ଅନୁପସ୍ଥିତିରେ ଖାଁ ଖାଁ ଲାଗୁଥିବ ଦୁନିଆ ।

 

କୋର୍ଟରେ ଓକିଲ ଦେବନି ପ୍ରତୀକ । ନିଜ ସପକ୍ଷରେ ସେମିତି କିଛି ଯୁକ୍ତି ବି ବାଢ଼ିବନି ।

 

ଆଦେଶ ହେବ ହାକିମଙ୍କର । ତିନିବର୍ଷ ଜେଲ ଭୋଗିବ ପ୍ରତୀକ ।

 

ଜେଲ ଭିତରେ ବଢ଼ିଯିବ ତା’ ଏକାକୀତ୍ୱବୋଧ । ବଢ଼ି ଯାଇଥିବ ଦାଢ଼ି । କଳା ପଡ଼ିଯାଇଥିବ ଦେହର ରଙ୍ଗ । ଲାଲ ହୋଇଯାଇଥିବ ଆଖି । ଗୋଟେ ଦୁର୍ଦ୍ଦାନ୍ତ ଅପରାଧୀ ହୋଇ ଜେଲରୁ ଖଲାସ ହେବ ପ୍ରତୀକ ।

 

ଔଷଧ ମନ୍ତ୍ରୀଙ୍କୁ ହତ୍ୟା

 

ଖବର ସଂଗ୍ରହ କରିଥିବ ପ୍ରତୀକ । କୌଣସି ଡାକ୍ତରଖାନାରେ ମିଳୁନି ସାପ କାମୁଡ଼ା ଇଞ୍ଜେକସନ । ଡାକ୍ତରଖାନା ଯାଉଥିବା ସବୁ ସାପ କାମୁଡ଼ା ରୋଗୀ ମୃତ୍ୟୁବରଣ କରୁଛନ୍ତି ।

 

କାଗଜ ପତ୍ରରେ ଯୋଗାଇ ଦିଆଯାଉଛି ଔଷଧ । ବଜେଟରେ ହିସାବ ଦିଆଯାଉଛି ଔଷଧ ଯୋଗାଣର । କିନ୍ତୁ ଔଷଧର ନାମଗନ୍ଧ ନାହିଁ ଡାକ୍ତରଖାନାରେ ।

 

କେତୋଟି କମ୍ପାନୀ ସିଧାସଳଖ ଧରିଛନ୍ତି ଔଷଧ ମନ୍ତ୍ରୀଙ୍କୁ । ବର୍ଷକୁ ଗଣି ଦେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ମିଛ ଭାଉଚର ଦେଇ ଟଙ୍କା ଆଣୁଛନ୍ତି । ଦରକାର ପଡ଼ୁନି ଔଷଧ ଯୋଗାଇବା ।

 

ଅନୁଭବ କରିବ ପ୍ରତୀକ । ତା’ ସ୍ତ୍ରୀର ମୃତ୍ୟୁ ପାଇଁ ଦାୟୀ ଔଷଧ ମନ୍ତ୍ରୀ । ତାକୁ ଜେଲ ହେବା ପାଇଁ ଦାୟୀ ଔଷଧ ମନ୍ତ୍ରୀ । ରାଜ୍ୟ ସାରା ଶହ ଶହ ସାପ କାମୁଡ଼ା ରୋଗୀ ମରିବା ପାଇଁ ଦାୟୀ ଔଷଧ ମନ୍ତ୍ରୀ ।

 

ରାଜନୈତିକ ସଭାକୁ ଆସୁଥିବେ ଔଷଧ ମନ୍ତ୍ରୀ । ସମ୍ବର୍ଦ୍ଧନା ଦବାର ବିରାଟ ଆୟୋଜନ ହୋଇଥିବ । ଫୁଲମାଳ ଧରି ଠିଆ ହୋଇଥିବ ପ୍ରତୀକ । ପହଞ୍ଚିବା ମାତ୍ରେ ମନ୍ତ୍ରୀଙ୍କ ଗଳାରେ ଲମ୍ବେଇଦେବ ହାର । ପଛକୁ ପଛ ପନ୍ଦର କୋଡ଼ିଏ ହାର ଲମ୍ବିଯିବ ମନ୍ତ୍ରୀଙ୍କ ଗଳାରେ ।

 

କେତେ ପାହୁଣ୍ଡ ଯିବେ ମନ୍ତ୍ରୀ । ମୁଣ୍ଡରେ ହାତ ଦେଇ ବସିପଡ଼ିବେ ତଳେ । ପାଟିରୁ ବାହାରିବ ଲାଳ । ବନ୍ଦ ହୋଇଯିବ ଆଖି । ନିସ୍ତେଜ ହୋଇଯିବେ ମନ୍ତ୍ରୀ । ସବୁଦିନ ପାଇଁ ଆଖି ବୁଜିବେ ।

 

ଡାକ୍ତର କହିବେ, ବିଷାକ୍ତ ସାପ ଦଂଶିଲା ମନ୍ତ୍ରୀଙ୍କୁ । ମୁଣ୍ଡକୁ ଚୋଟ ମାରିଥିବାରୁ ଶୀଘ୍ର ଦେହାନ୍ତ ହୋଇଗଲା ତାଙ୍କର ।

 

ରିପୋର୍ଟ ଦେବ ତଦନ୍ତ କମିଶନ । ଫୁଲ ହାରରୁ ବାହାରିଛି ସାପ । ପ୍ରମାଣ କିନ୍ତୁ ମିଳୁ ନ ଥିବ, କାହା ଫୁଲମାଳ ସହ ରହିଥିଲା ସାପ । ମନ୍ତ୍ରୀଙ୍କ ପ୍ରକୃତ ହତ୍ୟାକାରୀ କିଏ ।

 

ରାଜ୍ୟସାରା ରେଡ଼ ଆଲର୍ଟ

 

ସାହସ ବଢ଼ିଯିବ ପ୍ରତୀକର । ମନ୍ତ୍ରୀଙ୍କୁ ମାରିବା ବେଶ୍ ସହଜ ଲାଗୁଥିବ ତାକୁ । ତା’ପରେ ବେନାମୀ ଭାବରେ ଘୋଷଣା କରିବ, ଦୁଇ ମାସ ଭିତରେ ବନ୍ଦ ହୋଇଯିବ ଦୁର୍ନୀତି । ଦୁର୍ନୀତି କରୁଥିବା ସବୁ ନେତା, ଅଫିସରଙ୍କୁ ଔଷଧ ମନ୍ତ୍ରୀଙ୍କ ଅବସ୍ଥା ଭୋଗ କରିବାକୁ ପଡ଼ିବ ।

 

ସହର ବଜାରରେ ବିଞ୍ଚି ହୋଇଯିବ ପ୍ରଚାର ପତ୍ର । ସତର୍କ ହୋଇଯିବେ ପୁଲିସ । ଖୋଜି ଖୋଜି ଘୋଷଣାକାରୀର ପତ୍ତା ବି ପାଇବେନି କେହି ।

 

ବାରମ୍ବାର ଟେଲିଫୋନ ଆସିବ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଘରୁ । ପ୍ରମୁଖମନ୍ତ୍ରୀ ତାଗିଦ କରି ଦେଉଥିବେ ପୁଲିସ ମନ୍ତ୍ରୀଙ୍କୁ । ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟାହତ ହେଉଛି ରାଜ୍ୟରେ । ଭି.ଆଇ.ପି.ମାନଙ୍କ ଜୀବନ ବିପନ୍ନ ହେବାକୁ ବସିଛି ।

 

ପୁଲିସ ମୁଖ୍ୟ ଆଦେଶ କରିବେ ତାଙ୍କ ବାହିନୀକୁ । ଖୋଜିଯାଅ ରାଜ୍ୟର କୋଣଅନୁକୋଣ । ଚବିଶ ଘଣ୍ଟା ଭିତରେ ବାନ୍ଧିଆଣ ଘୋଷଣାକାରୀକୁ ।

 

ପୁଲିସ ମୁଖ୍ୟଙ୍କ ଘର ସାମ୍‌ନାରେ ଟଙ୍ଗା ହୋଇଯିବ ଏକ ବିଜ୍ଞାପନ । ବଡ଼ ବଡ଼ ଅକ୍ଷରରେ ଲେଖାଯାଇଥିବ–ଆମେ ପୁଲିସର ଶତ୍ରୁ ନୋହୁଁ, ଅଫିସରମାନଙ୍କ ଶତ୍ରୁ ନୋହୁଁ, ଶତ୍ରୁ ନୋହୁଁ କେଉଁ ରାଜନୈତିକ ନେତାଙ୍କର । ଶତ୍ରୁ ଆମେ ଦୁର୍ନୀତିର, ଦୁର୍ନୀତିଗ୍ରସ୍ତ ମଣିଷମାନଙ୍କର । ଏ ଦେଶକୁ ରସାତଳକୁ ନେଇଯାଉଥିବା ସ୍ୱାର୍ଥପର ମଣିଷମାନଙ୍କର ।

 

ପୁଲିସବାହିନୀକୁ ଉଦ୍ଦେଶ୍ୟ କରି ଲେଖାଯାଇଥିବ ବିଜ୍ଞାପନରେ । ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱ ତୁମର । ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ଆଦେଶ ପାଳନ କର ନାହିଁ । ଅପରାଧ ରୋକିବା ତୁମର କର୍ତ୍ତବ୍ୟ । ବଡ଼ ଅପରାଧୀଙ୍କ ହାତବାରିସି ହୁଅ ନାହିଁ । ତୁମକୁ ଶୋଷଣ କରାଯାଉଛି । ତୁମ କାନ୍ଧ ଉପରେ ପାଦ ରଖି ବଡ଼ ହେଉଛନ୍ତି ମୁଷ୍ଟିମେୟ ଲୋକ ।

 

ଖବରକାଗଜମାନଙ୍କର ପ୍ରଥମ ପୃଷ୍ଠା ମଣ୍ଡନ କରିବ ଏ ଖବର । ହଇଚଇ ଖେଳିଯିବ ରାଜ୍ୟବାସୀଙ୍କ ମନରେ । ଭିତରେ ଭିତରେ କେତେଜଣ ପୁଲିସ ନୈତିକ ସମର୍ଥନ ଜଣାଇବେ ଘୋଷଣାକାରୀକୁ । ବିଜ୍ଞାପନ ନୁହେଁ, ଶାସନ କଳ ପାଇଁ ଏକ ଶକ୍ତ ଚାଲେଞ୍ଜ ହୋଇଥିବ ଏହା । ମନ୍ତ୍ରୀଙ୍କ ଆଦେଶରେ ରେଡ଼ ଆଲର୍ଟ ଜାରି କରାଯିବ ସମଗ୍ର ରାଜ୍ୟରେ । ସୁଦୃଢ଼ କରି ଦିଆଯିବ ଭି.ଆଇ.ପି.ମାନଙ୍କ ସୁରକ୍ଷା । ଘୋଷଣାକାରୀକୁ ଧରିବା ପାଇଁ ଜାଲ ବିଛେଇଦେବେ ପୁଲିସବାହିନୀ ।

 

ନେତା, ବ୍ୟବସାୟୀ, ଅଫିସର ନିହତ

 

ଲୋକଙ୍କ ଭିତରେ ରହି ଶୁଣୁଥିବ ପ୍ରତୀକ । ସମସ୍ତଙ୍କ ଟୁପ୍‌ଟାପ୍ ଭୁଟ୍‌ଭାଟ୍ ଭିତରେ ସିଏ ବି ଜଣେ ପାଲଟି ଯାଇଥିବ । ଚୁପି ଚୁପି କହୁଥିବେ ଲୋକେ, ଅନ୍ଧାର ଲୋପ ପାଇବ ଏ ଦେଶରୁ । ଚୋରି, ମିଛ, ଲାଞ୍ଚ, ଦୁର୍ନୀତି, ଅପରାଧ ସବୁ ଦୂରେଇଯିବ ।

 

ବୁଢ଼ାମାନେ ଯୋଡ଼ୁଥିବେ କଥା । ଛଦ୍ମବେଶରେ ଅବତାର ହୋଇଛନ୍ତି ଭଗବାନ । ଲୁଚି ଲୁଚି ପାପୀମାନଙ୍କୁ ସଂହାର କରୁଛନ୍ତି । ସାନବଡ଼ କିଛି ବାରଣ ନାହିଁ ତାଙ୍କର । ଧନୀ ଗରିବ ଫରକ ନାହିଁ । ଯିଏ ଅନ୍ୟାୟ କରିବ ମରିବ । ଧର୍ମ କରିବ ଯିଏ ତିଷ୍ଠିବ ।

 

ଗୋଟେ କୋକୁଆ ଭୟ ସୃଷ୍ଟି ହୋଇଯିବ ଲୋକମାନଙ୍କ ଭିତରେ । ଅନୀତି କରିବାକୁ ଭରସି ପାରିବେନି କେହି । ଠକ, ଚୋର, ଡକାୟତମାନେ ବଦଳେଇ ଦେବେ ସେମାନଙ୍କ ବେଉସା-

 

ଅତି ଚାଲାଖମାନେ ଏବେ ବି ଆଖିବୁଜି କ୍ଷୀର ପିଉଥିବେ । ସୁରକ୍ଷା ବଳୟ ଭିତରେ ରହି ଚଲେଇଥିବେ ତାଙ୍କ ବ୍ୟବସାୟ । ତାଙ୍କ ଛଡ଼ା କେହି ଜାଣିପାରୁନଥିବେ କିଛି । ଶୀତତାପ ନିୟନ୍ତ୍ରିତ ଘର ଭିତରେ ଘଟି ଯାଉଥିବା ଘଟଣା ବିଷୟରେ ସାମାନ୍ୟତମ ସୁରାକ ପାଉ ନ ଥିବେ କେହି ।

 

ତଥାପି ଉତ୍ସାହିତ ହେବ ପ୍ରତୀକ । ଆଉ ପାଦେ ଆଗେଇଯିବ ନିଜ ଲକ୍ଷ୍ୟ ପଥରେ ।

 

ବାଛି ବାଛି ସହରର ସବୁଠୁ ବଡ଼ ହୋଟେଲରେ ଚାକିରି କରିବ ପ୍ରତୀକ । ବୟ ହିସାବରେ ବେଶ୍ ନାଁ କମେଇବ । ନିଜ କାମ ପାଇଁ ପ୍ରଶଂସା ବି ପାଉଥିବ । ଉଦ୍ଦେଶ୍ୟସାଧନ ପାଇଁ ଅପେକ୍ଷା କରିଥିବ ସୁଯୋଗକୁ ।

 

ବରିଷ୍ଠ ମନ୍ତ୍ରୀମାନଙ୍କୁ ହୋଟେଲରେ ଗୋଟିଏ ପାର୍ଟି ଦେଉଥିବେ ଜଣେ ବ୍ୟବସାୟୀ । ତାଙ୍କ ସହ ଡାକିଥିବେ ବହୁ ନେତା ଓ ପଦସ୍ଥ ଅଫିସରମାନଙ୍କୁ । ରାଜ୍ୟର ସମସ୍ତ ଡାକ୍ତରଖାନାକୁ ଜୀବନରକ୍ଷାକାରୀ ଔଷଧ ଯୋଗାଣ ପାଇଁ ଲବି କରୁଥିବେ ବ୍ୟବସାୟୀଜଣକ ।

 

ଖାଦ୍ୟ ସାଙ୍ଗକୁ ପାନୀୟ ଆସିବ । ରାତିର ବିଳମ୍ବିତ ପ୍ରହର ଯାଏ ବାଜୁଥିବ ମୃଦୁ ସଙ୍ଗୀତ ।

 

ରାତି ପାହିବ, ଚହଳ ପଡ଼ିଯିବ ରାଜ୍ୟରେ । ନେତା, ବ୍ୟବସାୟୀ, ଅଫିସର ନିହତ । ରାଜ୍ୟବ୍ୟାପୀ ପାଳନ କରାଯିବ ଶୋକ । ତଦନ୍ତ ରିପୋର୍ଟ ମିଳିବ, ଖାଦ୍ୟ ସହ ମିଶିଯାଇଛି ଉତ୍କଟ ବିଷ । ବିନା ପରୀକ୍ଷାରେ ଭି.ଆଇ.ପି.ମାନଙ୍କୁ ପରଷା ଯାଇଛି ଖାଦ୍ୟ । ଏଇ ଅପରାଧରେ ଗିରଫ କରାଯିବ ହୋଟେଲର କୋଟିପତି ମାଲିକଙ୍କୁ ।

 

ସମାଧାନ

 

ଅଦ୍ଭୁତ ଏକ ଗୁଞ୍ଜରଣ ଖେଳିଯିବ ରାଜ୍ୟସାରା । ପୁଅ ପାଠ ନ ପଢ଼ିଲେ ଡରେଇ ଦେବ ମାଆ । ଡେରିରେ କିଏ ଅଫିସ ଆସିଲେ ଡରେଇ ଦେବ ସହକର୍ମୀ । ମୂଲିଆ କାମ ନ କଲେ ମନେପକାଇ ଦେବ ମାଲିକ । କିଏ କେଉଁଠି ପଦେ ମିଛ କହିଲେ ସଚେତନ କରାଇଦେବ ଆଉ ଜଣେ ।

 

ଅଦୃଶ୍ୟ ଆଖି ବୁଲୁଛି ଚାରିଆଡ଼େ । ସମସ୍ତଙ୍କ ପାପକୁ ଦେଖୁଛି ଟିକିନିଖି । ପାପୀ ସଂହାର କରୁଛି ବୁଲି ବୁଲି । ହୁସିଆର ସମସ୍ତେ । ଅଦୃଶ୍ୟ ଆଖିରୁ କେହି ବାଦ୍‍ ଯିବେନି । ଟିକିଏ ବି ପାପ ସହିବନି ସିଏ ।

 

ଦେଖିବ ପ୍ରତୀକ । ଅଫିସ ଚାଲିଛି ନିୟମିତ ଭାବେ । ଠିକ୍‍ଭାବେ ଔଷଧ ମିଳୁଛି ଡାକ୍ତରଖାନାରେ । କେହି ଠକୁ ନାହିଁ କାହାକୁ । ଜଣେ ଶୋଷଣ କରୁନାହିଁ ଅନ୍ୟ ଜଣକୁ ।

 

ମିଥ୍ୟାର ଚିହ୍ନବର୍ଣ୍ଣ ନାହିଁ ଦୁନିଆରେ । ସତ୍ୟମୟ ହୋଇଯାଇଛି ସମଗ୍ର ପରିବେଶ ।

 

ମନେମନେ ହସିବ ପ୍ରତୀକ । କେତେ ଭୟାତୁର ଏ ଦୁର୍ନୀତିଗ୍ରସ୍ତ ମଣିଷମାନେ ! କେତେ ଦୁର୍ବଳ ଏମାନଙ୍କ ମନ ! କେଡ଼େ ନିର୍ବୋଧ ଏମାନେ !

 

ଜଣକୁ ଧମକାଇଲେ ଚମକି ପଡ଼ିବ ଆଉ ଜଣେ । ଜଣକୁ ମାରିଲେ ସଜାଡ଼ି ହୋଇଯିବ ଆଉ ଜଣେ । ବଡ଼ ବିଚିତ୍ର ଏ ସୁବିଧାବାଦୀଙ୍କ ଜୀବନ ।

 

ସମସ୍ତଙ୍କ ଅଜାଣତରେ ବାହାରୁଥିବ ପ୍ରତୀକ । ଅଫିସରୁ ଅଫିସ ଘୂରୁଥିବ । ଏପଟ ସେପଟ ହେଉଥିବ ଡାକ୍ତରଖାନା କରିଡରରେ । ଦୁର୍ନୀତି ଲୋପ ପାଇଁ ଏକ ଅସ୍ୱୀକୃତ ପନ୍ଥା ବାଛି ନେଇଥିବ ।

Image